Unknown

 

 

 

 

 

 

 

 

 

ଅଭିମାନିନୀ ପ୍ରିୟା

ଶ୍ରୀ ଇନ୍ଦ୍ରମଣୀ ଦଳାଇ

 

ଏକ

 

ତାଙ୍କୁ ଯେଉଁଦିନ ପ୍ରଥମେ ଦେଖିଲି ସେ ଦିନଟି ମୋର, ଚିରସ୍ମରଣୀୟ ହୋଇ ରହିଛି । ସେ ଦିନଟିକୁ ମୁଁ ଭାବେ ଗୋଟିଏ ଶୁଭଦୃଷ୍ଟି ଦିନ । ମାତ୍ର ଶୁଭ ହେଉ ବା ଅଶୁଭ ହେଉ ତାହା ଯେ ମୋ ଜୀବନର ସରଳ ଗତି ପଥରେ ଏକ ବିରାଟ ବ୍ୟତିକ୍ରମ ଆଣି ଠିଆ କରିଛି ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ସେ ଦିନ ସାଢ଼େ ନ’ଟା ସମୟ । ମୁଁ ଯାଉଥିଲି ଅଫିସ୍ । ସେ ଠିଆ ହୋଇଥିଲେ ତାଙ୍କର ବାଡ଼ିପାଖ କବାଟର ଦ୍ୱାରବନ୍ଧ ଉପରେ । ତାଙ୍କ ମୁହଁ ଉପରେ ଦୃଷ୍ଟି ପଡ଼ିଲାକ୍ଷଣି, ସେ ଉହାଡ଼କୁ ଘୁଞ୍ଚିଗଲେ । ମୋ ଆଖି ମଧ୍ୟ ନତ ହୋଇ ଆସିଲା । ମାତ୍ର ସେତିକିରେ ମୁଁ ଦେଖିଲି ସେ ଅନିନ୍ଦ୍ୟ ସୁନ୍ଦରୀ । ତାଙ୍କର ନିଟୋଳ ସୌନ୍ଦର୍ଯ୍ୟରେ ମୁଁ ଅଭିଭୂତ ହୋଇ ପଡ଼ିଲି ।

 

ସେ ସୁନ୍ଦରୀ । ତାଙ୍କ ସୌନ୍ଦର୍ଯ୍ୟର ଏହି ସମୀକ୍ଷଣ ଅବଶ୍ୟ ମୋର ଏକାନ୍ତ ବ୍ୟକ୍ତିଗତ ରୁଚି ଉପରେ ପର୍ଯ୍ୟବସିତ । ସର୍ବସାଧାରଣଙ୍କ ଦୃଷ୍ଟି ସମକ୍ଷରେ ସେ ଯେ ଅତି ସୁନ୍ଦରୀ ରୂପେ ପ୍ରତିଭାତ ହେବେ ଏ ଅର୍ଥରେ ନୁହେଁ । ମୋ ବ୍ୟତୀତ ଅନ୍ୟ କାହାରି ଦୃଷ୍ଟିରେ ସେ ଅସୁନ୍ଦରୀ ମଧ୍ୟ ହୋଇପାରନ୍ତି । ମାତ୍ର ମୋ ଆଖିକୁ ସେ କାହିଁକି ସୁନ୍ଦରୀ ଦେଖାଗଲେ । ମୋ ବିବେଚନାରେ ତାଙ୍କପରି ସୁନ୍ଦରୀ ଜୀବନରେ ଅନ୍ୟତ୍ର ଦେଖିଲାପରି ମନେ ହେଲାନାହିଁ । ତାଙ୍କର ସୌନ୍ଦର୍ଯ୍ୟ ଯେ ମୋ’ପରି ଲୋକଟାକୁ ଏପରି ତୀବ୍ର ଭାବରେ ଆକର୍ଷଣ କରିବ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

 

ଥରେ ହାତ ଦେଖି ଜ୍ୟୋତିଷ କହିଥିଲେ ମୋର ଆଧ୍ୟାତ୍ମିକ ଜ୍ଞାନ ପ୍ରବଳ ହେବ । କଥାଟିକୁ ମଧ୍ୟ ମୁଁ ବିଶ୍ୱାସ କରୁଥିଲି ମନେ ମନେ । ସେହି କଥା ପଦକରେ ଧର୍ମ କର୍ମ ଆଡ଼କୁ ମନଟା ଟାଣି ହୋଇଯାଇଛି ଅନେକ ଥର । କିନ୍ତୁ ପଥ-ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇପଡ଼ିବା ଆଧ୍ୟାତ୍ମିକ ଜ୍ଞାନର ପ୍ରାବଲ୍ୟରୁ ବୋଧହୁଏ ସମ୍ଭବ ହେଲା । ତା ନ ହେଲେ ଜ୍ୟୋତିଷଙ୍କ ପାଠ କଣ ଆଉ ମିଛ କହିବ ? ବାସ୍ତବିକ ମୁଁ ଭୁଲ କରୁଛି କି ପାସ୍ କରୁଛି କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିଲିନାହିଁ ସେତେବେଳେ । ପାପ ବରଂ ହେଉ କିନ୍ତୁ ମୁଁ ଯାହା କରିଛି ତାହା କରିଛି । ମୁଁ ତ କିପରି ଆତ୍ମହରା ହୋଇପଡ଼ିଲି । ଦର୍ଶନ ଇନ୍ଦ୍ରିୟର ଏହି ନିର୍ମମ ଅଭିଳାଷର ବଶବର୍ତ୍ତୀ ମୋତେ ହେବାକୁ ହିଁ ପଡ଼ିଲା । ମୋର ହେଲା ପରାଜୟ । ମୁଁ ତାଙ୍କୁ ବାରମ୍ବାର ପଛକୁ ଫେରି ଫେରି ଅନାଇଲି।

 

ପ୍ରଥମେ ଜାଣି ନଥିଲି ସେ କନ୍ୟା କି ବଧୂ । ସେ ବଧୁ ନ ହୋଇ ପାରନ୍ତି । ବଧୂ ହୋଇଥିଲେ ମୋ ପାପର ଗୁରୁତ୍ୱ ଏହାଦ୍ୱାରା ବୋଧହୁଏ ସ୍ପଷ୍ଟତର ହୋଇଯିବ । କାରଣ ଅପରର ସ୍ତ୍ରୀ, ଅନ୍ୟ କୂଳର ବଧୂ, ସମ୍ପୂର୍ଣ୍ଣ ଅପରିଚିତାଙ୍କୁ ଏପରି ଘନ ଘନ ଅବଲୋକନ କରି କେବେ କେବେ କ୍ଷଣକ ପାଇଁ ଅନିମେଷ ନୟନରେ ଅନାଇ ରହିବା କଦାପି ଶାସ୍ତ୍ରନୁମୋଦିତ ନୁହେଁ ଏବଂ ଏହା କେତେଦୂର ଅନ୍ୟାୟ ମୋ ବିଚାରରେ ଏହାର କୌଣସି ସମାଧାନ ହୋଇପାରି ନଥିଲା ସେତେବେଳେ ।

 

ପୁଣି ମୋ କଥା ବାକି ଅଛି । ମୁଁ ଯେ ଅବିବାହିତ ତାହାନୁହେଁ । ଘରେ ମୋର ପ୍ରାଣାଧିକା, ପ୍ରାଣପ୍ରିୟା, ଦୁଇଟି ସନ୍ତାନର ଜନନୀ, ସତୀ, ସାଧ୍ୱୀ, ପତିବ୍ରତା ଗୃହିଣୀ ବିଦ୍ୟମାନ । ଏପରି ସ୍ଥଳେ ମୋ ପାପର ଗୁରୁତା-ଚାପ କେତେ ଅଧିକ ହେବାର କଥା, ସହଜରେ ଅନୁମେୟ । ମାତ୍ର ଏ ସବୁର ବିଚାର ବୁଦ୍ଧି ମୋର ସେତେବେଳେ ନଥିଲା ।

 

ତାଙ୍କୁ ଅବା ମୁଁ ନ ଅନାନ୍ତି କିପରି ? ଏକେ ତ ସେ ସୁନ୍ଦରୀ, ଦ୍ୱିତୀୟରେମୋ ଅଫିସ ଯିବା ରାସ୍ତା କଡ଼କୁ ଲାଗି ତାଙ୍କର ବାସଗୃହଟି । ରାସ୍ତାର ଏତେ ପାର୍ଶ୍ୱରେ ତାଙ୍କ ଘରର ଖିଡ଼ିକି ଯେ, ରାସ୍ତା ଉପରେ ଦଣ୍ଡାୟମାନ ହୋଇ ହସ୍ତ ପ୍ରସାରଣ କଲେ ତାଙ୍କୁ ସ୍ପର୍ଶ ମଧ୍ୟ କରିହେବ । ମାନେ ମୁଁ ଯେଉଁ ରାସ୍ତା କଥା କହୁଛି ତାହା ଅବଶ୍ୟ ଗୋଟିଏ ସଂକୀର୍ଣ୍ଣ ଗଳି ରାସ୍ତା । ଅଫିସ୍ ଯିବା ପାଇଁ ସିଧାସଳଖ ପଡ଼େ । ପିଚୁ ରାସ୍ତାଟି ଟିକେ ବୁଲାଣି ହୁଏ ବୋଲି ମୁଁ ଅଧିକାଂଶ ସମୟ ସେହି ବାଟେ ଯାଏ । ମୁଁ ତ ଏକଲା ନୁହେଁ, ଲୋକେ ପ୍ରାୟ ଯିବା ଆସିବା କରନ୍ତି । ତାହା ବୋଲି ରାସ୍ତାଟିକୁ ଜନାକୀର୍ଣ୍ଣ କୁହାଯାଇ ନପାରେ ।

 

ମଇଳା ପାଣି ଯିବାପାଇଁ ମସ୍ତବଡ଼ ନାଳୀଟିଏ ଯାଇଛି । ପରିବା ଚୋପା, ଅଳିଆ, ପାଉଁଶ, ଅଇଁଠା ପତ୍ର ଇତ୍ୟାଦି ସମସ୍ତ ଆବର୍ଜନା ନିଜର ସ୍ତୁପିକୃତ ଶରୀର ବିସ୍ତାର କରି ସହରର ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ପ୍ରତି ଯେପରି ଭ୍ରୁକୂଟୀ କରୁଅଛନ୍ତି ।

 

ମାତ୍ର କଥା ହେଉଛି, ଏ ବାଟେ ତ ମୁଁ ବିଗତ ତିନିବର୍ଷ ହେଲା ଯାତାୟତ କରୁଅଛି । ଦିନେ ତ ତାଙ୍କୁ ଦେଖି ନଥିଲି । ତାହା ଯେ ଗୋଟାଏ ପୋଷ୍ଟାଲ୍‍ କ୍ୱାଟର ଏହା ହିଁ ମୋର ଧାରଣା । କାରଣ ଏହି ଅଞ୍ଚଳରେ ଏବଂ ତାଙ୍କର ଏହି ବାସସ୍ଥାନକୁ ଲାଗି ଅନ୍ୟାନ୍ୟ ପକାଘରଗୁଡ଼ିକ ସବୁହିଁ ପୋଷ୍ଟାଲ୍‍ କ୍ୱାଟର । ଏହି ଘରେ ବାସ କରୁଥିବା ପ୍ରୌଢ଼ ଲୋକଟିକୁ ମୁଁ ଅନେକ ଥର ଦେଖିଛି । ଆଳାପ ନଥିଲେ ମଧ୍ୟ ମୁଁ ତାଙ୍କୁ ଜାଣେ । ସେ ମଧ୍ୟ ମୋତେ ଚିହ୍ନିଥିବେ ଯଦିଚ ଆଳାପ ନାହିଁ, ସେ ବୋଧହୁଏ ଏ ଘରେ ଆଉ ରହୁନାହାନ୍ତି । କାରଣ ତାଙ୍କୁ ପ୍ରାୟ ବର୍ଷେ ହେବ ଦେଖୁନାହିଁ । ଏହାଙ୍କୁ ଦେଖିବାରୁ ମନେ ହେଲା ସେ ପ୍ରୌଢ଼ ଲୋକଟି ବୋଧହୁଏ ଏଠାରୁ ଗଲେଣି । ହୁଏତ ଡାକ ବିଭାଗର କେହି ନୂତନ କର୍ମଚାରୀ ଆସି ଏ ଘରେ ବସା ବାନ୍ଧିଛନ୍ତି ।

 

ଦୁଇ

 

ସେଦିନ ଯଚି ଆସିଥିଲା ଅଫିସକୁ । ଯଚି ମୋର ସହପାଠୀ ବନ୍ଧୁ । ଗପୁଡ଼ିଙ୍କ ଓସ୍ତାଦ ଗପି ଗପି ତୁମକୁ ଭୋକ ଶୋଷ ଭୁଲାଇଦେବ ।

 

ଯଚି ଓ ମୁଁ ସ୍କୁଲରେ ପଢ଼ୁଥାଉଁ । ତାକୁ ଆଉ ମୋତେ ତୁଳନା କଲେ ଆକାଶ ପାତାଳ ପ୍ରଭେଦ । ଆକୃତି କୁହ, ପ୍ରକୃତି କୁହ ବା ଅଧ୍ୟୟନ କୁହ କୌଣସି ଗୋଟିକରେ ସାମଞ୍ଜସ୍ୟ ନଥାଏ । କେବଳ ସେ ଓ ମୁଁ ଦୁହେଁ ଅଙ୍କରେ ଏକା ନମ୍ବର ପାଉଁ ଓ କ୍ଲାସରେ ପାଖାପାଖି ହୋଇବସୁଁ । ଅଙ୍କ ଶିକ୍ଷକ ଆମ ଦୁହିଁଙ୍କୁ ଭାରି ଭଲ ପାଆନ୍ତି ।

 

ଯଚି ମୁହଁଟି ଏପରି ଗଢ଼ା, ନହସିଲା ଲୋକ ତାର ମୁଖଭଙ୍ଗି ଦେଖିଲେ ହସିବ । ସେ ଜଣେ ବ୍ୟଙ୍ଗ ରସିକ ମଧ୍ୟ- ବିଦୂଷକ । ଥିଏଟର କଲେ ସର୍ବଦା ସେ ବିଦୂଷକର ଚରିତ୍ର ଆଗ୍ରହସହ ଗ୍ରହଣ କରେ ଏବଂ କୃତିତ୍ୱ ସହ ପରିସ୍ଫୁଟନ ମଧ୍ୟ କରେ । ଅଙ୍କ ବିଷୟଟି ବ୍ୟତୀତ ଅନ୍ୟାନ୍ୟ ବିଷୟଗୁଡ଼ିକରେ ସେ ଦୁର୍ବଳ । ପଢ଼େନାହିଁ ଜମା । ଟିକେ ଅଧ୍ୟବସାୟ କରୁଥିଲେ ଭଲ ପଢ଼ିପାରୁଥାନ୍ତା । ମାତ୍ର ବହି ଧରି ଘଣ୍ଟା ଅଧଘଣ୍ଟା ବସିବା ତା ଦେହକରେ ହୋଇପାରେନାହିଁ ।

 

ଏପରି ସିନେମା ନାହିଁ ଯାହା ନ ଦେଖିଛି ଯଚି । ମାରପିଟ୍ ସମସ୍ତଙ୍କ ଆଗରେ ବାହାରିବ ସେ । କିଏ କିପରି ଚାଲେ, କିଏ କିପରି ହସେ, କିଏ କିପରି କଥା କହେ ତାର ଦେଖିବା ଓ ଜାଣିବା ଲୋକ ମଧ୍ୟରେ ଯାହାର ଯେଉଁଠି କିଛି ବିଶେଷତ୍ୱ ଥାଏ, ଯଚି ସେତିକି ନକଲ କରି ଆସି କ୍ଲାସ ମଧ୍ୟରେ ଦେଖାଏ ଓ ଆମ୍ଭମାନଙ୍କୁ ହସାଏ ।

 

ଏହିସବୁ ବିଦ୍ୟାରେ ଧୁରନ୍ଧର ଯଚିର କି ଆଉ ପାଠ ଶାଠ ହୁଏ ? ସହଜେ ଭାଇ ଭାଉଜ ହେଲେ ତାର ଅଭିଭାବକ । ବାପା ଓ ମାଆ ଉଭୟଙ୍କୁ ପିଲାଦିନୁଁ ସେ ହରାଇଥିଲା । ଭାଇଙ୍କ ମସ୍ତବଡ଼ ସଂସାରରେ ଯଚି ପଢ଼ା ଉପରେ ଯତ୍ନ ନେବାକୁ ବେଳ କାହିଁ କାହାର ? ତେଣୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଗଲା ବେଳକୁ ଯଚିର ବହିରେ ଡୋର ବନ୍ଧା ହେଲା ।

 

ପାଠଶାଠ ନ ହେଲା ନାହିଁ । ମାତ୍ର ସଙ୍ଗ ଦୋଷରୁ ଅତ୍ୟଳ୍ପ ବୟସରେ ଚରିତ୍ର ପଦାର୍ଥକୁ ଦୂଷିତ କରି ପକାଇଲା ଯଚି...

 

ମୋ ସହିତ ସେତେ ଘନିଷ୍ଠତା ନଥିଲେ ମଧ୍ୟ ଯଚି ବାଲ୍ୟକାଳର ସେହି ବନ୍ଧୁତା ଏକାବେଳେକେ ତୁଟାଇ ଦେଇ ନଥିଲା । ଯଚି ଖାଲି ସେଦିନ ଯେ ମୋ ପାଖକୁ ଆସିଥିଲା ତାହା ନୁହେଁ । ସେ ମଝିରେ ମଝିରେ ଏହିପରି ଆସି ପହଞ୍ଚେ । ଗୋଟିଏ ଆଶ୍ଚର୍ଯ୍ୟ ଧରଣର ସାଙ୍ଗଟିଏ ସେ ମୋର । ସେ ଆସେ ଓ ଆରମ୍ଭ କରିଦିଏ ତାର ବକ୍ତବ୍ୟ । ମୁଁ ଯେପରି ତାର ସର୍ବଶ୍ରେଷ୍ଠ ଶ୍ରୋତା । ମୋ ଆଗରେ କହିବା ପାଇଁ ତାର ଯାହାକିଛି ପେଟ ଭିତରେ ସଞ୍ଚିତ ଥାଏ, ସବୁ ଯାକ ଅଜାଡ଼ି ଦେବାର ବିସ୍ତୀର୍ଣ୍ଣ ଅବସର ମିଳିଯାଏ ତାକୁ ।

 

ସେଦିନ ଦେଖିଲି, ନାକ ତଳକୁ ଖଣ୍ଡେ ପ୍ରଜାପତିଆ ନିଶପରି ନିଶଟିଏ ଗଜୁରିଲାଣି ଯଚିର । ପଚାରିଲି-‘‘ଏ ଖଣ୍ଡିକ କେବେଠାରୁ ଏଠାରେ ବସା ବାନ୍ଧିଲାଣି ?’’

 

ଯଚି ହସିଲା । ପାଟିଟା ତାର ଟିକେ ଲମ୍ବା । ଟିକେ ତ ନୁହେ ବେଶ୍ ଲମ୍ବା ଓ ବଙ୍କା ମଧ୍ୟ । ନାସିକାର ମଧ୍ୟ ଭାଗଟି ଯେଉଁ ଅନୁପାତରେ ଚେପ୍‍ଟା, ଦଣ୍ଡିଟା ତଦନୁସାରେ ଉର୍ଦ୍ଧ୍ୱଗାମୀ-କପୋଳ, ଅଧର ହନୁ ଇତ୍ୟାଦି ପର୍ବତ ଶ୍ରେଣୀମାନଙ୍କ ମଧ୍ୟରେ ମଧ୍ୟବର୍ତ୍ତୀ ଗିରିଶୃଙ୍ଘ ପରି । ହସିଲାବେଳେ ଦାନ୍ତଗୁଡ଼ିକୁ ଲୁଚାଇବାର ଅପୂର୍ବ ପ୍ରୟାସ ଟିକକ ଦେଖିଲେ ମଧ୍ୟ ଦର୍ଶକକୁ ହସ ମାଡ଼ିବ ।

 

କହିଲା- ଗାଧୋଇ ଯିବାକୁ ତେଲ ଲଗାଇବା ସମୟରେ ଅକସ୍ମାତ୍ ତେଲିଆ ହାତର ଉଶ୍ୱାସ ପାଇ ଏ ଖଣ୍ଡିକ ଟିକେ ଗେହ୍ଲା ହୋଇ ବଢ଼ୁଛି । ତେଣୁ କ୍ଷୌର କର୍ମ ସମାପନ କରିବା ସମୟରେ ଏହାପ୍ରତି ମୋର ଟିକେ ଅନୁକମ୍ପା ଜାତହୋଇଛି ମାତ୍ର...

 

ସେ କହିବାକୁ ଆରମ୍ଭ କଲାବେଳକୁ ମୁଁ ହସିବାକୁ ଆରମ୍ଭ କରି ଦେଇଥିଲି । ତା କଥାରେ ମୁଁ ଏହିପରି ହସେ । ତେଣୁ ଅଧିକାଂଶ ସମୟରେ ମୋର ପେଟ ଦରଜ ହେବା ଭୟରେ ସେ ବାକ୍ୟଟିକୁ ବାଧ୍ୟ ହୋଇ ଅସମ୍ପୂର୍ଣ୍ଣ ରଖେ । ତାର ନାକ ଓ ପାଟି ଉଭୟର ସଂମିଶ୍ରଣରେ ମୁହଁଟି ନିହାତି ଅସୁନ୍ଦର ଦେଖା ନଗଲେ ମଧ୍ୟ ଟିକେ ସୁନ୍ଦର ବୋଲି କେହି କହିବ ନାହିଁ ।

 

ତା’ପରେ ଏଣୁ ତେଣୁ ନାନା କଥାବାର୍ତ୍ତା । ଯଚି ଡାକିଲା ହୋଟେଲକୁ ଯିବା ପାଇଁ । ନଯିବାର ବାଟ ନାହିଁ । ବଡ଼ ବଦଖର୍ଚ୍ଚୀ, ଏବେ ସେ ଟାଟାର ଷ୍ଟୋରର୍ସ ଡିପାର୍ଟମେଣ୍ଟରେ ଚାକିରି କରୁଛି । ଷ୍ଟୋର୍‍ ଇସୁଆର୍‍ । ବେତନ ମନ୍ଦ ନୁହେଁ । ଅଫିସର କିରାଣୀମାନଙ୍କ ଠାରୁ କୌଣସି ଗୁଣରେ ଉଣା ନୁହେଁ । ଯଚି କଥା ଭାବି ମୁଁ ନିଜ ଭାଗ୍ୟକୁ ମଧ୍ୟ ନିନ୍ଦା କରେ । ଆମ ସମୟର ଅଧା ପାଠୁଆ ହେଲେ ମଧ୍ୟ ଯଚିର ରୋଜଗାର ମନ୍ଦ ନୁହେଁ । ମାତ୍ର ଖର୍ଚ୍ଚର ଆଦି ଅନ୍ତ ନାହିଁ । ଚରିତ୍ର ହୀନତା ମଧ୍ୟ ତାହା ସହିତ ସଯୁକ୍ତ ହୋଇଯାଇଛି । ତେଣୁ ମାସ ଶେଷ ବେଳକୁ ଯଚି କରି ବସିଥାଏ ଦୁନିଆଯାକର କରଜ ।

 

ଚା ଖିଆ ପାଖରେ ଯଚି ମୁହଁରୁ ଚିତ୍ର ଜଗତର ସବୁ ସମ୍ବାଦ ଶୁଣିବାକୁ ପାଇବ । କେଉଁ ଫିଲ୍ମ ପ୍ରଡ୍ୟୁସର୍‍ କି ନୂଆ ଚିତ୍ର ତୋଳୁଛନ୍ତି, କେଉଁ ଚିତ୍ରଟି କେଉଁ କମ୍ପାନୀରୁ ଆତ୍ମପ୍ରକାଶ କରିବା ଅପେକ୍ଷାରେ, କେଉଁ ଅଭିନେତା ଓ ନେତ୍ରୀ କେଉଁଥିରେ ଆଦର୍ଶ ଅଭିନୟ କରିଛନ୍ତି, (ଆଦର୍ଶ ବୋଇଲେ ଯଚି ମତାନୁସାରେ ଅବଶ୍ୟ) କେଉଁ ଚିତ୍ରରେ କେଉଁ ଅଭିନେତ୍ରୀ ପ୍ରିୟତମଙ୍କ ଆସନ୍ନ ମିଳନ ଅପେକ୍ଷାରେ ପୁଲକରେ ନାଚି ନାଚି ଗୀତ ଗାଇ ଗାଇ ବୁଲୁଥିଲା ବେଳେ କିପରି ଭୂ-ଚାଳନା କରିଛନ୍ତି ଓ ତାଙ୍କ ବକ୍ଷର ଦକ୍ଷିଣପାର୍ଶ୍ୱର ପରିଧେୟ କିପରି ରହିଥିବା ଅବସ୍ଥାରେ ସ୍ନାପ୍ ନିଆଯାଇଛି, ବିଷୟବସ୍ତୁ କଅଣ, କି କି ଗୀତ ଅଛି, ତାର ସୁର ମଧ୍ୟ ଏହିପରି ବୋଲି ଆରମ୍ଭ କରିଦିଏ- ଗାଇବାକୁ । ଭୁଲିଯାଏ ଯେ ସେ ଗୋଟିଏ ହୋଟେଲ ମଧ୍ୟରେ ବସିଅଛି । ତା ପରେ କେଉଁ ପ୍ରଯୋଜକ କେଉଁ ଅଭିନେତ୍ରୀଙ୍କର ଗୁପ୍ତ ପ୍ରଣୟ ପ୍ରାର୍ଥୀ, କେଉଁ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ବିବାହ ସମ୍ବନ୍ଧୀୟ ନେଗୋସିଏସନ୍‍ ଚାଲିଛି ଇତ୍ୟାଦି ସମ୍ବାଦଗୁଡ଼ିକ ମଧ୍ୟ ଯଚି ଅପର୍ଯ୍ୟାପ୍ତ ଭାବରେ ସଂଗ୍ରହ କରି ଶୁଣାଏ । ତୁମକୁ ସିନେମା ଦେଖିବାକୁ ପଡ଼ିବ ନାହିଁ । ଯଚି ମୁହଁରୁ ତ ସବୁ ଶୁଣିପାରିବ ଆଉ..

 

ସୂଚନା ଦିଏନାହିଁ, କାଳେ ତା ମନରେ କିଛି ପ୍ରତିବାଦ କରିବାକୁ ମଧ୍ୟ ଇଚ୍ଛା ହୁଏନାହିଁ । ଶୁଣିଯାଏ ଓ ତା କଥାକୁ ଆଗ୍ରହ ସହକାରେ ହୃଦୟଙ୍ଗମ କରୁଛି ବୋଲି ଛଳନା କରିଯାଏ । ତା ନହେଲେ ଉପାୟ ନାହିଁ ।

 

ଏହିପରି ସେ ଆସେ । ଚା ଜଳଖିଆ ଖୁଆଏ । ପାଖରେ ପଇସା ନଥିଲେ ମୋ ପାଖରୁ ଖାଏ । ମୁଁ ମଧ୍ୟ ତାକୁ ଖୁଆଏ । ଏଥିପାଇଁ କୁଣ୍ଠିତ ମୁଁ ହୋଇପାରେ ନାହିଁ । ଯଚି ପାଖରେ କୁଣ୍ଠିତ ହେବାର ଜୋର୍‍ ନଥାଏ ମୋର । ଯଚିକୁ ମୁଁ ସେହି ସହପାଠୀ ଭାବରେ ସ୍ନେହ କରିଆସିଛି । ବାଲ୍ୟର ସେହି ପବିତ୍ର ମମତା ଉପରେ ଏପର୍ଯ୍ୟନ୍ତ କେହି ହସ୍ତକ୍ଷେପ କରିନାହିଁ । ତାର ବ୍ୟକ୍ତିତ୍ୱ ଓ ଅପର ମୁହଁରେ ହସ ଫୁଟାଇବା ପରି ଯେଉଁ ପ୍ରତିଭାର ନିପୁଣ ବୈଚିତ୍ର୍ୟ ଟିକକ ତା ଭିତରେ ଅଛି ଏଥିପାଇଁ ମୁଁ ତାକୁ ନିଜ ଅଜ୍ଞାତରେ ହୁଏତ ସ୍ନେହ କରେ । ସମବୟସୀ ହେଲେ ମଧ୍ୟ ଯଚିମୋଠାରୁ ଅଳ୍ପ ଡେଙ୍ଗା ଓ ସାବନା ବର୍ଣ୍ଣ ।

 

କିନ୍ତୁ ଯଚି ଚରିତ୍ରହୀନ । ତା’ ଚରିତ୍ର ସହିତ ମୋର ଅବା କି ସମ୍ପର୍କ ? ମୁଁ ରହେ କଦମାରେ ତ ସେ ରହେ ସାକ୍‍ଚୀରେ । ଏଥିମଧ୍ୟରେ ଦୁଇ ତିନି ମାଇଲ ତଫାତ୍ । ଅଫିସକୁ ଆସି ସେ ଯାହା ମୋ ସହିତ ଦେଖା କରିଯାଏ, ମୁଁ ଅବଶ୍ୟ ତାକୁ ବନ୍ଧୁତା ଖାତିରରେ । ଅନେକ ଥର ଅନୁରୋଧ କରି ସାବଧାନ କରାଇଛି । ମାତ୍ର ତହିଁରୁ ବୁଝିଛି ସେ ଆଉ ଭଲ ବାଟକୁ ଆସି ପାରିବା ପରି ଅବସ୍ଥାରେ ନାହିଁ । ମୁଁ କ୍ଷାନ୍ତ ହୋଇଛି । ଯଚି ହୋଇ ପଡ଼ିଛି ବଡ଼ ଯୌନକ୍ଷୁଧାତୁର । ଇନ୍ଦ୍ରିୟ ଲାଳସାର ବଶବର୍ତ୍ତୀ ହୋଇ ସେ କୁ’ପଥକୁ ଆଶ୍ରୟ କରିଛି ।

 

ଏବେ ସେ ଟାଟାର ଷ୍ଟୋରର୍ସ ଡିପାର୍ଟମେଣ୍ଟରେ ଚାକିରୀ କରିଛନ୍ତି ଷ୍ଟୋର ଇସୁଆର୍‍ । ବେତନ ମନ୍ଦ ନୁହେଁ । ସତେ ଅବା ତା ଚରିତ୍ରର କ୍ରମବିକାଶ କିପରି ଅତୁଟ ଗତିରେ ପ୍ରାପ୍ତ ହୋଇ ଚାଲିଛି ତାହା ଦେଖାଇବା ପାଇଁ । ମୁଁ ଦେଖେ ଯଚି ଠିକ୍‍ ସେହିପରି ଅଛି, ସେହି କିଶୋର ବୟସର ଯଚି ପରି । ପରିବର୍ତ୍ତନ ମଧ୍ୟରେ କେବଳ ବୟସର ତାରତମ୍ୟ ଓ ନିଜ ଭରଣପୋଷଣ ଦିଗରେ ଆତ୍ମନିର୍ଭରଶୀଳତା ତାର ଭାଗ୍ୟ ସୁପ୍ରସନ୍ନ ତା’ପ୍ରତି ଯାହାକି ସେ ଚାକିରୀ ଖଣ୍ଡେ ବେକାର ବହୁଳ ଯୁଗରେ ପାଇପାରିଛି । ତାହାଛଡ଼ା ଯଚି ଯାହାଥିଲା ଆଜି ବି ସେଇଆ । ସେଦିନ ଯଚି ଆସିଥିଲା, ବହେ ଖଣ୍ଡେ ଗପିଲା ଚା’ ଖାଇ, ସିଗାରେଟ୍‍ ଫୁଙ୍କି ଚାଲିଗଲା । ପୁଣି ଆସିବ ବୋଲି କହିଗଲା ମଧ୍ୟ-

 

ତିନି

 

ଯାହାର ସେହି କମନୀୟ ମୁଖକାନ୍ତି, ପ୍ରତିଦିନ ଠିକ୍ ମୋ ଅଫିସ୍ ଯିବା ସମୟରେ ସେହି ବାତାୟନ ପଥରେ ଫୁଟି ଉଠେ, ତାଙ୍କର ବୋଧହୁଏ କିଛି କାମ ନଥାଏ । ତେଣୁ ବାତାୟନ ପାଖରେ ବସି ବସି କର୍ମମୁଖର ରାସ୍ତାଆଡ଼କୁ ଚାହିଁ ରହି କର୍ମହୀନ ଆଳସ୍ୟମୟ ସମୟଗୁଡ଼ିକ ଅତିବାହିତ କରିବା ତାଙ୍କର ଗୋଟାଏ ଅଭ୍ୟାସ । କିମ୍ବା ତାଙ୍କର ସେହି ଆତୁର ନୟନ ଦୁଇଟି ବାତାୟନ ନିକଟବର୍ତ୍ତୀ ସ୍ଥାନରେ କାହାକୁ ଅନୁସନ୍ଧାନ କରୁଥାଏ । କିମ୍ବା କାହାକୁ ଅପେକ୍ଷା କରୁଥାଏ, ଏହି ସାଢ଼େ ନଅଟା ବେଳେ ତାଙ୍କର ଦେଖା ମିଳିବ ବୋଲି ଅନୁମାନ କରି କିମ୍ବା ପୂର୍ବ ନିର୍ଦ୍ଦେଶାନୁସାରେ ।

 

ଏଥିରେ ମୋର ଭାବିବାର କଣ ଅଛି ?

 

କିନ୍ତୁ ଖାଲି ସାଢ଼େ ନଅଟାରେ ନୁହେଁ, ସନ୍ଧ୍ୟା ପାଞ୍ଚଟାରେ ବି ଅଫିସରୁ ଫେରିଲାବେଳେ ମୁଁ ପୁଣି ତାଙ୍କୁ ଯଥାସ୍ଥାନରେ ଦେଖେ । ମୋତେ ଦେଖିସାରିବା ପରେ ସେ ମୁଖପଦ୍ମଟି ଲୁଚାଇ ନିଅନ୍ତି ।

 

ଏଣିକି ପ୍ରତିଦିନ ସେ ସକାଳ ସାଢ଼େ ନଅଟା ଓ ସନ୍ଧ୍ୟା ପାଞ୍ଚଟା, ଆଉ ଶନିବାର ଦିନ ଦୁଇଟା ବେଳେ ଏହି ଅନାଇବା ଅଭ୍ୟାସରେ ହେଉ ଅଥବା କାହାରିକୁ ଅପେକ୍ଷା କରିବା ପ୍ରୟୋଜନରେ ହେଉ ହୁଏତ ଝରକା ପାଖରେ କିମ୍ବା ତାଙ୍କ ବାଡ଼ିପଟ କବାଟଟି ଦରଆଉଜା କରି ତା ଫାଙ୍କରେ ଚାହିଁ ରହିଥାଆନ୍ତି ।

 

ଶନିବାର ଦିନ ଅଫିସ ଅଧଓଳା ହୁଏ ବୋଲି ପ୍ରାୟ ଦିନ ଦୁଇଟାରେ ଘରକୁ ଫେରେ । ବେଳକୁ ବେଳ ଦେଖିଲି ପଛକୁ ଅନାଇଲେ ସେ ମଧ୍ୟ ଅନାଇଥାଆନ୍ତି ଆସି ତାଙ୍କ ବାଡ଼ିପଟ ଦରଜା ମୁହଁରେ । ମୁଁ ଅନାଇଲେ ସେ ଲୁଚି ନଯାଇ କେବଳ ସେହିଠାରେ ଦଣ୍ଡାୟମାନ ରହି ମୁଖାବନତ କରିଦିଅନ୍ତି । ଥରେ ଥରେ ବାଡ଼ି ଦୁଆର ମୁହଁରେ ଅର୍ଦ୍ଧ ଲୁକ୍କାୟିତ ଅବସ୍ଥାରେ ତାଙ୍କୁ ଦେଖି ଅତିକ୍ରମ କରି ଆସି ଝରକା ନିକଟରେ ହେଲା ବେଳକୁ ଠିକ୍ ଝରକା ନିକଟରେ ସେ ଆସି ଠିଆ ହୋଇଥାନ୍ତି ତଳକୁ ମୁହଁ ପୋତି କିଛି ନ ଜାଣିଲା ପରି । ସହସା ମୋ ଆଡ଼େ ଚାହିଁ ଦେଇ ଛଳନାଭରା ଲାଜରେ ଟିକେ ଘୁଞ୍ଚି ଯାଆନ୍ତି ଅନ୍ତରାଳକୁ ।

 

କୌତୁହଳର ଦାସ ହେଲେ ମନୁଷ୍ୟ ଏପରି ଗୋଟିଏ ଗୋଟିଏ କାର୍ଯ୍ୟ କରି ବସେ, ଯାହା ପରେ ଚିନ୍ତା କରି ବସିଲେ ତାହା ତାକୁ ନିତାନ୍ତ ହାସ୍ୟକର ଓ ନିରର୍ଥକ ମନେହୁଏ । ତାହାହିଁ ହେଲା ମୋର । ଏଣିକି ମୋର ଜୋତା ଫିତାଟା ମଧ୍ୟ କାହିଁକି ଠିକ୍ ହୁଗୁଳା ହୋଇଯାଏ ତାଙ୍କ ଖିଡ଼ିକି ପାଖରେ । ଆଉ ମୁଁ ବାଧ୍ୟ ହୋଇ ନଇଁପଡ଼ି ଜୋତା ଫିତା ଖୋଲି ପୁଣି ଥରେ ଭଲ କରି ବାନ୍ଧେ । କେଉଁ ଦିନ ଟେବୁଲ ଡ୍ରୟାରର ଚାବି ପେନ୍ଥାଟି ମଧ୍ୟ ହାତରୁ ଖସିପଡ଼େ ତାଙ୍କ ଦରଜା ସିଧାରେ । କେବେ ପୁଣି ତୃଷାରେ କଣ୍ଠ ମୋର ଶୁଷ୍କ ହୋଇଆସେ । ମୁଁ ତାଙ୍କ ଖିଡ଼ିକିର ଅଳ୍ପ ଦୂରରେ ଥିବା ପାଣି କଳରେ ହାତ ଲଗାଇ ତୃଷା ନିବାରଣ କରେ । ଆଉ କେବେ ତାଙ୍କ ଘର ପାଖରେ ଅର୍ଥାତ୍ ସେ ଦେଖିପାରିବା ଭଳି ସ୍ଥାନରେ ଠିଆ ହୋଇ ମୁଁ ଅପେକ୍ଷା କରେ ମୋର ସହକର୍ମୀ କୌଣସି କିରାଣୀବାବୁଙ୍କୁ ଯିଏ କି ଖଣ୍ଡେ ପଛରେ ପଡ଼ିଯାଇ ଥାଆନ୍ତି ।

 

ପୁଷ୍କରିଣୀର ସ୍ଥିର ଜଳ, କ୍ଷୁଦ୍ର ଲୋଷ୍ଟ୍ରପାତରେ ମୃଦୁଲହରୀ ନୌକାରେ ଚହଲି ଗଲା ପରି ମୋର ସ୍ୱଚ୍ଛନ୍ଦ ଗତିପଥରେ ଏକ ସୁନ୍ଦରୀ ରାଣୀର ଏହି ଚାହାଣି ଛଟକର ଅଭିନୟ କିଞ୍ଚିତ ଚିତ୍ତଚାଞ୍ଚଲ୍ୟ ଓ ସୃଷ୍ଟି କରିବାରେ ଯେପରି ଅନୁକୂଳ ହେଲା, ମୋର କୌତୁହଳି ଜୀବନର ଏହି ଉପରୋକ୍ତ ଉପସର୍ଗଗୁଡ଼ିକ କିପରି ଯେ ଏକ ପରେ ଏକ ହୋଇ ଚାଲିଲେ ତାହା ଭାବିଲେ ଏବେ ମଧ୍ୟ ଅନ୍ତର ମୋର ସ୍ଫୁରିତ ହୋଇଆସେ ।

 

ଏହାପରେ ଏ ସବୁ ଭିତରେ ମୁଁ ଅନୁଭୂବ କଲି ତାଙ୍କର ଅଭ୍ୟାସ ଓ ପ୍ରୟୋଜନଗୁଡ଼ିକ ସହିତ ମୋର ଏହି ନୂତନ ଅଭ୍ୟାସ ପ୍ରୟୋଜନ କେତୋଟି ସର୍ବୋତ୍ତଭାବେ ଖାପ ଖାଇଯାଉଛି । ଦୁହେଁ ଦୁହିଁଙ୍କ ପ୍ରୟୋଜନୀୟତା ବୋଧରେ ମନେ ମନେ ଆନନ୍ଦ ହେଲେ ।

 

ଏହି ନିରବ ଦୃଷ୍ଟି ବିନିମୟରେ କାହାରି ଲଳିତ କଣ୍ଠର ଗୋପନ ସ୍ୱନ ମୋ କାନ ମୂଳେ ବାଜି ଉଠେ । କିନ୍ତୁ ମୋର ଅନାତି ବୃତ୍ତ ସଂସାରର ଘନୀଭୂତ ବାତାବରଣ ମଧ୍ୟରେ ତାହାର କ୍ଷୀଣ ସ୍ୱନ ହୀନ ହୋଇଯାଏ- ଠିକ୍ ଖଣ୍ଡାଧାର ପ୍ରପାତର ଝର୍ଝର ଗମ୍ଭୀର ଗର୍ଜନ ନିକଟରେ ଏକ କ୍ଷୁଦ୍ର ଶିଶୁର କରତାଳି ପରି ।

 

ଚାରି

 

ଏହାର କିଛିଦିନ ପରେ ଦିନେ ଅଫିସ ଯାଉଥିଲି । ତାଙ୍କ ଘର ଅତିକ୍ରମ କରି ଯିବା ପରେ ପଛରୁ ଶୁଭିଲା-

 

‘‘ବାବୁ !’’

 

ଫେରିପଡ଼ି ଅନାଇଲି, ସେହି ପ୍ରୌଢ଼ ଭଦ୍ର ଲୋକଟି । ସେ ହାତ ଉଠାଇ ନମସ୍କାର କଲେ-। କିପରି ସଙ୍କୋଚ ଲାଗିଲା । ବୟସରେ କେତେ ବଡ଼ ହେବେ ।

 

‘‘କଅଣ କହୁଚ, ମୋତେ ଡାକୁଛ ?’’ ମୁଁ ପଚାରିଲି ।

 

ଆଜ୍ଞା, ଖଣ୍ଡେ ଦରଖାସ୍ତ ଲେଖି ଦେବାକୁ ପଡ଼ିବ ଆପଣଙ୍କୁ ।

 

କଣ ପାଇଁ ?

 

ଆଜ୍ଞା ଛୁଟିରେ ଯାଇଥିଲି । ଅଧିକା ସମୟ ରହିଗଲି । ଚାର୍ଜସିଟ୍‌ଟାଏ ମିଳିଛି.. ତାର ଜବାବ୍ ଦେବାକୁ ହେବ ।

 

ଆଚ୍ଛା ଲେଖିଦେବି । ଲେଖିଦେବି ଯେ, ବର୍ତ୍ତମାନ ତ ଅଫିସ ଯାଉଛି । ବେଳ ନାହିଁ ।

 

ଆପଣ ଯଦି ଅଫିସରୁ ଫେରିଲା ବେଳେ ଏହି ବାଟ ଦେଇ ଆସନ୍ତେ, ତେବେ ତ ଲେଖିଦେଇ ଯାଆନ୍ତେ ।

 

ବେଶ୍ ତାହାହେଲେ ଆସିବି । ମୁଁ ତ ପ୍ରାୟ ଏହି ବାଟ ଦେଇ ଯାଏ ସବୁଦିନେ । ଆଜି ଫେରିଲା ବେଳେ ନିଶ୍ଚେ ଦରଖାସ୍ତଟାଏ ଲେଖି ଦେଇଯିବି । ତୁମକୁ ତ ବହୁତ ଦିନ ହେଲା ଦେଖୁ ନଥିଲି ?

 

କିପରି ଦେଖନ୍ତେ ବାବୁ ! ମୁଁ ତ ବସା ବଦଳାଇ ବର୍ମା ମାଇନ୍‌ସ ଚାଲି ଯାଇଥିଲି । ଆଗେ ଆମେ କେଇଜଣ ଏଠାରେ ମେସ୍ କରି ରହିଥିଲୁ ନା..

 

ଓ,.. ଆଚ୍ଛା ମୁଁ ଆସିବି ।

 

କଷ୍ଟ କରି ଆସିବେ ବାବୁ, ମୁଁ ଅପେକ୍ଷା କରିଥିବି ।

 

ଆସିବି..ଆସିବି..

 

ଯିବାକୁ ଉଦ୍ୟତ ହେଲାବେଳକୁ ବାତାୟନ ପଥରେ ପୁଣି ସେହି ଗୁରୁ-ଚନ୍ଦ୍ର-ହାସମୟୀ ମୁଖମଣ୍ଡଳଟି କ୍ଷଣକ ପାଇଁ ଦେଖା ଦେଇ ଉହାଡ଼ରେ ଲୁଚିଗଲା ।

 

ଦ୍ରୁତ ଗତିରେ ଅଫିସ ଆଡ଼କୁ ଚାଲିଲି । ଏ ବାଟେ ମୋର ଯିବା ଆସିବା କରିବା, ପ୍ରୌଢ଼ ଲୋକଟି ସହିତ ଥିବା ମୁଖ ଦେଖା ପରିଚୟ ଝରକାରେ ସେହି ସୁନ୍ଦର ମୁଖାକୃତିର ଆବିର୍ଭାବ, ଦରଖାସ୍ତ ଲେଖାଉ ଅନୁରୋଧ, ସ୍ତ୍ରୀ ଲୋକଟିକୁ ବାରମ୍ବାର ଅବଲୋକନ କରିବାର ପ୍ରବଳ ବାସନା, ଏ ସବୁ ଏକାସାଙ୍ଗରେ ପୂର୍ବାପର ସମ୍ପର୍କ ରଖି ଗୁନ୍ଥିଦେଲାପରି ଯେପରି ଗୋଟିଏ ଖଣ୍ଡିତ ଧାରାରେ ଗୋଟିଏ ନଷ୍ଟ ଛନ୍ଦ କାହିଁ କେଉଁଠାରେ ଲୁଚି ରହିଛି । ମୋର କାହିଁକି ଏମିତି ମନେ ହେଲା । ସେହି ଲୁଚିଲା ଛନ୍ଦକୁ ଖୋଜିବା ପାଇଁ ମନଟା ବଡ ବ୍ୟାକୁଳ ହୋଇଉଠିଲା ।

 

ମୁଁ ଅଫିସରେ ପହଞ୍ଚିଲି ।

 

ପାଞ୍ଚ

 

ପାଞ୍ଚଟାପରେ ଅଫିସରୁ ଫେରି ତାଙ୍କ ଘର ବାଟେ ଯିବାକଥା ଦରଖାସ୍ତ ଖଣ୍ଡେ ଲେଖି ଦେବା ପାଇଁ ହେବ । ମାତ୍ର ଦରଖାସ୍ତ ଲେଖି ଦେବା ଯେତେ ଜରୁରୀ ନୁହେଁ ଅନ୍ୟ ଗୋଟିଏ ପ୍ରଲୋଭନ ମତେ ବେଶି ଟାଣି ତାଙ୍କ ଦରଜା ପାଖକୁ ନେଲା । ପାଞ୍ଚଟା ବାଜିବା ପୂର୍ବରୁ ମୁଁ ଅଫିସରୁ ବାହାରି ପଡ଼ିଥିଲି । ତେଣୁ ହୁଏତ ଦେଖିଲି ଦରଜା ବନ୍ଦ । ବାହାର ପଟକୁ ଓହଳିଥିବା ଜଞ୍ଜିର ଧୀରେ ଧୀରେ ଖଟ୍‍ ଖଟ୍‍ କଲି । କାରଣ ଲୋକଟିର ନାମ ମୋତେ ଜଣା ନଥିଲା । କବାଟ ହଠାତ୍ ଖୋଲିଗଲା । ସେ କବାଟ ଖୋଲି ମୋ ମୁହଁକୁ ଅନାଇ ଦେଇ ଟିକେ କଣ ଆଡ଼କୁ ଘୁଞ୍ଚିଗଲେ । ସେ- ସେହି ସୁନ୍ଦରୀ ଯୁବତୀଟି ଦରଖାସ୍ତ ଲେଖିଦେବା ପାଇଁ ଯେତେ ନୁହେଁ ମାତ୍ର ଯାହାର ସାଖ୍ୟ ତନୁଲତାର ରୂପଲାବଣ୍ୟ ଦେଖିବା ପାଇଁ ମୁଁ ବିଶେଷ କରି ଆସିଥିଲି, ସେହି ମୋ ଆଗରେ ଦଣ୍ଡାୟମାନ - ସେହି ଖୋଲି ଦେଲେ କବାଟ ।

 

ମୁଣ୍ଡ ଭିତରେ ସତେ ଅବା ବିଜୁଳି ଚମକିଗଲା । ଅନ୍ୟଆଡ଼େ ମୁହଁ ବୁଲାଇ ନେଲି । ସେ କିନ୍ତୁ ମୋ ଆଡ଼କୁ ସେହି କଣ ଅନାଇ ଥାଆନ୍ତି । ମୁଁ କିଛି ପଚାରିବି ପଚାରିବି ହେଉଥିଲି ।

 

-ଆସୁନାହାନ୍ତି ? ସେ କହିଲେ ।

 

ଆଶ୍ଚର୍ଯ୍ୟ ଲାଗିଲା । ବୋଧହୁଏ ମୋର ଆସିବାର ଅଭିପ୍ରାୟ ଭଲଭାବେ ୟାଙ୍କୁ ଜଣା । ମୋତେ ଯେପରି ଆଉ କିଛି ନ କହି ଘର ଭିତରକୁ ଯିବାକୁ ହିଁ ପଡ଼ିବ, ତାଙ୍କ କଥା ଭିତରେ ଏହି ସୂଚନା ମିଳିଲା ।

 

ମୁଁ ଭିତରକୁ ଗଲି । ଅଗଣା ଭିତରକୁ । ମୋର ଧାରଣା ପରିବର୍ତ୍ତିତ ହୋଇଗଲା । ଏହା ପୋଷ୍ଟାଲ କ୍ୱାଟର ନୁହେଁ । କୌଣସି କଣ୍ଟ୍ରାକ୍ଟରଙ୍କର ମସ୍ତବଡ଼ ଖଞ୍ଜା ଭିତରେ ଏହା ରାନ୍ଧଣା କିମ୍ବା ଜାଳେଣି କାଠ ରଖିବା ପାଇଁ ତିଆରି ହୋଇଥିବା ଦୁଇଟି କୋଠରୀ । ତଥାପି ଏ ବଖରା ଦୁଇଟି ଖଞ୍ଜା ଭିତରେ ଏପରି କୋଣକୁ ଏତେ ଛିନ୍ନାବସ୍ଥାରେ ରହିଛନ୍ତି ଯାହା ଦେଖିଲେ ପ୍ରଧାନ ଖଞ୍ଜା ସହିତ ଦୁହିଁଙ୍କର କିଛି ସମ୍ପର୍କ ଥିଲାପରି ମନେ ହୁଏନାହିଁ । ଏମାନେ ଭଡ଼ା ନେଇ ରହିଛନ୍ତି ।

 

-ସେ ଲୋକଟି କାହାନ୍ତି ? ପଚାରିଲି ।

 

ଆରପାଖ ଘର ବାରନ୍ଦାରେ ଖଣ୍ଡେ ସପ ପକାଇ ଦେଇ ସେ କହିଲେ- ବସନ୍ତୁ । ବଡ଼ ଅଡ଼ୁଆ ଲାଗିଲା ମୋତେ । ମୋ ପ୍ରଶ୍ନଟା ଯେପରି ପବନରେ ଉଡ଼ିଗଲା । ମୋତେ ଥତମତ ହୋଇ ବସିବାର ଦେଖି ସେ ହସିଲା ପରି ମୋର ମନେ ହେଲା । ଅବଶ୍ୟ ଟିକେ ଆଡ଼େଇ ଆଡ଼େଇ ହୋଇ ସେ ହସିଲେ । କାରଣ କଥା ଭିତରେ ତାର ଲାଳିତ୍ୟ ଫୁଟାଇ ସେ ପୁଣି କହିଲେ- ‘‘ବାପା, ଏଇନେ ଆସିବେ’’ ।

 

ଏହି ପଦକ କଥାରେ ମୋ ମନର ଅନ୍ଧାରି ମୂଲକରେ ଟିକେ ଆଲୋକ ସମ୍ପାତ ହେଲା । ଏ ତାହାହେଲେ ପ୍ରୌଢ଼ ଲୋକଟିର ଯୁବତୀ କନ୍ୟା ବଧୂ ନୁହନ୍ତି.. କନ୍ୟା ।

 

ପାଖାପାଖି ଦୁଇଟି ବଖରା । ଦୁଇଟିଯାକର ମୁହଁ ଉତ୍ତର ଆଡ଼କୁ । ଆଗରେ ଲମ୍ବା ବାରଣ୍ଡାଟିଏ । ପୂର୍ବପାଖ ବଖରା ଶେଷରେ ଏକ ଉଚ୍ଚ ପାଚେରୀ । ପାଚେରୀ ସମ୍ମୁଖରେ ବଡ଼ ଅଗଣାଟିଏ । ପଶ୍ଚିମ ପାଖ ବଖରା ଆଡ଼କୁ ବାରଣ୍ଡା ଶେଷରେ ଖଣ୍ଡେ ଛୋଟ କାନ୍ଥ ଆଡ଼ି ପାର ଦିଆଯାଇଛି । ତାରି କଡ଼ରେ କୋଇଲା ଆଞ୍ଚ ଲଗାଯାଇଛି । ସେ ଚା କରିବା ପାଇଁ ପାଣି ବସାଇଥିଲେ ଗୋଟିଏ ଛୋଟ ଡେକଚୀରେ ଯେଉଁବାଟେ ଅଗଣାକୁ ଆସିଲି ସେହି କବାଟ ପାଖ ଆଡ଼କୁ ଅଧା ଅଧା କାନ୍ଥଟିକୁ ଆଢ଼ୁଆଳ କଲା ଭଳି ଖଣ୍ଡେ ବାଉଁଶ ତାଟି ମଧ୍ୟ ବାରଣ୍ଡା ତଳକୁ ଆଉଜି ହୋଇ ବନ୍ଧା ହୋଇଛି । ପାଣି ଗରମ ହେଉଛି, ତାଙ୍କୁ ଚା ତିଆରି କରିବାକୁ ହିଁ ପଡ଼ିବ । ସେ ଆଡ଼ ହୋଇ ରହିପାରିଲେ ନାହିଁ । ମୁଁ ପିଣ୍ଡା ତଳକୁ ଗୋଡ଼ ଓହଳାଇ ସପ ଉପରେ ବସି ସେହି ଆଡ଼କୁ ଅନାଇଥାଏ । ଏ ଦୁଇଟି ବଖରା ଭିତରେ ଆଉ କେହି ଥିଲା ପରି ମନେ ହେଲା ନାହିଁ ।

 

ତୁମ ମା- ମୁଁ ପଚାରିଲି

 

ସ୍ୱର୍ଗରେ- ମୋ ପାଟିରୁ କଥା ନସରୁଣୁ ସେ କହି ପକାଇଲେ ତୁମ ବାପାଙ୍କ ନାଁଟା କଣ ସେ.. ମୋର ଠିକ୍ ମନେ ପଡ଼ୁନାହିଁ । ତାଙ୍କ ବାପାଙ୍କ ନାମ କସ୍ମିନ କାଳେ ମୁଁ ଜାଣିନାହିଁ । ଜାଣିବାର ପ୍ରୟୋଜନ ମଧ୍ୟ ପଡ଼ିନାହିଁ । କିନ୍ତୁ ନ ଜାଣିବାର ମୁର୍ଖତା ପ୍ରକାଶ କରିବା ପରିବର୍ତ୍ତେ ଜାଣିକରି ହୁଏତ ଭୁଲିଯାଇଛି ବୋଲି କହିଲେ କ୍ଷତି କଣ ? ତାଙ୍କ ବାପାଙ୍କ ନାମଟା ନ ଜାଣିବା ମୋର ମୁର୍ଖତା ବୋଲି ମୁଁ ବିଚାରି ସାରିଲିଣି । ଯାହାଙ୍କ ଝିଅଟି ଦେଖିବାକୁ ଏତେ ସୁନ୍ଦରୀ, ଯାହାଙ୍କ ଘରବାଟେ ମୁଁ ବରାବର ଯାଆସ କରେ ଏବଂ ଯାହାର ଦରଖାସ୍ତ ଲେଖିବାର ଫରମାସୀ ତୁଲେଇବାକୁ ମୁଁ ଆଜି ଏଠାରେ ଅଛି ତାଙ୍କ ନାମଟି ନ ଜାଣିବା ମୁର୍ଖତା ଛଡ଼ା ଆଉ କିଛି ନୁହେଁ-ଅଜବ ପ୍ରକାର ଯୁକ୍ତି । ନିଜ ଯୁକ୍ତିରେ ନିଜେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲି ନାହିଁ ।

 

ଏଁ ?

 

ସ୍ମରଣ କରାଇ ଦେଲି ମୋର ପ୍ରଶ୍ନଟି ପୁଣି ।

 

‘‘ବଙ୍କିମଚନ୍ଦ୍ର ରାଉତ’’, ସେ କହିଲେ । ସେ ହୁଏତ ଭାବୁଥିଲେ ତାଙ୍କ ବାପାଙ୍କ ନାମଟା ମୁଁ ମନେ ପକାଇ ପକାଇ ଶେଷକୁ କରିଦେବି । ସେଥିପାଇଁ ବୋଧହୁଏ ମୋ ପ୍ରଶ୍ନର ଉତ୍ତର ନ ଦେଇ ବରଂ ମନେ ପକାଇବାକୁ ସମୟ ଦେଇଥିଲେ ।

 

ଆଉ..

 

‘‘ଆଉ, ମୋ ନାଁ..? ମୋ ନାଁ ଜହ୍ନ । ସେ ସଙ୍ଗେ ସଙ୍ଗେ କହି ପକାଇଲେ ।

 

ସ୍କୁଲରେ କଣ ଲେଖାଇଥିଲା ? ପ୍ରଶ୍ନ କଲି ମୁଁ ।

 

‘‘ଜାହ୍ନବୀ’’ ସେ କହିଲେ ।

 

ଭାରି ଭୁଲ କରିଦେଲେ ଶିକ୍ଷକ ମହାଶୟ । ଜହ୍ନକୁ ଜାହ୍ନବୀ କରି ବରଂ ଶଖୀ କିମ୍ବା ବିଧୁ କରି ଦେଇଥିଲେ ମୋ ମତରେ ଯଥାର୍ଥ ହୋଇ ଥାଆନ୍ତା ବୋଲି ମୁଁ ଭାବୁଥିଲି ମନେ ମନେ । କିନ୍ତୁ କଥିତ ଜାହ୍ନବୀ ନାମଟିର ଡାକ ନାମ ଯେ ଜହ୍ନରେ ପରିଣତ ହୋଇଛି ତାହା ମଧ୍ୟ ନ ଭାବିବି କାହିଁକି ? ଆମ ଘରମାନଙ୍କରେ ତ ପ୍ରକୃତ ନାମଗୁଡ଼ିକର ଗୋଟାଏ ଶ୍ରୁତିମଧୁର (?) ଗେହ୍ଲା-ସଂସ୍କରଣ ହୋଇଥାଏ । ନାଆ-ଭଗବାନରୁ ଭଗିଆ, ଗୋପିନାଥରୁ ଗୋପିଆ, ପଞ୍ଚମୀରୁ ପଞ୍ଚେଇ ଇତ୍ୟାଦି ।

 

ସେ ଭଦ୍ରଲୋକ ଆସି ପହଞ୍ଚିଲେ ଏତେବେଳେ

 

‘‘ହେଁ, ହେଁ, ଆପଣ ଆସି ବସିଛନ୍ତି.. ମୁଁ ପରା କହୁଛି ଆପଣ ନିଶ୍ଚେ ଆସି ବସିଥିବେ । ମୋର ବଜାରରେ ଟିକେ ଡେରି ହୋଇଗଲା । ହେଁ, ହେଁ କେତେଗୁଡ଼ା ସମୟ ଆପଣଙ୍କର ନଷ୍ଟ କରିଦେଲି କୁହତ ବାବୁ ?’’ ବଙ୍କିମ କହିବାକୁ ଲାଗିଲେ । ମୋର ସମୟ ନଷ୍ଟ ହେବାର ଅନୁଶୋଚନାରେ ବଙ୍କିମ ମୁହଁରେ ଭଦ୍ରାମୀର ହସ ।

 

-ସେଥିରେ କିଛି କ୍ଷତି ନାହିଁ । ତୁମେ କାହିଁକି ବ୍ୟସ୍ତ ହେଉଛ ?’’ ମୁଁ ବୁଝାଇ କହିଲି ବଙ୍କିମଙ୍କୁ ।

 

-ଆଲୋ ଝିଅ, ଖଣ୍ଡେ କାଗଜ ଆଣିବୁଟି. ଆଉ ବାବୁଙ୍କୁ ଚା ଦେଇନାହୁଁ ? କହି ବୁଢ଼ା କଣ ଘର ଭିତରକୁ ପସିଗଲେ । ମୁଁ ଅନାଇ ଦେଖିଲି ତାଙ୍କ ହାତରୁ ବ୍ୟାଗ ନେଇ ଭିତରୁ ପୁଟୁଳାଟିଏ ବାହାର କରି ଜାହ୍ନବୀ ସୁନ୍ଦରୀ ନେଲେ ଚୁଲି ପାଖକୁ ଏବଂ ତହିଁରୁ ଚିନି ବାହାର କରି ଚାରେ ପକାଇଲେ ।

 

ବୁଢ଼ାଙ୍କର ବଜାରକୁ ଯିବା କଥାଟା ଚିନି ନ ଥିବା ଯୋଗୁଁ ଓ ତାହା ପୁଣି ଚାରେ ପଡ଼ିବା ସକାଶେ ଯେଉଁ ଚା’ଟା ମୋର ଅଭ୍ୟର୍ଥନା ପାଇ ଯାଚଜ୍ଞା ହେବ । ତାହାହେଲେ ଭାବି ଦେଖନ୍ତୁ କେତେ ବଡ଼ ମୁଁ !!! ଅଜଣା ଅଶୁଣା ଜଣକ ଘରେ ଖଣ୍ଡେ ଦରଖାସ୍ତ ଲେଖି ଦେବି । ସେଥିପାଇଁ କେତେ ଅଭ୍ୟର୍ଥନା ମୋର !!!

 

ବାସ୍ତବିକ୍ କଥାଟା ମୋତେ ଭଲ ଲାଗିଲା ନାହିଁ । ଇଏତ ରୀତିମତ ଖୋସାମୋଦ ହୋଇଗଲା । କିନ୍ତୁ ମୋର ବୁଝିବା ଭ୍ରମ । ଏହା ଯେ ଆମ ସାମାଜିକ ଆଚାର, ଶ୍ଲୀଳତା । କେହି ଆସିଲେ ଖଣ୍ଡେ ସପ ପାରିଦେଇ ବସିବାକୁ ଅନୁରୋଧ କରିବା, ଖଣ୍ଡେ ପାନ ଦେବା ବା ଟିକେ ଚା ଦେବା ଏତ ହେଲା ସାଧାରଣ ଅତିଥି ପ୍ରତି ଆଗନ୍ତୁକ ପ୍ରତି ଆମର ଭଦ୍ରୋଚିତ ବ୍ୟବହାର । ସେଥିରେ ଏପରି କଣ କ୍ଷତିଟା ହେଲା ?

 

ମୁଁ କିନ୍ତୁ ଜାହ୍ନବୀଙ୍କୁ ଟିକେ ଆଘାତ ନଦେଇ ଛାଡ଼ିଲ ନାହିଁ । ଆଇଲା ଚୁଲି ପାଖରୁ ସେ ମୋ ଆଡ଼କୁ ଟିକେ କଣେଇ କରି ଚାହିଁଲା । ମାତ୍ର ମୁଁ ସିଧା ସଳଖ ତାଙ୍କରି ମୁହଁକୁ ଅନାଇ କହିଲି- ମୁଁ କିନ୍ତୁ ଦରଖାସ୍ତ ଲେଖି ଦେଇପାରିବି ନାହିଁ ।

 

ବଙ୍କିମ ବାବୁ କାଗଜ ଖଣ୍ଡେ ଆଣି ମୋ ଆଡ଼କୁ ଅନାଇଲେ ଜିଜ୍ଞାସୁ ଦୃଷ୍ଟିରେ ।

 

ମୁଁ କହିଲି- ଚା’କପେ ମୋତେ ନ ପିଆଇଥିଲେ କଣ ବେଦ ଅଶୁଦ୍ଧ ହୋଇ ଯାଉଥିଲା ? ଘରେ ଯେତେବେଳେ ଚିନି ନଥିଲା, ତିଆରି କଣ ଦରକାର ଥିଲା ଯେ ବର୍ତ୍ତମାନ ହିଁ ଚିନି ଅଣାହେବ ଏବଂ ମୋତେ ପିଇବାକୁ ହିଁ ଦିଆଯିବ ?

 

ଏ କଣ ଗୋଟାଏ କଥା ବାବୁ ? ଚା’କପେ ପିଇବାକୁ ଦେବା କଥା ? ବଙ୍କିମ ହସିଲେ ।

 

ମୁଁ କିନ୍ତୁ ହସି ହସି ଜାହ୍ନବୀଙ୍କ ଆଡ଼କୁ ଅନାଇଲି ।

 

ସେ ମଧ୍ୟ ହସି ହସି କହିଲେ- ଦରଖାସ୍ତ ଲେଖିଦେଇ ଚା ପିଇଲେ ଯଦି ବେଦ ଅଶୁଦ୍ଧ ହୋଇଯିବ ବୋଲି ଆପଣଙ୍କର ଭୟ ହେଉଛି, ତାହା ହେଲେ ଦରଖାସ୍ତ ନ ଲେଖି ଚା’ ଓ ତା ସହିତ ଦି’ଟା ଜଳଖିଆ ଖାଇଲେ ତ କିଛି ଅଶୁଦ୍ଧ ହେବନାହିଁ । ନା କଣ ବାପା ? ତମେ ପଛେ ଆଉ କେଉଁ ବାବୁଙ୍କୁ ଦରଖାସ୍ତ ଲେଖିବାକୁ କହିବ କହିଲି ।

 

ବଙ୍କିମ ହସିଲେ । ମୁଁ ତ ବହୁତ ହସିଲି ।

 

କଥାରେ ତାକୁ ପାରିବେ ନାହିଁ ବାବୁ । ତା କଥା କୁହନ୍ତୁ ନାହିଁ । ଆପଣ ଆରମ୍ଭ କରି ଦିଅନ୍ତୁ ତ । କଥା କଅଣ କି.. ମୁଁ ଆଗେ କହିଯାଏ, ଆପଣ ତା ପରେ ବାଗେଇ ସାଗେଇ ବିଷୟଟା ଲେଖିବେ । ଅର୍ଥାତ ବିଷୟଟା ପ୍ରଥମେ ଶୁଣିଗଲେ ମୋର ବହୁଦିନ ଛୁଟିରେ ରହି ଯିବାର ପ୍ରକୃତ କାରଣଟା ଆପଣଙ୍କୁ ଲେଖିବା ପାଇଁ ସୁବିଧା ହୋଇଯିବ ।

 

ବାପା, ଜଳଖିଆଟା ସାରିନେଇ ତା ପରେ ଲେଖିଲେ ହୁଅନ୍ତା ନାହିଁ ? ତୁମେ ବି ଯିମିତି..

 

ତା ବି ଠିକ୍ କଥା ମା । ଅଫିସରେ ଖଟି ଖଟି ଆସିଛନ୍ତି । ହେଉ ଭଲ ହେଲା ତେବେ ଦେ ଢାଳରେ ପାଣି ଦେ..

 

ଆଚ୍ଛା ମୁସ୍କିଲ ତ.. ମୁଁ ଚାହିଁଲି ଜାହ୍ନବୀଙ୍କ ଆଡ଼କୁ ।

 

ଦୟା କରି ଶ୍ରୀଚରଣ କମଳେଷୁ ଦୁଇଟିକୁ.. ମୁରୁକି ହସି ସେ ମୋତେ ଅନୁନୟ କଲେ । ମୋତେ ଜୋତା ଖୋଲି ଉଠିବାକୁ କହିଲେ ।

 

ଛଅ

 

ଯେଉଁ ବଖରା କଡ଼ରେ ଚୁଲି ଥିଲା, ସେହି ବଖରାରେ ମୁଁ ଜଳଖିଆ ଖାଇ ବସିଲି । ଘିଅରେ ଚୁଡ଼ା ଭଜା ହୋଇ ତା ସହିତ ଚିନି ଗୋଳା ହୋଇଥିଲା । ଗୋଟିଏ ପ୍ଲେଟରେ ରଖି ଜାହ୍ନବୀ ବାରଣ୍ଡାରେ ଠିଆ ହେଲେ । ମୁଁ ଖାଇ ବସିବା ବେଳକୁ ବଙ୍କିମବାବୁ ବାଲଟି ଧରି ଗାମୁଛା ବଦଳି ବାହାରିଗଲେ ।

 

ମୁଁ ଅନାଇ ରହିଲି ପଦାକୁ । ଅଗଣା ମଝିରେ ଝଙ୍କା ପଣସ ଗଛଟାଏ । ତା ତଳେ ଛାଇ ଓ ଛାପି ଛାପିକା ସ୍ୱର୍ଣ୍ଣ କିରଣ, ଦିନ ଏ ପର୍ଯ୍ୟନ୍ତ ଅସ୍ତ ଯାଇନାହିଁ । ଅଗଣା ଆଡ଼େ ଟିକେ ଦୂରକୁ ଉତ୍ତର ଆଡ଼କୁ ଲମ୍ବା ଲମ୍ବା ପାହାଚ ଉପରକୁ ବଡ଼ ବଡ଼କୋଠରୀମାନ । ସେଗୁଡ଼ିକ ସେହି କଣ୍ଟ୍ରାକ୍ଟରଙ୍କ ଘର । ଝରକାମାନଙ୍କରେ ମୂଲ୍ୟବାନ କନାର ପରଦା ଝୁଲୁଅଛି ।

 

ଛାପି ଛାପିକା ସୂର୍ଯ୍ୟ କିରଣରେ ଟିକି ଟିକି ଚଢ଼େଇ ଉଡ଼ି ଆସି ଗୋଡ଼ାଗୋଡ଼ିହୋଇ ଖେଳୁଛନ୍ତି । ଦୂରରୁ ରାସ୍ତାର ମଟର ବାଇକ୍ ଓ କାରର ହର୍ଣ୍ଣ ଶବ୍ଦ ବେଳେ ବେଳେ ଭାସି ଆସୁଛି ।

 

ମୁଁ ଖାଇବାକୁ ଆରମ୍ଭ କରିନଥିଲି । କାରଣ ଅଫିସରୁ ଫେରି ସଙ୍ଗେ ସଙ୍ଗେ ଖାଇବା ଅଭ୍ୟାସ ମୋର ନାହିଁ । ସନ୍ଧ୍ୟାକାଳୀନ ନିତ୍ୟକର୍ମ କେତେଟି ନ ସାରିବାଯାଏ ସ୍ୱସ୍ତି ମଧ୍ୟ ବୋଧ କରେ ନାହିଁ କିଛି ନଖାଇ ବରଂ ଚା’ଟା କେବଳ ପିଇଥିଲେ ଆପତ୍ତି ନଥାନ୍ତା ।

 

‘‘କଣ ଖାଇବେନି ସତରେ ?’’ ଜାହ୍ନବୀ ପଚାରିଲେ । କେତେ ଯୁଗର ପରିଚିତାଙ୍କ ପରି କଣ୍ଠ ଭକ୍ତିରେ ମୋ ସହିତ ଆତ୍ମୀୟତାର ନିବିଡ଼ ଆନ୍ତରିକତା ପ୍ରକାଶ ପାଉଥିଲା ତାଙ୍କର ।

 

‘‘ମୋତେ ଏକେଲା ନ ଖୁଆଇ କଣ ଛାଡ଼ିବନି ?’’ ମୋ କଥାଟା ତାଙ୍କୁ ମଧ୍ୟ ମୋ ସହିତ ଖାଇବାକୁ ଇଙ୍ଗିତ ଦେଲି । ମୋର ବିଶ୍ୱାସ ସେ କଣ ସତରେ ମୋ ସାଙ୍ଗରେ ଖାଇବେ ନା ମୁଁ ଖାଇବି ।

 

‘‘ମୋତେ କଣ ଆପଣଙ୍କ ସହିତ ଖାଇବାକୁ ହେବ ?’’ ଆଶ୍ଚର୍ଯ୍ୟ ହେଲା ପରି ଜାହ୍ନବୀ ପଚାରିଲେ ।

 

ଆପତ୍ତି ଅଛି, ନା ? ରସିକତା କରି ପଚାରିଲି ।

 

‘‘ନାଃ..’’

 

‘‘ତେବେ ଆସୁନା’’..

 

‘‘ସୌଭାଗ୍ୟ ଆସିନାହିଁ’’ । ମୁଁ ଆଶ୍ଚର୍ଯ୍ୟ ହେଲି । ଜାହ୍ନବୀଙ୍କ ଉତ୍ତର ବୁଝି ମଧ୍ୟ ପାରିଲିନାହିଁ-। ଏ କଥାଟା ବୁଝିବା ପାଇଁ ଭାବିବା ଅନ୍ତତଃ ମୋର ଦରକାର । ମାତ୍ର ଯାହା ମୁଁ ଅନୁମାନ କଲି, ଜାହ୍ନବୀଙ୍କର ସଂସାର ପ୍ରତି ଯେପରି ଟିକେ ବିତୃଷ୍ଣା ଆସିଯାଇଛି । କୌଣସି ବିଷୟ ପ୍ରତି ଯତ୍ନ ନାହିଁ-। ସବୁ ଯେପରି ତାଙ୍କର ଦିହସୁଆ ହୋଇଗଲାଣି । ମୋ ସଙ୍ଗରେ ଖାଇବାକୁ ତାଙ୍କୁ ଡାକିବା ଅସଙ୍ଗତ ହେଲା ଭାବି ମୁଁ ଲଜ୍ଜିତ ହେଲି । ମାତ୍ର କଥା ଚଳାଇ ନେବା ପାଇଁ କହିଲି-‘‘ସୌଭାଗ୍ୟ ଆସିଲେ ଯେପରି ଆଉ ଡାକିବାକୁ ନପଡ଼େ ।’’

 

ଖାଆନ୍ତୁ ନା, ବାପା ଆସି ଦେଖିଲେ କଣ ଭାବିବେ କୁହନ୍ତୁ ତ ? ନିମ୍ନ ଓ ଅନୁଚ୍ଚ ସ୍ୱରରେ ଜାହ୍ନବୀ କହିଲେ ।

 

ମୁଁ ଖାଇବାକୁ ଆରମ୍ଭ କଲି । ଜାହ୍ନବୀ ଅଗଣାର ପଣସ ଗଛ ନିକଟକୁ ଗଲେ । ମୁଁ ତାଙ୍କୁ ଭଲ ଭାବରେ ଦେଖିଲି । ଖାଲି ମୁହଁଟା ଦେଖି ତାଙ୍କର ଅଙ୍ଗସୌଷ୍ଠବ ଯେପରି ହେବ ବୋଲି କଳ୍ପନା କରିଥିଲି ତାହା ଏବେ ମୋତେ ପରିବର୍ତ୍ତନ କରିବାକୁ ପଡ଼ିଲା । ଦୂରରୁ ଦେଖିଲି ଜାହ୍ନବୀ ବଡ଼ ହୀନସ୍ତନା । ନାରୀ ସୌନ୍ଦର୍ଯ୍ୟର ଏହି ବିଶିଷ୍ଟ ଦୃଶ୍ୟକୁ ସୃଜନ କଲାବେଳେ ବିଧାତା ହୁଏତ ସାମାନ୍ୟ ଅନ୍ୟମନସ୍କତା ହେତୁ ଧ୍ୟାନ ଦେଇ ନାହାନ୍ତି । ଏ ଶ୍ରେଣୀର ସ୍ତ୍ରୀ ଲୋକେ ସାଧାରଣତଃ ମୁଁ ଯେତୋଟିଙ୍କୁ ଜାଣେ ବା ସାଇ ପଡ଼ିଶାରେ ଦେଖିଛି ସମସ୍ତେ ପ୍ରାୟ ପୁତ୍ରହୀନା କିମ୍ବା ଏକ ସନ୍ତାନବତୀ । ଅବଶ୍ୟ ମୋର ବ୍ୟକ୍ତିଗତ ଅଭିଜ୍ଞତା ଗୋଟାଏ ସାଧାରଣ ଶାସ୍ତ୍ରୀୟ ନିୟମର ଅଙ୍ଗୀଭୂତ ବୈଜ୍ଞାନିକ ତତ୍ତ୍ୱମୂଳକ ହୋଇ ନପାରେ ।

 

ଜଳଖିଆ ଖାଇବା ସମୟଟିଯାକ ଜାହ୍ନବୀ ସେହି ଅଗଣା ଆଡ଼େ ଚାରଣ କରି ମୋ ଆଡ଼କୁ ଫେରି ଫେରି ଅନାଉ ଥିବାର ମୁଁ ଅନୁଭବ କଲି । ଅଧରରେ ସ୍ମିତହାସ୍ୟ ସହିତ ମୋ ନୟନ ଦୃଷ୍ଟିର ନିରୀକ୍ଷଣ କରି କେଉଁ ଏକ ଅଜ୍ଞାତ ଆତ୍ମୀୟତାକୁ ସେ ଯେପରି ନିବିଡ଼ କରିବାର ପ୍ରୟାସ କରୁଥିଲେ ।

 

ଜଳଖିଆ ଶେଷ ହେଲାବେଳକୁ ଜାହ୍ନବୀ ଚା ଆଣି ରଖି ଦେଇଗଲେ ।

 

ସାତ

 

‘‘ଝିଅର ବିବାହ ଦେବା ସକାଶେ ଛୁଟି ନେଇଥିଲି । କିନ୍ତୁ ଦୁର୍ଭାଗ୍ୟବଶତଃ ସେହି ବିବାହର ସମ୍ବନ୍ଧଟି ଭାଙ୍ଗିଗଲା । ଯାହାକିଛି ଟଙ୍କା ପଇସା ସଜିଲି କରିଥିଲି ସେତିକ ବିନିର୍ବୟ ହେବା ଭୟରେ ଅନ୍ୟ କେତେକ ସ୍ଥାନରେ ମୁଁ ଝିଅର ବିବାହ ପ୍ରସ୍ତାବ ପକାଇଲି । ମାତ୍ର ମୋର ଦୁର୍ଭାଗ୍ୟକୁ ସବୁ ସ୍ଥାନରୁ ବଡ଼ ବଡ଼ ଯୌତୁକର ଚାହିଦା ଦେଖି ମୁଁ ବଡ଼ ଅଣାୟତ ଅବସ୍ଥାରେ ପଡ଼ିଲି । ଏତିକି ବେଳେ ନିମୋନିଆରେ ସ୍ତ୍ରୀର ବିୟୋଗ ଘଟିଲା । ଇତ୍ୟାଦି କାରଣରୁ ମୋର ଅଧିକ ସମୟ ରହିବା ଜରୁରୀ ହୋଇପଡ଼ିଲା । ଏଥିରେ ବିଚାର କରାଯାଇ ମୋ ଉପରେ ଅଣା ଯାଇଥିବା ଅଭିଯୋଗ ଉଠାଇ ନିଆଯାଉ ।’’

 

ଏହା ହେଲା ମୁଁ ଯେଉଁ ଦରଖାସ୍ତ ଲେଖିଲି ତାର ମର୍ମ । ବୁଢ଼ା କାମ କରନ୍ତି ଟାଟା କମ୍ପାନୀର ବ୍ଲାଷ୍ଟ ଫାର୍ନିସରେ । ମୋର ଧାରଣା ଥିଲା ଯେ, ବୁଢ଼ା ହୁଏତ ଜଣେ ପୋଷ୍ଟ ପିଅନ ।

 

ବଙ୍କିମ ବଡ଼ ଆପ୍ୟାୟିତ ହେଲେ । ମୁଁ ସେଦିନ ଘରକୁ ଫେରିଲା ବେଳକୁ ରାତି ସାଢ଼େ ସାତ । ତାଙ୍କ ମୁହଁରୁ ଶୁଣିବା କଥା ସବୁ ସତ କେବଳ ସ୍ତ୍ରୀଙ୍କ ମୃତ୍ୟୁଟି ଛାଡ଼ିଦେଲେ । କାରଣ ସ୍ତ୍ରୀଙ୍କ ମୃତ୍ୟୁ ବହୁପୂର୍ବରୁ ହୋଇସାରିଛି ।

 

ଖାଲି ସେହି ଗୋଟିଏ ଦିନରେ କ୍ଷୁଦ୍ର ପରିବାରଟି ସହିତ ମୁଁ ବିଶେଷ ଜଡ଼ିତ ହୋଇପଡ଼ିଲି-। ଠିକ୍ ଜଡ଼ିତ ନୁହେଁ- ପରିଚିତ ହେଲି ଯାହା । ମୁଁ ପରିଚିତ ହେବା ଅପେକ୍ଷା ତାଙ୍କ ପାରିବାରିକ ଅବସ୍ଥାର ଯେଉଁ କରୁଣ ଚିତ୍ର ମୋ ଆଖି ଆଗରେ ଅଙ୍କା ହେଲା, ଏହି କଥା ହିଁ ମୁଁ ଭାବିଲି ବିଶେଷ କରି ।

 

ବଙ୍କିମଙ୍କ ନଷ୍ଟନୀଡ଼ ଭିତରେ ଏହି କେବଳ ଏକମାତ୍ର ବିହଗୀ । ନୀଳ ଆକାଶରେ ଉଡ଼ିବୁଲିଛି ପକ୍ଷୀ ମେଲାଇ । ଉପରେ ରଶ୍ମିର ଝଲକ, କେବଳ ଶ୍ୟାମଳୀମାର ମସୃଣ ଆସ୍ତରଣ । ଆଶ୍ରୟ ନେବା ପାଇଁ ଗୋଟିଏ ମାତ୍ର ଦୃଢ଼ ବୃକ୍ଷକୋଟୀର ତାର ଆବଶ୍ୟକ । କାରଣ ସବୁଆଡ଼େ ଶୂନ୍ୟ ଶୂନ୍ୟ । ଏହା ଭିତରେ, ଏହି ବିରାଟ ଶୂନ୍ୟତା ଭିତରେ କେଉଁ ଆଡ଼େ ଉଡ଼ି ବୁଲିବ ? କିନ୍ତୁ କୌଣସି ବୃକ୍ଷ କୋଟର ତା ପାଇଁ ବିମୁକ୍ତ ନୁହେଁ ।

 

ମୋ ଅନୁମାନରେ ଉନବିଂଶଟି ବସନ୍ତ ବହି ଗଲାଣି ଜାହ୍ନବୀ ଆଗରେ ଯୌବନର ଜାହ୍ନବୀ ଧାରା ବୁହାଇ ଦେଇ । ରୂପ ସହିତ ଗୁଣ ନୁହେଁ- ପାଠ ଶାଠ ମଧ୍ୟ କିଛି ହାସଲ କରିଅଛି । ଏପରି ଗୋଟିଏ କାହାକୁ ବିବାହ କରିବାକୁ ଓଡ଼ିଶାରେ କେହି ଇଚ୍ଛୁକ ନୁହନ୍ତି । ଓଡ଼ିଶାରେ ନୁହେଁ, ଆମ ଦେଶରେ, ଆମ ସମାଜରେ । କାରଣ ? ଯୌତୁକ ଚାହି-ଯୌତୁକ ! ରାସ୍ତାରେ ଚାଲୁ ଚାଲୁ ଏ କଥା କହିଲେ ତ ଚଳିବ ନାହିଁ । ଟିକେ ଶୀଘ୍ର ଶୀଘ୍ରଗୋଡ଼ ପକାଇବାକୁ ହେବ । ତେଣୁ ପଦଚାଳନା ଦ୍ରୂତତର କରିବାକୁ ବାଧ୍ୟ ହେଲି ।

 

‘‘ଆଜି କଣ ବଡ଼ ସହଳ ସହଳ ଫେରିଲ ଅଫିସରୁ?’’ ଘରେ ଗୋଡ଼ ନଦେଉଣୁ ଘରଣୀ ପଚାରି ବସିଲେ ।

 

ଜାଣେ, ତୁମେ ଏହି କଥା ହିଁ ପଚାରିବ । ପଚାରିବା ପାଇଁ ତ ପାଟିଟା ଖାଲି ଖଲ ହେଉଥିବ । ତୁମ ମନରେ ଦୁନିଆରେ ଆଉ କିଛି ନାହିଁ । ଏଣେ ଘର ଜଞ୍ଜାଳ ତେଣେ ଅଫିସ..

 

‘‘ମଝିରେ ଖାଲି ତୁମେ ହରବର..’’ କହି କିରିକିରି ହୋଇ ହସି ଉଠିଲା ନିରୂପମା ।

 

ବାଃ କେଉଁଠି ଏ ଖଣ୍ଡକ ରଖିଥିଲ ମ ?

 

ମୁଁ ପରା ଗୋଟାଏ କୋବି ପାଲଟି ଗଲିଣି ।

 

କି କୋବି, ଫୁଲ କୋବି ନା ବନ୍ଧା କୋବି ?

 

ଫୁଲ ନୁହେଁ କି ବନ୍ଧା ନୁହେଁ..

 

ତାହେଲେ..

 

ବିନ୍ଧା କୋବି ।’’

 

ମୁଁ ହସିଲି । ସାନ ଝିଅଟି ଧାଇଁ ଆସି ହାତ ଟେକିଲା । ତାର କିଛି ଆଣିନାହିଁ ମୁଁ । ଲୁଗା ବଦଳି କାଖ କଲି ତାକୁ । ନିରୂପମା ବିଞ୍ଚଣା ଖଣ୍ଡିକ ଧରି ବିଞ୍ଚିଦେଲା ।

 

‘‘ଫାଟକ ପାଖରେ ତାକୁ ଧରି ବସିଥିଲି । ରାସ୍ତା ଆଡ଼କୁ ଅନାଇ କହୁଛି – ବାପା କାଇଁ ? ବାପା କାଇଁ ? ମୁଁ କହିଲି ବାପା ଅଫିସରୁ କହୁଛି- ଏଁ, ବାପା କେତେ, ଏଁ ବାପା କେତେ ? ମାନେ ବାପା କହୁଁ କହୁଁ ନିରୂପମା ହସି ହସି ଗଡ଼ିଗଲା, ମୁଁ ମଧ୍ୟ । କହିଲି – ବାପା ଗୁଡ଼ାକୁ ଚିହ୍ନାଇ ଦେଲନାହିଁ ?

 

ହଁ, ତା ବାପାଗୁଡ଼ାକ ସବୁ ଗୁହାଳରୁ ଫିଟି ଯାଇଥିଲେ ଦୁହେଁ ଖୁବ୍ ହସିଲୁ ।

 

ଆଠ

 

ତହିଁ ଆରଦିନ ଅଫିସ ବାହାରିଛି, ଜାହ୍ନବୀ କଥା ମନେ ପଡ଼ିଲା । ଆଜି ନିଶ୍ଚେ ସେହି ଝରକା ପାଖରେ ତାଙ୍କର ଦେଖା ମିଳିବ । ଆଜି ଦେଖିଲେ ସେ ଯେ ଖାଲି ହସିବେ ତାହା ନୁହେଁ ମାତ୍ର ସେହି ପୁରାତନ ପରିଚିତାଙ୍କ ପରି ଦୁଇ ଚାରିପଦ ଆଳାପ ମଧ୍ୟ ଲଗାଇ ଦେଇ ପାରନ୍ତି । ହୁଏତ ସେହି ବାତାୟନ ପଥରୁ ହିଁ କହିପାରନ୍ତି ଫେରିଲା ବେଳେ ଟିକେ ଆସିବେ ।’’ ମାତ୍ର ତାଙ୍କ ଘରକୁ ଯିବାର ଆଉ କିଛି ପ୍ରୟୋଜନ ନାହିଁ । କାରଣ ସୁବଦିନେ ତ ଆଉ ଦରଖାସ୍ତ ଲେଖା ଯାଉନାହିଁ । ତେଣୁ ଜାହ୍ନବୀ ଅନୁରୋଧ କଲେ ମଧ୍ୟ ମୁଁ ଯିବି କାହିଁକି ? ତା ପରେ ତାଙ୍କ ବାପା. ସେ ବା କଣ ଭାବିବେ..

 

କିନ୍ତୁ ଜାହ୍ନବୀ ମୋତେ ଏପରି ଅନୁରୋଧ କରିବାକୁ ଯିବେ ବା କାହିଁକି ? ଆଉ ମୋର ମଧ୍ୟ ତାଙ୍କ ବିଷୟରେ ଏତେ କଥା ଭାବିବା କଣ ଦରକାର ? ଜାହ୍ନବୀ ମୋର କେହି ନୁହନ୍ତି । ଦିନକର ଦେଖା ଆଳାପ । ତାକୁ କେନ୍ଦ୍ର କରି ଚିନ୍ତାରାଜ୍ୟରେ ବିଚରଣ କରିବା ନିହାତି ଅପ୍ରାସଙ୍ଗିକ, ଅବାଞ୍ଛନୀୟ ଓ ଅଶୋଭନୀୟ ମଧ୍ୟ ।

 

ମାତ୍ର କଣ ଶୋଭନୀୟ କଣ ଅବା ଅଶୋଭନୀୟ ସେହି ବିଚାର ମୋର ନଥିଲା ସେତେବେଳେ । ପରନ୍ତୁ ତାଙ୍କରି କଥା ହିଁ ଭାବିବାକୁ ଲାଗିଲି । ଆସି ପହଞ୍ଚିଲି ପୋଷ୍ଟ ଅଫିସ ମୋଡ଼ରେ ।

 

ଏଠାରେ ଦୁଇଟି ରାସ୍ତା, ଗୋଟିଏ ପକ୍କା ଓ ଅନ୍ୟଟି କଚା । ଗୋଟିଏ ପରିସ୍କାର ପିଚୁଢଳା ରାସ୍ତା, ଆଧୁନିକ ଯାନବାହାନ କୋଳାହଳପୂର୍ଣ୍ଣ, ଅନ୍ୟଟି ଆବର୍ଜନାମୟ ଓ ନିଭୃତ । ମାତ୍ର ଏହି ଆବର୍ଜନାମୟ ପଥରେ ଫୁଟିଛି ପଥ ପୃଷ୍ଠଟିଏ । ଏହି ଆବର୍ଜନାମୟ ପଥରେ ମିଳିଲା ତାର ଦେଖା-ବୃନ୍ତ କୋଳରୁ ମୃଦୁ ଗନ୍ଧବହ ସହିତ ଝରି ପଡ଼ୁଥାଏ ତାର କମନୀୟ ହସଟିକକ ।

 

ଗଲା ତିନିବର୍ଷ ଧରି ଯେଉଁ ରାସ୍ତାରେ ଅବାଧରେ ଯାଉଥିଲି ଆଜି ସେହି ବାଟରେ ଗଲା ବେଳକୁ କିପରି ଗୋଟାଏ ଅନୁଭୂତି ଆସି ପହଞ୍ଚୁଛି । ଟିକେ ଆନନ୍ଦ ପୁଣି ଟିକେ ଭୟ । କିପରି କୁଣ୍ଠା କିପରି ଉତ୍କଣ୍ଠା । ମୁଁ ଗଲା ବେଳେ କେହି ହୁଏତ ଭାବିବ, ପାଖରେ ଏତେ ବଡ଼ ଚୌଡ଼ା ପରିସ୍କାର ରାସ୍ତା ଥାଉଁଥାଉଁ ଏ ବାଟେ ନିତି ଯାଆନ୍ତି କାହିଁକି ? ମୁଁ ଜାହ୍ନବୀ ଘର ଝରକା ଆଡ଼େ ଉତ୍ସୁକ ଦୃଷ୍ଟିରେ ଅନାଉଥିଲା ବେଳେ ମୋର ଦୃଷ୍ଟିକୁ କେହି ଅନୁସରଣ କରୁନଥିବ ତ ? ଯଚିର ଗୋଟାଏ କଥା ମନେ ପଡ଼ିଲା ‘‘ହାମ୍‍ ଦେଖେନେ ୱାଲୋଁ କି ନଜର ଦେଖତେ ହେ ।’’

 

ମୁଁ ଠିକ୍ ଗଳି ଭିତରକୁ ହାଇଲା ବେଳକୁ ପଛରୁ ଶୁଣିଲି ‘‘ପ୍ରଭାସ ବାବୁ’’ !

 

ପଛକୁ ଅନାଇଲି । ଏକାଉଣ୍ଟ ଅଫିସର ଜଣେ ବାବୁ ।

 

ବଡ଼ଶୀଘ୍ର ବାହାରିଛନ୍ତି ଅଫିସକୁ ?- ସେ ପଚାରିଲେ ମୁଁ ଟିକେ ଥତମତ ଖାଇଗଲି । ଛେପ ଢୋକି କହିଲି- ‘‘ଓ , ହଁ, ଆଜି ଟିକେ କାମ ଅଛି ।’’ ମୁଁ କଣ ସତରେ ଆଜି ଶୀଘ୍ର ବାହାରିଛି ନା କଣ ? ମନେ ମନେ ଭାବିଲି । କିପରି ଆଜି ଏତେ ଶୀଘ୍ର ବାହାରିଲି ନିଜେ ହିଁ ଜାଣେନା ।

 

ଏବେ ସାଢ଼େଆଠଟା ମଧ୍ୟ ହେବାକୁ ନାହିଁ ।’’ ସେ କହିଲେ । ସାଢ଼େଆଠଟା ମଧ୍ୟରେ ହିଁ ମୋତେ ଆଜି ପହଞ୍ଚିବାକୁ ହେବ ।’’ ମୋତେ କହିବାକୁ ପଡ଼ିଲା ।

 

କିନ୍ତୁ ଏ ବାଟେ ଯିବା, ସେ ବାଟଟା ବଡ ଅପରିଷ୍କାର ।

 

କିନ୍ତୁ, ଆପଣ ବି ଶୀଘ୍ର ବାହାରିଛନ୍ତି ?

 

ମୋର ଓଭର ଟାଇମ୍ ଅଛି ।

 

ଆମ୍ଭେମାନେ ପକ୍‌କା ରାସ୍ତାରେ ଚାଲିଲୁ । ଜାହ୍ନବୀଙ୍କ ସହିତ ଦେଖା ହୋଇପାରିଲା ନାହିଁ-। ଛୁଟିପରେ ମଧ୍ୟ ସେବାଟେ ଯିବାର ସ୍ପୃହା ନଥିଲା, ଚାଲିଗଲି ବଜାର ବାଟ ଦେଇ । ଦିନତମାମ ଜାହ୍ନବୀଙ୍କ କଥା ଭାବିବାର ଅବକାଶ ପାଇନାହିଁ । ଆମ ଏତେ କାମ, କାମ କରି କରି ମଣିଷ ପରିଶ୍ରାନ୍ତ ହୋଇଯିବ । ହେଲେ ବାହାରକୁ ଆସିବାର ଅବକାଶ ମିଳିବ ନାହିଁ ।

 

ଦିନ ରାତି..ନିରୂପମାକୁ ନିଦ ଲାଗିଯାଇଛି । ମୁଁ କିନ୍ତୁ ତାଙ୍କ କଥା ଭାବିବାରେ ବିନିଦ୍ର ରହିଛି । କାହିଁକି ତାଙ୍କ କଥା ଭାବୁଛି ? କି ସ୍ପର୍ଶ ଲାଗିଲା ମୋତେ ? ଜାହ୍ନବୀଙ୍କ ସହିତ କଥା କିପରି ବୁଝିଛି, ସେ ଟିକେ ଆଧୁନିକ ରୁଚିସମ୍ପନ୍ନା । ତାଙ୍କର ରବିବାର ରୀତି ମଧ୍ୟରେ ନିଗୁଢ଼ ଅର୍ଥ ନିହିତ ଥାଏ । ହୁଏତ ଯେପରି ପଦେ ପଦେ କଥା ତାଙ୍କର । ତାଙ୍କ ସୌନ୍ଦର୍ଯ୍ୟ ଯାହା ତାହା ନୁହେଁ, ସୌନ୍ଦର୍ଯ୍ୟର ନିଖୁଣତାରେ ଚିରତିଶୟ କରାଯାଇଛି । ତଥାପି ସେ ସୁନ୍ଦରୀ ।

 

ବାଉଳାରେ ଝିଅ କାନ୍ଦି ଉଠିଲା । ତାକୁ ତୁନି କରିବାକୁ ନିରୂପମାର ନିଦ ଭାଙ୍ଗିଗଲା ।

 

‘‘ଶୁଣୁଛ’’ ? ସେ ଡାକିଲା ମୋତେ । ମୁଁ ଜବାବ୍ ଦେଲି ସାଙ୍ଗେ ସାଙ୍ଗେ ।

 

ତୁମେ ଏତେ ବେଳଯାଏ ଶୋଇନା ! ଟିକେ ପଦାକୁ ଯିବ ମୋ ସାଙ୍ଗରେ ?

 

ଚାଲ..

 

ରୁହ, ଝିଅ ଶୋଉ ।

 

ଝିଅ ଶୋଇଲା, ଦୁହେଁ ପଦାକୁ ଆସିଲୁ । ଆକାଶରେ ଚନ୍ଦ୍ର ନବଦମ୍ପତ୍ତି ଓ ସୌନ୍ଦର୍ଯ୍ୟୋପାଶକମାନଙ୍କ ପାଇଁ ଚନ୍ଦ୍ର ହୁଏତ ବିନିତ ରହି ନିଶୀଥ ରାତ୍ରିର ନିଃସୀମ ନଭୋମଣ୍ଡଳରୁ ଅମ୍ଲାନ ବଦନରେ ବୁଣି ଦେଇଛି ତାର ସ୍ନିଗ୍ଧ ଶୀତଳ ଚନ୍ଦ୍ରିକା । ଢାଳରେ ପାଣି ନେଇ ନିରୂପମା ଉହାଡ଼କୁ ଗଲା । ଫେରି ଆସି ଚାହିଁଲା ମୋ ଆଡ଼କୁ କହିଲି- ଟିକେ ପଦାରେ ବସନ୍ତେ ନାହିଁ ? ନିରୂପମା ବାରଣ କଲା ‘‘ଖାଲି ଦେହରେ ପଦାରେ ବସିବ ? ଥଣ୍ଡା ଲାଗିବ ? ଦେଖୁନା କେତେ କାକର ପଡ଼ୁଛି ? ଯେଉଁ ଅପୂର୍ବ ଦେହଟା ତ ତୁମର..

 

ତା ହେଲେ ବି ବସ । କହିଲି ମୁଁ ।

 

ତାହେଲେ ବସିଥାଅ, ମୁଁ ମୋର ଯାଉଛି ଶୋଇବି । ନିରୂପମା କିନ୍ତୁ ବସିବ ମୁଁ ଜାଣେ, ସେ ମୋତେ ବାଧାଦିଏ ଏହିପରି । କାନ୍ଧରେ ହାତ ପକାଇ ଆଉଜାଇ ନେଇ ତାକୁ ଛାତି ଆଡ଼କୁ । ସେ ମୋତେ ଆଦରରେ ଚୁମ୍ବନ କଲା । ମୁଁ ମଧ୍ୟ । ପାହାଚ ଉପରେ ବସିଲୁ ଦୁହେଁ

 

କହିଲି- ଚାନ୍ଦ କିପରି ଆମ ଆଡ଼େ ଅନାଇ ହସୁଛି—ଦେଖୁଛ

 

ଜମା ନୁହେଁ । ତୁମ ପରି ଭେସେରାଲୋକଙ୍କୁ ଅନାଇଲେ ଚାନ୍ଦକୁ ବି ଲାଜ ମାଡ଼ିବ । ତୁମକୁ କଣ ଖାଲି ଚାନ୍ଦ ଅନାଇ ହସୁଛି, ପବନ ବର୍ତ୍ତମାନ ତୁମ କାନରେ କଥା କହିବ, କାକର ତୁମ ଉପରେ ଅବିକା ପୁଷ୍ପବୃଷ୍ଟି କରିବ, କେତେ କଣ କରିବେ ସବୁଆସି । ବସୁନା ଆଉ ଟିକିଏ ବସ । ଆଉ କାଲି ସକାଳକୁ କହିବି ମୁଣ୍ଡଟା କାହିଁ ଭାରୀ ଭାରୀ ଲାଗୁଛି, ଟିକେ ଚିପିଦେବି.. ଆରେଃ..ଚୁପ କରି ବସ୍‍ନା !

 

ମୁଁ ଟିକେ ଦୁଷ୍ଟାମୀ ଆରମ୍ଭ କରି ଦେଇଥିଲି ବୋଲି ଏଇଟା ତାର ଅନୁରକ୍ତିର ସୂଚନା । ଆଦର କରି ମୁଁ ତା ମୁଣ୍ଡଟିକୁ ମୋ କୋଳରେ କଡ଼ଦେଲି ଓ ଉଠାଇ ଧରି ଦେଲି ଗୋଟିଏ ଗଭୀର ଚୁମ୍ବନ ।

 

‘‘ଓଃ, ଭିତରକୁ ଚାଲୁନ..’’

 

‘‘ଖୁବ୍ ଶୀଘ୍ର ତୁମେ ଆଜି ଶୋଇପଡ଼ିଲ?’’ ପଚାରିଲି ।

 

ତୁମ ପରି ତ ଦିନମାନ ଅଫିସ ପଙ୍ଖାତଳେ ବସି ନଥିଲି । ସାରାଦିନ ଖଟି ଖଟି ଜୀବନ ଯାଉ ପଛେ.. ତୁମକୁ ନିଦ ନଥିଲା ? କଣ ଶୋଇ ଶୋଇ ଭାବୁଥିଲ ?

 

ଭାବୁ ନଥିଲି କିଛି । ଖାଲି ତୁମ ନିଦ ଭାଙ୍ଗିବାକୁ ଅପେକ୍ଷା କରିଥିଲି ।

 

କାହିଁକି? କି କାମ ଅଛିକି ମୋଠି ?

 

‘‘କହୁଛି ଚାଲ-’’

 

ମୁହଁଟା ମୋଡ଼ିଦେଇ ନିରୂପମା ଆଗେ ଆଗେ ଉଠିଗଲା । ମୁଁ ପଛରେ କିଳିଣି ଲଗାଇ ଭିତରକୁ ଗଲି ।

 

ନଅ

 

ଟାଟାକମ୍ପାନୀ ଅଫିସବାବୁଙ୍କ ଆଜି ଦରମା ମିଳିବା ଦିନ କ୍ୟାସ୍ ଅଫିସରେ ଦେଖିବ ଭିଡ଼-। କ୍ୟାସ୍ ଅଫିସ ବାହାରେ ମଧ୍ୟ କମ୍ ଭିଡ଼ ନୁହେଁ । କେତେ କାବୁଲିବାଲା, ପଞ୍ଜାବୀ, ମାରୱାଡ଼ି, ସେ ସୁଧଗଣ୍ଡାକ ପାଇଁ ଓ ନିଜ ନିଜର ପ୍ରାପ୍ୟ ଆଶାରେ ଅନାଇ ରହିଛନ୍ତି । ସମସ୍ତେ ଆପଣା ଆପଣା ଖାତକମାନଙ୍କୁ ମନେ ମନେ ଖୋଜି ହେଉଛନ୍ତି ।

 

ଅଫିସ ବୟେ, ଅଫିସ ଗାର୍ଲସମାନଙ୍କ ଚଳପ୍ରଚଳନ ମଧ୍ୟ ଘନେଇ ଉଠିଛି । ଚା, ପାନ, ସିଗାରେଟ ବୋହି ବୋହି ତାଙ୍କୁ ଫୁରସତ ନାହିଁ । ହୋଟେଲମାନଙ୍କରେ ବାବୁମାନେ ଦଳକୁ ଦଳ, ପଞ୍ଝାକୁ ପଞ୍ଝା ଯିବା ଆସିବାରେ ଲାଗିଛନ୍ତି ।

 

ଗୋଟାଏ ସ୍ଫୁର୍ତ୍ତିମୟ ପରିମଣ୍ଡଳ ଯେପରି ବ୍ୟାପି ଯାଇଥାଏ ଅଫିସ ଚାରିପାଖରେ । କଣ ଗୋଟାଏ ଜରୁରୀ କାର୍ଯ୍ୟ ପାଇଁ ମୁଁ ସେଦିନ ଦିନକ ଛୁଟି ନେଇ ଘରେ ଥିଲି । ମାତ୍ର ଦରମା ପାଇଁ ଯିବାକୁ ପଡ଼ିଲା । ଦରମା ନେଇ ଫେରିଲା ବେଳକୁ ସାଢ଼େ ତିନିଟା, ଭାବିଲି ବଜାର ବାଟେ ଯିବି । ଝିଅ ପାଇଁ ପାଉଣ୍ଡେ ବିସ୍କୁଟ ଅନ୍ତତଃ ନେଇ ନଗଲେ ମନଟା ଭଲ ଲାଗିବ ନାହିଁ । ଦରମା ପାଇ ଆଜି କିଏ କେତେ ଖୁସି ମଜା କରୁଛନ୍ତି । କେତେ ସୁଖ ସରାଗରେ ଉଡ଼ାଇ ଦେଉଛନ୍ତି । ପଟେଲଙ୍କ ବାର୍ ଆଡ଼େ ଗଲେ ଏହାର ସ୍ପଷ୍ଟ ଆଭାସ ମିଳିଯିବ । ଆମପରି କିରାଣୀ ବାବୁଙ୍କ ଜୀବନରେ କି ସୁଖ ବା ଅଛି ?

 

ବଜାରରେ ଜାହ୍ନବୀ ଓ ତା ବାପାଙ୍କ ସହିତ ଦେଖାହେଲା । ସେମାନେ ବୋଧହୁଏ କିଛି ଲୁଗାପଟା କିଣାକିଣି କରିବା ପାଇଁ ଯାଉଥିଲେ ।

 

‘‘ନମସ୍କାର । ଜାହ୍ନବୀ ହାତ ଉଠାଇ କହିଲେ ମୋତେ ଦେଖିପାରି । ଲାଜମିଶା ଦରଦର ହସ, ଓଠରେ ତାଙ୍କର ଉକୁଟି ଥିଲା, କିନ୍ତୁ ସେ ଜୋର କରି ଅନ୍ୟଆଡ଼କୁ ମୁହଁ ବୁଲାଇ ନେଲେ । ସେ ମଧ୍ୟ ମୋ ଆଡ଼କୁ ଅନାଇଲେ ।

 

‘‘ଆପଣଙ୍କର ଜମାରୁ ଦେଖାନାହିଁ ବାବୁ ? ଏ ଗରିବ ଦୁଆରେ କେବେ ଆଉ ପାଦ ପକାଇଲେ ନାହିଁ?’’

 

ତୁମେ ଯେଉଁ ଦରଖାସ୍ତ କରିଥିଲ, ସେ ବିଷୟରେ କଣ ହେଲା ? ସେହି କଥା କହିବା ପାଇଁ ତ ଭାବୁଥିଲି । କେତେ ଅନାଏ, ମାତ୍ର ଆପଣଙ୍କ ଦେଖା ପାଏନା । ଝିଅକୁ କହିଥିଲି ଯେ, ପ୍ରଭାସ ବାବୁଙ୍କୁ ଯଦି ଦେଖିବୁ, କହିବୁ ଟିକେ ଆସିବେ ।

 

ଜାହ୍ନବୀ ଆଉ ମୋ ଆଡ଼କୁ ନ ଚାହାନ୍ତି । ମନ ଭିତରେ ଅଭିମାନ ଆଗପରି ଭର୍ତ୍ତି ହୋଇଛି ତାଙ୍କର ।

 

କହିଲି-‘‘କଥା କଣ କି, ଅଫିସ ଗଲାବେଳେ କି ଫେରିଲା ବେଳେ ମୋର ସାଙ୍ଗ ବାବୁମାନେ ଥାଆନ୍ତି ତ । କାହା ସହିତ ହୁଏତ ଗପସପ କରି ଅନ୍ୟବାଟେ ଚାଲିଯାଏ । ମୁଁ ମଧ୍ୟ ଭାବୁଥିଲି ତୁମ ଦରଖାସ୍ତ, କିନ୍ତୁ କାଲି ପଅରି ଦିନ ଆଡ଼କୁ ଥରେ ଯିବି ବୋଲି ଭାବେ, ଭୁଲିଯାଏ । ଆଚ୍ଛା , କାଲି ଯିବ ନିଶ୍ଚେ ।’’

 

‘‘ହଉ, ଆସିବେ-ହଁ, ଦରଖାସ୍ତ କଥା କହୁଥିଲି-ଆପଣ ତ ଆସିବେ, ଆସିଲେ କଥାବାର୍ତ୍ତା ’’ ବଙ୍କିମ କହିଲେ ।

 

‘‘ଆଚ୍ଛା’’ କହି ଫେରିପଡ଼ିଲି ।

 

ଯେଉଁ ସୂକ୍ଷ୍ମ ବନ୍ଧନଟିକୁ ଛିଣ୍ଡାଇ ଦେବାକୁ ଭାବି ତା ପାଖ ନମାଡ଼ିବାକୁ ସ୍ଥିର କରିଥିଲି, ବଳେ ବଳେ ଯଦି ଏପରି ତାହା ଆସି ଦେହରେ ଗୁଡ଼େଇ ହେବ, ତେବେ ମୁଁ ନାଚାର । ପୁଣି ଥରେ ଯିବାପାଇଁ ହେବ ଜାହ୍ନବୀଙ୍କ ଘରକୁ । କ୍ଷଣକ ପାଇଁ ମନରେ କେଉଁ କଣରେ ଆନନ୍ଦର ଛୋଟ ଢେଉଟିଏ ଯେପରି ଜାଗି ଉଠି, ଆଘାତ କରି ଦୋହଲାଇ ଦେଇଗଲା ମୋତେ ।

 

ବଜାରରୁ ଫେରିଲା ବେଳକୁ ପୁଣି ବସଷ୍ଟାଣ୍ଡ ପାଖରେ ଦେଖିଲି ସେମାନଙ୍କୁ । ବଙ୍କିମ ସମବୟସୀ କାହାରି ସହିତ କଥା ହେଉଛନ୍ତି ତିନି ଚାରି ହାତ ଦୂରରେ । ଜାହ୍ନବୀ ଦେଖିପାରିଲେ ମୋତେ ।

 

‘‘କାଲି ତା ହେଲେ ଆସୁଛନ୍ତି ?’’ ସତେ ଅବା ଅନିଛାସତ୍ତ୍ୱେ ଭଦ୍ରତା ଖାତିରିରେ ଏତକ କହିଲେ ।

 

ତମର ବି କଣ ଦରଖାସ୍ତ ଲେଖିବାର ଅଛି ନା କଣ ? ହସି ହସି ପଚାରିଲି ।

 

‘‘ନାଃ ।’’

 

ତେବେ ମୋ ଆସିବାର ନିଃସନ୍ଦିହାନ ହେବାକୁ..

 

ଅତିଥିଙ୍କର ସତ୍କାର ଭାର ମୋ ଉପରେ କିନା, ତେଣୁ କାଲି ଆଡ଼କୁ ଆମ ଘରେ ଚିନି ଥିବ କି ନାହିଁ ମନେ ପକାଇବାକୁ ହେବ ଭଲ କରି ।

 

ବହେ ଖଣ୍ଡେ ହସିବାକୁ ମନ ହେଉଥିଲା । ମାତ୍ର ବିଚରାସ୍ତାଟା । ମୁଁ କୌଣସି ମତେ ହସ ସମ୍ଭାଳି ଚାହିଁଲି, ଜାହ୍ନବୀ ମୋତେ କଟମଟ କରି ଅନାଇଛନ୍ତି । ମୁହଁରେ ଟିକେ ହେଲେ ହସ ନାହିଁ । ଅଭିମାନରେ ପ୍ରାଣପ୍ରଣେ ହସକୁ ଚାପିବା ଚେଷ୍ଟା କରୁଛନ୍ତି ସେ ।

 

‘‘ଚିନି ନଥିଲେ କଣ ହେଲା ମଧୁ ଅଛି ତ..’’ ଅନୁଚ୍ଚ ସ୍ୱରରେ

 

ମୁଁ ।

 

ମାନେ ?’’

 

କହିବାକୁ ଇଚ୍ଛା ହେଉଥିଲା ତୁମ ଓଠର ମଧୁ । କିନ୍ତୁ କହିପାରିଲି ନାହିଁ । ଏତେଟା ସାହସ ମୋର ନଥିଲା । ଏତେ ସ୍ପର୍ଦ୍ଧା ମୋର ନାହିଁ । କହିଲି- ମଧୁ ମାନେ ପଡ଼ିନାହିଁ-ମହୁ । ଅବୋଧ କଥାଟା ଜାହ୍ନବୀଙ୍କ ପାଖରେ । ‘ମଧୁ’ ମାନେ ଜାଣିଥିବେ, ମାତ୍ର ତାର ଅର୍ଥ ମୋତେ ବୁଝାଇବା ପୂର୍ବରୁ ବଙ୍କିମବାବୁ ଡାକିଲେ- ପଛରୁ ଫେରିଲେଣି ?

 

ହଁ, ରୁହ ସମସ୍ତେ ସାଙ୍ଗ ହୋଇ ଯିବା ବାସ୍‍ରେ ।

 

‘‘ପାଗଳ ହେଲେ ବାବୁ । ବାଟ କେଯାଏ ଯେ ବସରେ ଯିବୁଁ ? ଲୋକଟି ସହିତ କଥାବାର୍ତ୍ତା କରୁଁ କରୁଁ ଆମ୍ଭେମାନେ ଏଠାରେ ପହଞ୍ଚିଗଲୁଁ ।’’

 

ସେଥିରେ କଣ ଅଛି ? ତୁମ୍ଭେମାନେ ପୋଷ୍ଟ ଅଫିସ ମୋଡ଼ରେ ଓହ୍ଲେଇଯିବ । କେତେଟା ପଇସା ପଡ଼ିବ ଇମିତି ? ମୁଁ ଦେଲେ କଣ ହବନି ? କିନ୍ତୁ ତୁମେ ଯାହା କୁହ ବଙ୍କିମ, ତୁମର ଏ ଝିଅ ଖଣ୍ଡିକ ଅଭିମାନିନୀ । ତୁମ ଘରକୁ ନଗଲି ବୋଲି ମୋ ଉପରେ ରାଗ ଚୁର । ଆଉ ତୁମେ ହିଁ କୁହ, ତୁମ ସହିତ ମୋର ତ ଏତେ ଦେଖାଶୁଣା ନଥିଲା, ମୁଁ ବା କାହିଁକି ଯାଆନ୍ତି ? ତୁମେ କଣ ଭାବନ୍ତ..ଭଦ୍ରଲୋକ ଏ..

 

ପାଟିରୁ କଥା ଛଡ଼ାଇ ନେଇ ବଙ୍କିମ କହିଲେ- ତା ଭାବିବେ ନାହିଁ ବାବୁ, ତା ଭାବିବେ ନାହିଁ । ଆପଣଙ୍କୁ ମୁଁ ବହୁତ ଦିନରୁ ଜାଣେ ବାବୁ । ଆପଣତ ଆଗେ ଏ ତ୍ରିଲୋଚନ ତ୍ରିପାଠୀ, ପୋଷ୍ଟ ମାଷ୍ଟର ତାଙ୍କ ଟିକି ଝିଅଟିକୁ ଗୀତ ଶିଖାଉଥିଲେ । ସେ ବାବୁତ ବଦଳି ହୋଇଗଲେଣି । କୁହନ୍ତୁ ମୁଁ ଜାଣେ ବାବୁ, ମୁଁ କଣ ଆଉ ନଜାଣି କରିଅଛି ? ୧୯୫୧ ମସିହା । ହଁ, ଠିକ୍ ସେହି ବର୍ଷ ବି ତାର ଆଜି ବର୍ଷ ଠିକ୍ ମନେ ହେଉନାହିଁ । ଆମ ଓଡ଼ିଶାର ସବୁ ବଡ଼ ବଡ଼ ଲୋକମାନେ ଆସିଥିଲେ । ଛନ୍ଦ ମହଲରେ ସଭା ହୋଇଥିଲା, ସେଠାରେ କଣ ଲେଖି ନେଇ ଆପଣ ପଢ଼ିଥିଲେ ନା ? କୁହନ୍ତୁ ଏ କଥା ମିଛ ତା ପରେ- ହଁ, ତା ପରେ ଆମ ଦୀଗାମ୍ବର ତ କହେ ଆପଣଙ୍କ କଥା କହେ ଭାରି ଭଦ୍ରଲୋକ, ସମୟ ଅସମୟ ପଡ଼ିଲେ ମୁହଁକୁ ଅନାଇବେ । ହଁ ଆପଣ ଅଫିସର ବାବୁମାନଙ୍କୁ କହି ପ୍ରତିବର୍ଷ ଦୁର୍ଗାପୂଜାରେ ପୋଷ୍ଟ ପିଅନଙ୍କୁ କିଛି ବକସିସ୍ ଦିଆଯିବା ଉଚିତ୍, ଏମିତି ସମସ୍ତ କହି ପୋଛି ଗୋଟାଏ ପିଟିସନ ଲେଖି ସଇ କରେଇ, ଯେ ଗୋଟାଏ ବାଟ କରିଦେଲେ ଯେ, ଭଞ୍ଜ ପରା କହେ, କହେ ଫି’ବର୍ଷ ଟଙ୍କାଚାଳିଶି ପଚାଶ ଭଳି ଆଦାୟ କରିନିଏ । ସବୁ ଜାଣେ ବାବୁ, ସବୁ ଜାଣେ । ମୋତେ ଆଉ ଲୁଚାଇବାକୁ ପଡ଼ିବନାହିଁ ।

 

ଆଉ ବୁଝିଲ ବାବୁ, ବଙ୍କିମଙ୍କ ସ୍ୱର ଟିକେ ନରମ ହୋଇଆସିଲା । ପିଲାଦିନୁ ମାଙ୍କୁ ହରାଇଛି । ଏଇ ଗୋଟିକ ମୋର ଏଇନେ ସବୁ । ଦାଦି, ଖୁଡ଼ୀଙ୍କ ପାଖରେ ଯାହା ତାର ପାଠଶାଠ-। ତେବେ ହିଁ, ମୋର ଶକ୍ତିମନ୍ତେ ମୁଁ ତାର ସବୁ ଅଳି ପୂରଣ କରିଛି ବାବୁ । ଯେ ଭଲ ସେ ଭଲ, ଯେ ଖରାପ, ଲକ୍ଷେ ଚେରେଷ୍ଟା କଲେ ବି ସେ ଭଲ ହେବନାହିଁ । ମୁଁ ଏତେ ବାରଣ କରେନାହିଁ । ହଁ, ମୋରତ ସଫା କଥା, କାହା ଘରକୁ ଯିବା କା କାହା ସହିତ କଥା କହିବା, କୌଣସି କଥାରେ ମୁଁ ତାକୁ ଆକଟ କରେନାହିଁ, ସହର ଜାଗାରେ ଚଳିଛି ପିଲାଦିନୁ, ଏବେ ଗୋଟାଏ ପରଦା କଣ ? ଭଲ ବାଟରେ ଚାଲିବ ଭଲ ହେବ, ଖରାପ ରାସ୍ତାରେ ଗଲେ ଖରାପ, ଯା ଯାହା କରିବ, ସେ ତା ଫଳ ଛାଏଁ ଛାଏଁ ପାଇବ । ନା କଣ କହୁନାହାନ୍ତି ବାବୁ.. ମୁଁ ୟା ଭାବିଥାଏ ।

 

ବଙ୍କିମଙ୍କ କଥା ଯେପରି ଶେଷ ହେବନାହିଁ । ମୋ ବିଷୟରେ ଯେ ଗୋଟାଏ ବିରାଟ ଇତିହାସ ମାନସ ପଟରେ ଲେଖି ରଖିଛନ୍ତି । ଯେପରି ସ୍ୱର୍ଗରୁ ପଡ଼ିଲି ଏସବୁ ଶୁଣି ।

 

ବସ୍ ଆସିଲା, ସମସ୍ତେ ବସିଲୁ ।

 

ଅସଲ କଥା, ତାକୁ ବଡ଼ ଏକୁଟିଆ ଲାଗୁଛି ବାବୁ । ମୋ ପାଖକୁ ଲାଗି ଆସିଛି କିନା ? ପଢ଼ାଶୁଣା ଲୋକଙ୍କ ସହିତ କଥାବାର୍ତ୍ତା କି ମିଳାମିଶା କରନ୍ତା ଏଇ..ଆଉ କଣ ? ବଙ୍କିମ କହିଲେ ।

 

ବୁଝିଲି, ବୁଝିଲି- ପଢ଼ାଶୁଣା ପିଲା ମାତ୍ରେହିଁ ସେହିପରି । ତୁମେ ବି ବଡ଼ ଏକୁଟିଆ ହୋଇଯାଉଛି ।

 

ହଁ, ନୁହେଁ ଆଉ କଣ ? ତେବେ ସେଠି କଣ ଆଉ ପାଞ୍ଚଦଶ ନାହାନ୍ତି ? ହେଲେ ସେମିତି ପଢ଼ାଶୁଣା ଲୋକ ବା ଓଡ଼ିଆ ଘର ନାହାନ୍ତି । ବଙ୍କିମ କହିଲେ ।

 

ବସ୍ ପୋଷ୍ଟ ଅଫିସ ଛକପାଖରେ ପହଞ୍ଚିଲା, ସେମାନେ ସେଠି ଓହ୍ଲାଇଲେ । ବଙ୍କିମ ଓହ୍ଲାଇଲେ ଆଗେ, ପରେ ଜାହ୍ନବୀ ।

 

ଜାହ୍ନବୀ ମୋ ଆଡ଼କୁ ଅନାଇଲେ । ଯେଉଁ ହସଟିକକ ତାଙ୍କ ଭିତରରୁ ଖୋଜୁଥିଲି, କୃପଣତା କରି ତାହା ସେ ଲୁଚାଇ ଦେଲେ ବୋଧହୁଏ । କିପରି ଗୋଟାଏ କରୁଣ ମର୍ମନ୍ତୁଦ ବେଦନାର ସ୍ପର୍ଶ ନେଇ ଟିକେ ଶୁଷ୍କ ହସ ହସୁଥିଲେ ଜାହ୍ନବୀ, ଯାହାକି ମୁଁ ଚାହିଁ ରହିଥିଲି ।

 

ଦଶ

 

ତଥାପି ସେ ସୁନ୍ଦରୀ, ସୌନ୍ଦର୍ଯ୍ୟ ପୂଜାରୀ, ମୋ ମନର ପ୍ରାନ୍ତରରେ ରୂପର କୋଣାର୍କ ଭାଜିଛି ତାଙ୍କର । ବିଭା ହେବା ଆଗେ କଣ ବା ପରେ କଣ ସ୍ତ୍ରୀଲୋକମାନଙ୍କର ସଂସର୍ଗରେ ମୁଁ କେବେ ଆସିନାହିଁ- ଅବଶ୍ୟ ଆତ୍ମୀୟ ସ୍ୱଜନଙ୍କ ବ୍ୟତୀତ । ଏ କ୍ଷେତ୍ରରେ ଜାହ୍ନବୀ ହିଁ ହେଲେ ପ୍ରଥମ-। କିନ୍ତୁ ଯେ ଆତ୍ମୀୟା ନୁହନ୍ତି ଯୌବନର ଉଦ୍ଦାମ ଭାରରେ ଯେ ଅବନତ, ତାଙ୍କ ପାଖରେ ମୋର ସୁରୁଚିସମ୍ପନ୍ନ ଲୋକଟାର କିପରି ବ୍ୟବହାର, କିପରି କଥାବାର୍ତ୍ତା ଚାଲିବା ଉଚିତ୍, ଏସବୁର ଅଦବ୍‍କାଏଦା କିନ୍ତୁ ମୋତେ ମୋର ନାହିଁ । ଆମ ଆଧୁନିକ ଲେଖକମାନଙ୍କର ଉପନ୍ୟାସ ଗୁଡ଼ିକର ନାୟକ-ନାୟିକାମାନଙ୍କର ବାର୍ତ୍ତାଳାପ ଗୁଡ଼ାଏ ମନେ ପକାଇଲି ହେଲେ ଦୁଇ ଚାରିଟା କଥା ମନେ ରହିଯାଆନ୍ତା, କିନ୍ତୁ ହେଲାନାହିଁ ନିରସ୍ତ୍ର ହେଲି ।

 

ଯଚି କିନ୍ତୁ ଆମର ପକ୍କା ଓସ୍ତାଦ ଏ ବିଷୟରେ । ଏସବୁ ତ ଚିତ୍ରପରି । କିପରି ଯେ ସେ ଝିଅଗୁଡ଼ିକ ସାଙ୍ଗରେ ଏତେଶୀଘ୍ର ମିଶିଯାଇ ତାକୁ କଥା ଛନ୍ଦରେ ବା ଫାନ୍ଦରେ ହସେଇ, ଖେଳେଇ, ନଚେଇ, ବୁଲେଇ, ଭୁଲେଇ ପାରେ ମୁଁ କଳ୍ପନା କରିପାରେ ନାହିଁ । ବିଶେଷତ୍ତ୍ୱଟି କିନ୍ତୁ ତାକୁହିଁ ଶୋଭାଯାଏ ।

 

ଜାହ୍ନବୀ, ମୋ ପାଇଁ ତାଙ୍କଠାରେ ରୂପର ଦୁରନ୍ତ ଆକର୍ଷଣ ପ୍ରତିହତ ହୋଇଛି । କେତେଥର ଭାବିଲି ଛୋଟ ନାଁ ଗୋଟିଏ ଧରି ଡାକନ୍ତି । ତା ମଧ୍ୟ ଭାବି ଠିକ୍ କରିପାରିଲି ନାହିଁ । ‘ଜହ୍ନ’, ନିହାତି ଜଣା, ସପ୍ତଦଶ ଶତାବ୍ଦୀର । ନବୀନା, ତା ମଧ୍ୟ ଭଲ ହେଲାନାହିଁ ଅତ୍ୟନ୍ତ ଗ୍ରାମ୍ୟ । ‘ଜହ୍ନୀ’ ହସ ମାଡ଼ିଲା, ଜହ୍ନୀ କି ଭେଣ୍ଡୀ ସେପରି ପଣ୍ୟଦ୍ରବ୍ୟ ନୁହେଁ । ଛାଡ଼, ସ୍ୱତନ୍ତ୍ର କିଛି ଗୋଟାଏ କଳ୍ପନା କରି ବାହାର କରିବାକୁ ହେବ ।

 

ଏଭିତରେ ମୋର ଜାହ୍ନବୀଙ୍କ ଘରକୁ ଯିବା ତିନିଥର ହୋଇଥିଲା । ଦୁଇଥର ଦରଖାସ୍ତ ସମ୍ବନ୍ଧୀୟ ଓ ଅନ୍ୟ ଥରଟି ନ ଗଲେ ଜାହ୍ନୀବଙ୍କ ମନରେ କଷ୍ଟ ହେବ ବୋଲି ପୁଣି ବଙ୍କିମଙ୍କ ଅନୁରୋଧ ଡୋରିରେ ।

 

ମଣିଷର ଏ ତୃଷ୍ଣା ମେଣ୍ଟିବାର ନୁହେଁ, ବିଶେଷତଃ ମୋର ରୂପ ତୃଷ୍ଣା । ସେହି ନୂତନ ଦିନର ସ୍ପୃହାର ଅପର୍ଯ୍ୟାପ୍ତିରେ ଯେପରି କ୍ରମେ କ୍ରମେ କ୍ରମବିଲୟ ଓ ହ୍ରାସ ସ୍ଥାନଲାଭ କରିଛି । ଦୃଷ୍ଟିର ଘାତ ପ୍ରତିଘାତରେ ହୁଏତ ଅଜାଣିତ ଭାବରେ ବିରୋଧ ଭାବର ପ୍ରତିକ୍ରିୟା ଅଭିବାବକକୁ ମୋର ଦଂଶନ କରୁଛି କାହିଁ କେଉଁଠାରେ ଆତ୍ମଗୋପନ । ତଥାପି କି ମୋହ କି ସମ୍ମୋହନ କାହିଁ କେଉଁଠି ଜାଗିରହି ଆପଣାର ନୀରବ କର୍ତ୍ତୃତ୍ୱ, ନୀରବ ନିର୍ଦ୍ଦେଶ ଚାଳନ କରିଚାଲିଛି । ଅବହୃତ, ଅବଲୁପ୍ତ ଓ ଉଦଭ୍ରାନ୍ତ ପରି ଲକ୍ଷହୀନ ଭାବରେ କାର୍ଯ୍ୟ କରିଚାଲିଛି । ଭାବିବାର ଅବକାଶ ନାହିଁ । ତଥାପି ମଣିଷ ଜୀବନରେ କି କାତରତା ଅଛି ? ବିବାହିତ ମୁଁ । ବିଂଶତବର୍ଷରେ ପଦାର୍ପଣ କରୁ ନକରୁ ମହାନୁଭବ ପିତାମାତା ଦୋଳମୁକୁଟ ମୁଣ୍ଡରେ ବାନ୍ଧିଦେବା ପାଇଁ ବିଭୋର ହୋଇପଡ଼ିଲେ । ଫଳରେ ମୁଁ ବିଂଶତି ବର୍ଷ ବୟସ ବେଳକୁ ସକ୍ଷମ ହୋଇପଡ଼ିଲି ଦୁଇଟି ସନ୍ତାନର ପିତା । ଧନ୍ୟ ମୁଁ ଓ ଧନ୍ୟ ମୋର ପିତାମାତା ! ବୟସ ଏବେ ମଧ୍ୟ ଅପରିପକ୍ୱ ଭାବି କେହି କେହି ସମୟ ବିଶେଷରେ ମୁଁ ଅବିବାହିତ ବୋଲି ମଧ୍ୟ ପ୍ରତିପାଦନ କରି ଉଠନ୍ତି । ଏପରି କ୍ଷେତ୍ରରେ ବାରମ୍ବାର ସକାରଣ ଓ ଅକାରଣରେ ଜାହ୍ନବୀଙ୍କ ଘରକୁ ଯିବାକୁ ମୁଁ ପସନ୍ଦ କଲିନାହିଁ । ଏପରି ଗୋଟିଏ ଅନୁଢ଼ା କନ୍ୟାର ସଂସ୍ପର୍ଶରେ ବାରମ୍ବାର ଆସିବା ନିରାପଦ ନୁହେଁ । ସମାଜରେ ରହିଲେ ଲୋକାପଦାର ମଧ୍ୟ ଭୟ ଅଛି ପଦେ ପଦେ ।

 

ମୁଁ କିନ୍ତୁ ବୁଝିପାରିଲି ନାହିଁ, ଜାହ୍ନବୀଙ୍କୁ ଆଶ୍ରୟ କରି ଭାବନା ଓ ଚିନ୍ତାର ଉଦ୍ରେକ ହେବ କାହିଁକି ? ସେ କିଏ ? ତାଙ୍କ ସହିତ ମୋର ବା ସମ୍ପର୍କ କଣ ? ତାଙ୍କ ଉପରେ ମୋର କି ଅଧିକାର-? କଣ ଚାହେଁ ମୁଁ ବାସ୍ତବରେ ? ନିଜର ମନୋମତ ନାମରେ ତାଙ୍କୁ ଆଦର କରି ଡାକିବା ବା କାହିଁକି ? ଆଉ ଡାକିବି ମଧ୍ୟ କେତେବେଳେ ? ତାଙ୍କ ଘରକୁ ଯିବାର ପ୍ରୟୋଜନ ଯେତେବେଳେ ନାହିଁ, ଡାକିବାର ଆବଶ୍ୟକତା ଆସିବ କୁଆଡ଼ୁ ? ସବୁ ପ୍ରଶ୍ନର ଉତ୍ତର ପାଇଲି ଶୁନ୍ୟରେ ସବୁ ନିରର୍ଥକ । ଏହି ବିରାଟ ଶୂନ୍ୟ ଗର୍ଭରେ କେବଳ ଜାହ୍ନବୀ ସୌନ୍ଦର୍ଯ୍ୟର ତୀବ୍ର ନିର୍ଯ୍ୟାସ ଯେପରି ସଞ୍ଚରି ଯାଇଛି ସ୍ତରେ ସ୍ତରେ ମୋ ମାନସ ରାଜ୍ୟ ଉପରେ ଗତି କରୁଥିବା ଏକ ରୁଦ୍ର ପ୍ରଭଞ୍ଜନ ଭିତରେ ଯେପରି କରାଳ ଆର୍ତ୍ତନାଦ କରି ଉଠିଛି ଜାହ୍ନବୀଙ୍କର ଆହ୍ୱାନ । ମୁଁ ବେଳେବେଳେ ସ୍ତବ୍ଧ ହୋଇ ବସିରହି ଭାବିବାକୁ ଲାଗିଲି ।

 

ଏଗାର

 

ସେଦିନ ଅଫିସରୁ ଫେରିଲା ବେଳକୁ ଗଳି ଭିତର ଦେଇ ଗଡ଼ିଯିବାକୁ ଯେପରି ପାଦ ମୋର ଆପଣା ମନକୁ ଟାଣି ହୋଇଗଲା । ମନେ କଲି କେଉଁଆଡ଼କୁ ନ ଅନାଇ ତଳକୁ ମୁହଁ ପୋତି ଚାଲିଗଲେତ କଥା ସରିବ । କିନ୍ତୁ ମୋତେ ଲାଗିଲା ମୁଁ ଯେପରି ବଡ଼ କ୍ଲାନ୍ତ ।

 

ଆସିବାକୁ କହିଲା କିଏ ପୁଣି ତଳକୁ ମୁହଁ ପୋତି ଚାଲିଯିବାକୁ ବା କହୁଛି କିଏ ? କେଡ଼େ ଦୁର୍ବଳ ଏହି ମନ ପାଖରେ ମୁଁ !! ଚାଲିଲି-

 

ପଛରୁ ଡାକ ଶୁଭିଲା-‘‘କଣ ଚାଲି ଯାଉଛନ୍ତି ?’’

 

ମୁଁ ସେତେବେଳକୁ ଜାହ୍ନବୀଙ୍କ ଘର ବାଡ଼ିକବାଟ ଟପି ଯାଇଥିଲି । ପଛକୁ ଅନାଇଲି । ଜାହ୍ନବୀ ହସି ହସି ମୋତେ ମୁଣ୍ଡ ଟୁଙ୍ଗାରି ଡାକିଲେ । ନ ଯିବାକୁ ବାଟ ନଥିଲା ।

 

ଦ୍ୱାରବନ୍ଧ ଟପି ସେହି ଅଣଓସାରିଆ ଗୋହି ଭିତରେ ଜାହ୍ନବୀ ମୋତେ ଆଡ଼େଇ ହୋଇ ଅତିକ୍ରମ କରି ଯିବାକୁ ରାସ୍ତା ଛାଡ଼ିଦେଲେ । ମୁଁ ତାଙ୍କୁ ଅତିକ୍ରମ କରି ଠିଆ ହେଲି । ସେ ବାଡ଼ିପଟ କବାଟରେ କିଳିଣି ଲଗାଇ କହିଲେ- ଆଜି କଣ ସେ ବାଟଟା ଭୁଲିଗଲେ କି ?

 

କାହିଁକି ? ଟିକେ ଗମ୍ଭୀର ହେବାକୁ ଚେଷ୍ଟା କରୁ କରୁ ହସି ପକାଇଲି ।

 

ଦେଖା ନଥିଲା ଆପଣଙ୍କର ?

 

ଏବେ ତ ଦେଖାହେଲା, କଣ କୁହ.......ମୁଁ ତାଙ୍କ ଅଗଣା ଭିତରକୁ ଗଲି ।

 

ବାପା ?

 

କାମ ଉପରେ.. କହି, ଜାହ୍ନବୀ ମୋ ହାତଧରି ଘରକୁ ଟାଣି ନେଇ ଖଟିଆରେ ବସାଇଲେ । ‘‘ଆପଣଙ୍କ ଦେହ କଣ କିଛି ଖରାପ ଥିଲା ? ଜାହ୍ନବୀ ପୁଣି ପଚାରିଲେ । ମୋର ଖୁବ୍ ନିକଟରେ ଠିଆ ହୋଇଥିଲେ ସେ ।

 

‘‘ନା ତ ! କାହିଁକି ? ସେପରି କଣ କିଛି ଜଣାପଡ଼ୁଛି ? ମୁଁ ଝରକା ଆଡ଼କୁ ଅନାଇ ଅନ୍ୟମନସ୍କ ହେଲା ପରି କହିଲି ।

 

ଏଡ଼େ ଶୁଖିଲା ଦେଖାଯାଉଛନ୍ତି କାହିଁକି ? ଆଗେତ ଏ ବାଟେ ବରାବର ଯିବା ଆସିବା କରୁଥିଲେ, ଏବେ କଣ ହେଲା ?

 

ମୁଁ ଟିକେ ଜାହ୍ନବୀଙ୍କୁ ଅନାଇଲି ପର୍ଯ୍ୟବେକ୍ଷଣ କଲା ପରି । ତାଙ୍କର ପ୍ରଶ୍ନ ଓ ଉତ୍ତର ପ୍ରତୀକ୍ଷା ଭିତରେ ଆତ୍ମୀୟତାର ଅପ୍ରତିହତ ବେଗ ମୋତେ ଯେପରି ତାଙ୍କର ନିକଟତମ ପାର୍ଶ୍ୱକୁ ଚୁମ୍ବକାଶ୍ରିତ ଲୌହ ଖଣ୍ଡ ପରି ଟାଣି ନେଉଥିଲା । ମୁଁ ନିଜକୁ ଦୂରେଇ ନେବାକୁ ଚେଷ୍ଟା କରୁଥିଲି । କିନ୍ତୁ ନିଜେ ଯେପରି ମୁଁ ହଜି ଯାଉଥିଲି କ୍ଷଣକୁ କ୍ଷଣ । ନିଜର ମନକୁ ଯେପରି ହାତ ମାରି ମୁଁ ଖୋଜି ହେଉଥିଲି ମୋର ଦୁର୍ମନାୟମାନ ହୃଦୟ ଭିତରେ ।

 

କହିଲି- ‘‘ କିଛି ନାହିଁ ହେବ କଣ ? କୌଣସି ବାଟେ ହେଲେ ଅଫିସ ଯିବା କଥା, ତୁମେ ନିତି କାହାକୁ ଅପେକ୍ଷାକର ଝରକା ପାଖରେ ?

 

ମୁଁ ଯାହାଙ୍କୁ ଅପେକ୍ଷା କରୁଥିଲି ଆଜିକାଲି ଦେଖାହେବା ଭୟରେ କଣ ଭାବି କେଜାଣି ସେ ଦୂରେଇ ହୋଇ ରହୁଛନ୍ତି । ତେଣୁ ତୁଚ୍ଛାଟାରେ ଅପେକ୍ଷା କରୁନାହିଁ ଆଉ ମୁଁ । ଆଜି ଦିଟା ଜଳଖିଆ କରିବେ କି ନାହିଁ କହିଲେ ?

 

‘‘ଜାହ୍ନବୀ ! ଆଶ୍ଚର୍ଯ୍ୟରେ ମୁଁ ଡାକିଦେଲି ।

 

ଆରେ ଏପରି ଭାବରେ ଅନାଉଛନ୍ତି କାହିଁକି ମ ?

 

ମୋତେ ଖୋଇବାରେ ତୁମର ଏତେ ଆନନ୍ଦ କାହିଁକି ଜାହ୍ନବୀ ?

 

ଅନ୍ୟମନସ୍କ ହେଲା ପରି ଜାହ୍ନବୀ ତଳକୁ ମୁହଁ ପୋତିଲେ । କହିଲେ-‘‘ଜଳଖିଆ ନେଇଆସେ ରୁହନ୍ତୁ’’ କହି ସେ ଚାଲିଯିବାକୁ ଉଦ୍ୟତ ହେଲେ । ମୁଁ ତାଙ୍କ ହାତଟି ଟାଣିନେଇ ଖଟିଆରେ ବସିବାକୁ କହିଲି । ସେ ମଧ୍ୟ ବସିପଡ଼ିଲେ । କହିଲି- ଆଜି ଯଦି ନଖାଏ..

 

ନଖାଇ କରି ଯାଇପାରିବ ନାହିଁ । ଗୋଟାଏ ନିରୀହା ବାଳିକାର ଏହି ଛୋଟ ଅନୁରୋଧଟା ଯାହାର କି କିଛି ମୂଲ୍ୟ ନାହିଁ, ଏ ଆପଣ ଏଡ଼ିଦେଇ ଗଲେ କେଉଁ ବଡ଼ପଣ ପାଇବେ ଭଲା ? ତଳକୁ ଅନାଇ ଜାହ୍ନବୀ କହିଲେ । ଏହାପରେ କିଏ କିପରି ଭାବିବ ଜାହ୍ନବୀଙ୍କ ଥଳିଟିକୁ ଏଡ଼ିଦେବା ପାଇଁ ।

 

ଖାଇ ବସିଲାବେଳେ କହିଲି- ଜାହ୍ନବୀ, ଆଜି ବି କଣ ତୁମକୁ ସାଙ୍ଗରେ ଖୋଇବାର ସୌଭାଗ୍ୟ ହେବନାହିଁ ?

 

ଆପଣଙ୍କ ସାଙ୍ଗରେ କଣ କେହି ନା କେହି ନ ଖାଇଲେ ଆପଣ ଖାଆନ୍ତି ନାହିଁ ? ସେ ପଚାରିଲେ ।

 

ଠିକ ତା ନୁହେଁ । କିନ୍ତୁ ଏହି ଖାଇବାର ଯେଉଁ ବଦଅଭ୍ୟାସଟି ତୁମର ଅଛି ମୋର ମଧ୍ୟ ଜଣକୁ କାହାକୁ ସାଙ୍ଗରେ ଖୋଇବାର ବଦଭ୍ୟାସ ଅଛି ।

 

ଯାହା ସାଙ୍ଗରେ ଭେଟ ହୋଇଯିବା ଭୟରେ ଚୋରଙ୍କର ପରି ଲୁଚି ଲୁଚି ସେ ବାଟେ ପଳାଇଯାଉଛନ୍ତି ତା ସଙ୍ଗରେ କିପରି ଖାଇବା ଆପଣ ? ଥାଳିରେ ଜଳଖିଆ ଦେଉଁ ଦେଉଁ କହିଲେ ସେ ।

 

ସତେ ଆସନା, ଏକା ସାଙ୍ଗରେ ଖାଇବା, ବାପା ତ ନାହାନ୍ତି କଣ କହୁଛ ?

 

ବାପା ଥିଲେ କଣ ନଥିଲେ କଣ ? ଆପଣ ତାଙ୍କୁ ଜମା ଚିହ୍ନି ନାହାନ୍ତି.. ସେଥିପାଇଁ କିଛି ଭୟ ନାହିଁ ଯେ,.. ତେବେ କଥା ହେଉଛି, ସ୍ୱାସ୍ଥ୍ୟରକ୍ଷା ଆପଣ ପଢ଼ିନାହାନ୍ତି ? ଏକାସାଙ୍ଗରେ ଖାଇଲେ ରୋଗ ଡିଏଁ ?

 

କି ରୋଗ ?

 

ଏଇ ଜଣାଶୁଣା ଲୋକଗୁଡ଼ାକୁ ନିହାତି ପର ବୋଲି ଭାବିବା ଆଉ ତାଙ୍କ ଦୁଆର ନମାଡ଼ିବା, ଆପଣଙ୍କର ଏହି ରୋଗଟା ମୋ ଦେହକୁ ଡେଇଁପାରେ ତ.. । ନହସି ରହିପାରିଲି ନାହିଁ-

 

ତାହା ହେଲେ ସେଦିନ ପରି ମୋତେ ଏକା ଏକା ଖୋଇବ ?

 

କାହିଁକି, ମୁଁ ପାଖରେ ବସିବି ।

 

ସତକୁ ସତ ସେ ଖାଇ ବସିଲେ । ମୁଁ ଖାଇବାକୁ ଆରମ୍ଭ କଲି । ସେ ଥାଳୀ ଉପରୁ ଏକ ପ୍ରକାର ମୋ ହାତକୁ ବଢ଼ାଇବା କାମ କଲେ । ମୁଁ ହସି ହସି ଖାଇବାରେ ଲାଗିଲି । ଜାହ୍ନବୀ ମଧ୍ୟ ଥରେ ଥରେ ଅନାଇଁ ହସୁଥାଆନ୍ତି । କେତେ ଯେ ତୃପ୍ତି ହସରେ ଭରି ରହିଥାଏ ତାଙ୍କର, ତାହା ମୁଁ କଳନା କରିପାରୁ ନଥାଏ । ଅପୂର୍ବ କରୁଣାର ଦୀପ୍ତିରେ ସତେ ଯେପରି ଝଲସି ଉଠିଥାଏ ତାଙ୍କର ଆଖି ଦୁଇଟି ।

 

ନାରୀ ଚିରଦିନ ପୁରୁଷଙ୍କୁ ଖୁଆଇ ପିଆଇ ସନ୍ତୁଷ୍ଟ କରିଛି । ପୁରୁଷର କ୍ଲାନ୍ତ ଦେହ ଓ ମନରେ ବୋଳି ଦେଇଛି ଶାନ୍ତିର ପ୍ରଲେପ । ନିଜର ଭକ୍ତିରେ ସଂଜୀବିତ କରି ଭ୍ରୁଣଠାରୁ ପିଣ୍ଡର ନିର୍ବାଣ ପର୍ଯ୍ୟନ୍ତ ନାରୀ କରି ଆସିଛି ପୁରୁଷର ଲାଳନଚର୍ଯ୍ୟା । ନାରୀର ଏହି ମହତ୍ତ୍ୱ ଟିକକରେ ଜାହ୍ନବୀ ମହିୟସୀ । କିନ୍ତୁ ବିଶେଷତ୍ୱ ଭିତରେ ଜାହ୍ନବୀ ମୋଠାରୁ ଆଉ କେତେ ଦୂରରେ ? ଅତି ନିକଟରେ ସେ ଯେପରି ହୋଇଯାଇଛନ୍ତି ଆସି । କିନ୍ତୁ ମୋର ଏତେ ନିକଟରେ, ମୋ ହୃଦୟର ଏହି ନିର୍ଦ୍ଦିଷ୍ଟ ସୀମା ଉଲ୍ଲଘଂନ କରି, ମୋର ଅଧିନାୟକତ୍ତ୍ୱର ପରିବ୍ୟାପ୍ତି ଭିତରକୁ ଏତେଦୂର ପଶି ଆସିପାରିଲେ ସେ କିପରି ? ମୁଁ ଅବା କିପରି ଅଧିକାର ଦେଲି, ଆଉ ଦେଲି କେତେବେଳେ ?

 

ହଠାତ୍ ଜାହ୍ନବୀ ପଚାରିଲେ-କିପରି ଲାଗୁଛି ମୋ ହାତର ରନ୍ଧା ?

 

‘‘ପ୍ରଶଂସାପତ୍ର ପାଇବାର ଯୋଗ୍ୟ ନିଶ୍ଚୟ’’ ମୁଁ କହିଲି । ହାତରେ ତୁମର ଅମୃତର ସ୍ୱାଦୁ ଦେଇଛନ୍ତି ବିଶ୍ୱସ୍ରଷ୍ଟା ଭଗବାନ । ଶେଷକୁ ରହିଲା କେବଳ ମାତ୍ର ଗୋଟିକ କାକରା । କହିଲି-‘‘ଆଉ ହେବନାହିଁ ।’’

 

ଆଉ ? ଏହି ଗୋଟିକ ସକାଶେ ସଙ୍ଖୁଡ଼ିଟା ପକାଇ ରଖିବି ?’’

 

ତୁମକୁ କିନ୍ତୁ ଏଇଟା ମୁଁ ଖୋଇଦେବି । ତୁମେ କଣ ମନା କରିବ ? ଜାହ୍ନବୀ ଉଠିପଡ଼ିଥିଲେ । ମୁଁ ତାଙ୍କ ହାତ ଧରି ଖଟିଆ ଉପରେ ବସାଇଦେଲି । ତାଙ୍କ ପାଟିରେ ଜୋର କରି ଖୋଇଦେଲା ବେଳକୁ ସେ ଅଣେଇ ହୋଇ ଢଳିପଡ଼ିଲେ, କିନ୍ତୁ ହାତଟି ମୋର ତାଙ୍କ ହାତ ଭିତରେ ହିଁ ବନ୍ଦୀ ହୋଇରହିଲା । ମୁଁ ଅଣାୟତ୍ତ ଅବସ୍ଥାରେ ଟାଣ ହେଲାପରି ବସିପଡ଼ିଲି ତାଙ୍କ ପିଠିକୁ ଆଉଜି ।

 

ଏ କଣ ହେଲା ମୋର ? କି ଆକର୍ଷଣ ମୋତେ ଏପରି ଜଡ଼ କରିଦେଲା ? ରାତ୍ରି ହୋଇଯାଇଛି ବାହାରେ । ମୁଁ ଅନେକ ବେଳୁଁ ଘରେ ପହଞ୍ଚି ସାରନ୍ତିଣି । ନିରୂପମା ନିଶ୍ଚୟ ପଚାରିବ-ଆଜି ଏତେ ଡେରି.. ? ଏହି ଉତ୍କଟ ପ୍ରଶ୍ନର ଚିନ୍ତା ଉଦ୍ରେକ ହେବାମାତ୍ରେ ରାତ୍ରିର ଗଭୀରତା ଯେପରି ମୋ ଚେତନାର ପ୍ରତି ସ୍ତରରେ ପ୍ରକଟିତ ହୋଇ ଉଠିଲା । ଆଉ ଡେରି କାହିଁକି-? ନିଜକୁ ସଂଯତ କରିନେଲି ଅତି କଷ୍ଟରେ । କିନ୍ତୁ ଦେହଟା ମୋର ଏପରି ଥରିବ କାହିଁକି ? ମୋର ଦୁର୍ବଳତା କଣ ଜାହ୍ନବୀ ଧରିପାରିଛନ୍ତି । ମୋ ହାତଟି ସେହିପରି ଧରି ଜାହ୍ନବୀ ଧୀରେ ଧୀରେ ଉଠିପଡ଼ିଲେ । କହିଲେ,‘‘ଶେଷରେ ଆପଣ ମୋତେ ନ ଖୋଇ ଛାଡ଼ିଲେ ନାହିଁ ।’’ କହୁଁ କହୁଁ ସେ ଉଠି ଠିଆହେଲେ । ଏହା ଭିତରେ ଯେପରି ଆଳସ୍ୟ ଭରିଯାଇଛି ତାଙ୍କର ସାରା ଦେହରେ ।

 

ଯେତେହେଲେ ଅନିଚ୍ଛାସତ୍ତ୍ୱେ ସିନା ଖାଇଲ, ମୁଁ କଣ ଆଉ ଆଦର କରି ଖୋଇଦେଇ ପାରିଲି ? ହାତ ଧୋଇ ଆସି କହିଲି । ଏବେ ଚାଲିଲି ଜାହ୍ନବୀ, ଦେଖୁଛ କେତେ ଡେରି ହୋଇଗଲାଣି ?

 

ଆଉ ଟିକେ ବସିବେ ନାହିଁ ?

 

ଓଃ, ଆଉ ମଧ୍ୟ ବସିବାକୁ ପଡ଼ିବ ?

 

ନାଃ ଆଉ ଆପଣଙ୍କୁ ବସାଇ ଅଯଥା କଷ୍ଟ ଦେବିନାହିଁ । ଟିକେ ରୁହନ୍ତୁ ଚା’ ଆଣେ..

 

ଜାହ୍ନବୀ ତାଙ୍କର ବାଡ଼ିପଟ କବାଟ ପର୍ଯ୍ୟନ୍ତ ଆସିଲେ । ଜାହ୍ନ ରାତି ହୋଇଥିଲେ ମଧ୍ୟ ଗୋହି ଭିତରଟା ଅନ୍ଧାର । ଜାହ୍ନବୀ ଚାଲିଛନ୍ତି ଆଗେ ଆଗେ, ମୁଁ ତାଙ୍କ ପଛେ ଧୀରେ ଧୀରେ ଚାଲିଛି । ଏ କଣ ? କିଳିଣି ନଖୋଲି ସେ କବାଟକୁ ଆଉଜି ଠିଆ ହୋଇ ରହିଲେ ଯେ !!

 

ଡାକିଲି...

 

ଓଃ, ଏ କିଳିଣିଟା କି କଷ୍ଟ କରୁଛି ଖୋଲିବାକୁ । ଏତେ ଉଞ୍ଚାରେ ପୁଣି କଷି ହୋଇଯାଇଛି-। ଆପଣ ଖୋଲନ୍ତୁତ ଟିକେ । କିଳିଣି ଖୋଲିବାକୁ ଉପରକୁ ହାତ ବଢ଼ାଇଲି । ଧୀରେ ଧୀରେ ଦୁଇଟି ବାହୁ ମୋର କଟୀଦେଶକୁ ବେଷ୍ଟନ କଲା । ନିବିଡ଼ ନୁହେଁ କିନ୍ତୁ ଅଧିର । ପ୍ରବଳ ଉତ୍ତେଜନାରେ ମୁଁ ସତେ ଅବା ଟଳିପଡ଼ିବି । ମୁଁ କିଳିଣି ଖୋଲିଦେଲି ହଠାତ୍ । ସେ କିନ୍ତୁ ନିବିଡ଼ ବନ୍ଧନରେ ବାନ୍ଧି ରଖିଲେ । କହିଲି, ଟିକେ ଘୁଞ୍ଚ.. ମୁଁ କବାଟ ମେଲା କରେ । କଣ୍ଠ ମୋର ସତେ ଯେପରି ଶୁଷ୍କ ହୋଇଆସିଛି ସେତେବଳକୁ । ହୃତସ୍ପନ୍ଦନ ସତେ ଅବା ଅଟକି ଯିବ ମୁହୂର୍ତ୍ତକ ମଧ୍ୟରେ-

 

‘‘ଆପଣଙ୍କୁ ଧରିପକାଇ ନଥିଲେ ମୁଁ ବୋଧହୁଏ କଚାଡ଼ି ହୋଇ ପଡ଼ିଯାଇଥାନ୍ତି ।’’ କ୍ଷୀଣକଣ୍ଠରେ କହିଲେ ଜାହ୍ନବୀ । ଆଶ୍ଚର୍ଯ୍ୟରେ ପଚାରିଲି, କଣ ହେଲା ?

 

ନାଃ, ମୁଣ୍ଡଟା କାହିଁକି ଚକ୍ରୀପରି ଘୂରିଗଲା । ଯାଆନ୍ତୁ ଆପଣ କହି ସେ ଘୁଞ୍ଚିଗଲେ । ଓଃ, ବାହାରର ଶୀତଳ ପବନ ଟିକେ ପାଇବା ପାଇଁ ଯେପରି ଶତଯୁଗରୁ ମୁଁ କୌଣସି ଅବରୁଦ୍ଧ କୋଠରୀ ମଧ୍ୟରେ ସଂଗ୍ରାମ କରୁଥିଲି । ଡାକିଲି, ଜାହ୍ନବୀ !

 

ହୁଁ ।

 

ଏଡ଼େ ଆପଣର ତୁମେ କରିନେଲ କିପରି ଜାହ୍ନବୀ ?

 

କାହିଁ ? ମିଛ କହୁଛନ୍ତି ଏକାବେଳକେ-

 

କିନ୍ତୁ ତୁମକୁ ଆଜି ଖୁବ୍ ଆଘାତ କଲି..

 

ଯାଆନ୍ତୁ ନା, ଡେରି ହେଉଛି । ମୋର ଅସହାୟତା ଉପଲବ୍ଧି କରି ବ୍ୟଥା ଓ ଅନୁରାଗରେ ଯେପରି ନମ୍ର ହୋଇଯାଇଛି ତାଙ୍କର କଣ୍ଠସ୍ୱର । ପୁଣି ତାହାରି ସହିତ ଜଡ଼ି ଯାଇଛି ଛଳନାର ଅନୁପ୍ରାସ ।

 

ଯିବାକୁ ତୁମେ ଦେଉଛ କେଉଁଠି ଜାହ୍ନବୀ ?

 

ଏଇତ ଆପଣ ଯାଇ ବାହାରେ । ଏବେ ଯାଆନ୍ତୁ । ମୁଁ ଭିତରେ ରଖି ବନ୍ଦ କରିଥିଲି, କିନ୍ତୁ ଆପଣ ଖୋଲିଦେଇ ବାହାରି ଯାଇଛନ୍ତି । ଜାହ୍ନବୀ କବାଟ ଆଉଜାଇ ଦେଲେ ।

 

ମୋର କହିବାର କିଛି ନଥିଲା । ଆଶ୍ୱସ୍ତିର ଦୀର୍ଘ ନିଶ୍ୱାସ ପକାଇ ମୁଁ ଧୀରେ ଧୀରେ ବାଟ ଚାଲିବାକୁ ଲାଗିଲି । ଅଳ୍ପଟିକକରେ ବଞ୍ଚିଗଲି ଗୋଟିଏ ବିଷମ ବିପର୍ଯ୍ୟୟରୁ । ସେହି ବାହୁ ଦୁଇଟିର ଉଷ୍ଣ ଆଶ୍ଲେଷ ବରି ଉଠିଛି ଯେପରି ଦେହସାରା । ରୂପ-ଉର୍ବଶୀର ତିରୋଧାନରେ ପୌରବ-ପ୍ରଣୟର ବିଷର୍ଣ୍ଣ-ଅବସାଦ ବହନ କରି ଅଙ୍ଗଯଷ୍ଟି ଯେପରି ଭାଜିପଡ଼ିବ ମୋର । ମୁଁ କଣ ରୁଗ୍‍ଣ ? ନିରତଶୟ କ୍ଲାନ୍ତି ଅନୁଭବ କରିବାକୁ ଲାଗିଲି । ଥର ଥର କମ୍ପିତ ପାଦ ଦୁଇଟି ନିତିଚଲା ପଥରେ ମଧ୍ୟ କୁଣ୍ଠିତ ଭାବରେ ମୋତେ ଦୋଳାଇ ଦୋଳାଇ ଦହନ କରି ଚାଲିଛନ୍ତି । କିଏ ମୋତେ ଉଦ୍ଧାର କଲା ? ମୋର ନୈତିକତା ନା ନିରୂପମା ପ୍ରେମର ଗଭୀରତା, କିଛି ସ୍ଥିର କରିପାରିଲିନାହିଁ ।

 

ବାର

 

ସେଦିନ ରାତିରେ ଗୃହକୁ ଫେରି ମୁଁ ନିଶ୍ଚିନ୍ତରେ ଶୋଇପାରିଲିନାହିଁ । ଜାହ୍ନବୀଙ୍କ ନିକଟରେ ଏପରି ଆତ୍ମଗୋପନ କରିବା ଓ ଏପରି ଛଳନାପୂର୍ଣ୍ଣ ବ୍ୟବହାର କରିବାର ଚୌର୍ଯ୍ୟ ପ୍ରବୃତ୍ତିକୁ ମନୁଷ୍ୟତାର ପରିଚାୟକ ରୂପେ ଗ୍ରହଣ କରିବାକୁ ମନକୁ ମୋର ବାଧିଲା । ପ୍ରାଣ ଭିତରେ ଯେପରି ମୋର କାନ୍ଦ ଉଠିଲା ଜାହ୍ନବୀ ପାଇଁ କାହିଁ କେଉଁ ଅତଳ ଗହ୍ୱରରେ ଅନ୍ୟ ଏକ ଚେତନାମୟ ପ୍ରାଣ । ନାଃ ମୋତେ ଜାହ୍ନବୀଙ୍କ ନିକଟରେ ଆତ୍ମପରିଚୟ ଦେବାକୁ ପଡ଼ିବ । କମ୍ପିତାହସ୍ତା ପୂଜାରିଣୀ ଅର୍ଘ୍ୟହସ୍ତରେ ପଥପାର୍ଶ୍ୱର ଦେବାର୍ଚ୍ଚାନକୁ ଅନ୍ଧକାର ଭେଦ କରି ଧାଇଁଥିବା ସମୟରେ ତାଙ୍କୁ କହିଦେବାକୁ ପଡ଼ିବ, ସେଠାରେ ତାର ବାଞ୍ଛିତ ଆରାଧ୍ୟ ଦେବତା ନାହାନ୍ତି-ମନ୍ଦିର ଶୂନ୍ୟ । ନହେଲେ ବିଚାରୀ ପୂଜା ମଣ୍ଡପ ଉପରେ ହିଁ ସଂଜ୍ଞାହୀନ ହୋଇ ପଡ଼ିବ । ମୁଁ ଯେ ବିବାହିତ ତାହା ଜାଣିଥିଲେ ଜାହ୍ନବୀ ହୁଏତ ଏତେ ଦୂର ଅଗ୍ରସର ହୋଇ ନଥାନ୍ତେ ।

 

ତହିଁ ଆରଦିନ ସିଧାସଳଖ ଅଫିସରରୁ ଫେରି କହିଲି-‘‘ନିରୁ, ଆଜି ଗୋଟାଏ ଭଲ ଇଂଲିସ ଛବି ଅଛି । କିଛି ଦି’ଟା ଦିଅତ ଜଳଖିଆ ଥିଲେ । ଅଫିସର କେତୋଟି ଲୋକଙ୍କ କଥା ଭାଙ୍ଗି ନପାରି କହିଦେଇଛି ଯିବି ବୋଲି ।’’

 

ଯିବ ଯଦି ଯାଅ, ଭାତ ଦିଟାତ ଶୁଖି ଚାଉଳ ହୋଇଯିବ ଫେରିଲା ବେଳକୁ । ମୋତେ କଣ ଜଣାଥିଲା ? ମୁଁ ନହେଲେ ଡେରିକରି ଚୁଲି ଲଗାଇ ଥାଆନ୍ତି । ନିରୂପମା କୁଣ୍ଠିତ ହୋଇ କହିଲା । ମୁଁ ଜଳଖିଆ ଖାଇ ବାହାରି ପଡ଼ିଲି ।

 

ସିନେମା ଦେଖାର ବିପକ୍ଷପାତୀ ନ ହେଲେ ହେଁ ଘରୁ ବାହାରିବାର ଓ ନିରୂପମାଠାରେ କପଟ ଆଚରଣ କରିବାର ମୂଳ ଉଦ୍ଦେଶ୍ୟ ଏହା ନୁହେଁ । ଖିଡ଼ିକି ଉପରେ ମୋର ମୃଦୁ କରାଙ୍ଗୁଳି ଘାତ ଶୁଣିପାରି ଜାହ୍ନବୀ ବାହାରି ଆସିଲେ ।

 

‘‘ଏ ଘରେ ଥିବି ବୋଲି ଆପଣ କିପରି ଜାଣିଲେ ?’’

 

ତୁମର ଆରସି, ପାନିଆ, ଶାଢ଼ୀ କେଇଖଣ୍ଡି ଓ ଖଟିଆ ଖଣ୍ଡେ ଏହିଘରେ ଦେଖିଥିଲି । ତେଣୁ ଅନୁମାନ ନିହାତି ମନ୍ଦ ନୁହେଁ । କଣ କହୁଛ ?

 

‘‘ଆପଣ ଏ କିରାଣୀଗିରି ନକରି ଯଦି କୌଣସି ସିନେମା ଆଚାର କିମ୍ବା ସି.ଆଇ.ଡି ଇନସପେକ୍ଟର ହୋଇଥାଆନ୍ତେ ତେବେ ବୁଦ୍ଧିମତାର ପ୍ରକୃତ ବିନିଯୋଗ ହୋଇଥାଆନ୍ତା’ ଜାହ୍ନବୀ ଟିପ୍ପଣୀ ଦେଲେ ।

 

ସେ ସବୁତ ଯାହା ହେବାର ହୋଇଥାଆନ୍ତା, କିନ୍ତୁ ବର୍ତ୍ତମାନ ଯାହା ହେବାର ହେଉ- ମାନେ ଚାଲ..

 

କେଉଁଠିକି ?

 

ସିନେମା ଦେଖିବାକୁ ।

 

ସିନେମା ଦେଖିବାକୁ ମୁଁ ଜମା ଭଲ ପାଏନାହିଁ ବାବୁ । ପନ୍ଦର ମିନିଟ୍ ପରଦା ଆଡ଼େ ଚାହିଁ ରହିଲେ ମୋ ଆଖି ପୋଡ଼େ । ସତରେ କଣ ମୋତେ ସିନେମା ଦେଖାଇ ନେବା ପାଇଁ ଆପଣ ଧାଇଁ ଆସିଛନ୍ତି ? ମୋରତ ବିଶ୍ୱାସ ହେଉନାହିଁ ।

 

ନହେଲେ କେଉଁ ଆଡେ ଟିକେ ବୁଲିଆସିବା..

 

ଚାଲନ୍ତୁ .. ମୋପାଇଁ ଟିକେ ଅପେକ୍ଷା କରିବାକୁ ପଡ଼ିବ, ଟିକେ ଶାଢ଼ୀଟା ବଦଳାଇ ପକାଏ । ସେପର୍ଯ୍ୟନ୍ତ ପଦାରେ ଠିଆ ନ ହୋଇ ଘର ଭିତରକୁ ବାହାରି ଆସନ୍ତୁ । କଣ କହୁଛନ୍ତି ?

 

ତୁମ ବାପାଙ୍କ ସମ୍ମତି ଆଣିବା ଦାୟିତ୍ୱ କିନ୍ତୁ ମୋର ନୁହେଁ କହିଦେଲି ।

 

ହାଃ ହାଃ ହାଃ ! ହସି ଗଡ଼ିଗଲେ ଜାହ୍ନବୀ । ତାଙ୍କ ସାମନା ସାମନୀ ନ ହେଲେ ଖଣ୍ଡେ ଦରଖାସ୍ତ ଲେଖି ପଠାଇ ଦିଅନ୍ତୁ ତାଙ୍କ ଆପାର୍ଟମେଣ୍ଟକୁ । ସେତ ବର୍ତ୍ତମାନ ଡିଉଟି ଉପରେ ଅଛନ୍ତି । ଦୁହେଁ ହୋ ହୋ ହୋଇ ଖୁବ୍ ଗୁଡ଼ାଏ ହସିଲୁ ।

 

ପ୍ରଶସ୍ତ ରାଜପଥ ଉପରେ ପାର୍ଶ୍ୱକୁ ଲାଗି ଚାଲିଲେ ଜାହ୍ନବୀ । ମୋ ବକ୍ତବ୍ୟ କିପରି ଭାବରେ ଆରମ୍ଭ କରିବି ତାହାର କୌଣସି ସୂତ୍ର ଆବିଷ୍କାର କରିପାରୁ ନଥାଏ ମୁଁ । ଜାହ୍ନବୀ କିନ୍ତୁ ଅନର୍ଗଳ ଗପିବାରେ ଲାଗିଥାନ୍ତି ଏଣୁତେଣୁ କେତେ କଅଣ । ଶେଷରେ ମୁଁ ପ୍ରଶ୍ନ କଲି-‘‘ତୁମର ସ୍ୱର୍ଗତ ମାଆଙ୍କୁ ଛାଡ଼ି ତୁମ ପରିବାରରେ କଣ ଆଉ କେହି ନଥିଲେ ଜାହ୍ନବୀ ?’’

 

ଆଗେ, କୁହନ୍ତୁତ, ଏହି ପାରିବାରିକ କଥା ଛଡ଼ା ଆଉ କଣ କିଛି ନାହିଁ ଗଳ୍ପ କରିବାକୁ ଆପଣଙ୍କର ? ଜାହ୍ନବୀଙ୍କ କଣ୍ଠରେ ବିରକ୍ତକର ସୂଚନା ପ୍ରକାଶ ପାଉଥିଲା । ଆମ୍ଭେମାନେ ସର୍ଦନଟାଉନ ପାରହୋଇ ଖରଖାଇ ନଦୀକୂଳଆଡ଼କୁ ଅଗ୍ରସର ହେଉଥାଉଁ । ପାର୍ବତୀଘାଟର ଦୂରରେ ଗୋଟାଏ ଗଡ଼ାଣୀରେ ଗଡ଼ିଗଲୁ ନଦୀକୂଳକୁ ।

 

ଭବିଷ୍ୟତରେ ଅର୍ଥାତ ବୃଦ୍ଧାବସ୍ଥାରେ ତୁମ ବାପା ବଙ୍କିମବାକୁଙ୍କ ଭରଣପୋଷଣ କଥା କାହିଁକି ମୋତେ ଟିକିଏ ଆଲୋଡ଼ନ କରୁଛି ।

 

ଆପଣ ଜାଣନ୍ତିନି ପରା ? ମୋର ଭାଇ ଏବେ ବଞ୍ଚିଥିଲେ ବି.ଏ ପଢ଼ୁଥାନ୍ତେ କିମ୍ବା ପାସ୍ କରିଥାନ୍ତେ । ମୋ ଅପେକ୍ଷା ଦୁଇଟି ବର୍ଷ ବଡ଼ । ଟାଇଫଏଡ଼ରେ ପଡ଼ି ଅବହେଳାରେ ତାଙ୍କର ପ୍ରାଣଗଲା । ଦାରିଦ୍ର୍ୟ ଯୋଗୁ ଆମ୍ଭ ଦୁହିଁଙ୍କର ଦାୟିତ୍ୱ ଦାଦାଙ୍କ ପରିବାର ଉପରେ ନ୍ୟସ୍ତ କରି ବାପା ଦୁର୍ଭାଗ୍ୟ ବରଣ କରିଛନ୍ତି । ଆଗେ ସେ ଜଣେ ପୋଷ୍ଟପିଅନ୍ ଥିଲେ ଏଇ ବର୍ଷେ କି ଦେଢ଼ବର୍ଷ ହେବ ଟାଟା କମ୍ପାନୀରେ ଭର୍ତ୍ତି ହୋଇଛନ୍ତି । ଜାହ୍ନବୀଙ୍କ କଥାରେ ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ବ୍ୟଥିତ ହୋଇପଡ଼ିଲି । ମାତ୍ର ଲକ୍ଷ୍ୟ କଲି କଣ୍ଠସ୍ୱର ଟିକେ କୋମଳ ହୋଇ ଆସିଥିଲେ ମଧ୍ୟ ଏ କଥାଗୁଡ଼ାକ ଯେପରି ନିହାତି ମାମୁଲି ହୋଇପଡ଼ିଛି ଜାହ୍ନବୀଙ୍କ ପାଖରେ । ମୋ କଥା କିନ୍ତୁ ଅକୁହା ରହିଲା ।

 

ହେମନ୍ତର ଧୂସର ଗୋଧୂଳି ଅନେକବେଳୁଁ ଆକାଶରେ ବିଲୀନ ହୋଇ ଯାଇଥିଲା- ତା ପଛେ ନଇଁ ଆସିଥିଲା ଗୋଟିଏ କୁହେଳି ଜ୍ୟୋତ୍ସ୍ନାରାତି । ନଦୀତଟରେ ସାମାନ୍ୟ ଶୀତାନୁଭବ ହେଉଥିଲେ ହେଁ ଆମେ ଯାଇ ବସିଲୁ ପାଣି କୂଳରେ ଏବଂ ଏହି ପାର୍ବତ୍ୟ ନଦୀଗର୍ଭରେ ବିଦ୍ୟାମାନ ଏକ କୃଷ୍ଣଶୀଳ ପାଖରେ । କୁହେଳିର ଆବରଣ ଭେଦ କରି କ୍ରମେ ଅର୍ଦ୍ଧଚନ୍ଦ୍ରର ଶୀତଳ-କୌମୁଦୀ ଝରି ଝରି ଆସିଲା ଉର୍ଦ୍ଧ୍ୱ ଗଗନରୁ । ଆମେ ଲୌହନଗରୀର କୋଳାହଳ ଠାରୁ ଅପେକ୍ଷାକୃତ ଏକାନ୍ତ ଓ ନିବୃତ୍ତ ସ୍ଥାନରେ ଦୁଇଟି ପ୍ରାଣୀ କିପରି ଏକ ଉଚ୍ଛ୍ୱାସମୟୀ ବେଦନାର ମୌନତାରେ ଘାରିହୋଇ ମୂକ ହୋଇପଡ଼ିଛୁ କ୍ଷଣିକ ପାଇଁ । ହଠାତ୍ ଜାହ୍ନବୀ ଚନ୍ଦ୍ରଆଡ଼କୁ ଲକ୍ଷ୍ୟକରି କହିଲେ,‘‘ପୂର୍ଣ୍ଣିମା ଆଉ ବେଶୀଦିନ ନାହିଁ, ନୁହେଁ ? ଦେଖନ୍ତୁତ ଚାନ୍ଦକୁ ।

 

କହିଲି-‘‘ହଁ, ଦିପାବଳୀ ଅମାବାସ୍ୟା ଯିବାଇତ ଆଠଦିନ ହୋଇଗଲାଣି ପ୍ରାୟ ।’’ ମୁଁ ଚନ୍ଦ୍ରଆଡ଼କୁ ଅନାଇ ଟିକେ ଅନ୍ୟମନସ୍କ ହୋଇପଡ଼ିଲି । ଜାହ୍ନବୀ ଆସି କେତେଦିନ ମୋ କଡ଼କୁ ଲାଗି ବସିପଡ଼ିଲେଣି ମୋତେ ଜଣାନାହିଁ ।

 

‘‘ଏଇ ଦୀପାବଳୀ ଦିନ କେତେ ଅପେକ୍ଷା କରିଥିଲି ଆପଣଙ୍କୁ ଆପଣ ଜାଣନ୍ତି ? ଦେଖାହିଁ ଦେଲେନାହିଁ । ଜହ୍ନ ଆଡ଼କୁ ଅନାଇ କଣ ଏତେ ଭାବୁଛନ୍ତି ମହାଶୟ ?’’ ଜାହ୍ନବୀ ପ୍ରଶ୍ନ କଲେ ।

 

ଚମକିଲା ପରି କହିଲି- ଏଁ, ହଁ, ମୁଁ ଭାବୁଥିଲି, ଆକାଶରେ ସେହି ଜହ୍ନ ଓ ପୃଥିବୀରେ ଏହି ଜହ୍ନ ଦୁହିଁଙ୍କ ଭିତରେ ପ୍ରଭେଦ କେଉଁଠି ?

 

ମୋତେ ପଚାରୁ ନାହାନ୍ତି ? ଶୁଣନ୍ତୁ ମୁଁ କହୁଛି..

 

କହିଲି- ନା, ନା, ମୁଁ ନିଜେ ପ୍ରଭେଦ ଜାଣିପାରୁଛି । ତୁମଙ୍କୁ ଆଉ କହିବାକୁ ହେବନାହିଁ । ତଥାପି ମୋତେ କହିବାକୁ ନ ଦେଇ ଜାହ୍ନବୀ କହିଲେ- ‘‘ଆକାଶର ଜହ୍ନ ବସ୍ତୁତ ଏକାକିନୀ , କିନ୍ତୁ ପୃଥିବୀ ଜହ୍ନର ପାର୍ଶ୍ୱମଣ୍ଡନ କରିଛନ୍ତି ଏକ ଦିଗଭ୍ରାନ୍ତ କବି । ଆକାଶ ଜହ୍ନ ବିଦ୍ୟମାନ ଏକ ସୀମାହୀନ ଶୂନ୍ୟ ସାମ୍ରାଜ୍ୟରେ । ଝଡ଼ ଝଞ୍ଜା ତାଙ୍କର ପାଦସ୍ପର୍ଶ କରିପାରିବ ନାହିଁ । କିନ୍ତୁ ସେ ସ୍ଥାନରେ ପୃଥିବୀ ଜହ୍ନ ବସିଛି ଏକ ନଦୀକୂଳରେ, ଯହିଁରେ ଆସିପାରେ ପ୍ରାବୃଟର ବନ୍ୟା, ପୁଣି ଆସିପାରେ ଗ୍ରୀଷ୍ମ ପ୍ରକୋପରେ ମରୁର ପିପାସା- କାତରତା । ’’ ମୁଁ ଜାହ୍ନବୀଙ୍କ ଆଡ଼େ ଅନାଇଲି ।

 

ସେ ହସି ହସି ମୋ କୋଳ ଆଡ଼କୁ ଢଳିପଡ଼ିଲେ । ମୁଁ ଶୀହରି ଉଠିଲି କ୍ଷଣିକ ପାଇଁ, କିନ୍ତୁ ବାଧା ଦେଇପାରିଲି ନାହିଁ । ତାଙ୍କର ବାସ ପରିପାଟୀର ସଂଯମ ମଧ୍ୟ ଜୁର ହୋଇଥିଲା । ମୁଁ ଅଣାୟତ ଅବସ୍ଥାରେ ହିଁ ରହିଗଲି ।

 

ଏହା ବ୍ୟତୀତ ଅନ୍ୟ କିଛି ପ୍ରଭେଦ ପାଉଛନ୍ତି କି ? ଭାବନ୍ତୁ ଦେଖି.. ଇଏ କଣ ? ଆପଣ କିଛି କହୁନାହନ୍ତି ଯେ ? ଦେଖୁଛି, ଆପଣ କିଛି କହିବେ କହିବେ ହୋଇ ଅଟକି ଯାଉଛନ୍ତି । ଛି..ଛି, ଏପରି ମୌନବ୍ରତ ଅବଲମ୍ବନ କଲେ ଚଳିବ ? ମୁଁ ଯାହା କହିଗଲି ତାହା ଉପରେ ଏକ ବ୍ୟାପକ ସମାଲୋଚନା..ହଁ, ହଁ, ଆଉ ଗୋଟାଏ ପ୍ରଭେଦ ମୁଁ ଲକ୍ଷ୍ୟ କଲି । ଆକାଶ ଜହ୍ନ ପକ୍ଷେ ମ୍ଲାନ ଓ ଅପରପକ୍ଷରେ ଦୀପ୍ତିମାନ ହେବ । କିନ୍ତୁ ଆପଣଙ୍କର ଏହି ହତଭାଗିନୀ ପୃଥିବୀ- ଜହ୍ନ ଥରେ ମ୍ଲାନ ହେଲେ ସେହି ତାର ଶେଷ ।

 

ଜାହ୍ନବୀ, ତୁମେ ବଡ ବେଶୀ କହିଗଲଣି, ଏବେ ମୋର ପାଳି । ଆଚ୍ଛା, ତୁମକୁ ଶୀତ ଲାଗୁନାହିଁ ? ତୁମ ଦେହରେ..

 

ଶୀତ ଲାଗୁଛି ଟିକେ ଟିକେ ଅବଶ୍ୟ । ହଠାତ୍ ସ୍ଖଳିତବାସ ବକ୍ଷଆଡ଼କୁ ଚାହିଁଦେଇ ଜାହ୍ନବୀ ଟିକେ ସଙ୍କୁଚିତ ହୋଇପଡ଼ିଲା ପରି ଜଣାଗଲା । ତା ପରେ ସେ ଲାଜ ବିନମ୍ର ମିଶା ସ୍ମିତହାସ୍ୟ ହସି କହିଲେ-ଆପଣଙ୍କୁ ଶୀତ ଲାଗୁଛି ତ କୁହନ୍ତୁ ମୁଁ ମୋର ପଣତ........ ହସି ହସି ଜାହ୍ନବୀ ମୋ କୋଳଆଡ଼କୁ ତାଙ୍କର ଉତ୍ତମାଙ୍ଗଟି ଝୁଲାଇ ଦେଇ ଆଉଜି ବସିଲା ପରି ବସିଲେ ।

 

ଟିକେ ଗମ୍ଭୀର ହେବାକୁ ଯାଇ କହିଲି- ଜାହ୍ନବୀ, ତୁମକୁ ଗୋଟାଏ କଥା କହିବା ପାଇଁ ଅଛି ମୋର । ତୁମେ ଟିକିଏ ପ୍ରକୃତିସ୍ଥ ହୁଅନ୍ତ ନାହିଁ ?

 

କୁହନ୍ତୁନା ମୁଁ କଣ ମନା କରୁଛି..କିଛି ଗୋଟାଏ କହିବାକୁ ଯେ ଆପଣ ହୁଏତ ରାତାରାତି ଅନିଦ୍ରା ରହି ଆଜି ଏଠାକୁ ଡାକି ଆଣିଛନ୍ତି ଆପଣଙ୍କ ହାବଭାବରୁ ମୁଁ ବୁଝୁଛି ଅବଶ୍ୟ । କଣ ସେ କଥାଟା ପ୍ରଭାସ ବାବୁ ?

 

ତୁମେ କିପରି ଜାଣିଲ ଜାହ୍ନବୀ ?

 

କୌଣସି ଏକ ଅନିଶ୍ଚିତ ଆଶଙ୍କାରେ ଏବେ ଯାହାଙ୍କ ଦେଖାହିଁ ମିଳେନା, ସେ ଲୋକ ଆଜି ହୁଏତ ଜଣେ ଅବିବାହିତ ତରୁଣୀ ସହିତ ସ୍ୱତଃପ୍ରବୃତ ହୋଇ ସାନ୍ଧ୍ୟଭ୍ରମଣରେ ବାହାରିଛନ୍ତି । ଏହା ମୂଳରେ ନିଶ୍ଚୟ କିଛି ନା କିଛି ଭାବନାର ଜଟିଳ ସଂଘର୍ଷ ଜଡ଼ିତ ହୋଇଛି ।

 

ଆଚ୍ଛା, ମୋ ପାଇଁ ତୁମର ଏବେ ଅନୁରାଗ କାହିଁକି ଜାହ୍ନବୀ ? କହିପାରିବ, ଦିନକୁ ଦିନ ତୁମର ଏହି ସ୍ନେହ ବନ୍ଧନ ଏପରି ଅଚ୍ଛେଦ୍ୟ ହୋଇ ମତେ ବାନ୍ଧି ରଖୁଛି କାହିଁକି ?

 

କିପରି ବାନ୍ଧି ରଖିଲି? ଆପଣତ ବଡ଼ ଆଶ୍ଚର୍ଯ୍ୟ ଲୋକ । ଏପରି ନିଷ୍ଠୁର ପ୍ରକୃତିର ହୋଇପାରନ୍ତି ଆପଣ, ମୋର ଧାରଣା ନଥିଲା । ଆଗେ ରୋଜ ସେହିବାଟେ ଯାଉଥିଲେ । ଏବେତ ଗତିପଥ ସମ୍ପୂର୍ଣ୍ଣ ଓଲଟାଇ ଦେଇଛନ୍ତି । ଜାହ୍ନବୀଙ୍କ କଣ୍ଠରେ ଆର୍ଦ୍ରତାର ସଜଳସ୍ପର୍ଶ ମୁଁ ବେଶ୍ ବାରିପାରିଲି ।

 

ସାହସର ସହିତ କହିଲି-‘‘ଜାହ୍ନବୀ’’ !

 

କଣ ? କହିଯାଆନ୍ତୁ ମୁଁ ସବୁ ଶୁଣିପାରୁଛି । ବନ୍ଧନ ଉପରେ ପ୍ରହାର ଚଳାଇଛି ନା କଣ ? କହିଲି- ମୁଁ ଯାହା କହିବି, ଆମ ଦୁହିଁଙ୍କର ମଙ୍ଗଳ ପାଇଁ ହିଁ କହିବି ।

 

ଏକାଠି ମିଶାଇ ଦିଅନ୍ତୁ ନାହିଁ । ଦୁହିଁଙ୍କ ମଙ୍ଗଳ ଏକତ୍ରିତ କରିଦେଲେ ହିସାବରେ ଗୋଳମାଳ ହୋଇଯିବ ବାବୁ.’’ ଯେତେ ପରିହାସ କଲେ ମଧ୍ୟ ଜାହ୍ନବୀଙ୍କ କଣ୍ଠ ଆର୍ଦ୍ରରୁ ଆର୍ଦ୍ରତର ହେବାର ମୁଁ ସ୍ପଷ୍ଟ ଲକ୍ଷ୍ୟ କଲି । ମୁଁ କିନ୍ତୁ ଗାମ୍ଭୀର୍ଯ୍ୟ ରକ୍ଷାକରି କହିଲି-

 

ତୁମେ ବୋଧହୁଏ ଜାଣନା ମୁଁ ବିବାହିତ ଜାହ୍ନବୀ !!!

 

ଓଃ, ବିବାହିତ..

 

ହଁ ଜାହ୍ନବୀ, ମୋତେ ଏହା ପ୍ରକାଶ କରିବାକୁ ତୁମେ ସୁଯୋଗ ହିଁ ଦେଇନାହଁ ।

 

ହଁ.. ଆପଣ ବିବାହିତ । ଆପଣ ତାହାହେଲେ ବିବାହିତ ନା ? ବାପାଙ୍କ କଥାଟାକୁ ସର୍ବଦା କାନ ଦେଇ ଶୁଣେନାହିଁ । ସେ ବି ଥରେ ବୋଧହୁଏ ଏମିତି କିଛି କହୁଥିଲେ ଆଉ ମୁଁ ମଧ୍ୟ କାହିଁକି ଅନୁମାନ କରୁଥିଲି ଆଜି ଖରାବେଳେ । ଏବେ ଦେଖିଲେ, ମୁଁ କହୁଥିଲି ନା..

 

ଏହି କଥାଟି ଉଦ୍‍ଗାର କରିବା ପାଇଁ ହୁଏତ ଗତରାତ୍ରିରେ ଆପଣଙ୍କ ନୈଶ୍ୟଶଯ୍ୟା ପ୍ରତି ଟିକେ ବିରକ୍ତି ଆସିଛି । ଆଜିର ଏ ସାନ୍ଧ୍ୟା ଭ୍ରମଣଟା ତାହା ହେଲେ ନିତାନ୍ତ ନିସ୍ଫଳ ହୋଇନାହିଁ । ଆପଣଙ୍କର ଏହି ସତ୍ୟ ପ୍ରକାଶ ପାଇଁ ଆଜିର ସାନ୍ଧ୍ରକୁହେଳିମୟ ପାର୍ବତ୍ୟ ତଟିନୀର ଏହି ବାଲୁକା ଶଯ୍ୟାପରେ ହେମନ୍ତ ରଜନୀର ଏହି କୃଷ୍ଣଶୀଳ ଓ ରଜନୀ ରାଣୀଙ୍କୁ ସାକ୍ଷ୍ୟ ରଖି ମୁଁ ଏକ ଦୀର୍ଘ ଧନ୍ୟବାଦ ଅର୍ପଣ କରୁଅଛି ଆପଣଙ୍କୁ ।

 

କି ଆଶ୍ଚର୍ଯ୍ୟ ପ୍ରକୃତିର ନାରୀ ଏହି ଜାହ୍ନବୀ ! ମୋ ଜାନୁ ଉପରେ ଦ୍ୱିଧାହୀନ ଭାବରେ ମୁହଁ ମାଡ଼ିଦେଇ ପଚାରିଲେ- ଆଚ୍ଛା ନାରୀ କଣ ତାର ସ୍ନେହର ପ୍ରତିଦାନ ମାଗେ ପ୍ରଭାସ ବାବୁ ? । କିଏ ଦେଇପାରେ ତାର ପ୍ରତିଦାନ ? ପ୍ରେମ ଯଦି ଏହି ବିବାହ ବନ୍ଧନ, ସାମଜିକ ନୀତି ପ୍ରବାହର ଧାରା, ଏତେ ଆଗପଛ ଭାବି ଚଳୁଥାଆନ୍ତା, ତାହା ହେଲେ ତାର ଅସ୍ତିତ୍ୱ ହିଁ ନଥାନ୍ତା । ମୋ ପାଖରେ ଏ ସବୁର କିଛି ମୂଳ ନାହିଁ ଅନ୍ତତଃ । ଏ କ୍ଷେତ୍ରରେ ଆପଣ ବି ଉପଦେଶ ଦେବାକୁ ଚାହାନ୍ତି କୁହନ୍ତୁ ତ !

 

ତୁମର ଯୁକ୍ତି ଉପରେ କୌଣସି ଉପଦେଶର ପ୍ରୟୋଜନ ହୁଏନି, ଜାହ୍ନବୀ । ମୁଁ ଖାଲି କହୁଥିଲି ତୁମର ପ୍ରେମ, ତୁମର ଏକାନ୍ତ ଆତ୍ମୀୟତା ଭିତରେ ମୁଁ କାହିଁ କେଉଁଠାରେ ଯେପରି ହଜିଯାଇଛି । ସେହି ହୃଦୟର ସ୍ପନ୍ଦନ ଭିତରେ ଦେଖୁଛି ମୁଁ ଯେପରି ନାହିଁ ସେଠାରେ ମୁଁ କେଉଁଠାରେ ତେବେ ?

 

ଶେଷରେ ନିଜକୁ ନିଜେ ହରାଇଲେ ? ତାହା ହେଲେ ଦାୟୀ ଆପଣ । ଏଥିରୁ ବୁଝନ୍ତୁ ତ୍ରୁଟି ଯଦି କିଛି ହୋଇଥାଏ ଆପଣଙ୍କ ଆଡ଼ୁ ହୋଇଥିବ ? ମୁଁ କଣ କରିପାରେ ? ମୁଁ ଜଣେ ଦୁଃଖିନୀ ଅବଳା ପ୍ରଭାସ ବାବୁ..

 

କିଛି କହିବାର ଯୁକ୍ତି ନଥିଲା । ନୀରବ ରହିଲି । ଜାହ୍ନବୀ ମଧ୍ୟ ନୀରବ କହିଲେ । କିଛି କ୍ଷଣ ପରେ ମୋତେ ହିଁ ନୀରବତା ଭଙ୍ଗ କରିବାକୁ ପଡ଼ିଲା ।

 

ରାତ୍ରି ହେଲା, ଏବେ ଉଠ ଜାହ୍ନବୀ..

 

ଉଠୁଛି, ମୋତେ ଧରି ଧରି ନେବେ କିନ୍ତୁ । ଏଇ ନଈ ଅତଡ଼ାରେ ମୁଁ ଉଠିପାରିବି ନାହିଁ ବାବା-

 

ଜାହ୍ନବୀ ଉଠିଲେ । ହେମନ୍ତ ରଜନୀର ସେହି ମ୍ଲାନ ଚନ୍ଦ୍ରିକା ପାତରେ ତାଙ୍କର ସଜଳ ଗଣ୍ଡ ଚକ୍‌ଚକ୍ କରି ଉଠିଲା । ତାଙ୍କ ମୁହଁଟି ତୋଳି ଧରିଲି । ସେ ମୋ ଆଡ଼କୁ ଅନାଇ ହସିଲେ । କି ପ୍ରଶାନ୍ତ ସେ ହସ ! କହିଲେ- ମୁହଁ ଉପରେ ଖୋଜିଲେ ପାଇବେ କୁଆଡ଼ୁ ? ପାରିବେ ତ ଏହାରି ସ୍ପନ୍ଦନକୁ କାନପାତି ଶୁଣନ୍ତୁ । ହୁଏତ ଏହିଠାରେ ହଜି ଯାଇଥିବେ । ଜାହ୍ନବୀ ତାଙ୍କର ବକ୍ଷଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କରି ମୋ ପାଖକୁ ଲାଗିଆସିଲେ । ଆପଣ ଏହି ଶୁଭକର୍ମଟିକୁ ସାରି ଦେଇ ଭଲ କରିଛନ୍ତି ପ୍ରଭାସ ବାବୁ, ନହେଲେ ମୋ ପରି ଏକ ହତଭାଗିନୀର କଠିନ କବଳରେ ହୁଏତ ଆପଣଙ୍କର ଅନିଚ୍ଛା ସତ୍ତ୍ୱେ ଦେହଟା ମଧ୍ୟ ବନ୍ଦୀ ହୋଇ ପଡ଼ିଥାଆନ୍ତା ନା ? କଥା ଭିତରେ ଏକ ଅଶ୍ରୁତପୂର୍ବ କରୁଣ ବିଳାପର ଆତ୍ମପ୍ରକାଶ ।

 

କିଛି ଉତ୍ତର ଦେବାକୁ ଭାଷା ନଥିଲା ମୋର । ଅନୁଭବ କଲି ମୋ ଜାନୁ ଉପର ଲୁଗା ଜାହ୍ନବୀଙ୍କ ଲୁହରେ ତିନ୍ତିଯାଇଛି ।

 

ନଦୀତଟ ଅତଡା ଉପରକୁ ଉଠିଲା ବେଳକୁ ଜାହ୍ନବୀ ଉଠିପାରିଲେ ନାହିଁ । ମୁଁ ପ୍ରଥମେ ହାତ ଧରି ଟାଣିଲି । କିନ୍ତୁ ତଥାପି ସେ ଉଠିବାକୁ ଅକ୍ଷମ । ତାଙ୍କର ଏତେବେଳେ ମଧ୍ୟ ଅକ୍ଲାନ୍ତ ଛଳନାମୟ ପରିହାସରେ ମୋତେ ହସିବାକୁ ପଡ଼ିଲା । ଅଖଣ୍ଡନୀୟ ଧୈର୍ଯ୍ୟଶାଳିନୀ ଜାହ୍ନବୀଙ୍କୁ ଅନ୍ତରର ସହିତ ଧନ୍ୟବାଦ ନଦେଇ ରହିପାରିଲି ନାହିଁ । କହିଲେ- ବନ୍ଧନରୁ ମୁକ୍ତ ହେଲେଣି ଭାବି, କଣ ମୋତେ ଏଠାରେ ଛାଡ଼ିଦେଇ ପଳାୟନ କରିବାର ମତଲବ ନା କଣ ? ଧରନ୍ତୁ ଟିକେ-ଆରେ..

 

ମୁଁ ଜାହ୍ନବୀଙ୍କୁ ବୁକୁ ପର୍ଯ୍ୟନ୍ତ ଜଡ଼ାଇ ଧରି ଉପରକୁ ଆଣିଲି । ବେଳ ଥିଲେ ତାଙ୍କ କଥା ମଧ୍ୟ କିଛି ଜାଣିଥାନ୍ତି । ମାତ୍ର ଏବେ ଅନେକ ଡେରି ହେଲାଣି । ମୋତେ ଫେରିଯାଇ କିଛି ରୋଷେଇବାସ କରିବାକୁ ପଡ଼ିବ ।

 

ଜାହ୍ନବୀଙ୍କ ଘର ପାଖରେ ପହଞ୍ଚିଲା ବେଳକୁ ମାତ୍ର ସାଢ଼େ ଆଠଟା । ଜାହ୍ନବୀ ଚା ତିଆରି କରି ବସିଲେ । ଚା ଖାଇ ଫେରିଲା ବେଳକୁ କହିଲେ ଏ ବାଟଟା କଣ ଚିରଦିନ ଲାଗି ବନ୍ଦ ହୋଇଗଲା ଆପଣଙ୍କର ? ଆପଣଙ୍କର ଆଖିରେ ତାଙ୍କର ଅଶ୍ରୁଳ ପାରବାର ଥଳ ଥଳ କରୁଛି ଯେପରି.. ମୁଁ ଲୁଗା କାନିରେ ତାଙ୍କର ଅଶ୍ରୁ ପୋଛି ଦେଉଁ ଦେଉଁ ସେ ଢଳି ଆସିଲେ ମୋ ବକ୍ଷକୁ । ସ୍ୱଇଚ୍ଛାରେ ଏବେ ବକ୍ଷ ଆଡ଼କୁ ଟାଣିନେଲି । ମୋର ନିର୍ମମ ବକ୍ଷ ଉପରେ ତାଙ୍କର ମୁଣ୍ଡଟି ସଜୋରେ ଚାପିଧରି କହିଲି- ରାସ୍ତାର କି ଦୋଷ ଜାହ୍ନବୀ ? ଚାଲିଲା ବାଲାର ହିଁ ଦୋଷ । ଦିନେ କଳୁଷିତ ମନରେ ହିଁ ତୁମ ସହିତ ଦେଖା କରିବାକୁ ଅଥୟ ହୋଇ ପଡିଥିଲି । ତୁମେ ଆଜି ତାହା ପବିତ୍ର ପ୍ରେମବାରିରେ ଧୋଇଧାଇ ଶୁଦ୍ଧପୁତ କରି ଅପହରଣ କରି ନେଇଛ । ଏ ଦେହଟା ଭିତରେ ଆଉ କଣ ଅଛି କୁହ- କେବଳ ରକ୍ତର ଉଷ୍ଣତା ଭିତରେ ଏକ ଅବୁଝା ଶିଶୁର ମୂଲ୍ୟହୀନ କ୍ରନ୍ଦନ ଛଡ଼ା ? ତୁମପରି ପ୍ରେମମୟୀର ନିର୍ମଳ କୁଟୀର ଠିଆ ହୋଇଛି ଯେଉଁ ରାସ୍ତା ପାଖରେ ତାହା କି କେବେ ରୁଦ୍ଧ ହୋଇପାରେ ମୋ ପାଇଁ.. ? ଯାଉଛି ।

 

ଆସନ୍ନ ଅଶ୍ରୁ ପ୍ରବାହକୁ ସମ୍ବରଣ କରି କରି ମୁଁ ଜାହ୍ନବୀଙ୍କଠାରୁ ବିଦାୟ ନେଲି ।

 

ତେର

 

ଜାହ୍ନବୀଙ୍କ ରୂପଭଙ୍ଗୀ ଓ ସାଧାରଣ ଭାବରେ ତାଙ୍କ ମନରେ ଅବସ୍ଥା ମୁଁ ବେଶ୍ ବୁଝିପାରିଛି । ଆଖି ଦୁଇଟିର ଭ୍ରୁଲତା ମଝିରେ ନାସିକାର କିଞ୍ଚିତ ସ୍ଥୁଳତା ଓ ଗଡ଼ାଣ, ମୁଖାକୃତି ମଧ୍ୟରେ ମୋ ପାଇଁ ପରମ ଯାଦୁକରୀ ପରି ବୋଧକଲି । ଏଥିଲାଗି ତାଙ୍କର ମୁହଁଟିର ସୌନ୍ଦର୍ଯ୍ୟ ଯେପରି ଶତଗୁଣରେ ବଢ଼ିଯାଇଛି । ଓଠ ଦୁଇଟି ପାତଲା ଓ ହସଟି ମଧ୍ୟ ଚିତ୍ତାକର୍ଷକ । ଗଣ୍ଡ ଓ ଅଧର ସମନ୍ୱୟରେ ହାସ୍ୟଛଟାର ଯେଉଁ ଗୋଟାଏ ସୌନ୍ଦର୍ଯ୍ୟ ପରିଲକ୍ଷିତ ହୁଏ ନୟନରେ ପଲକ ଭିତରେ ତାର ଆତ୍ମପ୍ରକାଶ ପରକୁ କରିନିଏ ଅତି ଆପଣାର । ମୁଁ ଭାବେ ଜାହ୍ନବୀଙ୍କ ହସଟି ଏହିପରି ମହନୀୟ । ତାଙ୍କର ଗୌରବର୍ଣ୍ଣ ଅଙ୍ଗର ଉଜ୍ଜଳତା ଓ ମସୃଣତା ଭିତରେ ମଧ୍ୟ ବୈଚିତ୍ର ଅଛି । ଏସବୁ ପରେ ତାଙ୍କର କଥା କହିବାର ଚଳଣି ଓ ମନୋଭାବର ଅପୂର୍ବ ଅଭିବ୍ୟକ୍ତିକୁ ପ୍ରଶଂସା ନକରି ରହିପାରୁନାହିଁ ।

 

ଯାହା ଦେଖିଲି ସଂସାର ପ୍ରତି, ବିଶେଷତଃ ଆମ ଚୋପାଛଡ଼ା ସମାଜ ଉପରେ ବଡ଼ ବେଶୀ ବିଦ୍ୱେଷ ଜନ୍ମିଯାଇଛି ଜାହ୍ନବୀଙ୍କର । ପ୍ରତି କାର୍ଯ୍ୟକଳାପରେ ଏପରିକି ଦୈନନ୍ଦିନ ନିତ୍ୟ କର୍ମ ଭିତରେ ମଧ୍ୟ ତାଙ୍କର ନିସ୍ପୃହ ଓ ନିରାନନ୍ଦ ଭାବ ଫୁଟି ଉଠିଛି । ବେଶ ପରିପାଟି ମଧ୍ୟ ଯତ୍ନ ରହିତ । ଏହି କେତେଥର ମିଳାମିଶାରେ ମୁଁ ଅନୁଭବ କଲି, ଜାହ୍ନବୀ ମୋତେ ସଦାସର୍ବଦା ପାଖରେ ଚାହାନ୍ତି-। ତୁମର ସେ ତଥାକଥିତ ସମାଜର ରୀତିନୀତି, ଆଚାର ବ୍ୟବହାର କିମ୍ବା ଲୋକାପବାଦ କୌଣସିଟିର ମୂଲ୍ୟ ନାହିଁ ତାଙ୍କ ପାଖରେ । ତାଙ୍କ ଜୀବନ ଉପରୁ ଯେପରି ମାୟା ମମତା କମିଯାଇଛି । ଯେକୌଣସି ପ୍ରବାହରେ ସେ ନିଜକୁ ଭସାଇ ଦେବାକୁ ଚାହାନ୍ତି ।

 

ବୁଝିଲି ଏ ବିତୃଷ୍ଣା ଚିରସ୍ଥାୟୀ ନୁହେଁ । ତାଙ୍କର ବିପୁଳ ଯୌବନ ଓ ବୟସ ବୃଦ୍ଧି ଲକ୍ଷ କରି ଆପଣ ମନହିଁ ଏଥିପ୍ରତି ଅଭିମାନିନୀ ହୋଇ ଉଠିଛି । ଅଭିମାନ-ତାଙ୍କର ବୟସ ହେଲା କାହିଁକି ? ଯୌବନ କାହିଁକି ଆସିଲା ? ଯଦିଓ ଆସିଲା, ଏହାର ଭାର ବହନ କରିବାକୁ ସେ କେତେଦୂର ଅସମର୍ଥ ଓ ଏଥିରେ ସାର୍ଥକତା ଆଣିବା ପାଇଁ ସେ କେତେଦୂର ନିଶକ୍ତ ? ଏହିପରି ପ୍ରାୟ ହୋଇଥାଏ । ଟିକେ ବୟସ ହେଲା ପର୍ଯ୍ୟନ୍ତ ଯୁବକ ଓ ଯୁବତୀ ଯଦି ଅବସ୍ଥା କ୍ଷେତ୍ରରେ ଅବିବାହିତ ରହିଗଲେ ତେବେ ସେମାନେ କିପରି ଗୋଟାଏ ନିରୁତ୍ସାହୀ ହୋଇ ପଡ଼ନ୍ତି । ଅବଶ୍ୟ ଯେଉଁମାନେ ପଦସ୍ଖଳନ କରନ୍ତି ସେମାନଙ୍କ କଥା ସ୍ୱତନ୍ତ୍ର ।

 

ମୁଁ କିନ୍ତୁ ଜାହ୍ନବୀଙ୍କ ମନର ଏ ଅବସ୍ଥା ପାଇଁ ନିଜକୁ ସହାନୁଭୂତି କରିପାରିଲିନାହିଁ । ସହାନୁଭୂତି ଦେଖାଉଁ ଦେଖାଉଁ ଯଦି ଦେହାନୁଭୂତି ଆଶା କରେ ତେବେ ତ ହେଲା । ଏତେ ଦରଦ ଦେଖାଇବା କଥା ଥାଉ, ଯେତିକି ଗଙ୍ଗା ଗଲି ତେତିକି ଫଳ ପାଇଲି । ମୁଁ ଏକରକମ ସ୍ଥିର କରିନେଲି, ସେବାଟେ ଆଉ ଯିବାଆସିବା କରିବି ନାହିଁ । ଜାହ୍ନବୀଙ୍କ ଆଗରେ ଯାହା କବିତ୍ୱ ବାଣୀରେ କହିପକାଇ ଥିଲି ତାହାର ସମାପ୍ତି ସେହିଠାରେ ହିଁ ହେଲା । ସେବାଟେ ଆଉ ଯିବା ଆସିବା କଲିନାହିଁ । ଯୋଗ ମଧ୍ୟ ଏପରି ଘଟିଲା, ମୋତେ ଛୁଟି ନେଇ ଗ୍ରାମକୁ ଯିବାକୁ ପଡ଼ିଲା, ଠିକ୍ ଏହି ସମୟରେ । କାଳସ୍ରୋତରେ ଯେଉଁ ଦୁଇଖଣ୍ଡି କୁଟା ପରି ଆମେ ଭାସି ଭାସି ପାଖକୁପାଖ ଲାଗି ଆସିଥିଲୁ ହୁଏତ ଜଳରାଶିର ଆବର୍ତ୍ତନ, ସମାବର୍ତ୍ତନ କିମ୍ବା ବିବର୍ତ୍ତନ ଭିତରେ ପଡ଼ି ଯାହା ହେଉ ଜାହ୍ନବୀ ଓ ମୁଁ ବେଶ୍ ଦୂରେଇ ଗଲୁଁ ।

 

ଚଉଦ

 

କବି ଯଥାର୍ଥ କହିଛନ୍ତି-‘‘ଅତି ଅଦ୍ଭୂତ ଅଟେ ମନର ଗତି ।’’ କବି ଓ ମନିଷୀମାନଙ୍କର ମୂଲ୍ୟବାନ କଥା ପଦେ ପଦେ ପଢ଼ିଲେ ବା ଶୁଣିଲେ ଏ କାନରେ ପଶି ସେ କାନରେ ବାହାରିଯାଏ, ଶୁଣି ଶୁଣି ଦେହସୁହା ମଧ୍ୟ ହୋଇଯାଏ । କିନ୍ତୁ ଜୀବନର ଯାତ୍ରାପଥରେ ମଣିଷ ଯେତେବେଳେ ନିଜେ ଅନୁଭବ କରେ, ସେତେବେଳେ ଯାଇ ସେହି କଥାଗୁଡ଼ିକର ତାତ୍ପର୍ଯ୍ୟ ବୁଝିପାରେ । ସେତେବେଳେ ସେ ବୁଝେ ଯେ କେତେ ଅନୁଭବ ଓ ଅଭିଜ୍ଞତା ଭିତରେ ଉଦ୍‍ବେଳିତ ପ୍ରାଣବାରିଧିର ସେଗୁଡ଼ିକ କିପରି ଖଣ୍ଡେ ଖଣ୍ଡେ ମଣି ସଦୃଶ ଅଟନ୍ତି ।

 

ଦେଢ଼ମାସ ଛୁଟିରେ ରହି ଗ୍ରାମରୁ ଆସି ଅଫିସ ଗଲାବେଳକୁ କାହିଁକି କେଜାଣି ସେହି ସଂକୀର୍ଣ୍ଣ ଗଳି ପୁଣି ମନକୁ ମୋର ଆକର୍ଷଣ କଲା । ଜାହ୍ନବୀ କିନ୍ତୁ ନାହାନ୍ତି- ଆଉ ନାହାନ୍ତି ତାଙ୍କର ବାପା ବଙ୍କିମ ରାଉତ । ଘରର ଖିଡ଼ିକି ବନ୍ଦ । ମୁଁ ପୂର୍ବପରି ନିୟମିତ ସେହି ବାଟରେ ଯିବାଆସିବା କଲି, ମାତ୍ର ଦିନେ ହେଲେ ତାଙ୍କ ଭେଟ ପାଇଲିନାହିଁ । ଦିନ କେତୋଟିର ସଂସର୍ଗରେ ଯେଉଁ ଆସକ୍ତି ଟିକକ ଜାହ୍ନବୀଙ୍କ ପାଇଁ ଜାତ ହୋଇଥିଲା, ସେହି ଟିକକ ପାଇଁ କିପରି ଅକୁହା ବେଦନାର କରୁଣ ସ୍ପନ୍ଦନ ଅନୁଭବ କଲି କିଛିଦିନ ପାଇଁ- ସେହି ବାଟରେ ଗଲା ବେଳେ, ବିଶେଷତଃ ସେହି ଝରକା ସିଧାରେ ହେଲାବେଳକୁ । ତାପରେ ନିଶ୍ଚିତ ରୂପେ ଜାଣିଲି ଜାହ୍ନବୀ ଆଉ ଏଠାରେ ରହୁ ନାହାନ୍ତି । ହୁଏତ ବଙ୍କିମ ବସା ବଦଳି କରି ଚାଲିଗଲେଣି ।

 

ସେମାନଙ୍କର ଖବର ଜାଣିବାକୁ ମନ କଲିନାହିଁ । କି ଲାଭ ? ଜାହ୍ନବୀ ଯଦି ଏଠି କେଉଁଠି ଥିବେ ମୋତେ ବଡ଼ ସ୍ୱାର୍ଥପର ବା ଅଭଦ୍ର ଭାବୁଥିବେ । ଭାବିଲେ ଭାବନ୍ତୁ । କାହାକୁ ଏ ବିଷୟ ପଚାରିବା ପାଇଁ ମଧ୍ୟ ଇଚ୍ଛା କଲିନାହିଁ । ଅନେକ ଦିନ ଗତ ହୋଇଗଲା । ଭୁଲିବାକୁ ଇଚ୍ଛା କଲେ ସୁଦ୍ଧା ଭୁଲି ପାରିଲିନାହିଁ ଜାହ୍ନବୀଙ୍କ ମୁହଁଟି-ଯେଉଁଠାରେ ଘମାଘୋଟ ଅରୁଣିତ ପ୍ରଭାତର ଦୀପ୍ତି ଓ ପୌର୍ଣ୍ଣମାସୀର ପାରଦ ବୋଳା ସ୍ନିଗ୍ଧ-କାନ୍ତ-କୋମଳତା ପାରସ୍ପରିକ ସଂଘାତ ଓ ସଂଳାପରେ ଗଢ଼ି ଦେଇଥିଲେ ଶିଳ୍ପଚର୍ଯ୍ୟା ଓ ତହିଁର ବର୍ଣ୍ଣବୈଭବର ଅଭାବନୀୟ ଉପକ୍ରମଣିକା । ନାସିକାର ସୁନାଚିଡ଼ିଆର ପାଲିସ ଉପରେ ପ୍ରତିଫଳିତ ତାଙ୍କ ନୟନର ତୀକ୍ଷ୍‌ଣ ଦୃଷ୍ଟି, କ୍ଷୁଧିତ ସିଂହପରି ଧାଇଁଛି ମୋର ଚିନ୍ତାଧାରାର ପଛେ ପଛେ । ଘରେ ବସି ବସି ମୋ ସ୍ତ୍ରୀ ସହିତ ଜାହ୍ନବୀଙ୍କୁ ତୁଳନା କରୁଥିଲି-। ରୂପ, ରଙ୍ଗ ଓ ଶିକ୍ଷା ତିନୋଟି କଥାରେ ଜାହ୍ନବୀ ନିରୂପମା ଠାରୁ କେତେ ଉଚ୍ଚରେ । କିନ୍ତୁ ଜାହ୍ନବୀ ହୀନସ୍ତନା..

 

ଯୌବନର ବିକାଶ ହେଲାବେଳିରୁ ନିରୂପମା ମୋ ଘରେ ପାଦ ପକାଇ ମୋ ଜୀବନ ସହିତ ଜଡ଼ିଯାଇଛି । ଯୌବନର ନିସ୍ଫଳତାରେ ସେ କେବଳ ଘାରି ହୋଇନାହିଁ । ଜାହ୍ନବୀ କିନ୍ତୁ ଯୌବନର ଉତକ୍ଷିପ୍ତ ଜୁଆରରେ ଦୋଳି ଦୋଳି ସାଥିହୀନା ହୋଇ ଜୀବନକୁ କିଛି ଜ୍ଞାନ କରୁଛନ୍ତି । ତେଣୁ ସେ ହୁଏତ ନିଜ ଜୀବନ ଓ ନିଜ ଅବସ୍ଥା ବିଷୟରେ ଅନେକ ଭାବିଛନ୍ତି ବା ଭାବୁଛନ୍ତି । ସେ ଶିକ୍ଷିତା ଓ ଆଧୁନିକା ମଧ୍ୟ, ତେଣୁ ତାଙ୍କ ମନର ଚିନ୍ତାଧାରା କେତେଆଡ଼କୁ ବିକ୍ଷିପ୍ତ । ତାଙ୍କ ମନରେ ହୁଏତ କେତେ ଯୁବକଙ୍କ ଆକୃତି ଓ ପ୍ରକୃତି ଛାୟାପାତ କରିଛି । ସେମାନଙ୍କ ସାହଚର୍ଯ୍ୟରେ ତାଙ୍କ ଚିନ୍ତାଧାରା ଜଟିଳତା ଓ ଅବିଳତା ଆଡ଼କୁ ଧାବିତ ହୋଇ ଯାଇଥାଇପାରେ ।

 

କିନ୍ତୁ ନିରୂପମା ସାମାନ୍ୟ ପାଠ ପଢ଼ିଥିଲେ ମଧ୍ୟ ତା ମନରେ ଏତାଦୃଶ୍ୟ କିଛି ସ୍ଥାନ ପାଇବାର ଅବକାଶ ମିଳିନାହିଁ । ମନଟି ତାର ନିତାନ୍ତ ସରଳ । ଥରେ ଥରେ ସେ କହେ, ସେ ମୋ ପାଇଁ ଅଯୋଗ୍ୟ । ମୋର କାର୍ଯ୍ୟକ୍ଷମ, ମୋର ପ୍ରୟୋଜନ, ମୋର ଚିନ୍ତାଧାରା ଏବଂ ରୁଚି ସହିତ ସେ ଓତପ୍ରୋତ ଭାବରେ ସର୍ବଦା ନିଜକୁ ଜଡ଼ିତ କରି ମୋତେ ଭୁଲାଇ ଦେଇଛି ।

 

ଜାମାରେ ବୋତାମ ଲଗାଇ ଦେବା, ଜୋତାରେ ପାଲିସ ଲଗାଇ ଦେବା, ଫାଉଣ୍ଟେନରେ ସାହି ଭରିଦେବା ଇତ୍ୟାଦି ଏତେ ଟିକି ଟିକି କାମ ମଧ୍ୟ ସେ ମୋତେ କରାଇ ଦେଇନାହିଁ । ଘରେ ଚାକରାଣୀ ରଖିବା ଦୂରେଥାଉ ମୋ ହାତରେ ଲୋଟାଏ ପାଣି ମଧ୍ୟ ଅଣାଇ ଦିଏନାହିଁ । ସ୍ତ୍ରୀ ଭାବରେ ଏସବୁ ତାର କର୍ତ୍ତବ୍ୟ ବୋଲି ଯଦି କିଏ ଭାବେ ଭାବୁ । ମାତ୍ର ସେ ଯେ ମୋତେ ପ୍ରାଣଭରି ଭଲପାଏ ଏସବୁ କଣ ତାର ନିଦର୍ଶନ ବୋଲି କହିଲେ ଭଲପାଇବାର ଯଥାର୍ଥ ଅର୍ଥ ପ୍ରକାଶ ପାଇଲା ବୋଲି କୁହାଯିବ ନାହିଁ ?

 

କେବେ କିପରି ଖଣ୍ଡେ ଅଧେ କବିତା ଲେଖିଲେ ସେ ପ୍ରଥମେ ହିଁ ଶୁଣେ । ପଦେ ପଦେ ମୁଖସ୍ତ ମଧ୍ୟ କରିଦିଏ । ମୋତେ ହିଁ କେନ୍ଦ୍ରକରି ତାର ଚିନ୍ତା, ତାର ଛବି ଓ କାର୍ଯ୍ୟକ୍ଷମ ପରିଧି ପରି ଘୂରି ବୁଲୁଥାନ୍ତି । ନିରୂପମା ପାଖରେ ମୋର ଲୁଚାଇବାର କିଛିନାହିଁ । ଆଉ ସ୍ୱାମୀ ଭାବରେ ସ୍ତ୍ରୀଠାରୁ ଆଶା କରିବା ଭିତରେ ଆଉ ଅଧିକ କିଛିନାହିଁ ।

 

କଥା ପ୍ରସଙ୍ଗରେ ମୁଁ ଜାହ୍ନବୀଙ୍କ କଥା ଦିନେ ନିରୂପମାକୁ କହିଥିଲି । ତାଙ୍କ ସହିତ ଦେଖା, ତାଙ୍କ ଘରକୁ ଯିବା, ତାଙ୍କ ରୂପଭଙ୍ଗୀ ମୋ ପ୍ରତି ଆଦର ସମ୍ମାନ । କୌଣସି ଭାବାନ୍ତର କଲେନାହିଁ, ନିରୂପମାର ମୁଁ ଜାହ୍ନବୀ ରୂପର ତା ଆଗରେ ପ୍ରଶଂସା କଲେ ମଧ୍ୟ ପରିଶେଷରେ ସେ କହିଲା-‘‘ତାଙ୍କୁ ଦିନେ ଆସିବାକୁ କହିଲନାହିଁ ଆମ ଘରକୁ?’’

 

ଜାହ୍ନବୀ ନଥିବା କଥାଟା ମଧ୍ୟ ମୁଁ ବାଦ୍ ଦେଇନାହିଁ କହିବାକୁ ନିରୂପମା ଆଗରେ । ସେଥିପାଇଁ ସେ ମୋତେ ବିଶ୍ୱାସ କରେ ପ୍ରତି କଥାରେ ।

 

ଆମ ଦୁହିଁଙ୍କର ନିରୋଳାରେ ଯାହା ଆଳାପ ହୁଏ, ତା ବ୍ୟତୀତ ମୋ ଅଫିସ କଥା, ମୋ କାମ କଥା, ମୋ ସାଙ୍ଗମହଲ କଥା, କୌଣସିଟି ବାଦ୍ ଯାଏନାହିଁ । ଏହିପରି ଭାବରେ ତା ଆଗରେ ତାର ଆଗ୍ରହ ଚିରଦିନ ସଞ୍ଜୀବିତ । ଟିକେହେଲେ କ୍ଲାନ୍ତିର ଚିହ୍ନ ନଥାଏ । ସେ ମଧ୍ୟ ତା ବାପଘର କଥା, ତା ଗାଆଁ କଥା, ତାର ବାଲ୍ୟ ଜୀବନର ଟିକିନିଖି ସ୍ମୃତି, ସବୁ ଘନଘନ ଓ ବିସ୍ତୀର୍ଣ୍ଣ ଭାବରେ ବର୍ଣ୍ଣନା କରିଥାଏ ।

 

ମୋତେ ଲାଗେ ସଂସାରର କୌଣସି କଥା ଆଉ ଯେପରି ଆରମ୍ଭ କରିବାକୁ ନାହିଁ । ରାଜନୀତି କୁହ, ଇତିହାସ କୁହ, ବିଜ୍ଞାନ, ଅର୍ଥନୀତି, ପ୍ରେମ, ଜନ୍ମ, ମୃତ୍ୟୁ ଇତ୍ୟାଦି ସବୁକଥା ଆମର ଆଲୋଚନା ହୁଏ । ଏସବୁ କଥାରେ ଜାଣ ତା ଆଗରେ ଭାଷଣ ଦିଏ । କାରଣ ଶିକ୍ଷାଦୀକ୍ଷାର ପରିସର ନିରୂପମାର ଖୁବ୍ ସଂକୀର୍ଣ୍ଣ । ସମୟ ସମୟରେ ମୋତେ କୌଣସି କଥା ବୁଝାଇଲେ ତା ବୁଝିବା ପରି ଭାଷା ପାଇବା ସକାଶେ ରୀତିମତ ଭଟକାରେ ପଡ଼ିଯାଏ । ଏହିସବୁ ମଧ୍ୟରେ ଆମ ଦାମ୍ପତ୍ତ୍ୟ ଜୀବନ ବେଶ୍ ପଳେଇ ଉଠିଥାଏ । ମୁଁ ଭାବେ ମୋ ପରି ଗରିବ ଶ୍ରେଣୀର ନିରୂପମା ଉପଯୁକ୍ତ ସ୍ତ୍ରୀ । ବାସ୍ତବିକ୍ କହିବାକୁ ଗଲେ ନିରୂପମା ପାଇଁ ମୁଁ ଅତ୍ୟନ୍ତ ସୁଖୀ ଓ ପରିତୃପ୍ତ ।

 

ତଥାପି ଭୋଗତୃଷ୍ଣା ମଣିଷ ମନରେ ଜାଗେ କାହିଁକି ? ମୁଁ କିଛି ବୁଝେନା, ଏତେ ପରିତୃପ୍ତି ଭିତରେ ଅନ୍ୟ ଜଣକ ପ୍ରତି ଆସକ୍ତି କେବଳ ମୋର ହେଲା ନା ଏହା ମନୁଷ୍ୟର ପ୍ରକୃତି ।

 

ଗୋଟାଏ ନିହାତି ଅପ୍ରାସଙ୍ଗିକ ପ୍ରଶ୍ନ ମୁଁ ପଚାରି ବସିଲି ନିରୂପମାକୁ । ପଚାରିଲି- ତୁମେ ଯେ ଏଡ଼େ ଟିକିଟିକି କାମଗୁଡ଼ିକ କରିଦେଉଛ, ତୁମେ ଯଦି ଆଜି କରିଯାଅ, ତେବେ ବୁଝିପାରୁଛ ଏହି ସବୁ କାମ ଭିତରେ ମୁଁ ତୁମକୁ କିପରି ଖୋଜିବି ଆଉ ଝୁରିବି ?

 

ନିରୂପମା କହିଲା- ମୁଁ ମରିଗଲା ସାଙ୍ଗେ ସାଙ୍ଗେ ତୁମେ କଣ ମୋତେ ଭୁଲିଯିବା ପାଇଁ ଚାହିଁଛ ?

 

କହିଲି- ତା’ତ ନୁହେଁ । ମାତ୍ର ବୁଝୁନା, ଏସବୁ କାମ ମୋର ହାତଛଡ଼ା ହୋଇ ପଡ଼ୁଛି ଯେ-?’’ କଣ କହିବି ଭାବି ନ ପାରି ମୁଁ ଏତକ କହିଲି ଖାଲି । ନିରୂପମା ତାର ଆସନ ଯେ କେଡେ ଦୃଢ଼ କରିସାରିଛି ମୋ ହଦୃୟ ଭିତରେ, କଳନା କରିପାରିଲି ନାହିଁ ।

 

କହିଲା-‘‘ ସତେ, ତୁମେ କଣ ଭାବ କେଜାଣି, ମାତ୍ର ମୁଁ ଚାହେଁ, ତୁମ ଆଗରେ ମୁଁ ଆଖି ବୁଜିଲେ ଭଲ ହୁଅନ୍ତା..’’

 

କହିଲି- କିପରି ?

 

ନିରୂପମା କହିଲା- ମୁଁ ତ ଭାବୁଛି ତୁମକୁ ଛାଡ଼ି ମୁଁ ଦଣ୍ଡେ ହେଲେ ରହିପାରିବି ନାହିଁ । ମୋର ହାର୍ଟଫେଲ ହୋଇଯିବ । ହସିଲି । ସମସ୍ତେ ବୋଧହୁଏ ଏହିପରି ଭାବନ୍ତି । ମାତ୍ର କାହାରି ହାର୍ଟଫେଲ୍ ହୁଏନାହିଁ । ଥଟ୍ଟା କରି କହିଲି-ହାର୍ଟଫେଲ୍ ନ ହେଲେ ବୋଧହୁଏ ଜୀବନ ହରାଇ ଦେବ..

 

କହିଲା- ତା‘ତ କହିପାରୁନାହିଁ । ସେତେବେଳେ କଣ କରିବି ଏବେ କିପରି କହିବି ? କିନ୍ତୁ ମୋର ବିଶ୍ୱାସ ହେଉଛି ମୁଁ ନିଶ୍ଚେ ତୁମ ବିଷୟରେ କିଛି ଦୁଃସମ୍ବାଦ ଶୁଣିଲେ, ଆଉ କିଛିନାହିଁ ଖାଲି ଥର ଥର ହୋଇ ପଡ଼ିଯିବି... ବେଶ୍, ସେତିକିରେ ସବୁ ଶେଷ.. ମୁଁ ହୋ ହୋ ହୋଇ ହସି ଉଠିଲି । କିନ୍ତୁ ଦେଖିଲି ନିରୂପମାର ଆଖି ଛଳଛଳ ହୋଇ ଉଠିଛି । ତାକୁ ମୁଁ କୋଳକୁ ଆଉଜାଇ ନେଲି ।

 

ସେ କହିଲା- ଆଚ୍ଛା କହିଲ ଗେରସ୍ତ ଭାରିଜା ପାଖରୁ ଛଡ଼ାଛଡ଼ି ହୋଇ କିପରି ରୁହନ୍ତି ? ମୁଁ ତ କାହିଁକି ଜମା ସେ କଥା ଭାବି ପାରୁନାହିଁ ।

 

କାହିଁକି ? ମୁଁ ଥରେ ଛୁଟିରେ ତୁମକୁ ଗାଆଁକୁ ନେଇ ଛାଡ଼ି ଆସିବି । ତୁମେ କଣ ରହିବ ନାହିଁ ବାପା ବୋଉଙ୍କ ପାଖରେ ?

 

ସେମିତି ଅସୁବିଧା କିଛି ପଡ଼ିଲେ ରହିବି । ମାତ୍ର ମନ ମୋର ଜମା ସମ୍ଭାଳି ହେବନାହିଁ । ତୁମେ କିପରି ଖାଇଲ, କିପରି ଅଇଁଠା ବାସନ ଧୋଇଲ, ଗାଧୋଇ ସାରିବା ପରେ ତୁମର ପାଲଟା ଲୁଗା ହୁଏତ ଭୁଲିଯାଇ ପକାଇ ଦେଇଥିବ, ଅଫିସରୁ ଫେରି ଦେଖିବ ତାହା କେହି ଶୁଖାଇ ନାହାନ୍ତି-। ସେହିପରି ଓଦା ହୋଇପଡ଼ିଛି । ସେ ସବୁ କଥା ଗଲା, ତୁମେ ହାତରେ ରୋଷେଇ ଆଗେ କରିବ କିପରି ? କହିବ, ହୋଟେଲରେ ଖାଇବି, କିନ୍ତୁ ହୋଟେଲରେ ଖାଇଲେ ତୁମ ଦେହ ଜମା ଭଲ ରହିବ ନାହିଁ..

 

ମନେ ମନେ ହସିଲି । ଏଇଥିପାଇଁ ଯେ, ନିରୂପମା ମୋତେ ଏକ ଛୋଟ ଶିଶୁ ବୋଲି ହିଁ ମନେ କରେ । ଆଉ ସେହିପରି ଭାବି ମୋର ଅସହାୟାବସ୍ଥାରେ ସେ ତାର ବିରାଟ କର୍ତ୍ତୃତ୍ୱ ବିସ୍ତାର କରି ଚାଲିଛି । କିନ୍ତୁ ତାର ସରଳ ପ୍ରାଣର ଚିନ୍ତାଧାରାର ଏହି ଅଭିବ୍ୟକ୍ତିରୁ ଯେଉଁ ନିର୍ମଳ ଆନନ୍ଦଟିକକ ପାଏ ତାହା ଯେ କୌଣସି ସ୍ୱାମୀ ପକ୍ଷରେ ଗର୍ବର ବିଷୟ ଯେ ନହେବ ମୁଁ କାହିଁକି ତାହା ବିଶ୍ୱାସ କରିପାରୁ ନାହିଁ, ମୁଁ କହିଲି- ନିରୂ । ତୁମେ କଣ ଭାବିଛ, ମୁଁ ଟିକି ପିଲାଟାଏ, ଏସବୁ କରିପାରିବି ନାହିଁ ।

 

କରିପାରିବି ନାହିଁ କାହିଁକି ? ତେବେ ମୁଁ ଥାଉଁ ଥାଉଁ ତୁମେ ଏସବୁ କରିବ କାହିଁକି ? ଆଉ ମୁଁ ସେଠାରେ ବସି ବସି ବଜା ମାରୁଥିବି କାହିଁକି ବା ?

 

ଏହି ‘କାହିଁକିବା’ କହିଲା ବେଳେ ନିରୂପମା ଏପରି ଭାବରେ ମୁହଁଟା ମୋଡ଼ି ଦେଲା ଯେ, ତା ମୁଣ୍ଡଟା ଧରିପକାଇ ପ୍ରେମାବେଶରେ ଟାଣିନେବା ପାଇଁ ଲୋଭ ହେଲା । ହସିଲି ମଧ୍ୟ ।

 

ଏଁ ହସୁଛ ? କହିଲା- ଖାଇ ପିଇସାରି ବିଛଣା ଗଲେ..

 

କଣ ? ପଚାରିଲି ମୁଁ ।

 

ଏଇ ଧର, କାମ ଧନ୍ଦାରୁ ଆସିଛ, ଟିକେ ହାଲିଆ ଲାଗୁଛି । ଗୋଡ଼ ହାତ ମୋଡ଼ିଦେବା, କିମ୍ବା ମୁଣ୍ଡ ଟିକେ ଚିପିଦେବା ..

 

ତା ପରେ ?

 

ତା ପରେ ମୋ ମୁଣ୍ଡ..

 

ନା, ନା, ତା ପରେ କଣ କୁହନା, ଅଟକିଗଲ କାହିଁକି ?

 

କି ଜାଣି, ମୁଁ ତୁମ ସାଙ୍ଗରେ ଏତେ ପଟେଇ ହୋଇପାରିବି ନାହିଁ । ଆଚ୍ଛା ତୁମେ ତ କହୁଛ ଗାଆଁରେ ତୁମକୁ ଛାଡ଼ି ଆସିଲେ ରହି ପାରିବନାହିଁ ..

 

ହଁ ତ..

 

ତେବେ ବାପ ଘରକୁ ଯାଇ ବେଶ୍ ରହିପାରିତ ?

 

ହଁ ଖୁବ୍ ତ ଜାଣ ଆଉ.ବାପ ଘରକୁ ଯାଏ, ତା ବୋଲି ସେଠାରେ ରହିବା ପାଇଁ କଣ ମନଥାଏ ? ବର୍ଷ ଦୁଇବର୍ଷ ପରେ ଗାଆଁକୁ ଗଲେ ବାପଘରକୁ ଯିବା ପାଇଁ କାହାର ମନ ନହେବ ? କିନ୍ତୁ ଜାଣ, ଆସିବା ପାଇଁ ମୁଁ ନିଜେ କିପରି ଉଚ୍ଛନ୍ନ ହୁଏ ?

 

କିପରି ? ତୁମେ କଣ କୁହ ‘ମୋତେ ଛାଡ଼ିଦେଇ ଆସ’ ବୋଲି ? ଠିକ୍ ସେମିତି କହେନାହିଁ । ତେବେ କହେ.. ସେ ଦିନଠୁଁ ଆସିଲିଣି..ଖାଲି ମୋ ଖୁଡ଼ି ଆଗରେ କହେମ.. ମୋତେ ବାର ବାର କରି ଶୀଘ୍ର ଫେରି ଆସିବାକୁ କହିଥିଲେ, ମାନେ ତୁମେ କହିଥଲ ବୋଲି.. ଏମିତି ଶୁଣେଇ ଶୁଣେଇ କହେ- ଖାଲି ଖୁଡ଼ି ଆଗରେ ।

 

ତଥାପି ତୁମକୁ ନ ପଠାଇଲେ ?

 

ମୁଁ ତୁଚ୍ଛାକୁ ରୁଷେ । ଦିନ ରାତିରେ ଖାଏନାହିଁ । କଥା କଥାକେ ଚିଡ଼େ । ଫଳରେ ଖୁଡ଼ି ବୁଝିପାରି ବୋଉକୁ କହେ.. ଏମିତି ।

 

ସେମାନେ କିଛି ଭାବନ୍ତି ନାହିଁ ?

 

ହଁ, କହନ୍ତି ପରା, ଆଗ ନିରୂପମା ଆଉ ନାହିଁ । ଥଟ୍ଟା ମାଇପେ କହନ୍ତି-‘‘ଘଇତାକୁ ଛାଡ଼ି ଦଣ୍ଡେ ରହିପାରୁନାହିଁ ଲୋ ମାଁ ।

 

ଏ କଥାରେ ଲାଜ ମାଡ଼େନାହିଁ ତୁମକୁ..

 

ଲାଜ ନମାଡ଼େ ବୋଲି ନୁହେଁ । କିନ୍ତୁ ତୁମେ ବିଶ୍ୱାସ ସିନା କରିବନାହିଁ ମୁଁ କିନ୍ତୁ ଦୁଇଦିନରୁ ଚାରିଦିନ ରହିଲେ, ମନଟା କାହିଁକି ଭଲ ଲାଗେ ନାହିଁ । ଖାଲି ତୁମକୁ ଦେଖିବାକୁ .. ସ୍ୱାମୀ ସୋହାଗିନୀ ନିରୂପମାର ଏ ସକଳ କଥା ଭିତରେ ମଧୁର ଆବେଗ ଭିତରକୁ ମୁଁ ଟାଣି ହୋଇଗଲି-। ମୁଁ ତାକୁ ଆଲିଙ୍ଗନ କଲି ।

 

ଦେଖ୍, କିପରି ଗପସପ କରୁଥିଲେ, ଏଣିକି ଚାଲିଲା ଫାଜିଲାମି । ଛାଡ଼ତ.. ନହେଲେ ମଞ୍ଜୁକୁ ଉଠାଇ ଦେବି ।

 

ମଞ୍ଜୁକୁ ଉଠାଇଲେ ସେ କାନ୍ଦିବ, ତାକୁ ସମ୍ଭାଳିବ କିଏ ? ତୁମେ ତ..

 

ଆଚ୍ଛା, ତୁମେ ଟିକେ ଶୋଇଲ, ତକିଆ ଉପରେ ଗୋଡ଼ ରଖ, ଚିପିଦିଏ..

 

ମୋ ଗୋଡ଼ କିଛି ହେଉନାହିଁ ।

 

ରଖନା, କିଛି ନହେଲେ ବି ରଖ ।

 

ଆଚ୍ଛା, ଗୋଡ଼ ନଦେଇ ବରଂ ଆଙ୍ଗୁଠିଗୁଡ଼ାକ ଟିକେ ଫୁଟାଇ ଦିଅ ଦେଖି..

 

ନିରୂପମା ବଙ୍ଗୁଠି ଫୁଟାଇ ଦେଲା । ପାପୁଲି ମଧ୍ୟ ଚିପିଦେଲା । ମୁଁ କିନ୍ତୁ କିଛି ପ୍ରତିବାଦ କରୁନଥାଏ । ତା ପରେ ସେ ହାତ ମଧ୍ୟ ମୋଡ଼ି ଦେବା ପାଇଁ କଡ଼କୁ ମୋର ଲାଗି ଆସିଲା । ମୁଁ ତାକୁ କୌଣସି ମତେ ଟାଣି ଓଟାରି ପାଖରେ ଶୁଆଇ ଦେଲି । ପ୍ରତିରୋଧ କଲାନାହିଁ । ନିରୂପମା ମୋ ମୁହଁ ପାଖରେ ମୁହଁ ରଖି ଓ ମୋ ପ୍ରତି ଛାତି ଉପରେ ତା ଭ୍ରୁଲତାଟି ଲମ୍ବାଇ ଦେଇ ଶୋଇଲା-

 

ନୀରବତା ଭିତରେ ତାର ଆତ୍ମସମର୍ପଣ । ଆଖି ମୁଦି ଦେଇ ଓଠରେ ଗଭୀର ତୃପ୍ତିର ହସ କରି ମୋ ସୋହାଗର ସମର୍ଥନ ଭିତରେ କିପରି ଗୋଟାଏ ଅନିର୍ବଚନୀୟ ମାଧୁରୀମା ଯେପରି ମଣ୍ଡିତ ହୋଇଥିଲା ନିରୂପମାର ମୁଖମଣ୍ଡଳରେ । ଆଦରରେ ଡାକିଲି-ନିରୂ !

 

‘ଉଁ’

 

‘‘ରାଗିଲ ନା କଣ ?’’

 

ନାଃ ।

 

ତୁମ ଦେହରେ ହାତ ଦେଲାକ୍ଷଣି ଏପରି ହେଉଥିଲ, ଏବେ କିଛି ନ କହି ଶୋଇ ପଡ଼ିଲ କିପରି ? କଥା କୁହ..

 

ତୁମର ଏପରି ଅଝଟ ପାଇଁ ବଳ କଣ ? ଆଖି ଦୁଇଟି ସେହିପରି ମୁଦିରଖ ନିରୂପମା କହିଲା । ଓଠରେ କ୍ଷୀଣ ହସ ଲାଗିରହିଛି ତାର ।

 

ତା ହେଲେ ଶୁଅ-ଅଭିମାନର ଛଳନା କରି କହିଲି ।

 

ଆରେ.......ବାହୁବନ୍ଧନରେ ମୋତେ ଆବଦ୍ଧ କରି ନିରୂପମା ମୋ ଛାତିରେ ମୁହଁ ମାଡ଼ି ଦେଲା । କହିଲା- ‘‘ମୋ ପାଇଁ ଟିକେ କାମ କରିଦେବ ?’’

 

କହିଲି- ‘କୁହ’

 

ବତିଟା ବନ୍ଦ କରିଦେଇ ଆସନ୍ତ ନାହିଁ ? ସୁନାଟି..

 

ଥାଉନା-

 

ନାଃ, ବଡ଼ ଗରମ ଲାଗୁଛି ।

 

ମୁଁ ବତି ଲିଭାଇବା ପାଇଁ ଉଠିଗଲି ।

 

ପନ୍ଦର

 

ରବିବାର । ସମୟ ଚାରିଟା । କିଛି କିଣିବା ଅଭିପ୍ରାୟରେ ମୁଁ ଯାଉଥିଲି ସାକ୍‍ଚୀ ମାର୍କେଟ-। ମୋ ବସା ନିକଟରୁ ସିଧାସଳଖ ଷ୍ଟ୍ରେଟ୍ ମାଇଲ ରୋଡ୍ ସାକଚୀ ପର୍ଯ୍ୟନ୍ତ ଚାଲିଯାଇଛି । ସାକ୍‍ଚୀରେ ପହଞ୍ଚିବା ପୂର୍ବରୁ ମୁଁ ଦକ୍ଷିଣ ପାର୍ଶ୍ୱର ଶାଖା ରାସ୍ତା ପାୱାରମିଲ ରୋଡ଼କୁ ଭାଙ୍ଗି ଗଲି ଜଣେ ସହକର୍ମୀଙ୍କ ସହିତ ଦେଖା କରିବି ବୋଲି । ଷ୍ଟ୍ରେଟ୍ ମାଇଲ୍ ରୋଡ଼କୁ ଦ୍ୱିଖଣ୍ଡିତ କରି ହୁମ୍‍ପାଇପ୍ ରୋଡ଼ ଯାଇଛି କଚେରୀ ପର୍ଯ୍ୟନ୍ତ । ଦୁଇଟି ରାସ୍ତାର ସଙ୍ଗମସ୍ଥଳର ଛକଟି ମୁଁ ଯେଉଁ ରାସ୍ତାକୁ ଗଡ଼ିଗଲି ତାହାର କିଛି ଦୂର ପଛରେ ।

 

ଛକ ପରେ ଷ୍ଟ୍ରେଟ୍ ମାଇଲ୍ ରୋଡ଼ ଉପରେ ଗୋଟଏ ପୋଲ । ଦୁଇ ପାଖରେ ଲୁହା ରେଲିଂ ଦିଆଯାଇଛି । ତଳେ ମଇଳା ପାଣିର ମସ୍ତବଡ଼ ଡ୍ରେନ । ପୋଲ ନିକଟରେ ବତିପୟ ପାନ ଦୋକାନୀ ଓ ଚଣାଚୂର ଦୋକାନୀ ନିଜ ନିଜର ସ୍ଥାନ ନିରୂପଣ କରିନେଇ ଛୋଟ ଛୋଟ ବ୍ୟବସାୟ ଖୋଲି ଦେଇଛନ୍ତି । ଅପରପାର୍ଶ୍ୱରେ ସୁସଜ୍ଜିତ ପାର୍ଶ୍ୱ ହଷ୍ଟେଲ ସଦସ୍ୟମାନଙ୍କର ଆମୋଦପ୍ରମୋଦର ମୁଖରିତ ହୋଇଉଠିଛି ।

 

ସହକର୍ମୀ ବନ୍ଧୁ ସହିତ ଦେଖା କରି ଫେରିବା ପରେ ଏହି ଛକ ଆଡ଼କୁ ଦୃଷ୍ଟି ଫେରାଇ ଦେଖିଲି ଯଚି ପରି ଲୋକଟିଏ । ସାମାନ୍ୟ ଦୂରତା ଯୋଗୁ ଯଚିକୁ ସଙ୍ଗେ ସଙ୍ଗେ ଚିହ୍ନିବାରେ ଟିକିଏ ନିରୀକ୍ଷଣ କରିବାକୁ ପଡ଼ିଲା । ହଁ ସେ ନିଶ୍ଚୟ ଯଚି । ଭାବିଲି ଡାକଟାଏ ମାରିବି, ମାତ୍ର ଡାକିପାରିଲି ନାହିଁ । କାରଣ, ଯଚି ମଜ୍ଜିଥିଲା କୌଣସି ଏକ ସ୍ତ୍ରୀ ଲୋକ ସହ କଥାବାର୍ତ୍ତାରେ ।

 

ମୁଁ ଆଉଟିକେ ପାଖକୁ ଗଲି, ମାତ୍ର ଏପରି ସ୍ଥାନକୁ ଗଲି, ଯେଉଁ ସ୍ଥାନରୁକି ଯଚି ମୋତେ ସହଜରେ ଦେଖି ପାରିବ ନାହିଁ । ଯାହା ଦେଖିଲି ସେଥିରେ ବିସ୍ମୟ ହେବାର କିଛି ନାହିଁ । କାରଣ ଯଚିର ଚରିତ୍ର ମୋତେ ଭଲ ଭାବରେ ଜଣାଥିଲା । ଯଚି ସେ ସ୍ତ୍ରୀ ଲୋକଟି ସହିତ ବେଶ୍ ପ୍ରେମାଳାପରେ ମସଗୁଲ । ଏ ସହରରେ ଏପରି ଏକ ଶ୍ରେଣୀର ଲୋକ ଅଛନ୍ତି, ଯେଉଁମାନଙ୍କର ରାସ୍ତା କଡ଼ରେ ହିଁ ପ୍ରେମାଳାପ ଆରମ୍ଭ ହେଇଯାଏ । ଯଚି ନିହାତି ନିମ୍ନସ୍ତରକୁ ଖସିଯାଇଛି ।

 

ହୁମପାଇପ୍ ରୋଡ଼ର ବେନିପାର୍ଶ୍ୱରେ ଛାୟାପ୍ରଦ ବଡ଼ ବଡ଼ ବୃକ୍ଷମାନ ରୋପଣ କରାଯାଇଛି ଅଳ୍ପ ଅଳ୍ପ ବ୍ୟବଧାନରେ । କଚେରୀ ନିକଟରେ ଏହି ରାସ୍ତାର ଏକ ଶାଖା ସୁନାରୀ ରାସ୍ତା ଆଡ଼କୁ ଚାଲିଯାଇଛି । ଏହି ରାସ୍ତାର କିଛି ଦୂରକୁ ଗତି କରି ଗୋଟିଏ ବୃକ୍ଷ ମୂଳରେ ମୁଁ ଯଚିର ଗତିବିଧି ଲକ୍ଷ୍ୟ କରିବାକୁ ଲାଗିଲି । ରାସ୍ତାଟି ଜନଗହଳି ନ ହେଲେ ମଧ୍ୟ ଏକାବେଳକେ ଜନଶୂନ୍ୟ ନୁହେଁ ।

 

ଇଚ୍ଛା କରିଥିଲେ ଅନ୍ୟସ୍ଥାନରୁ ମଧ୍ୟ ମୁଁ ଏମାନଙ୍କର ଗତିବିଧି ଲକ୍ଷ କରିପାରିଥାନ୍ତି । ମାତ୍ର ମୋର କାହିଁକି ଏପରି ଅନୁମାନ ହେଲା ଯେ, ସେମାନେ ସେମାନଙ୍କର ଏଇ ଖୁସ୍‍ଗଳ୍ପ ଟିକେ ବେଶୀକ୍ଷଣ ସ୍ଥାୟୀ କରିବା ପାଇଁ ଏଇ ବାଟ ଦେଇ ଯାଇପାରନ୍ତି । କାରଣ, କଚେରୀ ନିକଟରେ ଛୋଟ ଧରଣର ଲେକଟିଏ ଅଛି । ଅବସର ବିନୋଦନ ପାଇଁ ବାବୁ ଭାୟାମାନେ ଏଆଡ଼େ ବୁଲି ଆସନ୍ତି । ଏ ଧରଣର ଯୁଗଳ ଯାତ୍ରୀମାନଙ୍କର ଏ ସ୍ଥାନଟା ପ୍ରାୟ ସବୁ ସମୟର ବିହାର ସ୍ଥଳ ।

 

ମୁଁ ପ୍ରାୟ ଦଶ ପନ୍ଦର ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କଲି । ସ୍ତ୍ରୀଲୋକଟି ଯେ ନିତାନ୍ତ ନୀଚସ୍ତରର ଏଥିରେ ସନ୍ଦେହର ଅବକାଶ ରହିଲା ନାହିଁ । ସେ ବଜାରର ବୋଝବାଲି ହୋଇପାରେ କିମ୍ବା କାରଖାନାର ଶ୍ରମିକ ହୋଇପାରେ । କାରଣ, ଏ ଧରଣର ରମଣୀକୂଳ ଏ ସ୍ଥାନରେ ସହଜରେ ଯଚିବାବୁଙ୍କୁ ଧରା ଦେବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ ।

 

ତାହାର କିପରି ସୌନ୍ଦର୍ଯ୍ୟ ଯେ ଯଚିବାବୁଙ୍କ ଆଖିରେ ଏଭଳି ଭେଳିକି ଲଗାଇଛି, ତାହା ହିଁ ଜାଣିବା ପାଇଁ ମୋର କୌତୁହଳ ହେଲା । ମୋର ଅନୁମାନ ସାର୍ଥକ କରି ସେମାନେ କିଛିକ୍ଷଣ ପରେ ଚାଲିବାକୁ ଆରମ୍ଭ କଲେ । ମୋ ନିକଟବର୍ତ୍ତୀ ହେଲାବେଳକୁ ମୁଁ ଉହାଡ଼ରେ ପରିଶ୍ରା କରିବା ବାହାନା କରି ବସିପଡ଼ିଲି । କହିବାକୁ ଭୁଲି ଯାଇଥିଲି, ଯଚି ସାଙ୍ଗରେ ସାଇକେଲ ଆଣିଥିଲା ।

 

ସେମାନେ କଥାବାର୍ତ୍ତା କରି କରି ଚାଲିଗଲେ । କଥାବାର୍ତ୍ତା କଲାବେଳେ ଯଚି ଓ ତାର ମୁଖଭଙ୍ଗୀରୁ ଜଣାପଡ଼ୁଥିଲା ସେମାନେ କିଛି ଥଟ୍ଟା ପରିହାସ କରି କଥା ହେଉଛନ୍ତି । ମୋତେ ପାରହୋଇ ଗଲାବେଳେ ସେମାନଙ୍କର କଥାବାର୍ତ୍ତା ମଧ୍ୟ ମୋର କାନରେ ପଡ଼ିଲା । ଯଚି ଏପରି ତନ୍ମୟ ହୋଇ ପଡ଼ିଥିଲା ଯେ, କେହି ଯେ ତାର ଗତିବିଧି ଲକ୍ଷ କରୁଥିବା ତାହା ମୋଟେ ତାର କଳ୍ପନାରେ ନଥିଲା । ଏହା ତାର ଚରିତ୍ରର ମଧ୍ୟ ବୈଚିତ୍ର୍ୟ । କାରଣ ଏସବୁ କଲା ବେଳେ ଲୋକଦୃଷ୍ଟି, ଲଜ୍ଜା, ଆତ୍ମମ୍ମାନବୋଧ ସେ ହରାଇ ବସିଥାଏ ।

 

ହିନ୍ଦୀରେ ସେମାନେ କଥାବାର୍ତ୍ତା ହେଉଥିଲେ । ସ୍ତ୍ରୀ ଲୋକଟି ଛତିଶଗଡ଼ ଅଞ୍ଚଳର । ତାଙ୍କ ହିନ୍ଦି କଥାର ସାରମର୍ମ ଏହି ଯେ ତୁମେ ଗଲାମାସରେ ଯାହା ଦେବା ପାଇଁ କହିଥିଲ ଏପର୍ଯ୍ୟନ୍ତ ତ ପୁରା କଲନାହିଁ । ପୁଣି କେଉଁ ମୁହଁରେ ମୋ ପାଖକୁ ଆସୁଛ ? ତୁମ ପରି ବେହିଆ ଲୋକ ମୁଁ ଦେଖିନାହିଁ । ଉତ୍ତରରେ ଯଚି ଯାହା କହିଲା ତାହା ଶୁଣି ମୁଁ ନ ହସି ରହିପାରିଲି ନାହିଁ । ସେ କହିଲା- ଦେଖ୍, ଜାମସେଦପୁରରେ ସବୁଠି ଯେତେବେଳେ ଧାରଉଧାର ଚଳୁଛି, ଏ ବ୍ୟବସାୟରେ ଟିକିଏ ଉଧାର ଧାର ଚଳିଲେ କ୍ଷତି କଣ ? ତୋ ପାଇଁ ତ ଏ ଜୀବନଟା ବି ହାଜର । ଛାର ଗୋଟାଏ ବ୍ଲାଉଜ କିବା କଥା ? ତୋତେ ଦିନେ ନ ଦେଖିଲେ ଯେ ମୁଁ ରହିପାରୁନାହିଁ, ତୁ ଭଲା ଏତେ ପର ଭାବୁଛୁ କାହିଁକି ?

 

ଯଚି ତାକୁ ସାଇକେଲ ଆଗରେ ବସାଇଲା ଓ ପନିପରିବା ଝୁଲାଟା ହ୍ୟାଣ୍ଡେଲ ଆଗରେ ଲଟକାଇ ଦେଲା ।

 

ମୋର ବୁଝିବାକୁ ବାକି ରହିଲା ନାହିଁ ଯେ ସ୍ତ୍ରୀ ଲୋକଟି ଦେଖିବାକୁ ଯିଏ ଏଡ଼େ କୁତ୍ସିତ ଓ ବର୍ଷିୟସୀ ନିଶ୍ଚେ କାରଖାନାରେ କାମ କରେ ଓ ଆଜି ରବିବାର ହାଟ କରିବା ପାଇଁ ଆସିଥିବା ବେଳେ ଯଚି ତାକୁ ହାଟ ମଧ୍ୟରୁ ସଙ୍ଗରେ ଧରିଛି । ସେ ସୁନାରୀ ବସ୍ତୀରେ ରହୁଥିବ, କାରଣ ଏ ରାସ୍ତାରୁ ଯେଉଁ ଶାଖା ରାସ୍ତାଟି ସୁନାରୀ ବସ୍ତୀଆଡ଼େ ଯାଇଛି ସେମାନେ ସେହିଆଡ଼କୁ ଗଲେ । ତେଣୁ ଯଚି ହୁଏତ ତାକୁ ତା ଘର ପାଖରେ ଛାଡ଼ି ଆସିବ ନହେଲେ ତା ଘରେ ଅତିଥି ହେବ । ତା ସହିତ ଯଚିର ସଦ୍‍ଭାବ ଯେ ଅନେକ ଦିନରୁ ଅବାଧରେ ଗଡ଼ି ଆସିଛି, ତା ମଧ୍ୟ ସ୍ପଷ୍ଟ ହୋଇଗଲା ମୋ ପାଖରେ । କାନୁନୀ ବେଶ୍ୟା ଅପେକ୍ଷା ଏ ରମଣୀଟି ଆଉ କେଉଁ ଗୁଣରେ କମ୍ ? ଅବିବାହିତ ଜୀବନରେ ଯଚି ଯେ ଏପରି କେତେ ସ୍ତ୍ରୀ ସହିତ ଇନ୍ଦ୍ରିୟଲାଳସା ଚରିତାର୍ଥ କରି ନିଜର କି କ୍ଷତି କରୁଛି ତାହା ମୁଁ ମନେ ମନେ ଚିନ୍ତା କରିବାକୁ ଲାଗିଲି । ଦୀର୍ଘ ନିଶ୍ୱାସଟିଏ ମାରି ଆପଣ ରାସ୍ତା ଧରିଲି ।

 

ଷୋହଳ

 

ଏହା ଭିତରେ ଅନେକ ଦିନ ବିତିଗଲାଣି, ବର୍ଷେ ହୋଇଯିବ । ଯଚି ତାର ଭାଇ ଭାଉଜଙ୍କ ନିକଟରୁ ଅଲଗା ହୋଇ ରହିଥିଲା ଅନେକ ଦିନରୁ । ଏବେ ତାର ଭାଇଙ୍କର ମୃତ୍ୟୁ ହୋଇଛି । ଭାଉଜ ଗ୍ରାମରେ ବାସ କରୁଅଛନ୍ତି । ନାମକୁ ମାତ୍ର ଯେଉଁ ଜଣକ ତାର ଅଭିଭାବକ ପଣରେ ଥିଲେ ସେ ମଧ୍ୟ ଗଲେ । ଆଗରୁ ପିତାମାତା ଯାଇଥିଲେ । ଏବେ ଯଚି ସଂସାରରେ ଏକେଲା । ଭାଇ ଅନେକଥର ତାର ବିବାହ ପ୍ରସ୍ତାବ ଚଳାଇ ତାଙ୍କ ମତରେ ଉପଯୁକ୍ତ ପାତ୍ର ନପାଇ ଯଚିକୁ ବିବାହ କରାଇ ପାରିନଥିଲେ । ଏବେ ଯଚି ପାଇଁ କନ୍ୟା ପାତ୍ର ଖୋଜିବାକୁ ଆଉ କେହି ରହିଲେ ନାହିଁ ।

 

ଦିନେ ଯଚିକୁ କହିଲି-ଯଚି, ତୁ ବାହା ସାହା ହୋ-ତୋର ଢେର ବୟସ ହେଲାଣି । ଆଉ କିଛି ଦିନ ଗଲେ ତୋତେ ଆଉ କେହି ବୟସାଧିକ୍ୟ ଯୋଗୁ ବିବାହ ହେବାକୁ ସମ୍ମତ ହେବେ ନାହିଁ-। ସ୍ୱେଚ୍ଛାଚାରୀ ରହି ଚରିତ୍ରକୁ ଏପରି ଭାବରେ ନଷ୍ଟ କରିବା ଅପେକ୍ଷା ବିବାହିତ ହୋଇ ସଂସାର ପାତିବା ବରଂ ଭଲ ।

 

ଚରିତ୍ରକୁ କିପରି ଭାବରେ ନଷ୍ଟ କରିଛି ସେ କଥା ସେ ମୋତେ ପଚାରିବାର ସାହସ ସଞ୍ଚୟ କରିପାରିଲା ନାହିଁ । ମୁଁ ମଧ୍ୟ ଏ ପ୍ରସଙ୍ଗରେ ଅଧିକ କିଛି କହିଲି ନାହିଁ । କଚେରୀ ରାସ୍ତାର ସେହି ନିନ୍ଦନୀୟ ଘଟଣା ଦେଖିବା ପରେ ମୁଁ ଯଚିକୁ ଘୃଣା ଚକ୍ଷୁରେ ଦେଖୁଥିଲି । ଅବଶ୍ୟ ନିଜେ ନିଜ ପାଇଁ କିପରି କନ୍ୟାଟିଏ ଠିକ୍ କରି ବିବାହ କରିବା ଏତ ଆଉ ବିଲାତ ନୁହେଁ, ତେଣୁ ମୁଁ ଆଉ ଉପଦେଶ ଦେବାକୁ ମନ କଲିନାହିଁ । ମୋ ଉପଦେଶ ସେ ଘୃଣାକ୍ଷରେ ମଧ୍ୟ ବିଚାରକୁ ଆଣିବ ଏ ଆଶା ସୁଦୂର ପରାହତ ।

 

ତା ମୁହଁରୁ ଥରେ ଶୁଣିଲି ସେ ବସା ବଦଳି କରି ଇଷ୍ଟପ୍ଲାଣ୍ଟ ବସ୍ତୀର କୌଣସି ସ୍ଥାନରେ ବାସ କରୁଛି । ଟାଟାରେ ବାସୋପଯୋଗୀ ଭଡ଼ାଘରେ ଖଣ୍ଡେ ମିଳିବା ଏକ ଦୁଃସହ ବ୍ୟାପାର । କୋମ୍ପାନୀ ତାର କର୍ମଚାରୀମାନଙ୍କୁ ବସାଘର ଖଣ୍ଡେ ଖଣ୍ଡେ ଯୋଗାଇବା ପାଇଁ ଯେଉଁ ସବୁ ନିୟମ ଶୃଙ୍ଖଳା ପ୍ରବର୍ତ୍ତନ କରିଛି ତାହା ଅନୁସରଣ କରି ଘର ପାଇବା କୋମ୍ପାନୀରେ ଅର୍ଦ୍ଧଜୀବନ ବ୍ୟାପି କାର୍ଯ୍ୟ କରିବା ପରେ ହୁଏତସମ୍ଭବ ହୋଇପାରେ । ଏପରି ଅବସ୍ଥାରେ ଘର ବଦଳାଇବା ଅର୍ଥ ସ୍ଥାନାଭାବ ଯୋଗୁ ଏକ ସ୍ଥାନରୁ ସ୍ଥାନାନ୍ତରକୁ ବାଧ୍ୟତାମୂଳକ ପରିବର୍ତ୍ତନ କରିବା ତାହା ମଧ୍ୟ ଭଡ଼ାରେ ଘର ମିଳିବା ସମ୍ଭବପର ହେଲେ । ଏହିପରି ସଙ୍କଟ ମଧ୍ୟରେ ପଡ଼ି ଯଚି ଜାମସେଦପୁରରେ ପ୍ରାୟ ସର୍ବତ୍ର ଭ୍ରମଣ କରି ସାରିଲାଣି । ଅବିବାହିତ ଏବଂ ଏକାକୀ ଜୀବନ ନିର୍ବାହ କରୁଥିବା ଲୋକଙ୍କୁ ଭଡ଼ାଘର ମିଳିବା ଅତ୍ୟଧିକ କଷ୍ଟକର କଥା । ତା ଘରଆଡ଼େ ଯିବା ପାଇଁ କେବେହେଲେ ଇଚ୍ଛା କରିନାହିଁ, ସେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ । ଭାଇ ଭାଉଜଙ୍କ ସହିତ ରହୁଥିଲା ବେଳେ ଅବଶ୍ୟ ଯାଉଥିଲି । ମାତ୍ର ତାଙ୍କ ଭାଇଙ୍କ ମୃତ୍ୟୁ ପରେ ସେ ତିନି ଚାରି ଯାଗା ବସା ବଦଳି କରିସାରିଲେଣି, ମୁଁ କିନ୍ତୁ ଯାଉନାହିଁ ।

 

ଦିନେ ଟିଫିନ୍‍ ଛୁଟି ସମୟରେ ସେ ଆସି ମୋ ପାଖରେ ପହଞ୍ଚି କହିଲା- ତୋତେ ଗୋଟିଏ ଚିଠି ଲେଖିଦେବାକୁ ହେବ, ‘‘ପ୍ରଭାସ ।’’

 

କି ଚିଠି ? ମୁଁ ପଚାରିଲି ।

 

‘‘ପ୍ରେମ ଚିଠି ।’’

 

ପ୍ରେମ ଚିଠି ! ବଡ ଆଶ୍ଚର୍ଯ୍ୟ ଲାଗିଲା ମୋତେ ।

 

ହଁ ଭାଇ, ସେ ଅନେକ କଥା.. ଆରମ୍ଭ ହୋଇଗଲା ତାର ବକ୍ତବ୍ୟ ।

 

ସାରାଂଶ- ଯଚି ଆଜିକାଲି ପ୍ରେମ କରୁଛି । ରାସ୍ତାଘାଟର ନିର୍ଲଜ ପ୍ରେମ ନୁହେଁ । ରୀତିମତ ଭଦ୍ର ସମାଜରେ ଓ ଭଦ୍ରଘରେ ବେଶ୍ ପଢ଼ାଶୁଣା ସୁନ୍ଦରୀ ବାଳିକା ସହିତ । ସେ ବସା ବଦଳି କରି ଏବେ ଯେଉଁଠାରେ ଯାଇ ପହଞ୍ଚିଛି ସେଠାରେ କେଉଁଠି ଅନ୍ୟ ଜଣେ ଉତ୍କଳୀୟ ଭଦ୍ରବ୍ୟକ୍ତି ସପରିବାରରେ ଅଛନ୍ତି । ତାଙ୍କ ପରିବାର ମଧ୍ୟରେ ତାଙ୍କ ନିଜ ସନ୍ତାନସନ୍ତତିଙ୍କ ବ୍ୟତୀତ ଅନ୍ୟ ଏକ ଝିଅ ମଧ୍ୟ ଅଛି । ଝିଅଟି ସେ ଭଦ୍ରଲୋକଙ୍କର ଦୂରସମ୍ପର୍କୀୟା କୌଣସି ଆତ୍ମୀୟା ହୁଅନ୍ତି । ଯଚି ସେହି ବାଳିକାଟି ସହିତ ପ୍ରେମ କରେ । ପ୍ରେମ ଆରମ୍ଭ ହୋଇଗଲାଣି । ଯଚି କଥାରେ ପ୍ରେମର ପ୍ରଥମ ସୋପାନଗୁଡ଼ିକ ସେ ଅତିକ୍ରମ କରିସାରିଲାଣି । ବର୍ତ୍ତମାନ ପ୍ରେମର କ୍ରମ ପରିଣାମ, ଚିଠିପତ୍ରର ଆଦାନ ପ୍ରଦାନ ଉପରେ ଆସି ପହଞ୍ଚି ଯାଇଛି । ଯେହେତୁ ପ୍ରେମ ଚିଠିରେ ଯେଉଁ ଛନଛନିଆ, ଗୁଲଗୁଲିଆ ଫୁଲୁରୀ ଭାଷା ରହିବ ତାହା ଯଚିଦ୍ୱାରା ଲେଖା ହୋଇପାରିବ ନାହିଁ । ସେ ସବୁ ମୁଁ ଲେଖିଦେଇ ପାରିବି ବୋଲି ତାର ବିଶ୍ୱାସ । ତେଣୁ ମୋତେ ଲେଖିଦେବାକୁ ତାର ସାତିଶପ୍ତ ଅନୁରୋଧ ।

 

ମନେ ମନେ କେତେ ଯେ ହସିଲି ତାହା କଳନା କରିପାରୁନାହିଁ । ମାତ୍ର ଯଚିର ମନର ସରାଗଟା ଭାଙ୍ଗେ କିପରି ? ମହାପ୍ରେମିକ ଯଚିନ୍ଦ୍ର ପରି ବନ୍ଧୁ ଲାଭ କରି ମୋ ଅନ୍ତରଟା ଯଦି ତିଳେହେଲେ ପ୍ରେମରେ ସାପ୍ଳୁତ ନହେଲା, ତାହାହେଲେ ସେଇଟା କେବଳ ମୋର ଦୁର୍ଭାଗ୍ୟ । ପଚାରିଲି-ଯଚି, ତୋର ଏ ପିଲାଳିଆ ଢଙ୍ଗ କେବେ ଯିବ କହତ ? ତୋର ବୟସ ଢେର ହୋଇଛି-। ସାଧାରଣ ମଣିଷର ଏ ବୟସରେ ଗୋଟିଏ ହିତାହିତ ଜ୍ଞାନ ଆସିଥିବା କଥା । ମାତ୍ର ମୁଁ ଦେଖୁଛି..

 

ବାଧା ଦେଇ ଯଚି କହିଲା- ତୁ ମୋତେ ଯେତେ ନିନ୍ଦାକର ଭାଇ, କିନ୍ତୁ ମୋର ଏହି ଅନୁରୋଧଟା ରକ୍ଷା କରିବାକୁ ପଡ଼ିବ । ତୁ ଭାବେନା ମୁଁ ତରୁଣ ବୟସସୁଲଭ ଚପଳତାରେ ମାତି ନାରୀସଙ୍ଗସୁଖ ପାଇଁ ଏ ଚିଠି ଦେବି ବୋଲି..

 

ତାହା ନୁହେତ ଏହାର ଅର୍ଥ କଣ ?

 

ତୋ ବିଚାରରେ କଣ ମୋର କଡ଼ାକର ହିତାହିତ ଜ୍ଞାନ ନାହିଁ ? ଅବଶ୍ୟ ବୟସ ଦୋଷରେ ମୁଁ ଯେଉଁଠି କେମିତି ଥରେ ଅଧେ ଭୁଲ କରି ପକାଇଥିବି । ହୁଏତ କେବେ କିପରି ତାହା ତୁ ଧରି ପାରିଥିବୁ ମାତ୍ର ଏ କ୍ଷେତ୍ରରେ ତାହା ପ୍ରଯୁଜ୍ୟ ନୁହେ । ଜଣେ ଭଦ୍ର ପରିବାର ସହିତ ମୋର କଣ ଏହି ବ୍ୟବହାର ସୁନ୍ଦର ଦିଶିବ ?

 

ତୁ ଯଦି ଏତେ କଥା ଭାବିପାରୁଛୁ, ଏ ପ୍ରେମ ଚିଠି ଗୋଟାଏ କଣ ? ଏହାର ପ୍ରତିକ୍ରିୟା କଣ ହେବ କହିଲୁ ?

 

ତୋ ଆଗରେ ସପଥ କରୁଛି ପ୍ରଭାସ, ମୁଁ ସେହି ପିଲାଟି ସହିତ ବିବାହ କରିବାକୁ ଚାହେଁ-

 

ତା ହେଲେ ମନ୍ଦ କଣ ? ମୋର ବା କାହିଁକି ତହିଁରେ ମତାନ୍ତର ହେବ । କିନ୍ତୁ ପ୍ରେମ ଚିଠିଟାଏ କଣ ତାର ପ୍ରକୃଷ୍ଟ ଉପାୟ ? କୌଣସି ମଧ୍ୟସ୍ଥ ବ୍ୟକ୍ତିଙ୍କ ଦ୍ୱାରା ପ୍ରସ୍ତାବ ପକାଇବେ ସିନା ଭଦ୍ରୋଚିତ ହେବ ?

 

ମୁଁ କେବଳ ସେ ପିଲାଟିର ପରିଚୟ ଓ ସମ୍ମତି ଚାହେଁ । କାରଣ ମୁଁ ଜାଣେ ସେ ଝିଅଟି ସେ ପରିବାରର କେହି ନୁହେଁ, ଆଶ୍ରିତା । ତାର ପୂର୍ବ ଇତିହାସ ଓ ସଙ୍ଗେ ସଙ୍ଗେ ତାର ମତାମତ ଜାଣିନେଲେ ତାପରେ ମଧ୍ୟସ୍ଥଙ୍କ ଦ୍ୱାରା କଥାଟା ପକ୍‌କା କରାଇନେବି ।

 

‘‘କିନ୍ତୁ ସେ ସବୁ ସମ୍ବାଦତ ମଧ୍ୟସ୍ଥଙ୍କ ଦ୍ୱାରା ଅତି ସହଜରେ ଆହରଣ କରାଯାଇପାରେ-?’’

 

ନା ଭାଇ, ତାର ହାବଭାବ ଓ ଜିଜ୍ଞାସୁ ଦୃଷ୍ଟିରେ ଏପରି ଗୋଟାଏ ଇଙ୍ଗିତରେ ଥିଲା ପରି ମୋର ମନେ ହେଉଛି ଯେ ଗୋଟାଏ ପତ୍ର ନିହାତି ଜରୁରୀ ହୋଇଉଠିଛି ମୋ ମନ ଭିତରେ ।

 

ଯଚି ମନର ଏତାଦୃଶ୍ୟ ଦୃଢ଼ ଭିତ୍ତି ଉପରେ ମୋର ଆଉ କିଛି କହିବାର ନଥିଲା । ତା ପରେ ଯେ ଯାଇଛି ସେ ଯାଉ । ଆହୁରି ତଳକୁ ଚାଲିଯାଉ । ଯେତେବେଳେ ବୁଦ୍ଧି ବିବେଚନା ସେ ହରାଇଲାଣି, ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନଙ୍କ ସହ ପରାମର୍ଶ ତିଳେହେଲେ ଗ୍ରହଣ କରେ ନାହିଁ, ତା ପକ୍ଷରେ ଅତଳତଳକୁ ଚାଲିଯାଇ ଶେଷ ସୀମାରେ ପହଞ୍ଚିବା ଶ୍ରେୟସ୍କର । ସେତେବେଳେ ତାର ଚେତନାର ଉଦୟ ଆପଣାଛାଏଁ ହେବ । ଲୋକେ ହୁଏତ ମୋତେ ଦୋଷ ଦେବେ । କିନ୍ତୁ ଏ କ୍ଷେତ୍ରରେ ଯଚି କଥାରେ ରାଜି ହୋଇ ଚିଠିଟାଏ ଲେଖିଦେବାକୁ ଅସମ୍ମତ ହୋଇପାରିଲି ନାହିଁ । ତାର ଶପଥ ଉପରେ ମୁଁ ଟିକେ ବିଶ୍ୱାସ ସ୍ଥାପନ କଲା ପରି ବୋଧ କଲି । ମୋ ସ୍ଥାନରେ ଅନ୍ୟ କେହି ହୋଇଥିଲେ ସେ ହୁଏତ ବୁଦ୍ଧି ବଳରେ ଅନ୍ୟ ଉପାୟ ଅବଲମ୍ବନ କରି ଯୁକ୍ତିଦ୍ୱାରା ଯଚିକୁ ପରାସ୍ତ କରି ଏଥିରୁ କ୍ଷାନ୍ତ ହୋଇଥାନ୍ତା । ସେ ଦିଗରୁ ବିଚାର କଲେ ହୁଏତ ମୋତେ ବୋକା ବୋଲାଇବାକୁ ପଡ଼ିବ । କିନ୍ତୁ ମୁଁ ଅସହାୟ । ତେଣୁ ସେ ଯେଉଁ ଦିଗରୁ ସମାଲୋଚନା କରୁନା କାହିଁକି, ମୋତେ ମୁଣ୍ଡ ନୋଇଁ ଦେବାକୁ ହିଁ ପଡ଼ିବ । ଯଚି ତାର ଗୋପନ ପ୍ରିୟାଟିକୁ ଶେଷକୁ ମୋ ଚିଠି ମାଧ୍ୟମରେ ରାଜି କରାଇ ବିବାହ କରିବ ଅଥବା ଅଳ୍ପ ସମୟ ମଧ୍ୟରେ ପିଠି ଓ ମୁଣ୍ଡରେ ଉତ୍ତମ ମଧ୍ୟମ ଦୁଇଟା ପାଇବ, ତାହା ମୁଁ ମୋର ଦୂରଦୃଷ୍ଟି ଭିତରେ ସ୍ଥାନ ଦେଲିନାହିଁ ।

 

କହିଲି- ଦେଖ ଯଚି, ପ୍ରେମ ଫ୍ରେମ କେବେ କା ସହିତ ମୁଁ କରିନାହିଁ । କଣ ଲେଖିବାରେ ଇଚ୍ଛା ତାହା କହିଲେ ସେତକ ଯାହା ବାଗେଇ ସାଗେଇ ଲେଖିଦେଇପାରେ । କଥାଟା କିନ୍ତୁ ଜମା ଭଲ ଲାଗୁନାହିଁ ମୋତେ ବନ୍ଧୁ ଭାବରେ ଯଦି ଏପରି ଅବାନ୍ତର ଅନୁରୋଧ କରି ବସୁ, ତାହାହେଲେ ବନ୍ଧୁଭାବର ସେହି ପବିତ୍ରତା ରହିବ କେତେକେ ?

 

ତୁ ତାହାହେଲେ ମୋତେ ବିଶ୍ୱାସ କରୁନାହୁଁ ପ୍ରଭାସ ?

 

ବିଶ୍ୱାସ କିମ୍ବା ଅବିଶ୍ୱାସ ପ୍ରଶ୍ନ ଏଠାରେ ଉଠୁନାହିଁ ତ...ଯଚି ତାର ନାଟକୀୟ ଛଟାରେ ମୋ ହାତ ଧରିପକାଇଲା । କହିଲା- ତୁ କିଛି ଚିନ୍ତା କରନାହିଁ ପ୍ରଭାସ । ଯଚି ଏପରି କୌଣସି ହୀନ କର୍ମ କରିପକାଇବ ନାହିଁ, ଯଦ୍ୱାରା ତା ସଙ୍ଗେ ସଙ୍ଗେ ତୋତେ ମଧ୍ୟ ଅପନିନ୍ଦା ମିଳିବ । ତୁ ଖାଲି ଖଣ୍ଡେ ଚିଠି ଲେଖିଦେ.. ଆଉ ଏଥିରେ ତୋର ମୁଣ୍ଡ ଖେଳାଇବା ଆଦୌ ଆବଶ୍ୟକ ଅଛି ମୁଁ ମନେକରୁନାହିଁ ।

 

ମୋତେ ହସିବାକୁ ପଡ଼ିଲା ବାଧ୍ୟ ହୋଇ..ତାର କଥା କହିବା ଓ ବିନୟାତିଶଯ୍ୟରେ ହାତ ଧରି ପକାଇବା ଭଙ୍ଗି ତଥା ଆବେଗମୟ ପ୍ରେମର ତା ହାସ୍ୟକର ମୁଖମଣ୍ଡଳରେ ପରିସ୍ଫୁଟନ ଭଙ୍ଗିରେ । କହିଲି- ତୁ ବଡ଼ ବେହିଆଟାଏ..

 

ସେ ପୁଣି କହିଲା- ଦେଖ୍ ସ୍ତ୍ରୀ ଲୋକଙ୍କୁ ଭୁଲାଇବାକୁ ହେଲେ ତାଙ୍କ ରୂପର ପ୍ରଶଂସା ଗୁଡ଼ାଏ ଆଗେ କରିଦେବ । ତା ପରେ ପହିଲି ଦେଖାରେ ହିଁ ମୁଁ ତାଙ୍କୁ ଭଲ ପାଇପକେଇଲି, ମୋ ମନ କିପରି ବ୍ୟାକୁଳ ହେଉଛି ଇତ୍ୟାଦି ଇତ୍ୟାଦି । ଆଗ ଚିଠିଟା ବେଶୀ ବଡ଼ ହେବା ଠିକ୍ ନୁହେ ।

 

ହସ ଚାପି ଟିକେ ଗମ୍ଭୀର ହୋଇ କହିଲି- ଯେପରି–ତାର ବ୍ୟକ୍ତିଗତ କଥା ଉପରେ ଯେତେଟା ମୋର ହସ୍ତକ୍ଷେପ କରିବା, ଚଳିବ ସେତିକି କେବଳ ଜାଣିବାକୁ ଇଚ୍ଛା କରି–ପହିଲି ଦେଖା କିପରି, କେଉଁ ସ୍ଥାନରେ ହେଲା ଓ କେଉଁ ସମୟରେ ଇତ୍ୟାଦି ନ କହିଲେ ମୁଁ ଲେଖିବି କିପରି ?

 

ଏକଥା ପଚାରିବା ବେଳେ ମୋର ଗୋଟାଏ ଧାରଣା ଥିଲା ଯେ, ଆଜିକାଲି ଆମ ଦେଶରେ ଆକ୍‍ସିଡେଣ୍ଟମୂଳକ ପ୍ରେମ କୁହ ବା ପ୍ରେମମୂଳକ ଆକ୍‍ସିଡେଣ୍ଟ କୁହ ଟିକେ ଯ୍ୟାଦା ହେଉଛି । ତେଣୁ ପଚାରିଲି କାଳେ ଯଚିବାବୁଙ୍କ ପ୍ରେମମୂଳରେ ନିହାତି ମାମୁଲି ସାଇକେଲ ଆକ୍ସିଡେଣ୍ଟଟାଏ ହୋଇପାରେ ।

 

ଯଚି କହିଲା-ନା, ନା, ଆଉ ତୁ ଲେଖିବୁ କିପରି ? କର୍‍, କର୍‍ ଥଟ୍ଟା କର । ଇଷ୍ଟପ୍ଲାଣ୍ଟ ବସ୍ତୀରେ ତ ଖାଲି ପାର୍କମୂଳ, ନଦୀକୂଳ, ସିନେମାହଲ ମାଳ ମାଳ ହେଉଛି । ଯେପରି ତୁ କିଛି ଜାଣିନୁ ।

 

ହସି ପକାଇଲି । କହିଲି-‘‘ତଥାପି କିମିତି ଲେଖିଲେ ଚଳନୀୟ ହେବ ତାହା ତୋର କହିବା ଉପରେ ହିଁ ନିର୍ଭର କରୁଛି ।’’

 

ନାଃ, ତୁ ସେଇଟା ନିଜେ ଲେଖିଦେବୁ । ମୁଁ କାଲି ଠିକ୍ ଏତିକିବେଳକୁ ଆସିବି । ଦୁହେଁ ପଢ଼ିବା, ଯଦି ଦରକାର ହୁଏ ଟିକେ ଅଦଳବଦଳ କରି ନେଇହେବ, କ୍ଷତି କଣ ? ଆଚ୍ଛା, ଆ ଚା‘ ଖାଇବା..

 

ମତେ କଣ ଚା’ ଖୋଇ ଘୁସ୍ ଦେଉଛୁ ଏଥିପାଇଁ ?

 

‘‘ଆରେ ବନ୍‌ସି କଣ୍ଟା ଯେତେବେଳେ ତୋ ହାତରେ, ମାଛକୁ ଖେଳେଇ ଖେଳେଇ ଥୋପ ଗିଳେଇ ପାରିବା ସୁଦ୍ ଖାଲି ତୋରି ଉପରେ ଛାଡ଼ିଦେଲି । ଧରାଇ ଦେଇପାରିଲେ କେତେ ଖାଇବୁ ଖା, ଖୋଇ ଖୋଇ ତୋତେ ଅମାଶୟ ଧରାଇଦେବି । କଣ ଭାବିଛୁ ?

 

ସତେ ଭାଇ ମୁଁ ତାକୁ ଚାହେଁ । ସେ ଯଦି ମିଳିଯାଏ, ଦେଖିବୁ ମୋ ଚରିତ୍ର କିପରି ବଦଳିଯିବ ।’’ କହି କହି ଯଚି ମୋତେ ନେଇ ହୋଟେଲରେ ପହଞ୍ଚିଲା ।

 

କଣ କୃତକାର୍ଯ୍ୟ ହେବୁ ବୋଲି ଏପରି ଦୃଢ଼ ଆଶା ଧରି ବସିଛୁ ? ବସୁ ବସୁ ପଚାରିଲି ମୁଁ-

 

‘‘କାହିଁକି ? ମୁଁ ଭାବୁଛି ଏହା ଗୋଟାଏ ସୁଯୋଗ । ଏକଦମ ସୁବର୍ଣ୍ଣ ସୁଯୋଗ’’-ଗୋଟାଏ ଲେଖାଏଁ ରାଜଭୋଗ ପାଇଁ ଅର୍ଡର ଦେଇ ପୁଣି କହିବାକୁ ଲାଗିଲା ଯଚି- ମୁଁ ଶୁଣିପାରୁଛି ସେ ପିଲାଟା ଭଦ୍ରଲୋକଙ୍କର ଭାଣିଜୀ କି ଝିଆରୀ, ଇମିତି କିଛି ହେବ । ଆଉ ବହୁତ ଯାଗାରୁ ସମ୍ବନ୍ଧ ଆସି ଭାଙ୍ଗିଗଲାଣି । କେହି ବାହା ହେଉନାହାନ୍ତି । ତାକୁ କାହାରି ହାତରେ ସମର୍ପଣ କରିଦେଇ ପାରିଲେ ସେମାନେ ନିଶ୍ଚିନ୍ତ ହେବେ । ବୟସ ମଧ୍ୟ ତାର ବଳେଇଲାଣି । କିନ୍ତୁ ଯାହା କହ ଭାଇ ପିଲାଖଣ୍ଡେ ଏକା.. ରାଜଭୋଗର ସଦ୍‍ବ୍ୟବହାର କରୁଥାଏ ଓ ମନେ ମନେ ହସୁଥାଏ ମୁଁ । ତା ପରେ ଆସିଲା ଚା’- କିନ୍ତୁ ମିଠା ପରେ ଚା’ ଖାଇଲେ..

 

‘‘ଠିକ୍, ଠିକ୍’’-ଯଚି ମଗାଇ ପଠାଇଲା ଦୁଇଟି ଆଳୁଚପ୍ ।

 

ଚା’ ଖିଆର ପର୍ବ ଭିତରେ ଯଚି ମୋତେ ମନେ ପକାଇ ଦେଲା ପରି କହିଲା- ଦେଖ ଭାଇ ଭୁଲିବୁ ନାହିଁ । ଟିକେ ମନଦେଇ ଲେଖିବୁ । ଭାବିବୁ ‘ତୁ’ ନିଜେ ‘ମୁଁ’ ।

 

କହିଲି- ମୁଁ ଚେଷ୍ଟା କରିବି ।

 

ଚେଷ୍ଟା ଫେଷ୍ଟା ନାହିଁ । କାଲି ମୁଁ ଚିଠିଟା ନେବି, ନେବି, ଆଉ ନେବି । ଚିଠିଟା ମୋର ନିହାତି ଜରୁରୀ ।

 

ଆଚ୍ଛା କାଲିଆଡ଼କୁ ଆ- ମୁଁ ଗୋଟାଏ ଚିଠି ଲେଖିଦେବି ଆଉ କଣ ? ତୁ ଯେତେବେଳେ ଏତେ କରି ଜିଦ୍ ଲଗାଉଛୁ କଣ କରିବି ଆଉ ? ତେବେ ମୁଁ ଯାହା ଲେଖିବି, ତୁ ତାକୁ ଅନ୍ୟ କାଗଜରେ ନିଜ ହସ୍ତାକ୍ଷରରେ ଲେଖି ପଠାଇବୁ ନା ?

 

ଆ-ହା-ହା, ଯାହାତ ମୋ ହସ୍ତାକ୍ଷର ନା, ପ୍ରେମିକା ତ ଖାଲି ମୋ ହସ୍ତାକ୍ଷର ଦେଖି ଭୁଲିଯିବ । ତୁ ଗୋଟାଏ ନିପଟ ଫାଜିଲ୍..

 

ଆରେ, କି ଆଶ୍ଚର୍ଯ୍ୟ ଲୋକ ? ତୁ ପ୍ରେମ କରିବୁ, ମୁଁ ଲେଖିବି ଚିଠି । ମୋରି ହସ୍ତାକ୍ଷରରେ ଚିଠି ଯିବ । ଏସବୁ ଫାଜିଲାମି କଥା ଛାଡ଼

 

ଯଚି- ଥଟ୍ଟା କରି ଅବଶ୍ୟ କହିନାହିଁ । କିନ୍ତୁ ଠୋ ଠୋ ହୋଇ ହସିଉଠିଲା ଯଚି ।

 

ତୁ ତ ବେଶ୍ ହସାଇଲୁ?

 

ହସାଇଲି ମାନେ ? ତୋର ଟିକେହେଲେ ଦାୟିତ୍ୱ ଜ୍ଞାନ ନାହିଁ । ଆଉ ଏବେ ରାଗନା ଭାଇ, ଚିଠିଟା ତୋ ହସ୍ତାକ୍ଷରରେ ନଗଲେତ ହୋଲା, ଆଉ କଣ ? କାଲି କିନ୍ତୁ ନିରାଶ କରି ଫେରାଇବୁ ନାହିଁ ସେମିତି..

 

ଆଚ୍ଛା, ତାହା ସହିତ ତୋର ପ୍ରଥମ ଦେଖା ସମ୍ବନ୍ଧରେ କିଛି କହିଲୁ ନାହିଁ ଯେ.. ତା ସହିତ ଆଉ ସାଇକେଲ ଆକସିଡେଣ୍ଟ କରିନାହୁଁ ତ ?

 

ଅର୍ଥାତ୍ ? ଯଚି ବିସ୍ମୟପୂର୍ଣ୍ଣ ଭାବେ ମୋ ଆଡ଼େ ଚାହିଁ ରହିଲି ।

 

ଅର୍ଥାତ୍ ବୁଝିପାରୁନାହିଁ ? ଆଜିକାଲି ଆକସିଡେଣ୍ଟରୁ ମଧ୍ୟ ପ୍ରେମ ଉତ୍ପତ୍ତି ହେଉଛି...

 

ହସି ହସି ଯଚି କହିଲା- ‘ନାଃ, ତା ଅବଶ୍ୟ ନୁହେଁ- ତେବେ.. ତେବେ କଣ ? ମୁଁ ପଚାରିଲି ।

 

ପଦାକୁ ଚାଲ୍ କହୁଛି । ଆମ୍ଭେମାନେ ହୋଟେଲରୁ ବାହାରି ଆସିଲୁ ।

 

ସତର

 

ହଇହୋ ଶୁଣୁଛ ?

 

କଣ ? ପ୍ରେମ ଚିଠି କିପରି ଲେଖାହୁଏ ଜାଣିଛ ?

 

କି ପ୍ରେମ ଚିଠିବା ? କାହା ସାଙ୍ଗରେ ପ୍ରେମ କରୁଛ କି ?

 

କାହା ସାଙ୍ଗରେ କଲେ ଭଲ ହେବ କହିଲ ?

 

ଯେ ସଜାଡ଼ି ରଖିଥିବ ତୁମ ପାଇଁ..

 

କଣ ?

 

‘‘ପ୍ରେମ ପସରା’’.. ନିରୂପମା ଖିଲିଖିଲି ହୋଇ ହସି ଉଠିଲା ।

 

ତୁମେ ହସୁଛ !

 

ତୁମ ତ ପ୍ରେମ କରିବ, ମୁଁ କାହିଁକି କାନ୍ଦିବି ମ ?

 

ମୋର ପଛକେ କଣ ହୋଇଯାଉଛି, ଆଉ ତୁମକୁ ହସ ମାଡ଼ୁଛି ?

 

କାହା ପାଇଁ କଣ ହୋଇଯାଉଛି ତୁମର ..?

 

ତୁମରି ପାଇଁ..

 

ମୋ ପାଇଁ ? ମୁଁ କଣ କଲିକି ?

 

ତୁମେ ପୁଣି କଣ କଲ ବୋଲି ପଚାରୁଛ । ତୁମେ ଯାହା କରୁଛ ସେଇଥିପାଇଁ ତ ମୋତେ ବାହାର ଆଡ଼େ ପ୍ରେମ କରିବାକୁ ପଡ଼ିଲାଣି ।

 

କରୁନା, ମୁଁ କଣ ମନା କରୁଛି କି ?

 

ତେବେ କହିଲି, କଣ ଲେଖିବି- ?

 

ତୁମେ ତ ପ୍ରେମ କରିବ, ମୁଁ କଣ କହିବି ବା ?

 

ଆରେ କୁହନା, କଣ ବୋଲି ଆଗେ ଆରମ୍ଭ କରିବି ?

 

ଉଁ, ମୋତେ ଆସେନାହିଁ କି, ଗୋସେଇଁ ଶିଖାଇନାହାନ୍ତି । ନିରୂପମା ମୁହଁ ମୋଡ଼ିଦେଇ ଚାଲିଗଲା ।

 

ଆଚ୍ଛା, ଏଇ କଥା ନା ? ଚିଠିଟା ଲେଖି ସାରିଲେ ତୁମେ କିନ୍ତୁ ପଢ଼ି ପାରିବ ନାହିଁ ।

 

ତୁମ ଚିଠି ତୁମ ପ୍ରେମିକା ପଢ଼ିବେ ନା, ମୁଁ କାହିଁକି ପଢ଼ିବି ମ ? ତୁମେ ତ ଆଜିକାଲି ବେଶ୍ ଉତ୍ତର ଦେଇ ଶିଖିଲିଣି.. ବେଶ୍, ବେଶ୍, ଗୋଟାଏ ପୁରସ୍କାର ନ ଦେଲେ ମନଟା ସମ୍ଭାଳି ହେଉନାହିଁ । ଦେଖିଲି ଚାରୁ ମୋର ବଡ଼ପୁଅ ବାହାରେ ଅଛି । ମୁଁ ନିରୂପମା ନିକଟକୁ ଉଠିଗଲି । ସେ ଧାଇଁ ଧାଇଁ ତକିଆ ତଳେ ମୁହଁ ଲୁଚାଇ ପଡ଼ିଗଲା । ମୁଁ ନିରସ୍ତ ହୋଇ ଫେରିଲି ଟେବୁଲ ପାଖକୁ ଚିଠି ଲେଖିବି ବୋଲି । ଝିଅଟି ମଧ୍ୟ ବାରଣ୍ଡାରେ ଖେଳୁଥାଏ । ନିରୂପମା ପଦାକୁ ଆସି ଡାକ ଛାଡ଼ିଲା- ପ୍ରେମିକ ମହାଶୟ, ଟିକେ ଶୀଘ୍ର ପ୍ରେମ ଚିଟାଉ ଲେଖା ଶେଷ କରି ଖାଇ ବସିବେ-?

 

ଦୁଇଟି ସନ୍ତାନର ଜନନୀ ହେଲେ ମଧ୍ୟ ବାସର-ଶେଯର ସେହି ନବବୟସୀର ଚାରୁଚପଳତା ଟିକକ ଏବେ ମଧ୍ୟ ମୁଁ ନିରୂପମାର ଚାହାଣୀ, ଠାଣି ଓ ସୁଗୋଲ ଗଣ୍ଡ ଉପରେ ଖୋଜିଲେ ପାଏ । ନିରୂପମା ସହିତ ଧରାପରା, ହସଖେଳାଇ ଲଘୁ ଆମୋଦ ଭୁଲି ମୋ କାମରେ ମନଦେଲି । କଣ ଲେଖିବି ଚିଠି ? ବଡ଼ ବିପଦରେ ପଡ଼ିଲା ମଣିଷ ଏ ଯଚି ପାଇଁ । କୁଳଙ୍ଗାରଟାଏ.. କେତେ କଟାକଟି, ଚିରାଚିରି ପରେ ଶେଷକୁ ଲେଖିଲି । ଲେଖା ସରୁ ନସରୁଣୁ ନିରୂପମା ମୋ ହାତରୁ ଛଡ଼ାଇ ନେଇ ପଢ଼ିବାକୁ ଆରମ୍ଭ କରିଦେଲା ହସି ହସି –

 

ଶ୍ରୀମତୀ.. !

 

ପନ୍ଦର ଦିନ ତଳେ- ଦିନେ ସକାଳେ ବିଛଣାରୁ ଉଠି ପାଖ ଝରକା ଖୋଲିଦେଲା ବେଳକୁ ଅଦୂରରେ ପାଣି କଳ ପାଖରେ ତୁମକୁ ଦେଖିଲି । ଆଖପାଖରେ କେହି ଉଠି ନଥିଲେ । ଝରକା ଖୋଲା ଶବ୍ଦରେ ଚମକି ପଡ଼ି ତୁମେ ଚାହିଁଲ ମୋ ଆଡ଼କୁ- ରାତ୍ରିର ଶେଷ ବିଦାୟ ସ୍ପର୍ଶରେ ପ୍ରଭାତ କୁମାରୀ ବୁକୁରେ ଚମକ ଲାଗିଲା ପରି । ମୁଁ ତ ଆଗରୁ ତୁମଙ୍କୁ ଚାହିଁ ରହିଥିଲି- ମୋ ଚାହାଣୀରେ ତୁମ ଚାହାଣୀ ଧକ୍କା ଖାଇଲା । କେବଳ ସେତିକି ନୁହେଁ, ତୁମର ସେହି ଚାହାଣୀ ଖଣ୍ଡିକ ମୋ ବୁକୁ ଭିତରେ ମଧ୍ୟ ଦାରୁଣ ଧକ୍କାଟିଏ ଦେଲା । ସେଦିନ ବେଶ୍ ସେତିକି..

 

ଆଚ୍ଛା, ପ୍ରଭାତକନ୍ୟା ! ଏହି ପନ୍ଦର ଦିନ ଭିତରେ ମୁଁ ଦେଖୁଛି ତୁମେ ମୋତେ ଅତିଷ୍ଠ କରିସାରିଲଣି । ଭାବେ, ଏଡ଼େ ସୁନ୍ଦରୀ କରି ତୁମଙ୍କୁ ଯେ ଗଢ଼ିଛି ସେ କଣ ଖାଲି ମୋରି ମନକୁ ଜଳାଇ ପୋଡ଼ାଇ ମାରିବାକୁ ?

 

ତୁମକୁ ତ ଆଗରୁ ଦେଖିନଥିଲି.. ଲକ୍ଷ କରିଛି, ତୁମେ ମୋ ଆଡ଼କୁ ଫେରି ଫେରି ଅନେକ ଥର ଅନାଇଛ । ମୋ କଥା ତ କହିବାର ନୁହେ । ଏହି ବାରମ୍ବାର ଦେଖାଦେଖି ଭିତରେ ସେଦିନ ସନ୍ଧ୍ୟାରେ ତୁମେ ହସି ପକାଇଲ । ମୁଁ ବି ତୁମ ସହିତ ହସିଲି । ତୁମ ମନରେ କଣ ଭାଉଛ ମୋ କଥା, ମୁଁ ତ ଜାଣିନି ବରଂ ଏ ଛୋଟ ଚିଠିଟି ଲେଖି ମୋ ମନର ଅବସ୍ଥା ତୁମକୁ କହି ନଦେଇ ଥୟ ହୋଇ ପାରିଲି ନାହିଁ । କଥାବାର୍ତ୍ତା କରି ଅନେକ କିଛି ଜାଣିବାକୁ ମନ ହେଉଛି । ମୋ ପରି ତୁମେ ମଧ୍ୟ ଯେପରି ଚାହୁଁଛ ସେଥିରୁ ଅନୁମାନ କରୁଛି ତୁମେ କିଛି ଭାବୁଛ କିମ୍ବା ନିଶ୍ଚେ କିଛି ନା କିଛି କହିବାକୁ ଇଚ୍ଛା ପ୍ରକାଶ କରୁଛ । ମୋର ଏହି ସରଳ କଥା କେଇପଦ ବୁଝିବାରେ ଭ୍ରମ କରିବ ନାହିଁ-। ଅନ୍ତତଃ ଅଭଦ୍ର ବୋଲି ନ ଭାବି ଖଣ୍ଡେ ଛୋଟ ଉତ୍ତର ଦେବ । ତାହେଲେ ଆମେ ଦୁହେଁ ଦୁହିଁଙ୍କ ପାଖରେ ପରିସ୍କାର ହୋଇଯିବା ଓ ତେଣିକି ସ୍ୱଚ୍ଛନ୍ଦରେ ନିଜ ନିଜ ବାଟରେ ଚାଲିପାରିବା । ମୁଁ କିନ୍ତୁ ତୁମର ସ୍ୱର୍ଗୀୟ-ସୁଷମାଭରା ମୁଖମଣ୍ଡଳଟି ଭୁଲି ପାରିବି ନାହିଁ । ତୁମେ ଗାଳିଦେବ, ଦିଅ, କିନ୍ତୁ ସୁନ୍ଦର ଜିନିଷଟିଏ ଦେଖିଲେ ଯଦି ଲୋଭ ହୁଏ, ତେବେ ସେଟା ଖାଲି ମୋର ଦୋଷ ନୁହେ, ବୋଧହୁଏ ମଣିଷ ପ୍ରକୃତିର । ଉତ୍ତର ଖଣ୍ଡେ ଦେବା ପାଇଁ ନିଷ୍ଠୁର ଆଚରଣ କରିବ ନାହିଁ । ଇତି ।

 

ତୁମର

ରୂପଭିଖାରୀ

 

ଏଁ, ଏ ରୂପଭିଖାରୀଟି କିଏମ ?

 

ଯଚି ।

 

‘‘ହୁଁ.. ନଟ ସୁନ୍ଦର ହେ, ନ ଜାଣ କେତେ ହୁନ୍ଦର.. ତୁମ ସାଙ୍ଗ ତ ? ଠିକ୍ ତୁମେ ଯେମିତି, ତୁମ ସାଙ୍ଗ ମଧ୍ୟ ସେମିତି ।’’ ଏକ ଦୀର୍ଘ ନିଶ୍ୱାସ ସହ ମନ୍ତବ୍ୟ ପ୍ରକାଶ କରି ନିରୂପମା ମୋ ହାତକୁ ଚିଠିଟି ବଢ଼ାଇ ଦେଲା । ତାର ମୁଖଭଙ୍ଗୀ ଦେଖି ନ ହସି ରହିପାରିଲି ନାହିଁ ।

 

ତହିଁ ଆରଦିନ ଦେଖିଲି ଯଚି ଚିଠିଟା ପଢ଼ି ବେଶ୍ ପ୍ରୀତ ହୋଇଛି । ଜୀବନରେ ଯିଏ ଏପରି ନିରୋଳ ପ୍ରେମ କରିନାହିଁ ତା ହାତଲେଖା ଚିଠିରେ ଯଚି ପରି ପ୍ରେମିକ ଯଦି ସନ୍ତୁଷ୍ଟ ହୁଏ, ତେବେ ସେ ପ୍ରେମିକ ଧନ୍ୟ କି ମୁଁ ଧନ୍ୟ ତାହା ସ୍ଥିର କରିପାରିଲି ନାହିଁ । ଉତ୍ତର ପାଇଲେ ନେଇ କରି ଆସିବ କହି ଯଚି ଚାଲିଗଲା ।

 

ଅଠର

 

ଆଠ ଦଶ ଦିନ ପରେ ଯଚି ଫେରିଲା । ପଚାରିଲି-‘‘କିରେ ତୋର ପ୍ରେମ ଅଭିଯାନ କେତେ ଦୂର ? ଚିଠିର ଉତ୍ତର ଆସିଲା ?’’

 

ହସି ହସି ଯଚି କହିଲା- ‘‘ଆସିବ ନାହିଁ ? ଏଇ ନେ ନା’’ ପେଟ ଭିତରେ ତାର ଯେତେ ଆନନ୍ଦ ଉଚ୍ଛୁଳି ଉଠୁଥିବ ବୋଲି ଆଶା କରୁଥିଲି, ତା ମୁହଁରେ ଦେଖିଲି ନାହିଁ । ବଡ଼ ଆଶ୍ଚର୍ଯ୍ୟ ଲାଗିଲା ମୋତେ ଉତ୍ତର ଆସିଛି ଶୁଣି । ଚିଠିଟି ନପଢ଼ି ଫେରାଇ ଦେଲି । ୟା ଭିତରେ ମୋର ହିଂସା ହୋଇ ନଥିଲା ବୋଲି ଦମ୍ଭର ସହିତ କହିପାରୁ ନାହିଁ । ତାପରେ ଯଚିପରି ବଜାରୀ, ଛତରା ସହିତ ପ୍ରେମ ପତ୍ର ଲେଖି ପ୍ରେମ କରିବା ଓଡ଼ିଆ ଘରର ଝିଅ ମଧ୍ୟ ଅଛନ୍ତି ! ହାୟରେ ହତଭାଗ୍ୟ ଦେଶ !!

 

ଯଚି କହିଲା- ପଢ଼ୁ ନାହୁଁ ?

 

କହିଲି- ତୋ ପ୍ରେମିକାର ପତ୍ର ପଢ଼ିବା ମୋ ପକ୍ଷରେ ନିତାନ୍ତ ଅନୁଚିତ ଭାଇ । ଯଦି ନିତାନ୍ତ ଶୁଣାଇବାକୁ ଚାହୁଁ ତେବେ ଯେଉଁ ଅଂଶଟା ମୋର ଶୁଣିଲେ ଚଳିବ ଖାଲି ସେତିକି ପଢ଼ି ଶୁଣେଇ ଦେ’ । ତୁମ ଭିତରେ ହୁଏତ କେତେ ପ୍ରାଣ ଦିଆନିଆ ବିଷୟ ଲେଖାଥିବ । ତାପରେ ତୋ ପ୍ରେମିକାର ଚାହାଣୀ ତୋ ବୁକୁରେ ଯେଉଁ ଦାରୁଣ ଧକ୍କା ମାରିଛି, ଏବେ ଯଦି ତା କାହାଣୀ ଆସି ମୋ ବୁକୁରେ ବି ଗୋଟାଏ ବିଷମ ଧକ୍କା ବଜାଏ ତେବେ ତ ମୁଁ ଏକ ତାନେ ବୋକାଙ୍କ ପରି ଥକ୍କା ମାରି ବସିଯିବି । କହିଲା- ‘‘ଭାରିତ ଗୋଟାଏ ଢଙ୍ଗ କାଢ଼ିଲା ଆଉ ? ପଢ଼ନା, ପୁଣି ପରା ତୋତେ ଉତ୍ତର ଦେବାକୁ ପଡ଼ିବ ?’’ ବାଧ୍ୟ ହୋଇ ପଢ଼ିଲି-

 

ମହାଶୟ,

ଆପଣଙ୍କ ଚିଠିଟା ଭାଗ୍ୟବଶତଃ ମୋ ହାତରେ ହିଁ ପଡ଼ିଲା, ନ ହେଲେ ଏତେବେଳକୁ ମୋ ଆଶ୍ରୟଦାତାମାନଙ୍କ ଦ୍ୱାରା ମୋର ଯେଉଁ ଦୁରାବସ୍ଥା ହୋଇ ସାରନ୍ତାଣି, ତାହା କଥାରେ କହି ହୁଅନ୍ତା ନାହିଁ । ଥରେ ଦୁର୍ଗାପୂଜାରେ ‘ଛନ୍ଦମହଲ’ ପେଣ୍ଡାଲରେ ଥିଏଟର ଦେଉଥିଲା । ସେଥିରେ ଜଣେ ଯେଉଁ ଜୋକର ପାର୍ଟ କରିଥିଲା ତା ମୁହଁର ଆକୃତି ଠିକ୍ ଆପଣଙ୍କ ମୁହଁର ଆକୃତି ପରି । ସେଥିପାଇଁ ମୁଁ ବାରମ୍ବାର ଅନାଉଥିଲି । କିଛି ଦିନ ପରେ ନିଶ୍ଚିତ ରୂପେ ମନେହେଲା ଆପଣ ନିଶ୍ଚେ ସେହି ଲୋକ ହେବେ । ପେଣ୍ଡାଲ ଉପରେ ଅଭିନୟ ମନେ ପଡ଼ିଯିବାରୁ ହସି ପକାଇଲି । ଏହାଛଡ଼ା ଅନ୍ୟ କୌଣସି ଚିନ୍ତା ମୋ ମନରେ ନାହିଁ । ମୋ କଥା ବୋଧହୁଏ ଆପଣଙ୍କ ନିକଟରେ ପରିସ୍କାର ହୋଇଗଲା ।

 

ମୋ ମୁହଁର ସ୍ୱର୍ଗୀୟ ସୁଷମାର ଯେଉଁ ପ୍ରଶଂସା କରିଛନ୍ତି ସେଥିପାଇଁ ଧନ୍ୟବାଦ । ସୁନ୍ଦର ଜିନିଷଟିଏ ଦେଖିଲେ ଯେଉଁମାନେ ଲୋଭ କରନ୍ତି ସେମାନେ ତତ୍‍ସଙ୍ଗେ ପାପ ମଧ୍ୟ କରନ୍ତି । ଲୋଭରୁ ପାପ ଓ ପାପରୁ ମୃତ୍ୟୁ ହୁଏ ବୋଲି ଜାଣିଥିବେ । ଏହା ଭାବି ଦୟାକରି ଆପଣ ଆପଣଙ୍କ ରାସ୍ତାରେ ସିଧାସିଧା ଚାଲିବେ । ଚିଠିଟା ପଢ଼ି ନହସି ରହିପାରିଲି ନାହିଁ । କହିଲି- ନିଅନ୍ତୁ ଜୋକର ମହାଶୟ ! ଧରନ୍ତୁ ଚିଠିଟା, ଆଉ ଧରନ୍ତୁ ଆପଣଙ୍କର ସିଧା ରାସ୍ତା । ମନେ ରଖନ୍ତୁ ଏଇଟା ପେଣ୍ଡାଲ ନୁହେଁ, ଅଫିସ୍ ।

 

ଯଚି କହିଲା-‘‘ ୟାର ଉତ୍ତର ବି ଲେଖିଦେବୁ କାଲି ।’’

 

ଆଶ୍ଚର୍ଯ୍ୟରେ କହିଲି- ନେଃ, ଏହାର ପୁଣି କି ଉତ୍ତର ଦେବାକୁ କହୁଛୁ ?

 

ବାଃ, ଉତ୍ତର ହେବନାହିଁ ଗୋଟାଏ କିଛି ? ତୁଟା ଏଡ଼େ ବୋକା ବୋଲି ଜାଣି ନଥିଲି । ବୁଝି ପାରୁନୁ ? ଟୋକିଟା ଭାରି ସିଆଣି ହେବ । କିପରି ବଞ୍ଚେଇ ବଞ୍ଚେଇ ଲେଖିଛି । ମୋତେ ବାରମ୍ବାର ଅନାଇବା କଥାରେ ଯେଉଁ ହାତ ସଫେଇ ଦେଖାଇଛି ତାହା ମୁଁ ମାନୁଛି । ହୁଏତ ଦେଖିଥାଇ ପାରେ ସେ ମୋତେ ପେଣ୍ଡାଲରେ । ମୋ ମୁହଁଟା ଦେଖିଲେ ନ ହସେ ପୁଣି କିଏ ? ମାତ୍ର ଶେଷ ଆଡ଼କୁ କିପରି ବୁଦ୍ଧିର ଚାତୁରୀ ଖେଳାଇଛି ପଢ଼ୁନୁ ? ‘ଲୋଭରୁ ପାପ, ପାପରୁ ମୃତ୍ୟୁ’ ତାପରେ‘‘ ଆଉ ଚିଟିଫିଟି ଦେବନାହିଁ’’ ବୋଲିତ ଲେଖିନାହିଁ । ଆଉ ଖଣ୍ଡେ ଚିଠି ଦେଇ ପରିଚୟ ମାଗିଲେ କ୍ଷତି କଣ ? ଯଚି କଥା ଶୁଣି ଆକାଶରୁ ପଡ଼ିଲି । ପିଲାଟି ଯେ ତାକୁ ନ ଶୋଧି ଭଦ୍ରାମିକୁ ରକ୍ଷା କରି ଉତ୍ତର ଦେଇଛି, ଏତିକି ଯଚିର ଭାଗ୍ୟ ବୋଲି ମୁଁ ମନେ କରୁଥିଲି । କିନ୍ତୁ ଯଚି ଯେ ଏଡ଼େ ଅଭଦ୍ର ହେବ ମୁଁ ବିଶ୍ୱାସ କରୁନଥିଲି । ଯଚି ପରି ଲୋକ ହାତରୁ ମୋର ତ୍ରାହି ନାହିଁ । ଯଚିର ନବନାୟିକାର ‘ଲୋଭ, ପାପ, ମୃତ୍ୟୁ’ ଏ କେତୋଟି କଥା କାନମୂଳେ ମୋର କିପରି ଏକ କୌତୁହଳ ପୁଣି କିପରି ଏକ ପ୍ରେରଣା ଉତ୍ପନ୍ନ କରୁଥିଲା । ଅନ୍ତର ଯେପରି କହି ଉଠୁଥିଲା ତୁମ ପ୍ରେମ ଓ ସୌନ୍ଦର୍ଯ୍ୟର ଅସୀମ ସିନ୍ଧୁତଟର ନିର୍ଜନ ବେଳାଭୂମିରେ ଶୂନ୍ୟ ପ୍ରାଣ ମୋର କାନ୍ଦି ଉଠିଛି ହେ ପ୍ରେମମୟୀ ! ଏପରି କାନ୍ଦି କାନ୍ଦି ଝୁରିବା ଅପେକ୍ଷା ସେହି ଉତ୍‍ଥଳ ସଲିଳ ଗର୍ଭରେ ଝାସ ଦେଲେ ହିଁ ମୋର ପରମ ସୌଭାଗ୍ୟର ଚରମ ପରିଣତି ହୋଇ ପାରିବ । ଯଚିର ପରିବର୍ତ୍ତୀ ଚିଠିର ଆତ୍ମପ୍ରକାଶ ଏହିପରି ଭାବରେ ହେଲେ ହିଁ ମୋର ପରମ ସୌଭାଗ୍ୟର ଚରମ ପରିଣତି ହୋଇପାରିବ । ଯଚିର ପରବର୍ତ୍ତୀ ଚିଠିର ଆତ୍ମପ୍ରକାଶ ଏହିପରି ଭାବରେ ହେଲେ ବୋଧହୁଏ ଭଲ ହୁଅନ୍ତା । ମାତ୍ର ଯଚିକୁ ଦୁଇଟା ଚଟକଣା କଷି ନଦେଇ ମୁଁ ପୁଣି ଯେ କିପରି ଚିଠିର ଲେଖିବାକୁ ରାଜି ହେଲି କହିପାରୁନାହିଁ । ବୋଧହୁଏ ମଜ୍ଜା ଦେଖିବାର ଗୋଟାଏ ଅଦମ୍ୟ କୌତୁହଳ ଜାତ ହୋଇଥିଲା ମୋ ଭିତରେ ।

 

ଉଣେଇଶ

 

ଏହା ଭିତରେ ଆଉରି ଚାରି ଛଅ ମାସ ବିତିଗଲାଣି । ଯଚି ପ୍ରେମପଥରେ ଆଗେଇ ଚାଲିଛି । ମୁଁ ପ୍ରାୟ ଆଠ ଦଶ ଖଣ୍ଡି ଚିଠି ଲେଖି ସାରିବିଣି । ମାତ୍ର ପ୍ରଥମ ଚିଠିର ଉତ୍ତର ପାଇଲା ବେଳକୁ ଯେଉଁ ବାଳିକାଟିକୁ ଅତି ସମ୍ଭାନ୍ତ ବୋଲି ଭାବୁଥିଲି ସେ ଯେ ଯଚି ହୃଦୟର କି ପରିଚୟ ପାଇ ଧୀରେ ଧୀରେ ଢଳିଯାଉଛି ମୁଁ କିଛି ବୁଝିଲି ନାହିଁ ।

 

ମୋତେ ପୁଣି ଛୁଟିରେ ଯିବାକୁ ପଡ଼ିଲା । ଏଣେ ନିରୂପମା ଜିଗର ଲଗାଇଲା, ତେଣେ ପୁଣି ବାପା, ଆମ ନୂଆ ବାଡ଼ିରେ ଘର ତିଆରି କରିବା ଆୟୋଜନ ଲାଗି ମୋତେ ବାରବାର ଡାକି ପଠାଇଲେ । ନିରୂପମାର ଜିଗର ସେ ଏ ବର୍ଷ ଗ୍ରାମରେ ହିଁ ଦୋଳ ଉତ୍ସବ ଦେଖିବେ । ବହୁତ ଦିନ ହେଲା ଦେଖିନାହିଁ ।

 

ମୁଁ ଛୁଟିପାଇଁ ଦରଖାସ୍ତ କଲି । ଛୁଟି ମଞ୍ଜୁର ହେଲା । ବିଦେଶରୁ ଘରକୁ ଯିବାର ପ୍ରସ୍ତାବ, ଛୁଟି ପାଇଁ ଦରଖାସ୍ତ ଦେବା, ଲୁଗାପଟା କିଣା ଓ ଅନ୍ୟାନ୍ୟ ଆୟୋଜନ କରିବା, ଋଣ ପାଇଁ କ୍ରେଡିଟ୍ ସୋସାଇଟି ଅଫିସରେ ଦରଖାସ୍ତ କରିବା, ଋଣ ମଞ୍ଜୁର ହେବା ଇତ୍ୟାଦି ଇତ୍ୟାଦି ଆନୁଷଙ୍ଗିକ ଉଦ୍‍ଯୋଗ ଭିତରେ ଯଚି ସାଙ୍ଗରେ ମୋର ଆଉ ଭେଟ ହୋଇନାହିଁ । ତେବେ ମୁଁ ଯେଉଁ ଚିଠିଗୁଡ଼ିକ ଲେଖିଲି ସେଗୁଡ଼ିକ ନିରର୍ଥକ ହେଲା ନାହିଁ । ଏଥିପାଇଁ ହିଁ ମୋର ଆନନ୍ଦ ବେଶୀ । ସେ ଝିଅଟି ଯଚିକୁ ପେଣ୍ଡାଲ ଉପରେ ଦେଖି ଯେଉଁ ହେୟଜ୍ଞାନ କରିଥିଲା, ଏ ଚିଠିଗୁଡ଼ିକରୁ ତା ହୃଦୟ ଭିତରେ ବାସ କରୁଥିବା ପ୍ରକୃତ ମନୁଷ୍ୟ ସତ୍ତାର ପରିଚୟ ପାଇ ତଥା ନିଜର ଦୂରତିକ୍ରମଣୀୟ ପରିସ୍ଥିତିର ଆଶୁ ପ୍ରତିକାର ପାଇଁ, ତାର ଅକଥନୀୟ ବ୍ୟାକୁଳତା ଲାଘବ କରିବା ପାଇଁ ତାକୁ ବିବାହ କରିପାରିବ ବୋଲି ମତ ଦେଇସାରିଲାଣି । ଆଉ ଯଚି ପାଖପଡ଼ିଶା ଭିତରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ସହିତ ବନ୍ଧୁତା କରି ଓ ତାଙ୍କୁ ମଧ୍ୟସ୍ଥ କରି ପିଲାଟିର ଅଭିଭାବକଙ୍କ ନିକଟରେ ସମ୍ବନ୍ଧ ପକାଇବା ସକାଶେ ଅନୁରୋଧ ମଧ୍ୟ କଲାଣି ।

 

ଏତିକି ବେଳେ ମୁଁ ଯାଉଛି ଛୁଟିରେ । ଅପରିସୀମ ତୃପ୍ତିରେ ମୋ ଅନ୍ତର ଭରିଯିବା କଥା, ମାତ୍ର କିପରି ଗୋଟାଏ ହିଂସା ଯେମିତି ପଳ ପଳ କରି ହୃଦୟ ଭିତର ମୋର ଚର୍ବଣ କରିଯାଉଛି । ଯଚି, ତାର ପ୍ରେମିକା ଏ ସମସ୍ତଙ୍କୁ ଛାଡ଼ି କିଛିଦିନ ପାଇଁ ଛୁଟି ନେଇ ମୁଁ ଜାମସେଦପୁର ଛାଡ଼ିଲି । ନିଶ୍ଚିତ ରୂପେ ବିଶ୍ୱାସ କଲି ଯେ, ଯଚି ପାଇଁ ପ୍ରେମ ଚିଠି ଲେଖାର ପର୍ବ ମୋର ଆଜିଠାରୁ ଜାଣି ଶେଷ ହେଲା ଓ ଯଚି ମଧ୍ୟ ଅନେକ ଦୂରେଇ ଗଲା ମୋଠାରୁ ।

 

Unknown

କୋଡ଼ିଏ

 

ପାରିବାରିକ ଦୁଃଖ ଧନ୍ଦା ଭିତରେ ମୁଁ ବଡ଼ ବ୍ୟସ୍ତ ହୋଇ ପଡ଼ିଛି । ଦୁଇମାସ ଫର୍ଲୋ ଲିଭ୍‍ରୁ କୋଡ଼ିଏ ପଚିଶ ଦିନ ପ୍ରାୟ ବ୍ୟୟିତ ହୋଇଗଲାଣି । ହଠାତ୍ ଦିନେ ଯଚିର ଚିଠି ପାଇଲି । ଚିଠି ଭିତରେ ନିମନ୍ତ୍ରଣ କରିଛି ତା ବିବାହରେ ଯୋଗ ଦେବା ପାଇଁ ।

 

ଯଚି ବିଭା ହେଉଛି ‘ଫୁଲ’ ସହିତ । ତାର ପ୍ରେମିକା । ଚିଠିରୁ ଜାଣିଥିଲି ଫୁଲ ବୋଲି । ଅସଲ ନାଁ ତା’ ହୋଇପାରେ ଆଉ ନହୋଇ ବି ପାରେ । ପ୍ରେମପତ୍ର ଭିତରେ ଦେବା ପାଇଁ ହୁଏତ ମନଗଢ଼ା ନାଁ ବି ହୋଇପାରେ । ସେ ଯାହା ହେଉ ସେ ବିଷୟ କିଛି ଲେଖା ନଥିଲା । କିନ୍ତୁ ଯଚି ଦୁଃଖ କରି ଲେଖିଥିଲା ଯେ, ମୁଁ ଛୁଟିରେ ଆସିବା ଆଗରୁ ତାକୁ ନ କହିଲି କିପରି ? ସେ ଯାହା, କଦାପି ତା ବିଭାଗର ପୂର୍ବରୁ ଛୁଟି ଦେଇନଥାନ୍ତା ବୋଲି ଲେଖିଥିଲା- ତାହା ସତ । ମାତ୍ର ଯଚି ପରି ସାଙ୍ଗଟାଏ ପାଇ, ମୁଁ ନିଜକୁ ଏତେ ଧନ୍ୟ ମନେ କରୁନଥିଲି ଯେ, ମୋ ପାରିବାରିକ ଅବସ୍ଥା ଦୃଷ୍ଟିରୁ ଛୁଟିର ତାରିଖ ଘୁଞ୍ଚାଇ ତା ବିଭାଘରରେ ଯୋଗ ଦେବା ପାଇଁ ରହିଥାଆନ୍ତି । ତଥାପି ସେ ଜଣେ ମୋର ସାଙ୍ଗ । ତାର ଚରିତ୍ର ଓ ଦୃଷ୍ଟିଭଙ୍ଗୀ ନିର୍ବିଶେଷରେ ତା ବିଭାଘରରେ ଯୋଗ ଦେବା ପାଇଁ ଜୋର ଜବରଦସ୍ତି କରିଥିଲେ ମୋତେ ନିଶ୍ଚେ ଛୁଟି ଘୁଞ୍ଚାଇବାକୁ ପଡ଼ିଥାଆନ୍ତା ଏ କଥା ମୁଁ ଅସ୍ୱୀକାର କରିପାରିବି ନାହିଁ । ସେ ମୋ ନିକଟରେ କରୁଣାର ପାତ୍ର ।

 

ସେ ଯାହା ହେଉ ମୁଁ ତା ବିଭାଘରେ ଯୋଗ ଦେଇ ପାରିଲି ନାହିଁ । ଯୋଗ ଦେବା କଥାଟା ଉପରେ ଏତେ ଗୁରୁତ୍ୱ ମଧ୍ୟ ଦେଲିନାହିଁ । ସବୁ ଜାଣିଥିଲେ ମଧ୍ୟ ଯଚିର ଯେ ସତକୁ ସତ ବିଭା ହେଉଛି ମୋତେ ଯେପରି ଅଲିଭା କଥାଟା ପରି ଲାଗିଲା । ନିରୂପମା ବାପା ଘରେ । ଚାରୁଚନ୍ଦ୍ର ଓ ମଞ୍ଚୁ ଏ ଭାଇ ଭଉଣୀ ଦୁହେଁ ମଧ୍ୟ ତାଙ୍କ ମା ସହିତ ମାମୁ ଘରେ । ପାଖରେ ଥିଲେ ନିରୂପମାକୁ ଏ ବିବାହ ନିମନ୍ତ୍ରଣ କଥା ସଙ୍ଗେ ସଙ୍ଗେ କହି ପକାଇଥାଆନ୍ତି । କଣ ମନେ କରିଥାଆନ୍ତା ସେ- କହିଥାନ୍ତା, ‘‘ତୁମେ ତ ଆଚ୍ଛା ପ୍ରେମପତ୍ର ଲେଖିଲ ହୋ !!! ’’

 

ଦୁଇମାସ ଛୁଟୀ ପରେ ମୁଁ ପୁଣି ମାସେ ଅଧିକା ଛୁଟି ନେଲି । ଘରକାମ ଯେତେଦୂର ହେବା କଥା ତା ହୋଇପାରି ନଥିଲା, ମୂଲିଆ ଅଭାବରୁ । ଇଏ ହେଲା ଗୋଟାଏ କାରଣ, ଦ୍ୱିତୀୟ କାରଣ, ବୋଉ କହିଲା-‘‘ତୁମେ ସବୁ ଏ ଗରମ ଦିନଟା ଟପେଇ କରିଯାଅ । ଟାଟାରେ ଯାହା ଗରମ ହୁଏ, ପିଲାଗୁଡ଼ାଙ୍କୁ ନେଇ ଦହଗଞ୍ଜ କରିବୁ କାହିଁକି ? ନହେଲେ ଏମାନେ ଯିବେ ଅର୍ଥାତ ରଜ ଗଲେ ଯିବେ ।’’ ରଜ ଗଲେ ଏମାନେ ଯିବେ ଅର୍ଥାତ୍‍ ରଜ ଗଲେ ମୁଁ ପୁଣି ଥରେ ଛୁଟି ନେଇ ଆସି ଏମାନଙ୍କୁ ନେଇଯିବି । ଅଯଥା ଗାଡ଼ି ଖର୍ଚ୍ଚ ବ୍ୟତୀତ ଅନ୍ୟ କିଛି ନୁହେଁ । ତା ପରେ ତୃତୀୟ କାରଣ ହେଲା, ଏଥର ଗାଆଁକୁ ଆସି ତାଙ୍କ ଘର ଆଡ଼େ ଜମା ଯାଇନାହିଁ- ଶ୍ୱଶୁର ଘରଆଡ଼େ । ନିରୂପମା ମନକଷ୍ଟ କରୁ କି ନକରୁ ଶାଶୁ ନିଜେ ମନକଷ୍ଟ କରିବେ । ଶଳା ଭାଉଜ ମଧ୍ୟ କମ୍ ଖୁଣ୍ଟା ଦେବେ ନାହିଁ । ତାପରେ ଥରେ ଗଲେ ଦିନେ ଦୁଇଦିନକେ ନ ଫେରେ । ମୋ ଶ୍ୱଶୁର ଯେ ଭାରି ଖାଇଲା ବାଲା, ଗଲେ ତ କଥା ଛାଡ଼, ଭଲ ଭଲ ଜିନିଷ ଆଣି ଗଦା କରିବେ । ଆଜି କଥା, କାଲି ସେ କଥା, ଦୁନିଆରେ ଯେପରି ଭଲ ଭଲ ସୁସ୍ୱାଦୁ ଜିନିଷ ଖାଇବା ଛଡ଼ା ଅନ୍ୟ କୌଣସି ସମ୍ଭୋଗ ନାହିଁ ତାଙ୍କ ମତରେ । ଆଠଦଶ ଦିନରୁ କମରେ ତାଙ୍କ ଘରୁ ବିଦାୟ ନେବାର ଯୁ ନାହିଁ । କହିବେ- କୋଉ ସବୁଦିନେ ଆସୁଛନ୍ତି.. ନା ପାଖରେ ଅଛନ୍ତି । ଥରେ ଗଲେ ତ ପୁଣି ବର୍ଷେ ଦେଢ଼ବର୍ଷ ।

 

ସବା ଶେଷରେ ନିରୂପମା କହେ, ଏଥର ପୁରୀ, ଭୁବନେଶ୍ୱର ଓ କୋଣାର୍କ ଏ ତିନିଟା ଯାଗା ସେ ଦେଖିବ ହିଁ ଦେଖିବ । ବହୁତ ଦିନରୁ ଲଗାଇଛି । ମାତ୍ର ତାର ଏ ଅଳି ପୂରଣ ହୋଇନାହିଁ । କିରାଣୀବାବୁଙ୍କ ଜୀବନରେ ମାସେ ଦୁଇମାସ ଛୁଟି ନେଇ ସସ୍ତ୍ରୀକ ତୀର୍ଥ ଦର୍ଶନ ଯେପରି ସହଜ କଥା, ନିରୂପମା ତାହା ଜାଣେ । ତେଣୁ ସେ ଭାବିଥିଲା, ତା ବାପଘର ତରଫରୁ ଏ ଯାତ୍ରାର ଆୟୋଜନ କରିବ ଓ ତାଙ୍କୁ ଜିଦ୍ ଧରି କହିବ ଯେ, ଆମ ସହିତ ଜ୍ୱାଇଁଙ୍କୁ ମଧ୍ୟ ଯିବା ପାଇଁ ଅନୁରୋଧ କର ବୋଲି ।

 

ସେ ତାହା କରାଇପାରେ ଓ ସେମାନେ ଏପରି ଅନୁରୋଧ କଲେ ମୁଁ ଯଦି ଆତ୍ମସମ୍ମାନ ରକ୍ଷା କରିନଯାଏ, ତେବେ ବାସ୍ତବିକ ଶ୍ୱଶୁରଙ୍କ ମନରେ ଦୁଃଖ ହେବ । ଏସବୁ ବିଷୟ ଭାବିଚିନ୍ତି ମୋତେ ଅଧିକା ମାସେ ଛୁଟି ନେବାକୁ ପଡ଼ିଲା ।

 

ଅଧିକା ଛୁଟିରୁ ପନ୍ଦରଦିନ ଗତ ହେବା ପରେ ଖଣ୍ଡେ ଚିଠି ଯଚି ପାଖକୁ ଲେଖିଲି । ଲେଖିଲି- ତା’ଚିଠି ଆସିଲା ବେଳକୁ ମୁଁ ଘରେ ନଥିଲି । ଫେରିକରି ତା’ଚିଠି ପାଇଲାବେଳକୁ ବିଭାଘରର ତାରିଖ ପାରି ହୋଇ ଯାଇଥିଲା । ଆଉ ପରିସ୍ଥିତି ତାଡ଼ନାରେ ଯୋଗ ଦେବା ସମ୍ଭବ ମଧ୍ୟ ହୋଇନଥାନ୍ତା । ଏଥିପାଇଁ ସେ ମୋତେ କ୍ଷମା କରିବ ଓ ମୁଁ ତା ବିଭାଘରରେ ସମସ୍ତଙ୍କ ଅପେକ୍ଷା ଯେ ଅଧିକ ଖୁସୀ ଏହା ଅବଶ୍ୟ ସେ ବିଶ୍ୱାସ କରିଥିବ ।

 

ଏକୋଇଶି

 

ଏହାପରେ ମୁଁ ଟାଟା ଫେରି ଆସିଲି । ଯଚି ସହିତ ଯେଉଁଦିନ ପ୍ରଥମେ ଦେଖାହେଲା, ସେ ଦିନହିଁ ତା ଘରକୁ ଯିବା ପାଇଁ ମୋତେ ବଳେଇଲା । ମାତ୍ର ମୁଁ ସମୟର ଅଭାବ ଦେଖାଇ ଗଲିନାହିଁ । କହିଲି ସମୟ ଦେଖିଯିବି । ତୁ ଏପରି ବ୍ୟସ୍ତ ହେଉଛୁ କାହିଁକି ? ତୋ ପରି ବନ୍ଧୁ ଘରକୁ ଯିବିନାହିଁ ତ ଆଉ ଯିବି କାହା ଘରକୁ ? ବିଶେଷତଃ ଭୋଜିଟା ଯେତେବେଳେ ଏତେଦିନ ଯାଏ ବାକି ପଡ଼ିଛି ?

 

ସତ କହିବାକୁ ଗଲେ ଯଚିର ବିବାହରେ ମୋର ମନଟା କାହିଁକି ମରି ଯାଇଥିଲା । ମୁଁ କାହିଁକି ନିଜକୁ ନିଜେ ଅତି ଦୀନହୀନ ମନେ କରୁଥିଲି । ଯେମିତିକି ଏହିଭଳି ପ୍ରେମ କରି ମୁଁ କାହିଁକି ବିଭା ନହେଲି । ମୋ ଜୀବନରେ କାହିଁକି ଭଲ ପାଇବା ସମ୍ଭବ ହେଲାନାହିଁ- କୌଣସି ଗୋଟିଏ ସୁନ୍ଦରୀ ବାଳିକାକୁ? କାହିଁକି ? ନିରୂପମା କଣ ସୁନ୍ଦରୀ ନୁହେଁ... ନିରୂପମା ଯେ ଅସୁନ୍ଦରୀ, ତାହା ବି ନୁହେଁ । ମାତ୍ର ନିରୂପମା ମୋର ସ୍ତ୍ରୀ ଓ ସେ ମୋତେ ଗଭୀର ଭାବରେ ଭଲପାଏ । ତଥାପି ନିଜ ପ୍ରତି କିପରି ଗୋଟାଏ ଅସନ୍ତୋଷ ଓ ଯଚି ପ୍ରତିହିଂସା, ଗୋଟାଏ ଅପୂର୍ବ ଭାବମନରେ ମୋର ଜାଗି ଉଠିଲା ।

 

ଦୁଇଟି କଥା ଲକ୍ଷ୍ୟକଲି ଯଚି ବିଷୟରେ । ପ୍ରଥମତଃ ଯଚିର ବେଶ, ପରିପାଟି ଟିକେ ବଦଳିଯାଇଛି । ତା’ ବ୍ୟବହାରିକ ପୋଷାକ ପରିଚ୍ଛଦ ଦେଖିଲେ ତାକୁ କେହି ବଜାରି କିମ୍ୱା ଗୁଣ୍ଡା କହୁଥିଲା । ଆଜିକାଲି ସେ ଜଣେ ଭଦ୍ରଲୋକପରି ଦେଖାଯାଏ । ତାର ସେ କଲା ପଟ୍‍ଲମ୍ ସହିତ ମାଟିଆ ଫେଲଟ ହ୍ୟାଟ୍ ଆଉ ନାହିଁ । ଡିଉଟି ଉପରର ପୋଷାକ ଛାଡ଼ିଦେଲେ ଏବେ ରାସ୍ତାଘାଟରେ ସବୁବେଳେ ଧୋବ ପଞ୍ଜାବୀ ବ୍ୟବହାର କରିବାର ମୁଁ ଦୁଇ ତିନିଥର ଦେଖିଲିଣି ।

 

ଦ୍ୱିତୀୟତଃ ଯଚିର ସ୍ୱାସ୍ଥ୍ୟ ଅନେକ ହାନି ହୋଇଯାଇଛି । ଏବେ ତାକୁ ଦେଖିଲେ ମେଲେରିଆ ରୋଗୀପରି ଦେଖାଯାଏ । ଦିନେ ମୁଁ ତାକୁ ଏ ବିଷୟରେ ସତର୍କ କରାଇ ଦେଇଥିଲି । ମାତ୍ର ସେ ତାହାର ଯଥାର୍ଥତା ମୋଟେ ହୃଦୟଙ୍ଗମ କରି ନଥିଲା ।

 

ଏହାଛଡ଼ା ଅନ୍ୟ ଏକ ଆଶ୍ଚର୍ଯ୍ୟ କଥା ମୁଁ ପ୍ରାୟ ବରାବର ଦେଖିଲି ତା’ ମନରେ ଆଗର ସ୍ଫର୍ତ୍ତିକି ପ୍ରଫୁଲ୍ଲତା ନାହିଁ । ଦିନେ ପଚାରିଲି କଣରେ, ବିଭାଘର ପରେ ତୋ ମନର ସରସତା କଣ ମଉଳି ଗଲାପରି ଜଣାଯାଉଛି ? କଥା କଣ? ଏତେବେଳକୁ ତା’ ବିଭାଘର ହେବାର ଚାରି ଛଅମାସ ହେଇଯିବ । ସେ ଯାହା କହିଲା- ମୁଁ ଏକାସମୟରେ ଆଶ୍ଚର୍ଯ୍ୟାନ୍ୱିତ ଓ ମର୍ମାହତ ହୋଇପଡ଼ିଲି । ଶୁଣିଲି ସେ ବିଭା ହୋଇ ଆଦୌ ସୁଖୀ ହୋଇପାରିନାହିଁ । ଆଗର ବାକ୍‍ଚପଳତା ମଧ୍ୟ ଆଉ ଏଣିକି ଦେଖା ଯାଉନାହିଁ । ଅଧିକାଂଶ ସମୟରେ ଗମ୍ଭୀର ଓ ଚିନ୍ତିତ ଥିଲାପରି ମନେ ହେଉଛି । ଏଯାଏ କିନ୍ତୁ ଦିନେହେଲେ ତା’ ଦୁଆରେ ମୁଁ ପାଦ ପକାଇନାହିଁ ।

 

ପଚାରିଲି- ତୁ’ତ ତାକୁ ନିଜେହିଁ ମନୋନୀତ କରି ଓ ରାଜି କରାଇ ବିଭାହେଲୁ । ଆଉ ସୁଖୀ ନ ହେବାର କାରଣ ଆସିଲା କେଉଁଠୁ ?

 

କହିଲା- ମୁଁ ଭାବିଥିଲି ଅନ୍ୟପ୍ରକାର ଭାଇ...... କଥା ଭିତରେ ଯେପରି ଦରଜ ପୁରି ଉଠିଥିଲା ଯଚିର । ମୁଁ ନିଜେ ଖାଲି ଭୁଲ କରିନାହିଁ, ତାକୁ ମଧ୍ୟ ଅସୁଖୀ କରାଇଛି ।

 

କିପରି?

 

ମୁଁ ଯେପରି ଲୋକଟିଏ ହେବି ବୋଲି ସେ ଆଶା କରିଥିଲା, ଫଳରେ ମାନେ ତା’ କହିବା ଅନୁସାରେ ମୁଁ ତାହାନୁହେଁ ।

 

ତା’ କହିବା ଅନୁସାରେ ମାନେ ? ସେ କଣ ଏ କଥା କହେ ? ‘‘ ସେ ଏକଥା କହେନାହିଁ, ଯଦିଓ ମୁଁ ବୁଝିଛି ଏହାହିଁ ତା’ ମନର କଥା’’ ଯଚି କହିଲା ।

 

ଯେଉଁଦିନ ଏକଥା ଶୁଣିଲି ଯଚି ମୁହଁରୁ, ସେଦିନ ତାଙ୍କ ଘରକୁ ଗଲି । କାରଣ ସେଦିନ ଆଉ ମୋତେ ସେ ନଛାଡ଼େ । ସେ ମୋର ଅଫିସ ଛୁଟି ହେବା ପର୍ଯ୍ୟନ୍ତ ବସି ରହିଲା ।

 

କହିଲି- ଦେଖ ଭାଇ, ତୋ’ ଘରଠୁଁ ମୋ ବସା ଛଅ ସାତ ମାଇଲରୁ କମ ହେବ ନାହିଁ । ଗଲେ ଅବଶ୍ୟ ଫେରୁ ଫେରୁ ରାତି ନଅ ଦଶ ହେବ । ମୋର ଘରକୁ ଖବର ପଠାଇଦେବା ଉଚିତ-। ନହେଲେ ମୋ ସ୍ତ୍ରୀ ବଡ଼ ଚିନ୍ତିତା ହୋଇପଡ଼ିବ । ତେଣୁ ବରଂ ମୁଁ କାଲି ତୋ ଘରକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଆସିବି ।

 

ସେ କିନ୍ତୁ ମାନିଲା ନାହିଁ । କହିଲା- ‘‘ପ୍ରଥମ କଥା ତୋ’ ଘର ପାଖରୁ ମୋ ବସା ଛଅ ସାତ ମାଇଲ ନୁହେଁ । ତା’ପରେ ତୁ ମୋତେ ଖଣ୍ଡେ ଚିଠି ଦେ’ । ମୁଁ ଯାଇ ତୋ ଘରେ ଦେଇ ଆସିବି ।

 

କହିଲି- ତୁ’ କେବେ ଯାଇଁ ଦିନେ ଯାଇଥିଲୁ । ମୋ ସ୍ତ୍ରୀ ତୋତେ ଚିହ୍ନିପାରିବ ନାହିଁ ।

 

ମୁଁ ଡାକିବି ତୋର ପୁଅକୁ – ନାଁ ଟା କଣ ତାର-

 

କହିଲି ‘‘ଚାରୁଚନ୍ଦ୍ର ।’’

 

ବେଶ୍ ମୁଁ ‘ଚାରୁ’ ବୋଲି ଡାକି ଚିଠିଟା ଦେଇଦେବି ।

 

ଶେଷରେ ମୋ ନିକଟରୁ ଖଣ୍ଡେ ଛୋଟ ଚିଠି ନେଇ ଯଚି ସାଇକେଲ ଧରିଲା ।

 

ବାଇଶି

 

ସାଇକେଲ କେରିଏରରେ ବସାଇ ଯଚି ମୋତେ ସାକ୍‍ଚିବଜାର ଭିତରେ ବୁଲାଇ ବୁଲାଇ ଉଜାଣି ଆସିଲା ଟୁଜୁ ରୋଡ଼କୁ । ଏଥିଭିତରେ ସେ କୁଆଡ଼େ ପୁଣି ସୋ ବଦଳି କରି ଟୁଜୁ ରୋଡ଼କୁ ଆସିଛି । ଏ ଘରଟିର ମାଲିକ ଜଣେ ବୃଦ୍ଧ, ଘରଟି ଟି. ଆର. ଟାଇପ୍ । ବୁଢ଼ା ଏକୁଟିଆ, ବୁଢ଼ାର ପରିବାର ସମସ୍ତେ ଦେଶରେ । ତେଣୁ ସେମାନେ ଏକାନ୍ନବର୍ତ୍ତୀ ପରିବାରପରି ଚଳୁଛନ୍ତି । ଶୁଣିଲି ସେ ଅନ୍ୟ କୌଣସି ସ୍ଥାନରେ, କୌଣସି ମେସରେ ଖିଆପିଆ କରି ସମୁଦାୟ ଘରଟି ଜଣେ ବିଜାତୀୟଙ୍କୁ ଭଡ଼ାରେ ଦେଇଦେଇଥିଲା । ମାତ୍ର ଯଚି ସସ୍ତ୍ରୀକ ଆସି ଏଠାରେ ରହିବାକୁ ଅନୁରୋଧ କରିବାରୁ ବୁଢ଼ା ବିଜାତୀୟଟିକୁ ଘର ଖାଲି କରିବାକୁ ତାଗିଦ୍ କଲା । ଶେଷରେ ଘର ଖାଲି ହେବାରୁ ସେ ଏବେ ନିଜେ ମଧ୍ୟ ଆସି ରହୁଛି । ସେ ଏମାନଙ୍କୁ ସ୍ନେହ କରେ । ତେଣୁ ଦୁଇ ବଖରାରେ କେବଳ ଗୋଟିଏ ଏମାନେ ଭଡ଼ାରେ ନେଇଥିଲେ ବି ଉଭୟ ବଖରାରେ ଅବାଧ ଚଳପ୍ରଚଳ ହୁଅନ୍ତି-

 

ମୋତେ ଆଗ ଘରେ ବସାଇ ସେ ଆରଘରକୁ ଗଲା- ସମ୍ଭବତଃ କିଛି ଖିଆପିଆର ଯୋଗାଡ଼ ଲଗାଇବାକୁ । ସାଧାରଣ ଦିନର ଖାଦ୍ୟ ସାମଗ୍ରୀ ଅପେକ୍ଷା ଆଜିକାର ଖାଦ୍ୟ ସାମଗ୍ରୀ ଭିତରେ କିଛି ତାରତମ୍ୟ ଥିବ । କାରଣ ମୁଁ ଆସିଛି ଏବଂ ମୋର ପ୍ରାପ୍ୟ ବିଭାଘର ଭୋଜି ଏବେ ମଧ୍ୟ ବାକିପଡ଼ିଛି । ଏହିକଥା ଭାବି ମୁଁ ଟିକେ ମନେ ମନେ ହସୁଥିଲି ଓ ଆତ୍ମପ୍ରସାଦ ଲାଭ କରୁଥିଲି-

 

ଯଚି ଆରଘର ଭିତରେ କି କି ପ୍ରସ୍ତାବ ହେଉଛି କିମ୍ୱା ପୂର୍ବ ପ୍ରସ୍ତାବିତ ଅନୁସାରେ ଆୟୋଜନ କେତେଦୂର ତାର ତନଖି ନେବା ପାଇଁ କି ପ୍ରକାର ସ୍ତ୍ରୀ ସହିତ ପ୍ରଶ୍ନୋତ୍ତର କରୁଛି ସେ ବିଷୟର କୌଣସି ଧାରଣା ମୋର ନଥିଲା । ମୁଁ ଖାଲି ସେମାନଙ୍କର ଟୁପ୍ ଟାପ୍ କଥାବାର୍ତ୍ତା ଶୁଣିବାକୁ ପାଉଥିଲି ଯାହା । ଏଣେ ସେ ବୁଢ଼ା ଲୋକଟି ଆସି ମୋ ସହିତ ଏଣୁତେଣୁ ଗପ ଲଗାଇଦେଲେ । ତା’ ଭିତରେ ତାଙ୍କ ସର୍ଭିସ କଥା, ଟାଟାକମ୍ପାନୀର କର୍ମଚାରୀମାନଙ୍କର ଦରମା ବଢ଼ାଇବା ପାଇଁ ସ୍ଥାନୀୟ ଶ୍ରମିକ ସଂଘ କି କି ଯତ୍ନ କରୁଛି ଇତ୍ୟାଦି...

 

ଏସବୁ ହେଉଁ ହେଉଁ ଯଚି ଚା’ ନେଇଆସିଲା, ସମସ୍ତେ ଚା’ ଖାଇ କେତେଆଡ଼ୁ କେତେ ଗପ ଆରମ୍ଭ କରିଦେଲୁ । ଯଚି କିନ୍ତୁ ଭିତର ଘରକୁ ଯାଇଁ ମଝିରେ ମଝିରେ କିଛି ଖବର ଅନ୍ତର ବୁଝି ଆସୁଥାଏ । ରାତି ଆଠଟା ବେଳକୁ ଖିଆପିଆ ହେଲା । ସେଦିନର ମାଛ ତରକାରୀର ସ୍ୱାଦ ଆଜି ପର୍ଯ୍ୟନ୍ତ ଭୁଲିପାରିନାହିଁ । ତା’ପରେ ମୁଁ ଘରକୁ ଫେରିଯିବା ପାଇଁ ତରତର ହେଲି । ଯଚି ମୋତେ ଛାଡ଼ିବା ପାଇଁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିଲା ।

 

ତା’ ଘରୁ ବାହାରି ବାରଣ୍ଡାରେ ଯୋତା ପିନ୍ଧବାବେଳେ ବୁଝିପାରିଲି ତା ସ୍ତ୍ରୀ ହୁଏତ ମୋତେ ଦେଖିପାରିଛନ୍ତି । ଯଚିବାବୁଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ସାଙ୍ଗବାବୁଟି କିପରି ଆକୃତିର ନର, ବାନର ନା ବାଘ କି ଜଳହସ୍ତୀ (ଜଳହସ୍ତୀ ଜଳଚର ପ୍ରାଣୀ ହେଇଥିବା ହେତୁ ସ୍ଥଳଚାରୀ ହୋଇ ନପାରନ୍ତି, ଆଉ ବାଘ ମଧ୍ୟ ହୋଇ ନଥିବେ ।) ଦେଖିନେବା ପାଇଁ ନିଶ୍ଚୟ କବାଟ କଣରୁ ହେଲେ ଅନାଇଥିବେ । ମୋର କିନ୍ତୁ ସେ ସୌଭାଗ୍ୟ ହେଲାନାହିଁ ।

 

ବାଟରେ ଯଚି କହିଲା- ଦେଖ ଭାଇ, ମୋ ସ୍ତ୍ରୀଙ୍କୁ ଦେଖିପାରିଲୁ ନାହିଁ ବୋଲି ମନେ ମନେ ତୁ ନିଶ୍ଚୟ କଷ୍ଟ କରିଥିବୁ । କିନ୍ତୁ ଆଶ୍ଚର୍ଯ୍ୟର କଥା, ସେ ଯେ କାହିଁକି ତୋ ସାମନାକୁ ଆସିଲାନାହିଁ କହିପାରିବି ନାହିଁ । ତୋ ସାମ୍‍ନାକୁ ଆଣିବା ପାଇଁ ତା’ ହାତ ପର୍ଯ୍ୟନ୍ତ ଧରି ଭିଡ଼ିଲି । ତଥାପି ସେ ଲାଜ କରି ଆସିଲା ନାହିଁ । କିନ୍ତୁ ମୋର ଅନ୍ୟାନ୍ୟ ଜଣାଶୁଣା ବନ୍ଧୁମାନଙ୍କ ଆଗକୁ ଆସିବାକୁ ସେତ ଏତେ ଜିଦ୍ ଧରି ଅଝଟ ହୋଇନାହିଁ !

 

ହସିଲି- କହିଲି—ମୁଁ କାଳେ ତୋର ବଡ଼ ସାଙ୍ଗ ହୋଇଥିବି ସେଥିପାଇଁ ବେଶୀ ଲଜ୍ଜା... ଏଥିପାଇଁ ମନ କଷ୍ଟ କରିବି ବୋଲି ଭାବୁଛୁ କାହିଁକି ?

 

ମୁଁ କିନ୍ତୁ ତାକୁ ଆଜି ଠିକ୍ କରିବି.......

 

‘‘ ଧେତ୍ ପାଗଳ ! ହଁ ତୁମ ଦୁହିଁଙ୍କୁ ମୁଁ ଆଜି ନିମନ୍ତ୍ରଣ କରି ଯାଉଛି ! ସୁବିଧା ଦେଖି ଦିନେ ଆମ ଘରଆଡ଼େ ବୁଲିଯିବ ।’’ ସେ ମୁଣ୍ଡ ହଲାଇ ହଁ କଲା । ବସ୍ ଆସିବାରୁ ମୁଁ ବସିପଡ଼ିଲି ।

 

ତେଇଶି

 

‘‘ସାଢ଼େ ଚାରିଟାବେଳେ ଯେଉଁ ଲୋକଟି ଚିଠିନେଇ ଆସିଥିଲେ ସେହି କଣ ତୁମ ସାଙ୍ଗ ଯଚିବାବୁ?’’ ନିରୂପମା ପଚାରିଲେ ।

 

ହଁ, ହଁ, ସେହି ହେଉଛନ୍ତି ପ୍ରେମିକ ଶ୍ରୀମାନ ଯଚିନ୍ଦ୍ରନାଥ ଦାସ । ଓହୋ, ତାଙ୍କୁ ପୁଣି ଏମିତି ପ୍ରେମ କରିଆସେ ! ପ୍ରେମ କରି କରି ଶେଷରେ ଆପଣାର କରିନେଲେ । ଧନ୍ୟ କହିବା ତୁମ ପୁରୁଷ ଜାତିଙ୍କୁ । ବୋହୂଟିକୁ ତାଙ୍କର ଦେଖିଲ ନାହିଁ ?

 

ଦେଖା ଦେଲେ ନାହିଁ ।

 

ହୁଁ ଲୁଚାଉଛି କାହିଁକି ମ ? ତୁମ ସାଙ୍ଗ ମାଇପକୁ କିଏ ନେଇ ଯାଉଛିକି?

 

ସତରେ, ଲାଜକରି ଦେଖା ଦେଲେନାହିଁ ।

 

‘‘ ତାଙ୍କ ଦୁହିଁଙ୍କର ଖୁବ୍ ମନ ମିଳିଛି ନା ?’’

 

‘‘ କହିପାରିବି ନାହିଁ । ତେବେ ଯଚି କହୁଥିଲା, ତାଙ୍କ ଭିତରେ କୁଆଡ଼େ ଭାରି ଝଗଡ଼ା ହେଉଛି କଥା କଥାକେ ।’’

 

‘‘ କାହିଁକି ବା ?’’

 

‘‘ ଆରେ, ମୁଁ କିମିତି କହିବି ?’’

 

‘‘ ତୁମକୁ କହୁନଥିଲେ ତୁମ ସାଙ୍ଗ ?’’

 

‘‘ କାହିଁକି କଳିଲାଗେ, ସେକଥା କହିନାହିଁ, ଖାଲି କଳି ଲାଗେ ବୋଲି କହୁଥିଲା ।’’

 

ତାଙ୍କ ଘରେ ଖାଇ ଆସିଛ ?

 

ହଁ ।

 

ତାଙ୍କୁ ସବୁ ଆସିବାକୁ କହିନ ?

 

କହିଛି ।

 

କେବେ ଆସିବେ ସେମାନେ ?

 

ତାଙ୍କ ସମୟ ସୁବିଧା ଦେଖି ଆସିବେ । କେଜାଣି ନ ଆସି ବି ପାରନ୍ତି ।

 

ଆଗରୁ କହିବ ମୋତେ ?

 

କାହିଁକି ?

 

ଭଲ ଖାଇବା ଜିନିଷ କିଛି ଆଣିବା, ଆଉଖଣ୍ଡେ ଶାଢ଼ୀ......... ଆଶ୍ଚର୍ଯ୍ୟରେ ନିରୂପମାଆଡ଼କୁ ଚାହିଁଲି ।

 

ଚାହୁଁଛ କଣ ବା ? ଖଣ୍ଡେ ଶାଢ଼ୀ ତାଙ୍କ ବୋହୂଙ୍କ ପାଇଁ ନକଲେ ସୁନ୍ଦର ଦିଶିବନାହିଁ ।

 

ଦୀର୍ଘ ନିଶ୍ୱାସଟାଏ ପକାଇଲି । କହିଲି- ହଃ, ସେ କଥାତ ଅଛି । ପିଲାମାନେ ସବୁ ଖାଇପିଇ ଶୋଇଲେଣି ? ତୁମେ ଖାଇନା ?

 

ନାଁ ।

 

ଜାଣିଛ ତ ମୁଁ ଡେରିକରି ଆସିବି । ମୋ ପାଇଁ କାହିଁକି ଅପେକ୍ଷା କରିଥିଲ ?

 

ଭାବୁଥିଲି ଏକାକି ତୁମକୁ ନଖୋଇ ତୁମ ସାଙ୍ଗ ଓ ତାଙ୍କ ଭାରିଯା ମୋ ପାଇଁ ମଧ୍ୟ କିଛି ପଠାଇବେ ବୋଲି । ତାହାରି ଅପେକ୍ଷାରେ ଥିଲି ।

 

ହସିଲି ।

 

ଆଉ ଦି’ ଟା ଖାଇବ ଆସ ।

 

କଣ ?

 

ମୋରାଣ, ଆସନା ! ଏତେବାଟ ଆସୁ ଆସୁ ଝଡ଼ିଯିବଣି । ନିରୂପମା ଅନୂନୟ ଭାବରେ ଅନାଇଲା ମୋଆଡ଼କୁ ।

 

ପାଗଳ ନା କଣ ? ଏବେ ଖାଇକରି ଆସୁ ଆସୁ ପୁଣି ଖାଇବି ? କେଇଟା ପେଟ କି ମୋର ?

 

ତା’ ହେଲେ ତୁମେ ଶୁଅ । ମୁଁ ଦି’ଟାଖାଇନିଏ । ବିଛଣା ତ ପାରିଦେଇଛି, ଯାଅ------

 

ପାଣି ଦିଅ, ପଇବି !

 

କଣ ଖାଇବାକୁ ଦେଲେ ତୁମ ସାଙ୍ଗ ?

 

କହୁଛି ଆସ ।

 

ନିରୂପମା, ରୋଷେଇଶାଳକୁ ଚାଲିଗଲା ।

 

ଚବିଶି

 

ଗୋଟିଏ ହାତରୁ ବର ନମିଳୁ ପଛେ, ମୁଁ ଏକାଥରରେ ଦୁଇଟିଯାକ ହାତରୁ ବର ମାଗୁଥଲି ବୀଣାପାଣୀଙ୍କ ପାଖରେ । ଶେଷକୁ ବୁଝିଲି ଆଉ ଅନେକ ଜନ୍ମ ଧରି ବର ମାଗିବାକୁ ପଡ଼ିବ । ତେଣୁ ଆଜିକାଲି ଗୀତ ଗାଇ ବସିବା ତୁଚ୍ଛା ପାଗଳାମି ଛଡ଼ା କିଛି ନୁହେଁ ମୋ ପକ୍ଷରେ ।

 

ସେଦିନ ତାନପୁରା ଧରି ମୁଲତାନି ରାଗର ଆଳାପ କରୁଥିଲି । ଚାରୁ କିନ୍ତୁ ମୋତେ ବିରକ୍ତ କରୁଥିଲା ଅଙ୍କ ପ୍ରଶ୍ନ ବୁଝିନପାରି । କ୍ଲାସଫୋରରେ ପଢ଼େ । ରୋଷେଇ ଧନ୍ଦା ସରିବା ଉପରେ । ନିରୂପମା ଆସି ତାକୁ ଶାସନ କରି କହିଲା—କାହିଁକି ଗୋଟା ବିରକ୍ତ କରୁଛ ମ ? ଦେଖୁଛତ, ବାପା ଅବିକା ଗୀତ ବୋଲୁଛନ୍ତି, କଣ କହ ମୁଁ ବୁଝାଇଦେବି ।

 

ଚାରୁ କହିଲା- ହଁ ତତେ ତ ଭାରି ଅଙ୍କ ଆସେ । ସେଦିନ ଗୋଟେ କରିଦେଲୁ ଯେ, ସାର କହିଲେ ଭୁଲ ହୋଇଛି ।

 

‘‘ଆଛା, ଆଜି କହତ କି ଅଙ୍କ ?’’ ନିରୂପମା ପଚାରିଲା ।

 

‘‘ ବାପା ପୁଅର ବୟସ ମିଶି ଅଶୀବର୍ଷ । ଦଶବର୍ଷ ପୂର୍ବେ ବାପର ବୟସ ପୁଅ ବୟସର ଦୁଇଗୁଣ ଥିଲା, ତେବେ କାହାର ବୟସ କେତେ ?’’- ଚାରୁ ପ୍ରଶ୍ନଟି ପଢ଼ିଦେଲା ।

 

ଏଇ ଅଙ୍କଟା ତତେ ଆସୁନାହିଁ ? ଆଗେ ଅଶୀରୁ ଦଶ ଫେଡ଼ିଦେ । ଯେତେହେବ ତାକୁ ତିନିରେ ହରିଦେବୁ । ତାହାଲେ ପୁଅର ବୟସ ଆସିଯିବ । ପୁଣି ତାକୁ ଦୁଇରେ ଗୁଣିଦେଲେ ବାପର ବୟସ ଆସିଯିବ । ନିରୂପମା ବୁଝାଉଥିଲା ପୁଅକୁ ଅଙ୍କ ।

 

ତାନପୁରା ରଖି ମୁଁ ହିଁ ହିଁ ହୋଇ ହସିଉଠିଲି । ତୁମପରି ମା’ଟିଏ ମାଷ୍ଟରାଣୀ ଭାବରେ ପାଇଲେ ଚାରୁ ବଦଳରେ ନିରୁପମାର ଗାଲ ଦୁଇଟାକୁ ଚିପିଧରି ଭଲ ଭାବରେ ଦୋହଲାଇଦେଲି-। ଲାଜରେ ଲାଲ ପଡ଼ିଗଲା ନିରୂ । ‘‘କିଭଳି ମଣିଷଟାଏ ମ ? ପିଲାଟା ଆଗରେ..... ।’’ ମୁଁ ମଧ୍ୟ ଅପ୍ରତିଭ ହେଲି । ବାତାବରଣ ବଦଳେଇବାକୁ ମୁଁ ଛୋଟ କଟକଣାଟାଏ ଚାରୁକୁ ମଧ୍ୟ ଦେଲି ।

 

କହିଲି- ଏବେ ତୋ’ବୋଉକୁ ଓ ତୋତେ ଉଭୟଙ୍କୁ ମୋତେ ଅଙ୍କ ଶିଖାଇବାକୁ ପଡ଼ିବ । ଦଶବର୍ଷ ଭିତରେ ବାପ ଓ ପୁଅ ଉଭୟଙ୍କର ବୟସ ସମାନ ଭାବରେ ବଢ଼ିଛି । ତେଣୁ ପୁଅର ଦଶବର୍ଷ ଅଧିକ ହେଲେ ବାପର ମଧ୍ୟ ଦଶବର୍ଷ ଅଧିକ ହୋଇଛି । ତାହାହେଲେ ଅଶୀବର୍ଷରୁ କୋଡ଼ିଏ ବର୍ଷ ଫେଡ଼ିଲେ ଯାହା ରହିବ ଦଶବର୍ଷ ପୂର୍ବେ ବାପ ପୁଅର ବୟସ ମିଶି ସେତିକି ଥିଲା, ନୁହେ ?

 

ନିରୂପମା ନିଜର ଭୁଲ ବୁଝିପାରି ହସିଲା, ଚାରୁ କିନ୍ତୁ ଠିକ୍ ବୁଝିଲା ନାହିଁ । କିନ୍ତୁ ଏଣିକି ତାକୁ ଉଦାହରଣ ଦେଇ ବୁଝାଇବାକୁ ଆରମ୍ଭ କଲା ତା‘ର ମାଆ, ମୁଁ ପୁଣି ତାନପୁରୀ ପାଖରୁ ଉଠିଗଲି ।

 

ଶୋଇଲାବେଳେ ନିରୂପମା ପ୍ରସ୍ତାବ କଲା, ଚାରୁପାଇଁ ଟିଉସନ୍ ମାଷ୍ଟରଟିଏ ରଖିଲେ ଭଲ ହୁଅନ୍ତା । ମୁଁ ମଧ୍ୟ କଥାଟାର ସତ୍ୟତା ଉପଲବ୍ଧି କଲି । କିନ୍ତୁ ମୋତେ ମଧ୍ୟ ନିରୂପମାକୁ ବୁଝାଇବାକୁ ପଡ଼ିଲା ଯେ, ସଂସାର ଖର୍ଚ୍ଚରୁ ଟିଉସନ୍ ମାଷ୍ଟର ପାଇଁ ଦଶଟଙ୍କା ବଞ୍ଚାଇବା ସମ୍ଭବ ହେବନାହିଁ । ସେ କଥାର ସେହିଠାରେ ହେଲା ପୂର୍ଣ୍ଣଚ୍ଛେଦ । ନିରୂପମା ଏ ବିଷୟରେ ଅଧିକ ଯୁକ୍ତି ନକରି ଯେଉଁ ନୂତନ ଉକ୍ତିଟି କଲା ତହିଁରେ ମୁଁ କମ୍ ଆଶ୍ଚର୍ଯ୍ୟ ହେଲିନାହିଁ ।

 

ପଚାରିଲି- କେତେଦିନ ହେଲାଣି ?

 

କଣ କେତେଦିନ ମ ? ଦେଢ଼ମାସରୁତ ଉପର ହେଲାଣି ।

 

ହେଃ, ମିଛ, କୁଆଡୁ କିପରି ବନ୍ଦ ହୋଇଯାଇଛି । ଏତେ ଶୀଘ୍ର ସନ୍ଦେହ କରିବା ଉଚିତ୍ ନୁହେଁ ।

 

ହଁ ଉଚିତ୍ ନୁହେଁ । ମୋଠାରୁ ତୁମେ ବେଶୀ ଜାଣ ଏକଥା ?

 

ତା’ ହେଲେ କଣ କହୁଛ ?

 

ଯା’ କହୁଛି ତା’ ସତ, ଦେଖିବ ନାହିଁ ?

 

ଏ କଥାରେ ମୁଁ ଯେ ଆନନ୍ଦିତ ହେଲି, ଠିକ୍ କହିପାରୁନାହି । ଦୀର୍ଘନିଶ୍ୱାସ ପକାଇ ନିରବ ରହିଲି ।

 

ନୀରବତା ଭାଙ୍ଗି ନିରୂପମା କହିଲା- ତୁମେତ କେବେହେଲେ ବାଧା ମାନିବା ଜନ୍ତୁ ନୁହ । ସମୟ କାଳର ବିଚାର ନାହିଁ ତୁମ ପାଖରେ, ଦିନ ଅଦିନର ମଧ୍ୟ ପର୍ବାନାହିଁ ।

 

ହଃ, ଦେଖାଯିବ......

 

ହଁ, ତୁମର କଣ ହେଇଯାଉଛି କି ?

 

ସେଥିପାଇଁ କହେ କିଛିଦିନ ଅନ୍ତତଃ ଗ୍ରାମରେ ରୁହ । ତୁମେତ ମାନିବ ନାହିଁ । ଆଉ ବି ଗୋଟାଏ କଥା, ତୁମେ ଗ୍ରାମରେ ରହିଲେ ଚାରୁର ପଢ଼ାପଢ଼ି କିପରି ହେବ ? ତାକୁ ତା’ ମାମୁଁ ଘରେ ଛାଡ଼ିଲେ ହୁଅନ୍ତା ନାହିଁ ?

 

ହେବନାହିଁ କାହିଁକି ? ସେମାନେ ତ ଆଗ୍ରହରେ ରଖିବେ, ଭାଇ ଏଥରକ ମଞ୍ଜୁକୁ ଜମା ଛାଡ଼ୁନଥିଲେ । ଭାଉଜ କହିଲେ ମୋରତ ପିଲା ନାହିଁ, ଏମଞ୍ଜୁଟି ଥାଉ ନାନା, ୟାକୁ ମୋ ପାଖରେ ଛାଡ଼ିଦେଇ ଯା’ । ଭାଉଜବୋହୂ ମୋତେ ନାନା ବୋଲି ଡାକନ୍ତି । ବୋଉ ପାଟି କଲା । କହିଲା ପର ପିଲାକୁ ତୁ ରଖିପାରିବୁ ? ତା’ ବାପା ତାକୁ ଛାଡ଼ଦେବେ, ତୁ ରଖିବୁ ?’’ ନିରୂପମା କହିଲା ।

 

ତାହାହେଲେ ତୁମକୁ ଗ୍ରାମରେ ଛାଡ଼ି, ଚାରୁକୁ ତା’ ମାମୁଁଘରେ ନେଇ ଛାଡ଼ିଦେବି । କୁହ ଚିଠି ଦେବି ?

 

ଆଉ ? ତୁମେ ରହିବ ଏଠି, ମୁଁ ରହିବି ଗାଁରେ ଆଉ ଚାରୁ ରହିବ ମାମୁଁ ଘରେ । ବେଶ୍ ସମସ୍ତେ ଗଲା ଖେଳେଇ ହୋଇ ରହିବା । ଭଲ କଥା କହୁଛ ତୁମେ ।

 

ତା’ ହେଲେ ଚୁପ୍ କରି ଶୁଅ, ଆଉ ବେଶୀ ବକ୍ ବକ୍‍ ହୁଅନାହିଁ । ଯା’ ହେବାର ହେବ, ଚିନ୍ତାକରି ଲାଭ କଣ ?

 

ନିରୂପମା ମୋତେ ତା’ ଆଡ଼କୁ ଅଣେଇ ହେବାକୁ ଟାଣିଲା । ମୋର ମୁଣ୍ଡ ବାଳଗୁଡ଼ିକରେ ଆଙ୍ଗୁଳି ଚଳାଉ ଚଳାଉ କହିଲା- ମୋର କି ଚିନ୍ତା ମ ? ଯାହା ଖାଲି କଷ୍ଟ...ନହେଲେ ତୁମରି ମୁଣ୍ଡରେ ତ ସବୁ ବୋଝ ... କଣ୍ଠସ୍ୱର ନରମ ହୋଇ ଆସୁଥିଲା ନିରୂପମାର ।

 

ଆଦର କରି ତାକୁ ଆଉରି ନିକଟକୁ ଟାଣିନେଲି କହିଲି ‘‘ମୁଁ ଜାଣେ, ଯେଉଁ କେତୋଟି ଦିନ କଷ୍ଟ ହେବ ତାକୁ ଛାଡ଼ିଦେଲେ ଛାତି ଭିତରେ ତୁମେ ଗର୍ବରେ ଫୁଲି ଉଠିଛ, ନୁହେଁ ?’’ ଛାତି ତାର ଗର୍ବରେ ଫୁଲି ଉଠୁ ନଉଠୁ, ମୁଣ୍ଡରେ ମୋର କିନ୍ତୁ ଧନ୍ଦି ହେଉଥିଲା, ଅର୍ଥ ନୀତିରେ, ‘‘ମାଲଥୁସିଆନ୍‍ ଥିଓରି ଅଫ୍ ପପୁଲେସନ୍ ।’’

 

ଜାଣେନା ... କହି ମୋ ହାତଟା ଟାଣିନେଇ ବେକରେ ତାର ଗୁଡ଼େଇ ଦେଲା ସେ । ଘନ ଘନ ଦୀର୍ଘ ନିଶ୍ୱାସରେ କନ୍ଦାଇଦେଲା ବକ୍ଷ ମୋର । ଦେହ ଓ ମନରେ ମୋ ସହିତ ଏକାକାର ହୋଇ ମିଶିଯିବ ସତେ ଯେମିତି ।

 

ପଚିଶି

 

ବହୁତ ଦିନ ହେଲା ଯଚି ସହିତ ଦେଖା ହୋଇନାହିଁ । ଦୁଇ ତିନିମାସ ଅବଶ୍ୟ ହୋଇଯିବଣି । ସମୟ ବହି ଚାଲିଛି । ଗଣି ରଖିବାକୁ ବେଳନାହିଁ ମଣିଷର ।

 

ସେମାନେ କେବେହେଲେ ଆମ ଘରକୁ ଆସିନାହାନ୍ତି ଯଚି ଓ ତାର ସ୍ତ୍ରୀ । ଆଉ ଯଚିର ମଧ୍ୟ ଏତେଟା ଦେଖା ମିଳେନାହିଁ । କର୍ମକ୍ଳାନ୍ତ ହୋଇ ଓ ମୋ ସଂସାରର ହାନିଲାଭ ସମ୍ଭାଳିବା ଉତ୍ତାରୁ ଯଚି ଘରକୁ ଯିବାକୁ ସମୟ ମିଳେନାହିଁ । ଅସଲ କଥା ଇଚ୍ଛାହିଁ ନଥାଏ ।

 

ଅକସ୍ମାତ ଯଚିର ଦିନେ ଆବିର୍ଭାବ ହେଲା ମୋର ଅଫିସ ଛୁଟୀ ହେଲାବେଳକୁ । ଖୁଁ ଖୁଁ ହୋଇ କାଶୁଥିଲା ଯଚି । ତାକୁ ଦେଖିଲେହିଁ ଅସୁସ୍ଥ ମନେହେଲା । ଯଚିର ସ୍ୱାସ୍ଥ୍ୟ ଏକାବାରେ ନଷ୍ଟ ହୋଇଗଲାଣି । ଏଇ ଦୁଇ ତିନିଟା ମାସ ଭିତରେ ଯଚି ଦେହର ଏତେ ପରିବର୍ତ୍ତନ ଆସିବ କଳ୍ପନା କରି ନଥିଲି । କହିଲା—ଦଶଟା ଟଙ୍କା ଦେଇପାରିବୁ ପ୍ରଭାସ ?

 

ହତବାକ୍ ହୋଇ ଚାହିଁ ରହିଲି ଯଚିକୁ । ତାର ରୂପ ଭେକ ଦେଖିଲେ ଦୟା ହେବାର କଥା-। କିନ୍ତୁ ମୋ ପାଖରେ ଟଙ୍କା ନଥାଏ । ସାଧାରଣତଃ ବିଶେଷ କାମ ନଥିଲେ ଅଫିସକୁ କେବେହେଲେ ଟଙ୍କା ଧରି ଆସିବା ମୋର ଅଭ୍ୟାସ ନୁହେଁ । ମୋର ନ ଦେଇପାରିବାର ଅବସ୍ଥା ଯଚି ସଙ୍ଗେ ସଙ୍ଗେ ଜାଣିନେଲା । କହିଲା- ତା’ ହେଲେ ଯାଉଛି, ବଡ଼ ଜରୁରୀ ଥଲା ।

 

ଏତେ ଯଦି ଜରୁରୀ, ତେବେ କାଲି ଆସି ନେଇଯିବୁ । କାରଣ ମୁଁ ତ ସଙ୍ଗରେ ଟଙ୍କା ପଇସା ଆଣେନା । ଇମିତି ଚାରେଣା ଆଠେଣା ପଡ଼ିଥାଏ ପକେଟରେ । କିନ୍ତୁ ତୋର କଣ ହୋଇଛି ? ତୁ ଏଡ଼େ ଦୁର୍ବଳ ଦେଖାଯାଉଛୁ ଯେ-?

 

ଦଶ ପନ୍ଦରଦିନ ହେଲା ଟିକେ ଟିକେ କାଶ ହେଉଛି । ସେଥିପାଇଁ ଔଷଧ ଖାଉଛି । ଡାକ୍ତରଙ୍କ ପରାମର୍ଶରେ ଦୁଧ ଅଣ୍ଡା ଇତ୍ୟାଦି ଖାଇବାକୁ ପଡ଼ୁଛି । ତେଣୁ ଟିକେ ଅଭାବରେ ପଡ଼ିଯାଇଛି......... ଆଛା ଯାଏ କାଲି ଦଶଟା ବେଳକୁ ଆସିବି । ଯଚି କହିଲା ।

 

ତା’ ପରେ ଘର ଖବର କଣ?ମୁଁ ପଚାରିଲି ।

 

ଭଲନୁହେ ।

 

ଭଲ ନ ହେବାର କାରଣ ତ ଦେଖୁନାହିଁ ?

 

ଯାହା ଥିଲା, ତୁ ଯିବା ଦିନରୁ ଅବସ୍ଥା ଅଧିକ ଖରାପଆଡ଼କୁ ଚାଲି ଯାଇଛି ।

 

ମାନେ ?

 

ମାନେ, ସେଦିନ ସତକୁ ସତ ମୋର ଭାରି ରାଗହେଲା.......

 

କଣ ମାରଧର କଲୁ ନା କଣ ?

 

ମୁଁ ନିଜକୁ ଅକ୍ତିଆରରେ ଆଣିପାରିଲି ନାହିଁ ପ୍ରଭାସ । ତୋପରି ବନ୍ଧୁ ସହିତ ଯେ ଟିକେ ଦେଖାକଲାନାହିଁ ସେ ମୋର କି ସ୍ତ୍ରୀ ବେ-

 

ମୁଁ ଜିଭ କାମୁଡ଼ି ପକାଇଲି । ଖୁଁ ଖୁଁ ହୋଇ ଦୁଇଥର କାଶିଲା ଯଚି । ଅଜାଣତରେ ଯେପରି ମୁହଁ ମୋର କଳା ପଡ଼ିଗଲାପରି ଲାଗିଲା । ମୁଁ ଅନ୍ୟମନସ୍କ ହୋଇ ରହିଗଲି ।

 

ଯାଉଛି, କାଲି ଆସିବି ଦଶଟାବେଳେ କହି ଯଚି ଚାଲିଗଲା । କଣ ଭାବି ଭାବି ଯେ ମୁଁ ଆସି ଘରେ ପହଞ୍ଚିଲି ଏବେ ମନେ ହେଉନି । କେଡ଼େ ହୀନ, ଚଣ୍ଡାଳ ଏ ପିଲାଟା ! ସେଦିନ ମନଟା ମୋର ମୋଟେ ଭଲ ଲାଗିଲାନାହିଁ । କିପରି ଗୋଟାଏ ଦୁର୍ବଳତା ଯେପରି ଚାରିଆଡ଼ୁ ମୋତେ ଆକ୍ରମଣ କରି ବସିଲା । ଯଚିର ଏହି ସ୍ତ୍ରୀର ଜୀବନଟି ଆଣି ଯଚି ସହିତ ମିଳାଇବାର ମୂଳରେ କିଏ-? ମୁଁ ନୁହେ କି? ତା’ ହେଲେ ମୁହିଁ ଏକା ଏସବୁ ଅନର୍ଥର ମୂଳ । ମୋର ନିରସ ମୁଖମଣ୍ଡଳ ଦେଖି ବାରମ୍ୱାର ପ୍ରଶ୍ନକଲା ନିରୂପମା । ମାତ୍ର ମୁଁ କିଛି ଉତ୍ତର ଦେବା ଅବସ୍ଥାରେ ନଥିଲି ।

 

ତହିଁ ଆରଦିନ ଯଚି ଠିକ୍ ସମୟରେ ଆସିଲା । କିଛି ନ କହି ମୁଁ ତାକୁ ଟଙ୍କାଦେଲି । ସେ ମଧ୍ୟ କିଛି ନକହି ଟଙ୍କା ନେଇ ଚାଲିଗଲା ।

 

ଛବିଶି

 

ଦିନ ତିନିଟା ! କାମରେ ବ୍ୟସ୍ତଥାଇ ମୁଁ ଯେପରି ନିଜର ଅସ୍ତିତ୍ୱ ଭୁଲିଯାଇଛି । ଆମ ଅଫିସ ଚପରାଶୀ ଯେ ମୋତେ କେତେବେଳୁ ଡାକୁଛି ମୁଁ କିନ୍ତୁ ଶୁଣିପାରୁନାହିଁ ।

 

ତିନି ଚାରି ଡାକ ପରେ ମୋର ଚମକ ଭାଙ୍ଗିଲା । ପଚାରିଲି କାହିଁକି ଡାକୁଛୁ ?

 

ଚପରାଶୀଟି କହିଲା- ଆପଣଙ୍କୁ ଜଣେ ଭଦ୍ରଲୋକ ଖୋଜୁଛନ୍ତି । ମୁଁ ତାଙ୍କୁ ବାହାରେ ଠିଆହେବାକୁ କହିଛି । ମୁଁ ଯାଇ ଦେଖିଲି । ଆରେ,ଏତ ସେହି ବୁଢ଼ାଟି, ଯାହା ବସାରେ ଯଚିବାବୁ ରହନ୍ତି ।

 

କିହୋ, ତୁମେ କୁଆଡ଼େ ?

 

ବାବୁ, ଏ ଯେତେକ ଅଫିସ ସବୁ ଖୋଜିସାରିଲିଣି ।

 

କଅଣ କହୁଛ ?

 

ଆପଣଙ୍କ ସାଙ୍ଗ, ଯଚିବାବୁ ବେମାର ପଡ଼ିଛନ୍ତି । ଆଜିକି ଚାରି ପାଞ୍ଚଦିନ ହେବ ଭର୍ତ୍ତି ହୋଇଛନ୍ତି ଡାକ୍ତରଖାନାରେ ।

 

ପଚାରିଲି –କଣ ହୋଇଛି ?

 

ଟିକେ ଟିକେ କାଶ ହେଉଥିଲା,ଏବେ ଜର ହେଉଛି ।

 

ଆଗେ, କାଶ ତ ଅନେକ ଦିନ ତଳେ ହେଉଥିଲା, ପ୍ରାୟ ମାସକ ପୂର୍ବରୁ । ଆଜିଯାଏ ଭଲ ହୋଇନାହିଁ ? ଆଛା, ମୋ ପାଖକୁ କିଏ ପଠାଇଛି ଯଚି ?

 

ନା, ତାଙ୍କ ସ୍ତ୍ରୀ ।

 

ସେ କିମିତି ଜାଣିଲେ ମୋ କଥା ?

 

ତା’ ତ ବାବୁ କହିପାରିବି ନାହିଁ ମୁଁ ।

 

କଣ କହି ପଠାଇଲେ ?

 

ମତେ ଦୁଇ ତିନିଦିନ ହେବ କହିଲେଣି ଯେ, ପ୍ରଭାସବାବୁଙ୍କ ପାଖକୁ ଯାଇ ଟିକେ ଖବରଟା କହିଦିଅ । ସେ ଜେନେରାଲ ଅଫିସରେ କାମ କରନ୍ତି । ଜେନେରାଲ ଅଫିସ ବୋଲିତ ଏତେଗୁଡ଼ିଏ ବିଲ୍‍ଡ଼ିଂ । ମୁଁ ଏବେ ଆପଣଙ୍କ ଭେଟ ପାଉଛି କେଉଁଠି ?

 

ମୁଁ ତ ତାଙ୍କ ଘରକୁ ଥରେ ଯାଇଥିଲି ସେଥର, ତୁମର ମନେଥିବ । କିନ୍ତୁ ମୋ କଥା ସେ ଜାଣିଲେ କିପରି ?

 

ଯଚିବାବୁ କହି ନଥିବେ ?

 

ଉଁ-ହୁଁ, ଯଚି ଯେ ମୋ ବିଷୟରେ କିଛି କହିଥିବ, ଏକଥା କାହିଁକି ବିଶ୍ୱାସ କଲିନାହିଁ । କିଜାଣି, କହିଥିବ ଅବା । କହିଲି–ଆଛା ତୁମେ ଯାଅ, ମୁଁ ଦେଖିବା ପାଇଁ ଯିବି ।

 

ବୁଢ଼ା ଫେରି ଯାଉଥିଲେ, ପୁଣି କଣ ଭାବି ମୋତେ ଡାକିଲେ ।

 

ଆଉ କିଛି କହିବାର ଅଛି ?

 

ସେ ସ୍ୱର ଟିକେ ନିମ୍ନ କରି କହିଲେ- ଯଚିବାବୁ କିପରି ଲୋକଟିଏ ବାବୁ ?

 

କାହିଁକି ? କଣ ହେଲା ?

 

ମୁଁ ତାଙ୍କୁ ଆଗେ ଭାରି ସ୍ନେହ କରୁଥିଲି ବାବୁ । କିନ୍ତୁ...... କିନ୍ତୁ କଣ ?

 

ଆପଣ ଯାଆକୁହ ବାବୁ, ସେ ଭଦ୍ରଲୋକପରି ଜମା ଜଣାପଡ଼ୁ ନାହାନ୍ତି ।

 

କାରଣ ?

 

କାରଣ, ଏହି ତାଙ୍କ ହାବଭାବରୁ.........

 

ଆଛା, ପରେ ସେ କଥାଭାଷା ହେବା, ମୋର ତେଣେ ଟିକେ କାମର ଚପଟ ପଡ଼ିଛି । ବୁଝିଲି- ତୁମେ କିଛି ଭାବିବ ନାହିଁ । ତୁମେ ଯାଅ, କହିଦେବ ମୁଁ ଖବରଟା ପାଇଲି ବୋଲି । ମୁଁ ଆଜି କିମ୍ୱା କାଲି ଭିତରେ ମେଡ଼ିକାଲ ଯାଇ ଯଚିର ଖବର ନେବି ।

 

ବୁଢ଼ା ଗଲାବେଳେ ନମସ୍କାରଟାଏ ମଧ୍ୟ କରିବାକୁ ଭୁଲିଲେନାହିଁ । ମୋ ସ୍ଥାନକୁ ଫେରି ଆସି କାମରେ ମନ ଦେଲି । ମାତ୍ର ମନ ମୋର ବିଚଳିତ ହୋଇ ଉଠିଲା । ଯଚିର ବିବାହ ପୂର୍ବର ଗୋଟିଏ କଥା ମନେପଡ଼ିଲା- ‘‘ଦେଖ୍ ତାକୁ ପାଇଲେ, ତୁ ଦେଖିବୁ ମୋ ଚରିତ୍ର କିପରି ବଦଳିଯିବ-।’’

 

ସତେଇଶି

 

ଛୁଟୀ ହେଲା ମାତ୍ରେ ତରତର ହୋଇ ବାହାରି ପଡ଼ିଲି ମେଡ଼କାଲ । ଦଶମିନିଟ ପରେ ଖୋଜି ପାଇଲି ଯଚିକୁ ।

 

ମୋତେ ଟି. ବି. ଧରିଛି ବୋଲି ଡାକ୍ତରମାନେ ସସପେନ୍ସ ରଖୁଛନ୍ତି ପ୍ରଭାସ । ଚମକିପଡ଼ିଲି ମୁଁ ଯଚି କଥାରେ । ଏ କେତେଦିନ ଧରି ମୁଁ ଯେ ଏପରି ଗୋଟାଏ ସନ୍ଦେହ କରୁ ନଥିଲି ତାହାନୁହେଁ । ତଥାପି ମୋର ଚମକ ଭାଙ୍ଗି ଯଚି କହିଲା- କାଲି ଥରେ ପୁଣି ବ୍ଲଡ଼୍ଏକଜାମିନ୍ କରିବେ ଓ ଏକ୍ସରେ ନେବେ ।

 

ସ୍ପେସାଲ ଓ୍ୟାର୍ଡ଼ରେ ଯଚିକୁ ଖଟିଆ ମିଳିଥିଲା । ପାଖ ଷ୍ଟୁଲରେ ବସିପଡ଼ି ତା’ ଦେହରେ ହାତ ମାରିଲି । ଜର ଅଛି ସାମାନ୍ୟ ।

 

ପଚାରିଲି- ରାତିରେ ତୋ ଦେହରୁ ଝାଳ ବହେ ?

 

ହୁଁ ।

 

ଜୋରରେ କଥା କହିବାକୁ କଷ୍ଟ ହେଉଛି ?

 

ହେଉଛି ଭାଇ.......

 

ତୋତେ ବର୍ତ୍ତମାନ କିପରି ଲାଗୁଛି ?

 

ଟିକେ ଖୁଁ ଖୁଁ ହୋଇ ଥରେ ଦୁଇଥର କାଶି ଯଚି ଖଙ୍କାର କାଢ଼ିଲା ଖଟିଆ ତଳେ ରଖା ଯାଇଥିବା ପିତଳ ତସଲାରେ । ଖଙ୍କାର ସହିତ ରକ୍ତ । କଣ କହିବ କହିବ ହୋଇ ରହିଗଲା । ଏ ପ୍ରଶ୍ନଟି ଶେଷକୁ ପଚାରିବି ବୋଲି ଭାବୁଥିଲି ମାତ୍ର ଉତ୍ତର ପାଇଗଲି ।

 

ଭାରି କ୍ଲାନ୍ତଲାଗୁଛି ମତେ ।

 

ଏମିତି ହେଉଛି କେତେଦିନ ହେଲା ? ରକ୍ତ ଆଡ଼କୁ ଲକ୍ଷ୍ୟକରି ପଚାରିଲି ।

 

ଦୁଇ ତିନିଦିନଠାରୁ ବରାବର ଲକ୍ଷ୍ୟ କରୁଛି ।

 

ତୁ ଯେ ଦିନେ ଏପରି ଅବସ୍ଥାରେ ଆସି ପହଞ୍ଚିବୁ, ଭାବୁଥିଲୁ କେବେ ?

 

କଲା ଓଠ ଉପରୁ ମାଛି କେଇଟାଙ୍କୁ ଉଡ଼ାଉ ଉଡ଼ାଉ ଯଚି କହିଲା- ନାଃ, ଭବିଷ୍ୟତ କଥା କେବେ ଭାବିଛି ବୋଲି ମନେ ପଡ଼ୁନାହିଁ । ମୁଁ ତିଳେହେଲେ ବିଚଳିତ ନୁହେଁ ପ୍ରଭାସ । ତୋର ବ୍ୟସ୍ତ ହେବା ଆଦୌ ଉଚିତ ନୁହେଁ - ତାପରେ......

 

ତା’ପରେ ଆଉ କଣ କହିବାକୁ ଚାହୁଁ ?

 

ତୋ କଥା ମୋ ସ୍ତ୍ରୀକୁ କହିଦେଇଛି ।

 

ଅର୍ଥାତ୍, ମୋ ନାଁ, କେଉଁଠି କାମ କରେ , କେଉଁଠି ରହେ ଏଇ ସବୁତ ?

 

ହଁ, ସେହିସବୁ.........

 

କହିବାର ଅର୍ଥ.........

 

ଅର୍ଥ ଅତି ପରିଷ୍କାର । ଟିକେ ହସିଲା ଯଚି । ତାର ରକ୍ତହୀନ ଓଠ ଉପରେ କ୍ଷୀଣ ହସର ଉଜାଲାଟିକକ ଚକ୍ଷୁକୋଟର ଭିତରେ ଥିବା ଡୋଳା ଭିତର ଦେଇ ଯେପରି କଣିକାଏ ତୀକ୍ଷ୍ଣ ଜ୍ୟୋତି ଝରାଉଥିଲା । ଜଡ଼ପ୍ରସ୍ତରମୂର୍ତ୍ତି ଉପରେ ଖୋଲା ହୋଇଥିବା ହସର ମାଧୁରୀପରି ନିତାନ୍ତ ଶୁଷ୍କ ।

 

ଏ ରୋଗରୁ ବଞ୍ଚିବା ମୋ ପକ୍ଷରେ କେଡ଼େ ଅସମ୍ଭବ, ତାହା ଅବଶ୍ୟ ତୁ ଦେଖିପାରୁଛୁ ମୋ ଅବସ୍ଥାରୁ । ତେଣୁ.........

 

କି ଭାବନା ଯେ ମୋ ମୁଣ୍ଡରେ ଖେଳୁଥାଏ, ମୁଁ ଠିକ୍ କହିପାରୁନାହିଁ । ମାତ୍ର ଏତକ ଶୁଣିଲା ପରେ ସେଠାରେ ରହିବାକୁ ମୋର ଇଚ୍ଛା ହେଲାନାହିଁ । ମୁଁ ଫେରିବାକୁ ତରତର ହେଇପଡ଼ିଲି ।

 

ପଚାରିଲି- ତୋତେ ଦେଖିବାକୁ ତୋ ସ୍ତ୍ରୀ ଆସେନାହିଁ ?

 

ହୁଏତ, ଆସୁଥିବ ସେହି ଘରବାଲା ବୁଢ଼ା ସାଙ୍ଗରେ ।

 

ଛଅଟା ବାଜି ଯାଇଥିଲା, ମୁଁ ବେଶୀ ସମୟ ରହିବାକୁ ଇଚ୍ଛା କଲିନାହିଁ । କାରଣ ଯଚିର ସ୍ତ୍ରୀ ଆସିଲେ ଆମ୍ଭେମାନେ ଏକତ୍ର ରୋଗୀ ପାଖରେ ରହିବୁ । ସେମାନଙ୍କର କଥାବାର୍ତ୍ତାରେ ବାଧା ପଡ଼ିପାରେ, ମୋର ଉପସ୍ଥିତିରେ । ତେଣୁ ତାଙ୍କର ଆସିବା ପୂର୍ବରୁ ମୋର ଅନ୍ତତଃ ଏଠାରୁ ଚାଲିଯିବା ଉଚିତ । କହିଲି – ମୁଁ ବାହାରିଲି, ତୁ ବେଶୀ କଥାବାର୍ତ୍ତା କରନା, ତଦ୍ୱାରା ତୋର ଅପକାର ହେବ ।

 

ହଁ ବୋଲି ଅନିଚ୍ଛାସତ୍ୱେ କହି ଯଚି କାଶିବାକୁ ଲାଗିଲା । ପୁଣି କହିଲା-‘‘ସୌଭାଗ୍ୟବଶତଃ ତୋ ସହିତ ଦେଖାହେଲା । ନହେଲେ ଦୁଇ ତିନିଦିନ ଭିତରେ ମୋତେ ହୁଏତ ଟି.ବି. ହସ୍ପିଟାଲକୁ ପଠାଇଦେବେ’’ ମନେ ମନେ ଶିହରୀ ଉଠିଲି । ‘‘ବିଚଳିତ ହେବା ଦରକାର ନାହିଁ ଯଚି । ହୁଏତ ସେଠାରେ ତୋର ଯତ୍ପରୋନାସ୍ତି ଯତ୍ନ ନିଆଗଲେ ତୁ ଆରୋଗ୍ୟ ହୋଇଯିବୁ । ମୁଁ ମଧ୍ୟ ତୋତେ ଦେଖିବାକୁ ସେଠାକୁ ଯିବି- ଏବେ ଚାଲିଲି ।’’

 

ଦୁଃଖ ଭାରାକ୍ରାନ୍ତ ହୃଦୟରେ ଯଚିର ନିଷ୍ପ୍ରଭ କରୁଣ ଦୃଷ୍ଟିକୁ ସମ୍ୱଳ କରି ବସାକୁ ଫେରିଲି-

 

ଅଠେଇଶି

 

ହୁଁ, ଯଚି ତା ହେଲେ ମୋ କଥା ତା’ ସ୍ତ୍ରୀ ଆଗରେ କହି ଦେଇଛି । ମୁଁ ଯେ ତାର ଜଣେ ଘନିଷ୍ଠ ବନ୍ଧୁ.... ଆଉ ଯଦି ଦୁର୍ଭାଗ୍ୟବଶତଃ ଯଚି ସେ ପୁରକୁ ଯାଏ, ତେବେ ମୁଁ ସ୍ୱାମୀଙ୍କ ବନ୍ଧୁ ଭାବରେ ଯଥେଷ୍ଟ ସାନ୍ତ୍ୱନା ଦେଇପାରିବି । କିମ୍ୱା ଆର୍ଥିକ ସାହାଯ୍ୟ ଦରକାର ପଡ଼ିଲେ ମୁଁ ତାହା ମଧ୍ୟ ଦେଇପାରିବି ଏହିପରି କିଛି ଭରସା କରି ଯଚି ମୋର ପରିଚୟଟା ତା’ ପାଖରେ ଦେଇଛି । ଏଇତ ? ନା, ଆଉ କିଛି ? କିଛି ଠିକ୍ କରି ଭାବିପାରିଲି ନାହିଁ ମୁଁ ।

 

କିନ୍ତୁ ଅକସ୍ମାତ୍ ଏ ଦୁର୍ଘଟଣାରେ ଯଚି ସ୍ତ୍ରୀପରି ତରୁଣୀ ବିଧବାର ଜୀବନ ଗତି କିପରି ଭାବରେ ନିର୍ବାହିତ ହେବ ? କାହିଁକି ? ତାର ଅଭିଭାବକମାନେ ଅଛନ୍ତି । ସେମାନେ ଯାହା କହିବେ, ସେହି ଅନୁସାରେ ତା’ ସ୍ତ୍ରୀ ହୁଏତ ଚଳିବ । କିନ୍ତୁ ଏ ସବୁ କଥା ମୋ ଭାବନାରେ ବା ସ୍ଥାନ ପାଇବ କାହିଁକି ? ତଥାପି ନିଜେ ନିଜକୁ ବୁଝାଇ ପାରିଲିନାହିଁ । ମନଟା କିପରି କେମିତି ଗୋଳେଇ ଘାଣ୍ଟି ହେବାରେ ଲାଗିଲା ।

 

ତହିଁ ଆରଦିନ ମୁଁ ଯଚି ପାଖକୁ ଗଲି । ତା’ ଅବସ୍ଥା ପୂର୍ବଦିନ ଅପେକ୍ଷା ଅଧିକ ଖରାପ ହୋଇ ପଡ଼ିଥିଲା । ତା’ ଡିପାର୍ଟମେଣ୍ଟର ସହକର୍ମୀମାନେ ମଧ୍ୟ ତା’ ନିକଟରେ ଘେରି କହିଥିଲେ । ମୁଁ କେବଳ ଦେଖି ଆସିଲି ତାକୁ । ଅଳ୍ପ ସମୟ ତା’ ବେଡ଼୍ ପାଖରେ ଠିଆ ହୋଇଥିଲି । ଶୁଣିଲି, ପରଦିନ ସେ ସାର୍ ଆର୍‍ଦେସିର୍ ଦଲାଲ୍ ଟି.ବି. ହସ୍‍ପିଟାଲକୁ ସ୍ଥାନାନ୍ତରିତ ହୋଇ ଯାଉଛି । ସେଠାକୁ ଗଲେ ତା’ ସହିତ ଦେଖା କରିବା ମୋ ପକ୍ଷରେ ରବିବାର ଛଡ଼ା ସମ୍ଭବ ହୋଇ ପାରିବନାହିଁ ।

 

ଯଚି ଖବର ନିରୂପମା ଆଗରେ କହିଲି । ସେ ଅତିଶୟ ଦୁଃଖୀତା ହୋଇପଡ଼ିଲା । କହିଲା- ବିଚାରି ତାଙ୍କ ସ୍ତ୍ରୀଟିର କି ଦଶା ହେବ ଦେଖଟି.... ।’’

 

‘‘ ଏହା କେବଳ ଯଚିର ସ୍ୱେଛାଚାରିତାର ଦୋଷ ।’’ ମୁଁ କହିଲି ।

 

ଏଥି ଭିତରେ ଯଚି ଟି. ବି. ହସ୍ପିଟାଲରେ ଭର୍ତ୍ତି ହୋଇଯାଇଛି । ମୁଁ କିନ୍ତୁ ତା’ ନିକଟକୁ ଯିବା ପାଇଁ ଚେଷ୍ଟା କରି କୃତକାର୍ଯ୍ୟ ହୋଇପାରିନାହିଁ । ଛଅମାଇଲ ଦୂର ସୁବର୍ଣ୍ଣରେଖା କୂଳରେ ବାରା ଜଙ୍ଗଲ ମଧ୍ୟରେ ଟି.ବି. କଲୋନି । ଗୋଟିଏ ରବିବାର ପାରି ହୋଇଗଲା । ମୁଁ ବଡ଼ସ୍ୱାର୍ଥପର ମନେକଲି ନିଜକୁ । ପର ରବିବାର ଦିନ ଯିବା ପାଇଁ ଚେଷ୍ଟା କରିବି ବୋଲି ଅନାଇ ରହିଲି ।

 

ଯାଇଁକରି ମଧ୍ୟ କି ଲାଭ ? କେବଳ ଯଚିକୁ ଦେଖି ମନର ଦୁଃଖ ଦ୍ୱିଗୁଣିତ କରିବା ବ୍ୟତୀତ ଅନ୍ୟ କିଛି ନୁହେଁ । ଏତିମଧ୍ୟରେ ବୁଢ଼ାଙ୍କଠାରୁ ଖବର ନେବାରେ ଜଣାଗଲା, ଅବସ୍ଥା ଦିନକୁ ଦିନ ଦ୍ରୁତ ଗତିରେ ଖରାପ ହେଉଛି, ଯଚିର ଦୁଇଟିଯାକ ହୃତହନ୍ତ୍ର (ଫୁସ୍ ଫୁସ୍) ଟି.ବି. ଜୀବାଣୁରେ ନଷ୍ଟ ହୋଇଥିବାହେତୁ ।

 

ପର ରବିବାର ଦିନ ମୋତେ ଆଉ ଯିବାକୁ ପଡ଼ିଲାନାହିଁ । କେବଳ ମୋର ନ ଯିବାର ଅସହାୟତା ଲକ୍ଷ୍ୟକରି ଯଚି ବୋଧହୁଏ ଆକ୍ଷେପ ନକରି ହସି ହସି ଚାଲିଗଲା ଅନ୍ୟ ଗୋଟିଏ ଅଜଣା କଲୋନିକୁ । ସେଠାରେ କୁଆଡ଼େ ଏସବୁ ରୋଗ ଯନ୍ତ୍ରଣା କିଛିହିଁ ନାହିଁ ।

 

ଅଜାଣତରେ ଝରି ପଡ଼ିଲା ଦୁଇଟୋପା ଲୁହ ମୋ ଆଖି କୋଣରୁ । ମୁଁ ଅଫିସରେ ବସି ବସି ରୁମାଲରେ ମୁହଁ ଘୋଡ଼ାଇଲି । କାମ କରି ପାରିଲି ନାହିଁ । ଅଧବେଳା ଛୁଟୀ ନେଇ ଗଲି ଘରକୁ ।

 

ଅଣତିରିଶି

 

‘ଛନ୍ଦମହଲ’ର ଶିଳ୍ପୀମାନଙ୍କ ତରଫରୁ ଗୋଟିଏ ଶୋକସଭା ତା’ ପରଦିନ ଆହୁତ ହେଲା-। ଯଚିର ଅନ୍ୟାନ୍ୟ ବନ୍ଧୁବର୍ଗଙ୍କ ସହିତ ମୁଁ ମଧ୍ୟ ଶୋକ ସଭାରେ ଯୋଗ ଦେଇଥିଲି । ଯଚିର ପରିଚିତ ଭଦ୍ରବ୍ୟକ୍ତି କେତେଜଣ, ଯେଉଁମାନେ କି ତାର ଅଭିନୟ ଦେଖି ହସି ହସି ତାର ତାରିଫ୍ କରନ୍ତି, ଆସିଥିଲେ ଏହି ସଭାକୁ ସ୍ୱର୍ଗତଃ ଆତ୍ମାର ସଦ୍‍ଗତି କାମନା କରିବା ପାଇଁ । ସଭା ସମିତିରେ ଯୋଗଦେବା ପାଇଁ ଆମ୍ଭେମାନେ ତ ହଜାର ହଜାର ସଂଖ୍ୟାରେ ଧାଇଁଆସୁ । ଶୋକସଭା କଥାତ ଛାଡ଼ । ବେଶଭୂଷାରେ ମଧ୍ୟ ଏକକୁ ଆରେକ ଆଖି ଝଲସାଇ ଦେଲାବାଲା ଯେଉଁ କେତେଜଣ ଆସିଥିଲେ, ତହିଁରେ ଯୁବକ ଓ ବାଳିକା କେଇଟି ବେଶ୍ ସଜବାଜ ହୋଇ ମୁହଁରେ ସ୍ନୋ ପାଉଡ଼ର, ଜାମା ଓ ଶାଢ଼ୀରେ ଏସେନ୍‍ସ ଛିଞ୍ଚିଦେଇ ମଧ୍ୟ ଆସିଥିଲେ, ଶୋକ ସଭାରେ ଯୋଗଦେବା ପାଇଁ । ଶିଳ୍ପୀମାନଙ୍କ ବକ୍ତୃତାରୁ ଜଣାଗଲା, ଯଚିପରି ଲୋକର ତିରୋଧାନରେ ‘ଛନ୍ଦମହଲ’ ନାଟ୍ୟ ଅନୁଷ୍ଠାନର ଏକ ଅପୁରଣୀୟ କ୍ଷତି ହେଲା, କଥାଟି ସତ । ଯଚିର ମୃତ୍ୟୁରେ କାହାରି କାହାରି କିଛି ନା କିଛି କ୍ଷତି ହୋଇଛି । ମୁଁ ଭାବିଥିଲି ଯଚିର ମୃତ୍ୟୁରେ ମୋର କଣ କ୍ଷତି ହୋଇଛି ?

 

ଦୁଇଦିନ ପରେ—

 

ଯଚି ସ୍ତ୍ରୀଙ୍କୁ ସାନ୍ତ୍ୱନା ଦେବାକୁ ହେବ । କି ସାନ୍ତ୍ୱନା ଦେବି ମୁଁ ? କିଛି ସାନ୍ତ୍ୱନା ଦିଏ ବା ନ ଦିଏ, ଅନ୍ତତଃ ତାଙ୍କ ସ୍ୱାମୀର ବନ୍ଧୁ ରୂପେ ଦୁଆରେ ଠିଆହେଲେ ସେ ହୁଏତ ଧୈର୍ଯ୍ୟ ଧରିବେ, ସାହାସ ବାନ୍ଧିବେ । ଏହିପରି କିଛି ଭରସା କରି ଯଚି ତା ସ୍ତ୍ରୀ ଆଗରେ ମୋର ନାମଧାମ ଆଦି କହି ଯାଇଛି । ତେଣୁ ମୋର ଯିବା ଏକାନ୍ତ ଉଚିତ । ମୁଁ ବାହାରିଲି ।

 

ଭାବିଲି, ଯଚି ସ୍ତ୍ରୀ ଯଦି ଏକାକିନୀ ଥାଆନ୍ତା, ତେବେତ ବଡ଼ ଅସୁବିଧା ହେବ । ଯଦି ସେ ବୃଦ୍ଧଲୋକଟି ଥାଆନ୍ତା, ତାହାହେଲେ ବରଂ ଭଲ ହେବ । କିନ୍ତୁ ତାଙ୍କ ବାପଘର ତରଫରୁ ଆତ୍ମୀୟ ହୁଏତ କେହି ତାଙ୍କୁ ବୁଝାଇବାକୁ ଆସି ପାଖରେ ଥିବେ । ତଥାପି ସବୁ କଥାକୁ ପଛକରି ମୁଁ ଗୋଡ଼ ଆଗକୁ ଆଗକୁ ପକାଇଲି ।

 

ଯଚି ସ୍ତ୍ରୀଙ୍କ ସହିତ ମୋର କିପରି ଦେଖାହେବ ? ସେ ହୁଏତ ମୋତେ ଦେଖି ବାହୁନି କରି କାନ୍ଦି ଉଠିବେ.... । ଭାଷାରେ କିପରି ତାଙ୍କୁ ପ୍ରବୋଧନା ଦେବି କିଛି ସ୍ଥିର କରିପାରିଲି ନାହିଁ । ଛାତି ଭିତରଟା ମୋର ଦମ୍‍ ଦମ୍ ହୋଇ ପଡ଼ୁଥାଏ । ଶ୍ୱାସ ସତେ ଯେପରି ରୁଦ୍ଧ ହୋଇଯିବ ।

 

ସନ୍ଧ୍ୟା ହୋଇ ଆସୁଥାଏ । ମୁଁ ସିଧା ଅଫିସରୁହିଁ ଯଚି ଘରକୁ ଯାଉଥାଏ । ଚାଲିବାର କ୍ଷିପ୍ରତା ଯୋଗୁଁ କି ଭାବନାର ବ୍ୟଗ୍ରତା ଯୋଗୁଁ ମୁଁ ଯେ କେତେବେଳେ ଆସି ଯଚି ଘର ପାଖରେ ପହଞ୍ଚିଲି ଜାଣି ପାରିଲିନାହିଁ । ମୁହଁସଞ୍ଜ ହେଲା ପ୍ରାୟ ।

 

ମୁଁ ଯାଇ ବାରଣ୍ଡାରେ ଠିଆ ହେଲି । କବାଟ ଦରଆଉଜା ହେଲା ପରି ଥିଲା । ମୋ ଜୋତା ଶବ୍ଦରୁ ଯଚି ସ୍ତ୍ରୀ ହୁଏତ ଆଗନ୍ତୁକ କିଏ ଦେଖିବା ପାଇଁ ଝରକାର ପରଦାବାଟେ ଅନାଇଦେଇ ଘୁଞ୍ଚିଗଲେ । ଆଖି ପିଛୁଳାକେ ମୁଁ ଖାଲି ଦେଖିଲି ତାଙ୍କର ଛାୟା । ଅର୍ଦ୍ଧ ଅନାବୃତ ମୁଖମଣ୍ଡଳର ଛାୟା ଅର୍ଦ୍ଧପଲକ ପାଇଁ ଦେଖିବା, କିଛି ନଦେଖିବା ସଙ୍ଗେ ସମାନ । ଚେୟାରଟିଏ ଘୁଞ୍ଚାଇବା ଶବ୍ଦ ଶୁଣି ମୁଁ ଭିତରକୁ ପ୍ରବେଶ କଲି ତଳକୁ ମୁହଁ ପୋତି । ମୋତେ ଆସନ ଦେବା ପାଇଁ ହୁଏତ ଯଚିର ସ୍ତ୍ରୀ ଚେୟାର ରଖିଦେଇଥିଲେ । ମୁଁ ବସିପଡ଼ିଲି । ସେ ଘରେ କେହି ନଥିଲେ । ଯଚି ସ୍ତ୍ରୀ ବୋଧ ହୁଏ ଆର ବଖରାକୁ ଚାଲିଗଲେ । ଦୁଇବଖରା ମଝିରେ ଗୋଟାଏ ମାତ୍ର ଦ୍ୱାର ।

 

ଦୁଇତିନି ସେକେଣ୍ଡ ପରେ ଆରପାଖ ଘରୁ ନୀରବ କାନ୍ଦଣାର ସକ୍ ସକ୍‍ ଶବ୍ଦ କାନରେ ପଡ଼ିଲା । ମୁଁ ଯେ ଆଖି ଛଳ ଛଳ କରି ନଥିଲି ନୁହେଁ । କିଛି ଗୋଟାଏ କହିବାକୁ ଭାବୁଥିଲି । ମାତ୍ର କଣ୍ଠ ମୋର ବାଷ୍ପାକୁଳ ହୋଇ ଉଠିଥିଲା । ରୁମାଲରେ ମୁହଁ ପୋଛି ମୁଁ ଶୁଣିଲାପରି କହିଲି—‘‘କାନ୍ଦିବାରେ ଲାଭ କଣ ? ଯେ ଗଲାଣି, ସେ କଣ ଆଉ ଫେରି ଆସିବ ?’’ ଦୃଷ୍ଟି ମୋର ଗୃହତଳେ ଅବନତ ।

 

କାହାକୁ ଆପଣ ସାନ୍ତ୍ୱନା ଦେବାକୁ ଆସିଛନ୍ତି ପ୍ରଭାସବାବୁ? ବନ୍ଧୁ ପତ୍ନୀଙ୍କୁ? କଇଁ କଇଁ ହେଉଥିବା ଅଥଚ ରୁକ୍ଷ ଗୋଟାଏ କଣ୍ଠସ୍ୱର ଶୁଣି ମୁଁ ଅନ୍ୟ ଘରର ଦ୍ୱାରବନ୍ଧଆଡ଼କୁ ଅନାଇଲି । ଆଲୁଲାୟିତକେଶା ଜାହ୍ନବୀ ତାଙ୍କର ଦୀର୍ଘ ନେତ୍ରରେ ଅପଲକ ଭାବରେ ଅନାଇ ରହିଛନ୍ତି ମୋଆଡ଼କୁ । ଗଣ୍ଡ ଉପରେ ତାଙ୍କର ଦରଦର ଅଶ୍ରୁଧାରା ପ୍ରବାହିତ । ଆଖି ଦୁଇଟି ଫୁଲି ଫୁଲି ଡିମା ଡିମା ଦିଶୁଛି ।

 

ନିସ୍ପନ୍ଦ ଭାବରେ ଅନାଇ ରହିଲି ମୁଁ । ଜାଗ୍ରତ ନା ସ୍ୱପ୍ନ ଦେଖୁଛି କିଛି ଭାବିପାରିଲି ନାହିଁ । ମୁଁ କେଉଁଠାରେ ? ଏକଣ ଯଚିଘର ନୁହେ ? ଅକସ୍ମାତ୍ ପାଟିରୁ ମୋର ବାହାରି ପଡ଼ିଲା- ‘‘ ତୁମେ !

 

ହଁ, ଭଲରକମ ଦେଖନ୍ତୁ ଥରେ । ଅଢ଼େଇବର୍ଷ ତଳର ଜାହ୍ନବୀକୁ ହୁଏତ ଆପଣ ଭୁଲିଯାଇ ନଥିବେ । ଆପଣଙ୍କ ଆଗରେ ଯେ ଏପରି ରୂପ ଦିନେ ଦେଖାଇବି........ ହାୟରେ କପାଳ !’’ କହୁଁ କହୁଁ ଜାହ୍ନବୀ ମୋ ଗୋଡ଼ ପାଖରେ ବାତାହତ ରମ୍ଭାତରୁପରି କଚାଡ଼ିହୋଇ ପଡ଼ିଗଲେ ।

 

ଜାହ୍ନବୀହିଁ ଯଚିର ପ୍ରେମ ନାୟିକା ! ତେବେ କାହା ଦୁଃଖରେ ଦୁଃଖି ମୁଁ । ଯଚିର ମୃତ୍ୟୁରେ ନା ଜାହ୍ନବୀର ବୈଧବ୍ୟରେ? ଜାହ୍ନବୀ ମୋର ଗୋଡ଼ ତଳକୁ ପେଟେଇ ହୋଇପଡ଼ି କଇଁ କଇଁ ହୋଇ କାନ୍ଦୁଥାଆନ୍ତି । ଦୁଃଖ ଓ ବିସ୍ମୟରେ ଘନୀଭୂତ ଆକାଶ ଭାଜି ପଡ଼ିଛି ସତେ ଅବା ମୋ ମୁଣ୍ଡ ଉପରେ । ବାହାରେ ଅନ୍ଧକାର ଘୋଟି ଯାଇଛି । ରାତ୍ରି ଆସିଯାଇଛି, ଖାଲି ଯଚି ଘର ପାଖକୁ ନୁହେଁ, ସାରା ଜାମସେଦପୁରକୁ, ନା ନା, ସାରା ପୂର୍ବ ଗୋଲାର୍ଦ୍ଧକୁ, ନା ନା, ତା’ ବି ନୁହେ, ମୋର ସନ୍ତାପିତ ହୃଦୟର ପ୍ରତି ରନ୍ଧ୍ର ଭିତରେ ଭର୍ତ୍ତି ହୋଇଯାଇଛି ରାତ୍ରିର ନିବିଡ଼ କାଳିମା ।

 

ସ୍ଥାଣୁପରି ବସି ରହିଲି ଖାଲି । ଉଠିଯାଇ ଘରର ବିଜୁଳିବତୀଟି ଜାଳିଦେବା ପାଇଁ ମଧ୍ୟ ଗୋଡ଼ ଚଳିଲା ନାହିଁ ମୋର । ଯଚି ଘର ପାଖରୁ ଦୂର ଦୂରରେ ରାସ୍ତାକଡ଼ର ବିଜୁଳିଆଲୁଅ ବ୍ୟତୀତ ସବୁ ଅନ୍ଧାର । ଉପରେ ତାରାପୁଷ୍ପିତ ଶୀତ ଆକାଶ, ତଳେ ରୋରୁଦ୍ଦ୍ୟମାନା, ଭୂଶଯ୍ୟାଶାୟିନୀ ଜାହ୍ନବୀ, ଆକାଶର ଅର୍ଦ୍ଧପଥରୁ ଖୁଁ ଖୁଁ ହୋଇ କାଶି ଉଠୁଛି ସତେ ଯେପରି ଯଚିନ୍ଦ୍ରନାଥ, ଆଉ ଏ ସବୁ ମଝିରେ ମୁଣ୍ଡରେ ହାତଦେଇ ବସିଛି ମୁଁ ।

 

କି ସାନ୍ତ୍ୱନା ଦେବି ? କାହାକୁ ସାନ୍ତ୍ୱନା ଦେବି ? ହୃଦୟର କେଉଁ କଣରେ ଯାଇ ବାଜିବ ମୋର ସାନ୍ତ୍ୱନା ଓ ଆଶୀଷବାଣୀ ଜାହ୍ନବୀଙ୍କର? ଉଠି, ତାଙ୍କୁ ଉଠାଇବାକୁ ଚେଷ୍ଟା କଲି । ଲଜ୍ଜା ନାହିଁ, ସଂକୋଚ ନାହିଁ, ଭୟ ନାହିଁ, କୌଣସି ବାଧା ବନ୍ଧନ ନାହିଁ, ମୁଁ ଶୂନ୍ୟେ ଶୂନ୍ୟେ ଜାହ୍ନବୀଙ୍କ ବାହୁ ଧରି ତାଙ୍କୁ ଉଠାଇ ଠିଆ କରାଇଲି । ଟଳ ଟଳ ହୋଇ ଢଳିପଡ଼ିଲେ ସେ ମୋ ଉପରେ । ଅଶ୍ୱସ୍ତି ଲାଗିଲା ଅବଶ୍ୟ । ବାଧା ଦେବାକୁ କିନ୍ତୁ ଶକ୍ତି ନଥିଲା । ବିସ୍ମୃତିର ଅତଳ ଗର୍ଭରେ ଲୀନ ହୋଇ ଯାଇଥିଲା ଚୈତନ୍ୟ ମୋର । କେଶ, ବାସ କୌଣସିଟିର ହେଲେ ସଂଯମ ରକ୍ଷାର ଚେଷ୍ଟା କରୁନାହାନ୍ତି ଜାହ୍ନବୀ । ଏକପ୍ରକାର ବିବସ୍ତ୍ରା ମାନବୀରୂପେ ସେ ଢଳିପଡ଼ିଛନ୍ତି ମୋର କାନ୍ଧ ଉପରେ-

 

କୌଣସିମତେ ନିଜକୁ ସଂଯତ କରି ଜାହ୍ନବୀଙ୍କୁ ଏକପ୍ରକାର ଚଳାଇ ଚଳାଇ ନେଇ ଚେୟାର ପାଖ ଛୋଟ ଦଉଡ଼ି ଖଟିଆରେ ବସାଇଲି । ବସୁ ବସୁ ସେ ଟଳିପଡ଼ିଲେ ଖଟିଆ ଉପରେ ଆଉ କାନ୍ଦିବାକୁ ଲାଗିଲେ ଅବିଚ୍ଛନ୍ନ ଭାବରେ । ମୁଁ ବତୀ ଲଗାଇବା ପାଇଁ ସୁଇଚ୍ ଟିପିଦେଲି ।

 

ନୀରବ ହୋଇ ବସି ରହିଲି କିଛିକ୍ଷଣ । ବିସ୍ମୟର ଆଧିକ୍ୟରେ ହୁଏତ ପେଟ ଭିତରେ କୋହ କନ୍ଦାଇପାରୁନଥିଲା ମୋତେ । ପଚାରିଲି, ତୁମେ ଆଉ କେତେଦିନ ଧରି କାନ୍ଦିବ ଜାହ୍ନବୀ, କେତେ ଯୁଗ?’’

 

ନିରତିଶୟ ଅଭିମାନିନୀର କ୍ରନ୍ଦନମୟ କଣ୍ଠରେ ଜାହ୍ନବୀ କହିଲେ- ‘‘ଯେତେଦିନ ମୋତେ କନ୍ଦାଇ ତୁମେ ଆନନ୍ଦ ପାଉଥିବ ।’’

 

‘‘ ଅର୍ଥାତ୍, ତୁମ କଥାତ ମୁଁ କିଛି ବୁଝିପାରୁନି । ତୁମକୁ କନ୍ଦାଇ ମୁଁ ଆନନ୍ଦ ପାଉଛି?’’

 

ତୁମେ କିପରି ବୁଝିବ? ସେଦିନ ଯଦି ତୁମେ ଏ ଘରକୁ ବାହା ଭୋଜି ଖାଇବାକୁ ଆସି ନଥାନ୍ତ, ତାହାହେଲେ ମୋତେ ମଧ୍ୟ ଏକଥା ବୁଝାଇବାକୁ ପଡ଼ି ନଥାନ୍ତା । ଜାହ୍ନବୀର କଥା କହିବାର ଭଙ୍ଗି ମୋର ନିତାନ୍ତ ଅବୋଧ୍ୟ ହୋଇ ଉଠିଲା । ପଚାରିଲି-

 

ଏ କଥାର ମାନେ କଣ ଜାହ୍ନବୀ ?

 

ହେଃ, ମାନେ ? ବ୍ୟଥା ଜର୍ଜର ଅଥଚ ତାତ୍ସଲ୍ୟ କର୍କଶ ସ୍ୱରରେ କହିଲେ ଜାହ୍ନବୀ । ମାନେ, ମୁଁ ତ ନିଜେହିଁ ବୁଝି ନଥାନ୍ତି ଯେ, ମୋତେ ଏପରି କନ୍ଦାଇ, ମୋତେ ଏପରି ଜଳାଇ ପୋଡ଼ାଇ ଆଜି ମୋର ସର୍ବନାଶ କରିବା ମୂଳରେ କିଏ ? କହି କହି ଅଞ୍ଚଳରେ ଆଖି ପୋଛି ପୋଛି ଜାହ୍ନବୀ ଭିତର ଘରକୁ ଚାଲିଗଲେ ।

 

ଏତେବଡ଼ ଅଭିମାନ କାହିଁକି କରିଛ ଜାହ୍ନବୀ ମୋ ଉପରେ ? କଣ୍ଠସ୍ୱର ମୋର ବଡ଼ ନରମ ହୋଇ ଆସିଲା । ମୁଁ କଣ ଜାଣିଶୁଣି ତୁମର କିଛି ସର୍ବନାଶ କରିଛି ? ସହଜ ଭାବରେ କଣ କହିବ ନାହିଁ ? ମୁଁ କଣ ଏଡ଼େ ହୃଦୟହୀନ ଯେ, ତୁମପରି ବାଳିକାର ସର୍ବନାଶ କରନ୍ତି ? କଣ୍ଠ ମୋର ଭାରାକ୍ରାନ୍ତ ହୋଇ ଆସିଲା । ଦୁଃଖ ଓ ଆବେଗରେ କାନ୍ଦି ପକାଇଲି ତା’ ମୁଁ ନିଜେହିଁ ବୁଝିପାରିଲି ନାହିଁ । ସତେ ଯେପରି ଅନୁଭବ କଲି ମୋପରି ଦୁର୍ବଳ ଏ ସାରା ସୃଷ୍ଟିରେ ଅନ୍ୟ ଜଣେ ନାହିଁ ।

 

ଏସବୁ ଚିଠି ପଢ଼ିଲେ କେଉଁ ବାଳିକା ଭଲା କହିବ ତୁମେ ହୃଦୟହୀନ ବୋଲି........ କହି ପୁଳାଏ ଚିଠି ମୋ କୋଳ ଉପରକୁ ପକାଇଦେଇ ନାଥୁକରି ବସିପଡ଼ିଲେ ଜାହ୍ନବୀ ମୋ ଗୋଡ଼ କତିରେ । ଗୋଡ଼କୁ ମୋର କୁଣ୍ଡେଇ ଧରି ମୋ ଆଣ୍ଠୁ ଉପରେ ମୁହଁମାଡ଼ି ବାହୁନି ବସିଲେ ପୁଣି ଥରେ........ ଉଁ –ହୁଁ –ହୁଁ, ମୋତେ କୁହ ପ୍ରଭାସବାବୁ ! ଉଁ-ହୁଁ-ହୁଁ, ମୋତେ କୁହ କେଉଁ କୁଳକୁ ମୁଁ ଯିବି....?

 

ଦେଖିଲି, ଆଖି ପିଛୁଳାକେ ଚିହ୍ନିନେଲି ନିଜ ହସ୍ତାକ୍ଷରଗୁଡ଼ିକୁ ମୁଁ । ଯେଉଁ ହୃଦୟହୀନର ପ୍ରେମାରତି ସାଜି ଆତ୍ମଗରିମାରେ ଜଳିଉଠିଥିଲେ, ଏହି ଚିଠିଗୁଡ଼ିକ ଆଜି ହୁଏତ ନିର୍ବାଣ ପ୍ରାପ୍ତିର ଅଖଣ୍ଡ ତୃପ୍ତି ଧରି ଫେରି ଆସିଛନ୍ତି ତାରି ସୃଷ୍ଟିକର୍ତ୍ତାଙ୍କ ପାଖକୁ- ଯେ ଆଉ ଜଣେ ଅତି ହୃଦୟହୀନ ।

 

‘‘ମୋତେ ମୋ ଭୁଲ ବୁଝାଇ ଆଉ ଅପମାନ ଦିଅନାହିଁ ଜାହ୍ନବୀ । ତୁନିହୁଅ, ତୁନିହୁଅନା, ସୁନା ପିଲାଟିପରି ତୁନି ହୋଇଯାଅ, ଛିଃ, ମୋ କଥା ମାନ ।’’

 

ମୁଁ ରୁମାଲରେ ଜୋରକରି ତାଙ୍କ ଆଖି ଓ ମୁହଁ ପୋଛିଲି ଓ କଇଁ କଇଁ ଶବ୍ଦକୁ ବନ୍ଦ କରିବାକୁ ଯାଇ ପାଟିରେ ରୁମାଲ ଭର୍ତ୍ତିକଲି । ମୋ ଆଣ୍ଠୁ ଉପରେ କିନ୍ତୁ ସେ ତାଙ୍କର ମୁଣ୍ଡଟି ଝୁଲାଇ ରଖିଲେ ।

 

କହିଲି- ଜାନୁ, ତୁମେ ମୋତେ କ୍ଷମା କରିବନାହିଁ ଜାଣେ, ହେଲେ ନିଜେ ଟିକେ ଏବେ ନିଜକୁ ସଂଯତ କର । ଏ ଚିଠିଗୁଡ଼ିକ କୌତୁହଳବଶତଃ ଲେଖିଦେଇ ମୁଁ ଏବେ ଅନୁତାପ କରି କରି ମରିବି । ତଥାପି ଜାହ୍ନବୀ ଆଣ୍ଠୁ ଉପରୁ ମୋର ମୁଣ୍ଡ ନଉଠାନ୍ତି । କଣ ପଥର ପାଲଟିଗଲେ ନା କଣ-? ସେ ଯେ ଯଚିର ବିଧବା ସ୍ତ୍ରୀ, ସାଇ ପଡ଼ିଶା ଭିତରୁ ହୁଏତ ଘଟିବେ, ପ୍ରହରକେ କେତେ କିଏ ଆସି ପ୍ରବୋଧନା ଦେଇ ଯାଉଥିବେ, କିନ୍ତୁ ଏପରି ଅବସ୍ଥାରେ କେହି ଦେଖିଲେ.........

 

ସବୁ ଦିଗରୁ ବିପଦରେ ପଡ଼ିଲି ମୁଁ ଆସି । ଲୋଟି ଯାଉଥିବା ଅଝଟ ପାଲାକୁ ତଳୁ ହାତଧରି ଉଠାଇବାପରି ମୁଁ କୃଶାଙ୍ଗୀ ଜାହ୍ନବୀଙ୍କୁ ଉଠାଇ ଠିଆ କରାଇଲି । ରୋଗୀକୁ ନେଲାପରି ଧରି ଧରି ଭିତର ଅଗଣାକୁ ନେଲି । ଖିଆପିଆର ଠିକ୍ ଠିକଣା ନଥିବାରୁ ବଡ଼ ଦୁର୍ବଳ ଜଣାପଡ଼ୁଥଲେ ଜାହ୍ନବୀ । ବାଲ୍‍ଟିରୁ ପାଣିନେଇ ମୁଁ ତାଙ୍କର ମୁହଁଟିକୁ ଭଲ ରକମ ଧୋଇଦେଇ ତାଙ୍କର ଶାଢ଼ୀରେ ପୋଛିଦେଲି ଓ ଆଗ ବଖରାକୁ ଆଣି ପୂର୍ବବତ ଖଟିଆରେ ବସାଇଦେଲି । ସେ ମୋତେ କୌଣସି କଥାରେ ବାଧା ଦେଉନାହାନ୍ତି ।

 

ଡାକିଲି- ଜାହ୍ନବୀ ! ଶୁଣିଲେନାହିଁ । ଦେଖିଲି, ଥପଥପ ହୋଇ ଆଖିରୁ ତାଙ୍କର ଲୁହବିନ୍ଦୁ ଝରିପଡ଼ୁଛି । କହିଲି- ‘‘ତୁମେ ତା’ହେଲେ ବସି ବସି କାନ୍ଦୁଥାଅ । ତୁମକୁ ବୁଝାଇବା ସମ୍ଭବ ହେବନାହିଁ ମୋ ପକ୍ଷରେ । ମୁଁ ଚାଲିଲି ।’’ ଭାବିଥିଲି ଏପରି କହିଲେ ମୁଁ ଚାଲିଯିବା କଥାରେ ହୁଏତ ଜାହ୍ନବୀ ତୁନିହେବେ । ମାତ୍ର କୋହ ତାଙ୍କର ଦ୍ୱିଗୁଣିତ ହୋଇ ପୁଣି ବାହୁନା ରୂପରେ ମର୍ମରିତ ହୋଇ ଉଠିଲା ।

 

କେଉଁଠି ଏ ହତଭାଗୀକୁ ଛାଡ଼ିଯିବେ ପ୍ରଭାସବାବୁ ? ହେଁ...ହେଁ...ହେଁ କେଉଁ ମୁହଁରେ ଛାଡ଼ିକରି ଯିବେ ବୋଲି କହୁଛନ୍ତି ? ଉଁ-ହୁଁ-ହୁଁ...ତଣ୍ଟି ଉପରେ ଭଲା ଗୋଡ଼ଦେଇ ଦଳିଦିଅନ୍ତ....... ବୋଉ ଲୋ...ବୋଉ...କି ଦଶା ହେଲା ମୋର...

 

ଦେଖିଲି ଏ ଅଶ୍ରୁ ସରିବାର ନୁହେ । ଦୁଃଖିନୀ ସ୍ତ୍ରୀ ଲୋକଟିକୁ ପ୍ରବୋଧ ଦେବା ମୋ ପକ୍ଷରେ କେତେ କଷ୍ଟ ମୁଁ ତାହା ତିଳେହେଲେ ଧାରଣା କରି ନଥିଲି । ନିଜ ଅବସ୍ଥାର ଦୈନ୍ୟ ସକାଶେ ଜାହ୍ନବୀ ଏଡ଼େ ଅଧିରା ହୋଇ ପଡ଼ିଥିଲେ ଯେ, କେତେବେଳେ କଣ କହିଯିବେ କିଛି ଠିକଣା ନଥିଲା । ସ୍ଥିର କଲି ମିଛ ସତ ଯୁକ୍ତିଗୁଡ଼ିଏ ବାଢ଼ିଲେ ଜାହ୍ନବୀଙ୍କ ମନର ଗତି ଅନ୍ୟଆଡ଼କୁ ମାଡ଼ିଯାଇପାରେ । କହିଲି- ଦେଖ ଜାହ୍ନବୀ, ଯଚିର ମୃତ୍ୟୁରେ ସ୍ତ୍ରୀ ଭାବରେ ସବୁଠାରୁ କ୍ଷତି ତୁମର-। ତୁମେ କାନ୍ଦିଲେ ଯେ ସେ କ୍ଷତିପୂରଣ ହେବ ତା’ ନୁହେଁ । ତେଣୁ କାନ୍ଦି କାନ୍ଦି ଦେହ ମନକୁ ଦୁର୍ବଳ କରୁଛ କାହିଁକି ?

 

କେଉଁ ବଳ ଆଉ ଅଛି ମୋର ପ୍ରଭାସବାବୁ ? ମୋତେ ତ ଆଉ କିଛି ବୁଦ୍ଧି ଦିଶୁନାହିଁ । କି ବୁଦ୍ଧି କରିବି ? ମୋତେ କୁହ...... ମୋତେ କୁହ ମୋର କି ଗତି ହେବ, ମୋର ଆଉ କି ବ୍ୟବସ୍ଥା ହୋଇପାରିବ ତୁମଦ୍ୱାରା... ଆଉ କିପରି ଭାବରେ ମୋତେ କନ୍ଦାଇବ ନା ହସାଇବ...... ମତେ କୁହଲୋ ...........ମୋ ବାପା-ମୋ ବୋଉ ରାଣୀ......!

 

ମୋତେ ତୁମେ ଭୁଲ ବୁଝନା ଜାହ୍ନବୀ !

 

କିଏ କହିବ ଆପଣଙ୍କର ଭୁଲ, ମୋ ଭାଗ୍ୟରେ ନହୋଇ ? ଦେଖିଲି, ମୁଖମଣ୍ଡଳରେ ଜାହ୍ନବୀଙ୍କର ପରିବର୍ତ୍ତନର ଆଭାସ । ଫୁଲିଲା ଫୁଲିଲା ଆଖି ଭିତରେ ଜ୍ୱଳନ୍ତ ଅଗ୍ନିଶିଖା ।

 

ମୁଁ ଯେ ଚିଠିଗୁଡ଼ିକ ଲେଖିଛି ଯଚି କଣ କହିଛି ତୁମକୁ କେବେ ?

 

କାନ୍ଦ ଓ ଅଭିମାନ ମିଶା କଣ୍ଠରେ ଜାହ୍ନବୀ କହିଲେ- ନାଃ ଆପଣ କାହିଁକି ଲେଖିବେ, ଆପଣଙ୍କ ବନ୍ଧୁ ହୁଏତ ରୋଗ ଯନ୍ତ୍ରଣାରେ ଅନ୍ୟ କାହାରି ନାଁ କହୁଁକହୁଁ ଆପଣଙ୍କ ନାଁ କହିଦେଲେ ।

 

ତୁମ କଥାହିଁ ହେଉ, ମୁଁ ମାନୁଛି ଯେ, ଚିଠିଗୁଡ଼ିକ ମୋ ଦ୍ୱାରା ଲେଖା ହୋଇଛି । କିନ୍ତୁ ତୁମେ ଜାହ୍ନବୀ ଯେ ମୋ ବନ୍ଧୁ ଯଚିର ନାୟିକା ମୁଁ ଜାଣନ୍ତି କିପରି ?

 

ମୋତେ କୁହନ୍ତୁ ପ୍ରଭାସବାବୁ, ଆଠ ଦଶଖଣ୍ଡ ଚିଠି କୌଣସି ବାଳିକା ପାଖକୁ ଜଣେ ଯିଏ ଲେଖେ, ଆଉ କ୍ରମାନ୍ୱୟରେ ଯେ ଉତ୍ତର ପାଉଥାଏ, ବେଳକୁ ବେଳ ଛନ୍ଦି ଯାଉଥାଏ ଚିଠି ଭିତରେ ତା’ କଳ୍ପନାର ଇନ୍ଦ୍ରଜାଲ, ସେ ଯିଏ ହେଉପଛେ ସେ ବାଳିକାଟିକୁ ନଦେଖି ମଧ୍ୟ ଭଲ ନ ପାଉଥାଏ କିପରି ? ଖଣ୍ଡେ ଚିଠିର ଉତ୍ତର ଆସିଲେ ସେ ବାଳିକା ମନର କି ପରିଚୟ ପାଇ ଆଉ ଖଣ୍ଡେ ଚିଠି ଲେଖିବସେ ?

 

ଉତୁଙ୍ଗ ପର୍ବତ ଶିଖରରୁ ବର୍ଷାବାରି ଝରି ଅତଳତଳ ଗହ୍ୱରକୁ ପ୍ରବେଶ କଲାପରି ମୋ ହୃଦୟର କେଉଁ ନିଭୃତ ତଳକୁ ଜାହ୍ନବୀଙ୍କର ଏହି କଥାଗୁଡ଼ିକ ଭେଦିଗଲା । କହିଲି- ‘‘ତୁମ କଥା ନିରାଟ ସତ୍ୟ, ଜାହ୍ନବୀ, ନିତାନ୍ତ ଯୁକ୍ତିଯୁକ୍ତ... କଥା ମୋର ଶେଷ ହେବା ଆଗରୁ ହଠାତ୍ ପଦଶବ୍ଦ ଶୁଣାଗଲା । ବୃଦ୍ଧ ଆସିଲେ କାମରୁ । ଏହା ଭିତରେ ଯେ ରାତି ଦଶଟା ବାଜିଗଲାଣି ମୁଁ ଆଶ୍ଚର୍ଯ୍ୟ ହୋଇ ଘଡ଼ିକି ଅନାଇଲି । କିନ୍ତୁ ମୋଟେ ଆଠଟା ବାଜିଥିଲା । ବୃଦ୍ଧ କହି ପୋଛି ଆଗରୁ ଚାଲିଆସିଛନ୍ତି ନା କଣ ।

 

ଦୁଆର ମୁହଁରୁ କହିଲେ- ପ୍ରଭାସବାବୁ, ଏ ଝିଅଟିର ସଂସାର ମାଟି ହୋଇଗଲା । ମାଟି ହୋଇଗଲା । ବିଚାରିକୁ ମଝି ଦରିଆରେ ଭସାଇ ଚାଲିଗଲା ସେ । ବୁଢ଼ାର କଣ୍ଠସ୍ୱରରେ ଦରଦ ପୁରି ରହିଥିଲା ।

 

ମୁଁ କଣ ଭାବିଛି ବୁଝିଛ ? ବୁଢ଼ା ଅନାଇଲେ । କହିଲି–ତାହାତ ଯାହା ଭାଗ୍ୟରେ ଥିଲା ହେଲା, ଏବେ ୟାଙ୍କୁତ ମୁଁ ବୁଝାଇ ବୁଝାଇ ଥକିଗଲିଣି ।

 

ମୁଁ କି କମ୍ ବୁଝାଉଛି ବାବୁ ଏ ତିନିଦିନ ହେଲା ? ମୁଁ ପରା ଛୁଟୀ ନେଇଥିଲି । ଆଜି କେବଳ କାମକୁ ଯାଇଥିଲିନା ?

 

ବୁଢ଼ାଙ୍କୁ ମୁଁ ପଦାକୁ ଡାକିନେଲି । ପ୍ରଥମେ ପଚାରିଲି- ୟାଙ୍କର ପରା କେହିଥିଲେ ? ସେମାନେ କେହି ଆସିଥିଲେ ?

 

ଛିଃ,ଛିଃ, ଛିଃ ତାଙ୍କ କଥା ତୁଣ୍ଡରେ ଧରନ୍ତୁ ନାହିଁ । ବାହା ହେଲାଦିନୁ ଦିନେ କାଳେ ଏ ଦୁଆର ମାଡ଼ନ୍ତି ? ତାଙ୍କୁପରା ବୋଝ ହୋଇଥିଲା । ତୁମ ସାଙ୍ଗ ମରିବା ଦିନ କେଉଁ ଲେଖାରେ ପିଉଷାପିଇଷି ଦି’ ପ୍ରାଣୀ ଆସିଥିଲେ । କହିଲେ, କାନ୍ଦିଲେ ବୋବାଇଲେ କଣ ହେବ ? ତୋ’ ଭାଗ୍ୟରେ ଯାହାଥିଲା ହେଲା । ଶୁଦ୍ଧି କାମଟା ଗଲେ ତୋତେ ଆସି ମାସେ ପନ୍ଦରଦିନ ନେଇଯିବୁ ।

 

ତାପରେ ?

 

ତା’ପରେ ବୁଝୁନାହାନ୍ତି ? ଯଚି ବାବୁଙ୍କର ପୈତୃକ ସମ୍ପତ୍ତି କିଛି ଅଛି । ଘର ପାଖରେ ବଡ଼ ଯାଆ ମଧ୍ୟ ଅଛନ୍ତି । ପିଉଷାଙ୍କର ଇଚ୍ଛା ଏ ପିଲାଟି ଯାଇଁ ସେହିଠାରେ ରହିବ ଆଉ କଣ ?

 

ଯଚିର ଭାଉଜଙ୍କ ପାଖକୁ ଟେଲିଗ୍ରାମ କରାହୋଇନି ?

ହୋଇଛି ତ, କାଲି ହୁଏତ ଆସିପାରନ୍ତି କେହି ।

 

କହିଲି- ମୁଁ କଣ କହୁଥିଲି କି, ଏତ ଏପରି ଅବୁଝା ହୋଇ ପଡ଼ିଛନ୍ତି, ତୁମେ ଯଦି କିଛି ନଭାବନ୍ତ, ତେବେ ମୁଁ ୟାଙ୍କୁ ସାଙ୍ଗରେ ଧରି ଆମ ବସାକୁ ନେଇଯାଆନ୍ତି । ବସାରେ ମୋ ପିଲାମାନେ ଅଛନ୍ତି । ବୁଝୁନା, ସ୍ତ୍ରୀ ଲୋକଙ୍କ ସହିତ ସ୍ତ୍ରୀ ଲୋକ ରହିଲେ ସେମାନେ ତାଙ୍କୁ ବୁଝାଶୁଝା କରାଇବେ । ସେ କିପରି ହେବ ? ଆମେ ଏବେ ଅଣ୍ଡିରା ଚଣ୍ଡିରା କିମିତି ୟାଙ୍କୁ ବୁଝାଇବା ? ତା’ପରେ ମୋର ଗୋଟିଏ ପୁଅ ଓ ଗୋଟିଏ ଝିଅ, ସେମାନଙ୍କ ମେଳରେ ତାଙ୍କ ମନ ଅନ୍ୟ ପ୍ରକାର ହେବ ନା କଣ କହୁଛ ?

 

ବାଃ, ବାଃ, ଭାରି ଭଲକଥା ବାବୁ, ମୋ ବାପା, ତୁମେ ଏହିକ୍ଷଣି ନେଇଯାଅ, ଆପଣ କହିବ ବାବୁ, ଏ ଦୁଇଦିନ ହେଲା ପିଲାଟିର କାନ୍ଦ ଦେଖି ମୁଁ ମଧ୍ୟ କ୍ରୋଧ ସମ୍ଭାଳି ପାରୁନାହିଁ । ହଁ ଶୁଦ୍ଧିବେଳକୁ-

 

ସେଥିପାଇଁ ଚିନ୍ତା କରନାହିଁ । ଦଶଦିନ ସକାଳୁ ମୁଁ ୟାଙ୍କୁ ସଙ୍ଗରେ ଆଣି ପହଞ୍ଚିଲେତ ହେଲା ଆଉ କଣ ?

 

ମୁଁ ମଧ୍ୟ ଛୁଟୀ ନେଇ ଘରେ ଥିବି ।

 

ଆଛା, ଯଚିତ ଟଙ୍କା ପଇସା କିଛି ରଖି ଯାଇନଥିବ ?

 

ଯଚି ରଖିବ ଟଙ୍କା ପଇସା? ହେଃ, ସେଇଟା ନିହାତି ଲଫଙ୍ଗାଟିଏ ହୋ....

 

ଦରକାର ପଡ଼ିଲେ ତୁମେ କିଛି ସାହାଯ୍ୟ କରିବଟି ? ମୁଁ ପଚାରିଲି ବୁଢ଼ାକୁ । ମୁଁ ତିରିଶିଯାଏ ଦେଇପାରିବି । କାରଣ ପିଲା ଛୁଆଙ୍କୁ ନେଇ ମୋର ମଧ୍ୟ ଅବସ୍ଥା ଏତେ ଭଲନୁହେ । ତୁମେ କଣ ତୁମ ଜଣକିଆ ଖର୍ଚ୍ଚରୁ ବୁଝୁ ନଥିବ ଯେ-

 

ହଁ, ଆମ ଶକ୍ତି ମୁତାବକ ଆମେ ଦବା ଯେ, ତେବେ ଯଚିର ଭାଉଜ ଯଦି ଆସି ପହଞ୍ଚିଯାଆନ୍ତି, ତେବେ ତାଙ୍କ ବ୍ୟବସ୍ଥାକୁ ଚାହିଁ ଆମେ ଯାହା କରିବା ନା.... ବୁଢ଼ା କହିଲେ ।

 

ତା ଅବଶ୍ୟ ଠିକ୍ । ବର୍ତ୍ତମାନତ ସାତ ଆଠଦିନ କାଳ ଅଛି । ସେ ଆସିଲେ ତାଙ୍କୁ ଆମ ଘରକୁ ପଠାଇଦେବ । ସେ ମୋତେ ଓ ମୋ ପରିବାରଙ୍କୁ ଭଲରୂପେ ଜାଣନ୍ତି । ହୁଏତ ତୁମର ଏ ବସା ପାଇବେ କି ନାହିଁ । କିନ୍ତୁ ମୋ ନାଁ କହିଲେ ସେ ଏକା ଏକା ଆମ ବସାକୁ ଚାଲିଯିବେ ।

 

ତା’ ହେଲେ ବାବୁ, ଡେରି କାହିଁକି? ମୁଁ ଖଣ୍ଡେ ଟାକ୍‍ସି ଡ଼ାକି ଆଣୁଛି ?

 

‘‘ହଁ ହଁ, ଟିକେ କଷ୍ଟ କରିଯାଅ.... ।’’ ବୁଢ଼ା ଟାକ୍‍ସି ପାଇଁ ଗଲେ ।

 

ମୁଁ ଭିତରକୁ ଯାଇ ଡାକିଲି- ଜାହ୍ନବୀ, ଉଠ ଚାଲତ-

 

ଆଉ କେଉଁଠିକି ଯିବି ? ଆଉ କେଉଁ ପୁରରେ ବାସ ମିଳିବ ମୋତେ ?

 

ଉଠନା, କଣ ଖାଲି ପିଲାଟିପରି ହେଉଛ ? ପଢ଼ାଶୁଣା ଲୋକ ହୋଇ ଏପରି ବାୟାଣିଙ୍କ ପରି ହେଲେ ଚଳିବ ? ଧୀରେ ଧୀରେ କହିଲି- ଚାଲ, ଶାଢ଼ୀଟା ଟିକେ ଭଲକରି ପିନ୍ଧନା.... ଏଣେ ସେହି ବିକ୍ଷିପ୍ତ ଚିଠିଗୁଡ଼ାକ ପକେଟରେ ପୁରାଇବାକୁ ଭୁଲିଲି ନାହିଁ ।

 

ଟାକ୍‍ସି ଆସିଗଲା । ବୁଢ଼ା ଜାହ୍ନବୀଙ୍କୁ ଧରି ଧରି ଆଣିଲେ । କହିଲେ ମାଁ କାନ୍ଦେନା, ତୋ କପାଳରେ ଯାହା ବିହି ଲେଖାଥିଲା ତାହା ଘଟିଗଲା । କାନ୍ଦି କାନ୍ଦି ନଖାଇ ନପିଇ ଏପରି ହେଲେ ଫଳ କଣ ହେବ କହିଲୁ ? ଏ ଭଦ୍ରଲୋକ ଆସିଛନ୍ତି । ତାଙ୍କ କଥା ଟିକେ ଶୁଣ । ତୋର ଇଛା ଯେମିତି ହେବ ଆମେ ନିଶ୍ଚେ ସେ ବ୍ୟବସ୍ଥା କରିବୁ । ତୁ ଯା, ଦୁଇ ଚାରିଦିନ ପ୍ରଭାସବାବୁଙ୍କ ଘରେ ନ ରହିଲେ ତୋର କାନ୍ଦଣା ବନ୍ଦ ହେବନାହିଁ । ବୁଢ଼ାବାସ୍ତବିକ୍ଜାହ୍ନବୀଙ୍କୁ ଝିଅ ପରି ଭଲପାଏ ।

 

ଜାହ୍ନବୀ ଟାକ୍‍ସି ଭିତରେ ଛୋଟ କିଶୋରୀଟି ପରି ମୋରିଆଡ଼କୁ ଆଉଜି, ଏପରିକି ମୋରି କାନ୍ଧ ଉପରେ ଢଳିକରି ବସିଲେ । ସେ ବୋଧହୁଏ ମନେ କରୁଥିଲେ ଯଚି ବୋଲି ଯିଏ ଚାଲିଗଲା, ସେ ହୁଏତ ଗୋଟାଏ ନିଷ୍ଠୁର ପ୍ରତିବନ୍ଧକ ଥିଲା । ସେ ଗଲାପରେ ଜାହ୍ନବୀ ସତେ ଅବା ନିଜର ଅଭିଷ୍ଠ ସ୍ଥାନ ଫେରି ପାଇଛନ୍ତି । ତଥାପି ତାଙ୍କର ନାରୀତ୍ୱର ଏହି ନିର୍ଦ୍ଦୟ ଅବମାନନା ସେ କଦାପି ସହ୍ୟ କରିପାରୁନଥିଲେ ଦେହ ଓ ମନରେ । ତାହା ସତେ ଯେପରି କୋହ ରୂପରେ ଆଖିରୁ ଝରଝର ହୋଇ ଝରି ପଡ଼ୁଥିଲା ।

 

ନିରୂପମା ଜାହ୍ନବୀଙ୍କ ମୁହଁକୁ ପୋଛି ପୋଛି ତାଙ୍କୁ କୁଣ୍ଢେଇଲା କାଖେଇଲା ପରି ଭିଡ଼ି ଭିଡ଼ି ଟାକ୍‍ସି ପାଖରୁ ଘର ଭିତରକୁ ନେଇଗଲା ।

 

ତିରିଶି

 

ଦୁଇଦିନ ପରେ ଜାହ୍ନବୀଙ୍କ ମନର ଅବସ୍ଥା ଟିକେ ପରିବର୍ତ୍ତନ ହେଲାପରି ଜଣାପଡ଼ିଲା । ନିରୂପମା ନଥିଲେ କି ମୋର ପିଲାଏ ନଥିଲେ ଏତେଶୀଘ୍ର ଏତେଟା ପରିବର୍ତ୍ତନ ହୋଇ ନଥାନ୍ତା ଅବଶ୍ୟ । ରାତ୍ରିରେ ସେମାନେ ଦୁହେଁ ଏକତ୍ର ଶୁଅନ୍ତି ମଝିରେ ମୋ ଝିଅକୁ କୋଳକରି ଆମେ ବାପା ପୁଅ ଦୁହେଁ ଅନ୍ୟ ବଖରାଟିରେ ଶୋଉଁ । ଦିନ ଭିତରେ ମଧ୍ୟ ମୁଁ ଅଫିସ୍ ବାହାରିଗଲେ ଖରାବେଳଟାଯାକ ଦୁହେଁ ଏକାଠି ରହନ୍ତି । ଏତେ ଦୀର୍ଘ ସମୟର ମିଳାମିଶାରେ ନିରୂ ଓ ଜାହ୍ନବୀ ବାସ୍ତବିକ୍ ପାଖକୁ ପାଖ ଲାଗି ଆସିଛନ୍ତି । ଏହି ଦୁଇ ତିନିଦିନ ଭିତରେ ଜାହ୍ନବୀଙ୍କ ସହିତ ଟିକେ ଆଳାପ କରିବାକୁ ମନ ଛକପକ ହେଉଥିଲେ ବି ନିରୂପମା ଆଗରେ ଦେଖେଇହୁଏ ମୁଁ ଅତି ସଚ୍ଚରିତ୍ର ଓ ଭଦ୍ର ।

 

ନିରୂପମାର ଅଭ୍ୟାସ, ସେ ସାଢ଼େ ଚାରିଟା କିମ୍ୱା ପାଞ୍ଚଟା ଭିତରେ ଗାଧୋଇ ପଡ଼େ ପାଣିକଳ ପାଖରେ । ନ ଗାଧୋଇ ସେ ରୋଷେଇଶାଳକୁ ଯାଏନାହିଁ । ପୁଣି ଏତେ ସକାଳେ ପାଣିକଳ ପାଖରେ ସାଧାରଣତଃ କେହି ନଥାନ୍ତି । ଆଉ ପାଣିକଳଟା ମଧ୍ୟ ବେଶୀ ଦୂରରେ ନୁହେ । ମୁଁ କିନ୍ତୁ ନିଶ୍ଚିନ୍ତ ହୋଇ ଶୋଇ ରହିଥାଏ । ମାତ୍ର ସେଦିନ, ମାନେ ଜାହ୍ନବୀଙ୍କ ଆସିବାର ତୃତୀୟ ଦିନ, ସକାଳ ପାଞ୍ଚଟାରେ ନିଦ ମୋର ଭାଙ୍ଗିଗଲା । ଆଖି ଖୋଲି ଚାହିଁଲାବେଳକୁ ମୋର ବିଛଣା ପାଖରେ ଠିଆ ହୋଇଛନ୍ତି ଜାହ୍ନବୀ । ମୁଁ ସିଧା ସଳଖ ତାଙ୍କ ମୁହଁକୁ ଅନାଇଲି । ସେ ମୋତେ କେତେବେଳୁ ଯେ ନିର୍ନିମେଷ ନୟନରେ ଅନାଇ ରହିଛନ୍ତି ତାହା ମୁଁ ଜାଣେନାହିଁ । ମୋର ବିଛଣା ନିକଟକୁ ଆସିବାର ପଦଶବ୍ଦ ମଧ୍ୟ ମୁଁ ଶୁଣିପାରି ନଥିଲି । କହିଲି- ‘‘ଓଃ, ଜାହ୍ନବୀ, ତୁମେ ଉଠିଲଣି ଏତେଶୀଘ୍ର?’’ ଜାହ୍ନବୀ କିଛି କହିଲେ ନାହିଁ ।

 

କଥା କହିବନି ବୋଲି ପଣ କରିଛ, ନକୁହ । ବସ ନହେଲେ ଏଠି । ଜାହ୍ନବୀ ମୋ ବିଛଣା କଡ଼ରେ ଆସନ ଗ୍ରହଣ କଲେ । ପଚାରିଲି – ‘‘ ନିରୂପମା?’’

 

ତଳକୁ ମୁହଁପୋତି କହିଲେ- ‘‘ କଳ ପାଖରେ ଗାଧୋଉଛନ୍ତି ।’’

 

ଏତେବେଳଯାଏ ତ ତୁମ ମୁହଁଟା ବେଶ୍ ପ୍ରଫୁଲ୍ଲ ଦେଖାଯାଉଥିଲା, ଏବେ ଶୁଖାଇଦେଲ କାହିଁକି କହିଲ-’’

 

ଆପଣ କଣ ମୋ ଉପରେ ବିରକ୍ତ ହୋଇଛନ୍ତି ?

 

ବିରକ୍ତ ? ବାଃରେ, ବିରକ୍ତ କାହିଁକି ହେବି ?

 

ସେଦିନ ନିଶ୍ଚେ କଡ଼ା କଡ଼ା କଥା ଦିପଦ ଶୁଣେଇଦେଇଛି ନା, ସେଥିପାଇଁ ପଚାରୁଥିଲି । ମୁରୁକି ହସି କହିଲି- ‘‘ତୁମେ କଣ ମୋତେ ସବୁଦିନ ଭୁଲ ବୁଝିଚ ?’’

 

‘‘ତା’ ହେଲେ ମୋ ସହିତ କଥା ହେଉନାହାନ୍ତି କାହିଁକି ଦିନ ଭିତରେ ?’’

 

‘‘ମୁଁ ଭାବୁଥିଲି କଣକି, ତୁମ ମନର ଅବସ୍ଥା ଯେପରି, ତୁମକୁ କିଛି କହି ଭାବାନ୍ତର ଆଣିବିନାହିଁ । ବରଂ କିଛି ସମୟ ପରେ ତୁମେ ଟିକେ ପ୍ରକୃତିସ୍ଥ ହୋଇଗଲେ ତେଣିକି କଥାବାର୍ତ୍ତା ହେଇପାରିବା, ସବୁ କିଛି ବିଷୟରେ- ।’’

 

ମୁଁ କିନ୍ତୁ ଭାବିଥିଲି ଅନ୍ୟ ରକମ ।

 

କଣ ?

 

ମାନେ ସେ ଆଡ଼କୁ ଟିକେ ଅନାନ୍ତୁ, ଆପଣଙ୍କ ପରିବାର ସନ୍ଦେହ କରିପାରନ୍ତି ମ ?

 

ନାଃ ହେ ନା, ତୁମେ ମୋତେ ବିବ୍ରତ କରିବ ।

 

ଆଛା କୁହନ୍ତୁ ଦେଖି, ଯେଉଁ ବାଳିକାଟି ଆପଣଙ୍କ ପ୍ରେମ ଚିଠିଗୁଡ଼ିକରେ ଭୁଲିଗଲା, ସେ କାହାକୁ ପ୍ରେମ କରୁଥିବ ବୋଲି ଆପଣ ସମ୍ଭବ କରୁଛନ୍ତି ପତ୍ର ବାହାକକୁ ନା ପତ୍ର ଲେଖକକୁ ?

 

ସେକଥା କଣ କିଛିଦିନ ପରେ ଆଲୋଚନା କଲେ ଚଳନ୍ତାନାହିଁ ଜାହ୍ନବୀ ?

 

ଆପଣ ସିନା ଜାଣି ନଥିଲେ ପତ୍ରଗୁଡ଼ିକ ଯାଇ ଯେଉଁ ବାଳିକାଟି ହାତରେ ପଡ଼ିଛି, ସେଇଟି କିଏ ? କିନ୍ତୁ ଯେଉଁ ବାଳିକାଟିକୁ ହୃଦୟର ପ୍ରେମ ମଧୁ ଚଖାଇ ଓ ଯେଉଁ ବାଳିକାଟିର ମନ ଉପବନର ଫୁଲ ଗୁଡ଼ିକରତାଜା ବାସନା ପାଇ ଚିଠି ଲେଖିବାରେ ମଜ୍ଜିଗଲେ, ତାକୁ ପୁଣି ଏଡ଼େ ନିର୍ଦ୍ଦୟ ଭାବରେ ଅନ୍ୟ ହାତରେ ସମ୍ପିଦେଲେ କିପରି ? ଧରନ୍ତୁ ସେ ବାଳିକାଟି ମୁଁ ନୁହେ, ଧରନ୍ତୁ ସେ ମୋପରି ଅନ୍ୟଜଣେ ତେବେ........?

 

କିନ୍ତୁ ନ ଜଣାଇବା ଯାଏ ସେ ବାଳିକାଟିତ ଜାଣି ନଥିଲା ଯେ ଚିଠିରେ ତାକୁ ଭଲ ପାଇଛି ଅନ୍ୟଜଣେ କେହି ?

 

କିପରି? ନ ଜଣାଇବାର ଢେର୍ ଆଗରୁ ସେ ଜାଣିପାରିଥିଲା ତା’ ପ୍ରତି ଯେଉଁ ଅନ୍ୟାୟ ଯାହାଦ୍ୱାରା କରାଯାଇଛି । ଆପଣ ଭାବିଛନ୍ତି ଆପଣଙ୍କ ବନ୍ଧୁ ମୋତେ ଜଣାଇବା ପୂର୍ବରୁ ମୁଁ ଜାଣି ନଥିଲି ? କିନ୍ତୁ ଜାଣନ୍ତି, ଭୋଜିଭାତ ଖାଇବାକୁ ଗଲାଦିନ ମୁଁ ଆପଣଙ୍କୁ ଦେଖିବାମାତ୍ରେ ହିଁ ନିଶ୍ଚିନ୍ତରୂପେ ବୁଝିଲି ଯେ, ଚିଠିଗୁଡ଼ିକ ଆପଣଙ୍କ ବ୍ୟତୀତ ଅନ୍ୟ କେହି ଲେଖିନାହାନ୍ତି । ଆପଣଙ୍କ ବ୍ୟତୀତ ଅନ୍ୟ କେହି ଲେଖିନାହାନ୍ତି । ଯେହେତୁ ଆପଣ ମୋ ସ୍ୱାମୀଙ୍କ ପରମବନ୍ଧୁ ଆଉ ଯେହେତୁ ଆପଣଙ୍କ ପରିଚୟ ମୁଁ ବହୁ ପୂର୍ବରୁ ପାଇସାରିଥିଲି । ଭଲ ପାଇବାର ଯେଉଁ ସ୍ୱର୍ଣ୍ଣ ଆସନରେ ମୋ ହୃଦୟର ଅନ୍ଧକାର ଭିତରେ ବସିଥିଲେ ମୋର ସେହି ପ୍ରଭାସବାବୁ, ତାଙ୍କୁ ସେଦିନ ମୁଁ ଘୃଣାରେ ତଳେ କଚାଡ଼ିଦେଲି । ଏତେ ଘୃଣା କଲି ଯେ, ମୋର ରସିକ ସ୍ୱାମୀ ହାତଧରି ଭିଡ଼ିଲେ ମଧ୍ୟ ମୁଁ ଆଗକୁ ଆସି ତାଙ୍କର ମୁହଁ ଚାହିଁଲି ନାହିଁ ।

 

କାନମୂଳ ମୋର ନାଲି ପଡ଼ିଗଲା । ଶୀତ ପ୍ରଭାତର ଆଳସ୍ୟ ଯେପରି ଉଭେଇଗଲା ମୋର । ହା-ହୁତାଶମୟ ଲାଗିଲା ମୋ ଦେହ ସାରା । ଦେଖିଲି, ଜାହ୍ନବୀ ବେଦନାତିଶଯ୍ୟରେ କାନ୍ଦି ପକାଇବା ଉପରେ । ଏହି ସମୟରେ ଯଚି କଥା ମନେପଡ଼ିଗଲା- ‘‘ମୋର ଭାରି ରାଗ ହେଲା, ମୁଁ ନିଜକୁ ଅକ୍ତିଆରରେ ରଖିପାରିଲି ନାହିଁ ।’’ ମୁଁ କେବଳ ତଳକୁ ମଥା ନତକରି ଜାହ୍ନବୀଙ୍କ ବଜ୍ରତୁଲ୍ୟ ବାକ୍ୟବାଣ ସହିବାରେ ଲାଗିଲି ।

 

‘‘କିନ୍ତୁ ଆପଣଙ୍କ ବନ୍ଧୁ ଏକଥା ଜଣାଇଦେବା ପରେ ମୁଁ ଦେଖିଲି, ମୋର ଅନୁମାନ ତିଳେହେଲେ ମିଛ ହୋଇନି । ସେତେବେଳେ ତୁଳନା କଲି, ମୁଁ ଯେତେ ଘୃଣା କରିଥିଲି, ଆପଣ ତା’ ଠାରୁ କୋଟି ଗୁଣରେ ଅଧିକ ଘୃଣ୍ୟ । ନହେଲେ ବା ସେ ବାଳିକା ଜାହ୍ନବୀ, କିନ୍ତୁ ପ୍ରଭାସବାବୁ, ମୁଁ ପଚାରେ-ଆପଣ କଣ ଆପଣଙ୍କ ବନ୍ଧୁଙ୍କ ସ୍ୱଭାବ ଚରିତ୍ର ଜାଣି ନଥିଲେ ? ଗୋଟାଏ ନିରୀହା ବାଳିକାର ଜୀବନ ନେଇ ଆପଣଙ୍କ ବନ୍ଧୁତୁଲ୍ୟ ଯୁବକଙ୍କ ଜୀବନ ସହିତ ଛନ୍ଦିଦେବାକୁ ଶିକ୍ଷିତ ହୋଇ ବିବେକୀ ହୋଇ ଟିକେହେଲେ ବାଧିଲାନାହିଁ ଆପଣଙ୍କୁ ? ଆଉ କେତେ କଣ କହି ଯାଇଥାନ୍ତେ ଜାହ୍ନବୀ । ମାତ୍ର ଫାଟକ ଆଉଜା ଶବ୍ଦରେ ନିରୂପମା ଆସୁଥିବା ଭାବି ଜାହ୍ନବୀ ଉଠିଗଲେ । ସକାଳ ହେଲା । ସୂର୍ଯ୍ୟ କିରଣରେ ପୃଥିବୀ ହସିଉଠିଲା । ମୁଁ କିନ୍ତୁ ଏହି ହାସ୍ୟମୟୀ ପୃଥିବୀକୁ ମଥା ତୋଳି ଅନାଇବାର ସାହାସ ସଞ୍ଚୟ କରିପାରିଲି ନାହିଁ । ମୁଁ ଯେପରି ଛାତି ଉପରେ ହାତଚାପି ଇଛା କରୁଥିଲି ମୋ ଭିତରର ଅନ୍ଧାରଗୁଡ଼ାକ ସେହିପରି ଜମାଟ ବାନ୍ଧି ରହନ୍ତୁ । ଆଉ ମୁଁ ତାହାରି ଭିତରେ ମଗ୍ନ ହୋଇ ଶୋଇଥାଏ।

 

ଏକତିରିଶି

 

ଇତିମଧ୍ୟରେ ଦିନେ ଜାହ୍ନବୀ ବାହାରେ ଥିଲାବେଳେ ମୁଁ ନିରୂପମାକୁ ଆଖିଠାରି ଭିତରକୁ ଡାକିଲି । ମୋର ସାନ ଝିଅ ମଞ୍ଜୁକୁ ନେଇ ଜାହ୍ନବୀ ବସିଥାଏ ବାରିଆଡ଼େ । ମଞ୍ଜୁକୁ ସେ ବଡ଼ ଭଲପାଇ ଯାଇଛି ଏହି କେତୋଟି ଦିନ ମଧ୍ୟରେ ।

 

ପଚାରିଲି- ଯଚିର ସ୍ତ୍ରୀ କ’ଣ ସବୁ ଆଉ କହୁଥିଲେ କି ?

 

ନିରୂ କହିଲା-ରୁହ ମୁଁ ଅନେଇ ଆସେ- ପଦାକୁ ଅନାଇ ଆସି କହିଲା- ସେ କହୁଥିଲେ, ତାଙ୍କ ସ୍ୱାମୀ, ତୁମ ବନ୍ଧୁ ଯଚିବାବୁ କୁଆଡ଼େ ମଦ ଖାଉଥିଲେ । ଏହାଙ୍କ ସହିତ ବଡ଼ ଖରାପ ବ୍ୟବହାର କରୁଥିଲେ, ଏମିତି କେତେ କଣ କହୁଥିଲେ ।

 

‘‘ତୁମେ କିଛି ପଚାରିବାରୁ କହିଲେ ନା ମନକୁ?’’

 

‘‘ମୁଁ ପଚାରିଲି ।’’

 

‘‘କଣ ପଚାରିଲ ତୁମେ?’’

 

ପଚାରିଲି, ତାଙ୍କ ସହିତ ଯେତୋଟି ଦିନ କଟାଇଛ, ସେ ନିଶ୍ଚୟ ତୁମକୁ ସୁଖୀ କରାଇଥିବେ ।

 

‘‘କଣ କହିଲେ ସେ?’’

 

ସେ ତ ପ୍ରଥମେ କିଛି କହିଲେ ନାହିଁ । କିଛିକ୍ଷଣ ପରେ ଯାଇ କହିଲେ, ସେ ମୋତେ କୌଣସି ପ୍ରକାରେ ସୁଖୀ କରାଇପାରି ନାହାନ୍ତି । ତାଙ୍କୁ ବା’ ହୋଇ ମୁଁ ନିଜେ କେଡ଼େ ଭୁଲ କରିଛି ତା’ର ଅନୁଶୋଚନାରେ ବରଂ ବେଶୀ ଦଗ୍‍ଧି ହେଉଥିଲି । ତାଙ୍କ ପ୍ରତ୍ୟେକ କଥା ମୋତେ ବିଷପରି ଲାଗୁଥିଲା ।

 

‘‘ମୁଁ ବିସ୍ମୟରେ ଅନାଇରହିଲି- ନିରୂପମା କହିଲା,ଏ କିପରି କଥା କହୁଚ ତୁମେ ? ତାଙ୍କର ଚିଠିପତ୍ର ଦିଆନିଆ କଥା, ମୁଁ ନଜାଣିବାପରି କିଛି କହିଲି ନାହିଁ । ଅବଶ୍ୟ କହିଦେବାକୁ ପାଟିଟା ଖଲଖଲ ହେଉଥିଲା, କିନ୍ତୁ ସେ କହିଲେ, ମୁଁ ତାଙ୍କ ଚିଠିରୁ ଭାବିଥିଲି, ସେ ଅତି ଭଦ୍ର ଅତି ଶିକ୍ଷିତ ହୋଇଥିବେ । ତାଙ୍କ କୋଳରେ ମୁଣ୍ଡରଖି ମୁଁ ସ୍ୱର୍ଗଶାନ୍ତ ଲାଭ କରିବି । ମାତ୍ର ଫଳରେ ଦେଖିଲି ସେ ସଂପୂର୍ଣ୍ଣ ଓଲଟା ଚିଠିରେ ଲେଖିଥିବା ଶବ୍ଦଗୁଡ଼ିକରେ ଯେଉଁ ପ୍ରେରଣା, ଯେଉଁ ଦରଦ ଆଭିଜାତ୍ୟ ମନର ଯେଉଁ ପରିଚୟ, ପରକୁ ଆପଣାର କରିନେବା ପାଇଁ ଯେଉଁ ଉତ୍କଣ୍ଠା ପାଇଥିଲି ତାଙ୍କର କଥାବାର୍ତ୍ତା ଓ ବ୍ୟବହାରରେ ସେ ସବୁର କିଛିହେଲେ ଆଭାସହିଁ ପାଇଲି ନାହିଁ । ..... ସେ ନିହାତି ଅଭଦ୍ର ଓ ବର୍ବର । ଏମିତି ସେ ଯେ କେତେ କଣ ଗପିଗଲେ ତୁମକୁ କଣ ଆଉ କହିବି ? ମୋର ଏତେ କିଛି ମନେ ରହିଲା ନାହିଁ ।

 

ତୁମ ଭିତରେ ଏତେ କଥା ପଡ଼ିଥିଲା କେତେବେଳେ ?

 

କାଲି ଖରାବେଳେ ।

 

ଆଉ କିଛି ?

 

ମୁଁ ପଚାରିଲି ପୁଣି- ତୁମେ ତାଙ୍କୁ ଏବେ ହରାଇ ନିଶ୍ଚିନ୍ତ ହେଲ ନା କଣ ? କହିଲେ- ଅପା, ନାରୀଜନ୍ମ ପାଇ, ବିଧବା ହୋଇ କିମିତି କହିବି ମୁଁ ନିଶ୍ଚିନ୍ତ ହେଲି ବୋଲି କୁହ । ଆଖିରୁ ତାଙ୍କର...........ମୋର ଦୁର୍ଭାଗ୍ୟକୁ କେତେ ଆଉ ନିନ୍ଦିବି କୁହ ଅପା, କହି ସେ କାନ୍ଦିଲେ । ତେଣୁ ମୁଁ ଆଉ ତାଙ୍କୁ କିଛି ପଚାରିଲି ନାହିଁ । ଏସବୁ ପ୍ରଶ୍ନ ପଚାରି ତାଙ୍କ ଦୁଃଖଟାକୁ ମନେ ପକାଇଦେଲି ବୋଲି ମୁଁ ମଧ୍ୟ ଦୁଃଖୀତ ହେଲି । ଜାହ୍ନବୀ ଆସିବାର ପଦଶବ୍ଦ ଶୁଣି ନିରୂପମା ଘୁଞ୍ଚିଗଲା ମୋ ପାଖରୁ ।

 

ବତିଶି

 

ମୁଁ ଯେ କି ଭୁଲ କରିଛି ଆଜି ଜାହ୍ନବୀ ଓ ନିରୂପମାଙ୍କ ଉକ୍ତିଗୁଡ଼ିକ ମଧ୍ୟରୁ ଏବେ ହୃଦୟଙ୍ଗମ କରିପାରିଲି । ଜାହ୍ନବୀଙ୍କ ଦୃଷ୍ଟିରେ ଚିନ୍ତାଶୀଳ ଓ ଗୁରୁସ୍ଥାନୀୟ ମୋର ପରିଜ୍ଞାତ ଭଦ୍ର ସମାଜରେ ମୁଁ ଯେ କିପରି ନିନ୍ଦନୀୟ ହୋଇଥିବି ତାହା ମୁଁ କଳନା କରିପାରିଲି ନାହିଁ କିନ୍ତୁ ଉପାୟ କଣ ?

 

ଏତେବେଳକୁ ଦୁଇଟି କଥା ଦୁହିଁଙ୍କ ପାଖରେ ଲୁଚିରହି ଉଭୟଙ୍କ ଅଜ୍ଞାତରେ ଥିଲା । ପ୍ରଥମତଃ ନିରୂପମା ଏବେ ବି ଜାଣି ନଥିଲା ଯେ, ଏହି ବିଧବାଟି ହେଉଛି ଜାହ୍ନବୀ ଓ ଏହାଙ୍କୁ ଦେଖିବା ଦିନରୁ ମୁଁ ନିଜ ଅଜାଣତରେ ତାଙ୍କ ରୂପରାଣୀର ମାଧୁରୀରେ ଢଳିପଡ଼ିଥିଲି ତାଙ୍କ ଆଡ଼କୁ-। ଦ୍ୱିତୀୟତଃ ପ୍ରେମ ଚିଠିଗୁଡ଼ିକ ମୁଁ ଲେଖିଛି ବୋଲି ନିରୂପମା ଯେ ଭଲଭାବେ ଜାଣେ ଏହା ହୁଏତ ଜାହ୍ନବୀ ଭାବିପାରି ନାହାନ୍ତି କିମ୍ୱା ଭାବିଥିଲେ ବିଶ୍ୱାସ କରିନାହାନ୍ତି । ତା’ କହିଥିଲେ ସେ ହୁଏତ ନିରୂପମାକୁ କିଛି ଶୁଣାଇ ଥାଆନ୍ତେ.... ମୋର ଦୁର୍ନାମ କରି ।

 

କିନ୍ତୁ ଆମର ସୁଖମୟ ସଂସାରରେ କଥା ପ୍ରସଙ୍ଗରେ ମୁଁ ନିଶ୍ଚୟ ଥଟ୍ଟା କରି ମଧ୍ୟ ନିରୂପମା ଆଗରେ ଏ ଚିଠି କଥା ଯେ କହିଥାଇପାରେ ଜାହ୍ନବୀ ନିଶ୍ଚେ ମନେ ମନେ ଏହା ଜାଣିଥିବେ । ମୁଁ ଏହିପରି ଅନୁମାନ କଲି । ହୁଏତ ଜାହ୍ନବୀ ମୋତେ ଆଉ ଅଧିକ ଅପମାନ ଦେବାକୁ ନିଷ୍ପ୍ରୟୋଜନ ମନେ କରିଥିଲେ ।

 

ଏବେ ଦୁନିଆରେ ମୋର ଆଉ ସ୍ଥାନ ରହିଲା କେଉଁଠି, କେବଳ ନିରୂପମା ହୃଦୟ ଛଡ଼ା-?

 

ଜାହ୍ନବୀ ମୋତେ କଣ ଭଲ ପାହାନ୍ତି ନାହିଁ ଆଉ ପୂର୍ବପରି ? ସେକଥା ତେଣିକି ଥାଉ, ମାତ୍ର ମୁଁ କଣ ମନେ ମନେ ଜାହ୍ନବୀଙ୍କୁ କାମନା କରିନାହିଁ ବୋଲି ସାହାସର ସହିତ କହିପାରିବି ? ଦୁଇ ଚାରିଥର ମାତ୍ର ଜାହ୍ନବୀଙ୍କ ସଂସ୍ପର୍ଶ, କିପରି ନିବିଡ଼ ହୋଇ ଉଠିଥିଲା ମୋ ପକ୍ଷରେ, କିପରି ଅପ୍ରତିହିତ ଉଗ୍ରବେଗରେ ମୋର ଜର୍ଜରିତ କାମନା ଧାଇଁଥିଲା ତାଙ୍କ ପଛରେ, କିପରି ସଂବେଦନଶୀଳ କରୁଣ ତାଙ୍କର ପ୍ରେମମୟ ମୂର୍ତ୍ତି ପ୍ରତିଫଳିତ ହୋଇ ଆସୁଥିଲା ମୋର ପ୍ରାଣ ମୁକୁରରେ । ଅନ୍ଧଭାବରେ ମୁଁ କିପରି ଭଲପାଇ ବସିଥିଲି ନିଦର ଅଜ୍ଞାତସାରରେ, ଏପରିକି ତାଙ୍କର ରୂପ ଗରିମାଆଡ଼କୁ ଆଖି ଦେଇ, ନିରୂପମାର ସ୍ୱର୍ଗୀୟ ସ୍ନେହକୁ ମଧ୍ୟ ତୁଚ୍ଛଜ୍ଞାନ କରି ଆସୁଥିଲି । ଜାହ୍ନବୀଙ୍କ ସହିତ ଏହି ଦୁଇ ଅଢ଼େଇବର୍ଷର ଅସାକ୍ଷାତ ନ ହୋଇଥିଲେ ମୋ ଜୀବନର ଗତି କିପରି ପରିବର୍ତ୍ତିତ ହୋଇଥାନ୍ତା କିଏ କହିବ ? ଏବେ ତାଙ୍କୁ ଫେରିପାଇ ମୁଁ କଣ ପୁଣି ଅସହାୟ ହୋଇ ଉଠିନାହିଁ ? ମନକୁ ମୋର ପଚାରି ବସିଲି ଏକଥା ।

 

କିନ୍ତୁ ମୋତେ କୁହ, ମୁଁ କଣ କେବେ ଜାହ୍ନବୀଙ୍କୁ ଲାଭ କରିପାରେ ? କିଏ କହିବ ମୋତେ ? କିଏ ମୋର ଏହି ହୀନ ପ୍ରଶ୍ନରେ ନିନ୍ଦା ନକରି କର୍ଣ୍ଣପାତ କରିବ ? କିନ୍ତୁ ମନ କାହିଁକି ଏହି ପାପ ପୂଣ୍ୟ, ଏହି ନୀତି ଅନୀତି ବୁଝେନା ? ପ୍ରେମ କାହିଁକି ମାନେନା ବାଧା ବନ୍ଧନ ? ପ୍ରେମ କାହିଁକି କୌଣସି ନିପାତନ ସିଦ୍ଧ ନୁହେ ? ଜାହ୍ନବୀଙ୍କୁ ପାଇବାର ପଥ ପରିଷ୍କାର ଥିଲା ଅବା କେବେ ମୋ ପାଇଁ ? ଏବେ ପୁଣି ଅତ୍ୟଧିକ କଣ୍ଟକିତ ନ ହୋଇପଡ଼ିଲା ବା କିପରି ? ସେପରା ମୋର ବନ୍ଧୁ ପତ୍ନୀ !

 

ହେଃ,ହେଃ, ହେଃ, ମୁଁ ପୁଣି ଏପରି ଅବସ୍ଥାରେ ଜାହ୍ନବୀଙ୍କୁ ପାଇବାର କଳ୍ପନା ମନ ମଧ୍ୟରେ ସ୍ଥାନ ଦେଇଛି । ଛି ଛି, ଶତଧିକ୍ ମୋର ନୀଚ କଳ୍ପନାକୁ....... ନିରତିଶୟ ଅନୁତାପାନଳରେ ମୁଁ ଦଗ୍‍ଧ ହେବାକୁ ଲାଗିଲି ।

 

ନିରୂପମା କିନ୍ତୁ ସରଳ ହୃଦୟା, ଜାହ୍ନବୀଙ୍କ ପରି ଚିନ୍ତାର ଅନୁଶୀଳନୀ ସେ ସ୍ଥାନ ଦେଇନାହିଁ ତା ମନ ମଧ୍ୟରେ । ତା’ର ସ୍ନେହପ୍ରବଣ ଅନ୍ତରର ଅମ୍ୱୁରାଶି ମଧ୍ୟରେ ଏବେ ମଧ୍ୟ ଝଡ଼ କିମ୍ୱା ଉର୍ମିର ରେଖାପାତ ହୋଇନାହିଁ ।

 

ଯଦି ଅକସ୍ମାତ୍ ନିରୂପମା ଜାଣିପାରେ ଯେ ମୁଁ ଜାହ୍ନବୀଙ୍କୁ ବାସ୍ତବିକ ଅନ୍ତର ମଧ୍ୟରେ ଭଲପାଏ ଓ ଏହି ବିଧବା ହେଉଛି ସେହି ଜାହ୍ନବୀ ଓ ଯଦି ଜାହ୍ନବୀ ନିରୂପମାଙ୍କୁ ତାଙ୍କ ବୁଦ୍ଧିମତାର ଚାତୁରୀ ଖେଳାଇ ବୁଝାଇ ଦିଅନ୍ତି ଯେ, ମୋପରି ନିରୀହା ବାଳିକାର କି କ୍ଷତି କରିଛନ୍ତି ତୁମର ଦେବତୁଲ୍ୟସ୍ୱାମୀ ଥରେ ଚିଠିଗୁଡ଼ିକ ପଢ଼ି ଦେଖ, ତେବେ ମୋର ଦଶା କଣ ହେବ ? ଯେଉଁ ଜଣକ ହୃଦୟରେ ଗୌରବମୟୀ ସ୍ୱର୍ଣ୍ଣ ସିଂହାସନରେ ବସି ମୁଁ ତ୍ରଦଶପତିଙ୍କ ରାଜ ଭବନରେ ସୁଖାନୁଭବ କରୁଛି ସେ ସୌଭାଗ୍ୟ କି ମୋର ଆଉ ରହିବ ? ସେ ସିଂହାସନ କି ଆଉ ରହିବ ? ସେ ସୁଖମୟ ସଂସାର କି ଆଉ ରହିବ ? ହାୟ ଭଗବାନ, କି ଦୁର୍ବୁଦ୍ଧି ହେଲା ମୋର ! ନିଜର କି ସର୍ବନାଶ ନିଜେ ନକଲି !

 

ତେତିଶି

 

ଯଚିର ଶୁଦ୍ଧିକ୍ରିୟା ଅନୁଷ୍ଠିତ ହେବାଦିନ ମୋତେ ରହିବାକୁ ପଡ଼ିଲା ଜାହ୍ନବୀଙ୍କ ନିକଟରେ । ଘରକୁ ଫେରୁ ଫେରୁ ରାତି ବାରଟା । ସବୁ ଅପମାନର ଗାଳି ଭୁଲିଯାଇ ନିତିପ୍ରତି ଯାଇ ଖବର ନେବାକୁ କୋଟି କୋଟି ଅନୁନୟ କରି ସେଦିନ ରାତିରେ ଅଶ୍ରୁସଜଳ ନୟନରେ ବିଦାୟ ଦେଲେ ଜାହ୍ନବୀ । ଅନ୍ୟ କୌଣସି ସ୍ଥାନକୁ ନଛାଡ଼ି ଅନ୍ତତଃ କିଛିଦିନ ପାଖରେ ରଖିବେ ବୋଲି ବୁଢ଼ା ନିର୍ଭର ଜବାବ ଦେଇଥାନ୍ତି ବୋଧହୁଏ ଜାହ୍ନବୀଙ୍କ ମନକଥା ଜାଣିପାରି ।

 

ଘରକୁ ଫେରି ବିସ୍ମୟ ସାଗରରେ ନିମଜ୍ଜିତ ହୋଇପଡ଼ିଲି । ନିରୂପମା ମୋତେ କିଛିହେଲେ ପଚାରିଲା ନାହିଁ । ଅନ୍ୟଦିନ ହୋଇଥିଲେ ସେ ଶତ ପ୍ରଶ୍ନରେ ମୋତେ ବିବ୍ରତ କରିପକାଇଥାନ୍ତା । କିନ୍ତୁ କେବଳ ସେଦିନ ରାତିରେ ନୁହେଁ, ପରଦିନ ଓ ତା’ପର, ଏହିପରି ଦିନ ଦିନ ବହିଚାଲିଲା । ମୁଁ ସ୍ପଷ୍ଟ ଜାଣିପାରିଲି ନିରୂପମାର ମନ ପୂର୍ବପରି ନାହିଁ, ସମ୍ପୂର୍ଣ୍ଣ ବଦଳି ଯାଇଛି । ସେ ହୋଇପଡ଼ିଛି ବଡ଼ ଅଭିମାନିନୀ । ମୋର ପୂର୍ବ ସନ୍ଦେହ ଓ ଭୟ ସତ୍ୟରେ ମୂର୍ତ୍ତିମନ୍ତ ହୋଇଛି ।

 

ମୁଁ କି ଭୁଲ କଲି ନିରୂପମା ଏବେ ବୁଝିପାରିଛି ଏଥିରେ ସନ୍ଦେହ ନାହିଁ । ନିରୂପମା ନିଜେ ଏତେଟା ଭାବିପାରିନାହିଁ । କିନ୍ତୁ ଜାହ୍ନବୀ ହୁଏତ ସବୁକଥା ତାକୁ ବୁଝାଇ ଦେଉଛନ୍ତି । ଜାଣିପାରି ନିରୂପମା ମୋତେ କ୍ଷମା କରିପାରି ନାହିଁ । କାରଣ ସେ ମଧ୍ୟ ନାରୀ, ଜାହ୍ନବୀଙ୍କ ପରି । ନିରୂପମାର ଅଭିମାନର ଏହା ହେବ ପ୍ରଧାନ କାରଣ । କିନ୍ତୁ ଏହି ଅଭିମାନଟା କଣ ଏତେଦିନ ସ୍ଥାୟି ହୋଇପାରେ ? ଯେଉଁ ନିରୂପମା ମୋ ପାଇଁ ସଦାସର୍ବଦା ଜାଗ୍ରତ, ମୋ କଥା ଶୁଣିବା ପାଇଁ ସର୍ବଦା ଆତୁର, ମୋତେ ଖୁଆଇ ପିଆଇ, ମୋର ପ୍ରାଣପଣ ସେବା କରି ତଥାପି ଅତୃପ୍ତ, ସେହି ତାର ହୃଦୟ କଣ ଏବେ ଏଡ଼େ ଅନୁଦାର ହୋଇପାରେ ? ତାର ଯେ ଆଜିକାଲି ମୋ ପ୍ରତି ଆଗ୍ରହ ନାହିଁ, କଥା କଣ ? ଏବେ ଆଉ ଗୋଟିଏ ଦୁଶ୍ଚିନ୍ତା ମନକୁ ଅଧିକାର କରି ବସିଲା ।

 

ମୁଁ ସିନା ମନେ ମନେ ଭାବୁଛି ମୋ ପ୍ରତି ନିରୂର କୌଣସି ଆଗ୍ରହାତିଶଯ୍ୟ ନାହିଁ ବୋଲି, କିନ୍ତୁ ଗୃହକାର୍ଯ୍ୟରେ ତ ସେପରି କିଛି ଅଦୃଷ୍ଟପୂର୍ବ ବୈଲକ୍ଷଣ ଦେଖୁନାହିଁ ? ତଥାପି ମନରେ ଏପରି ଭାବୁଛି କାହିଁକି ? ମୋ ମନହିଁ କଣ ମୋତେ ସନ୍ଦେହାନଳରେ ଭସ୍ମିଭୂତ କରାଉଛି ?

 

ନା, ନିରୂପମାର ମନଟା କିପରି ସରାଗହୀନ ହୋଇ ପଡ଼ିଛି । ସେ ହସିଲେ କିପରି ଗୋଟାଏ ଉଦାସମୟ କାତର ବେଦନା ତା’ ହସ ଭିତରେ ଝରି ଆସୁଛି । ତା’ପରେ ନିଜପ୍ରତି ନିରୂପମା ଯେପରି ଅତି ଆଗ୍ରହଶୂନ୍ୟା ହୋଇପଡ଼ିଛି । ମୁଁ ନିରୀକ୍ଷଣ କରୁଛି ଅତ୍ୟନ୍ତ ଦ୍ରୁତଗତିରେ ତାର ସ୍ୱାସ୍ଥ୍ୟର ଅବସାନ ହେଉଅଛି । ସର୍ବଦା ସେ ଚିନ୍ତିତା ପରି ମନେ ହେଉଛି । ସର୍ବଦା ମୌନା । ଖାଇବା କଥା ମନେ ପକାଇ ନଦେଲେ ଖାଉନାହିଁ । ତାର ମନର ଅଭିମାନ ହୁଏତ ସମତଳ ଉପତ୍ୟାକାରୁ କ୍ରମୋନ୍ନତି ଅଧିତ୍ୟକା ଓ ଗିରି ଉପକଣ୍ଠ ଅତିକ୍ରମ କରି ଏକ ଉନ୍ନତ ଚୂଡ଼ାର ପ୍ରତ୍ୟନ୍ତ ପ୍ରଦେଶରେ ଉପନୀତ ହେବାକୁ ବସିଲାଣି ।

 

ପୁଣି ଭାବିଲି । ମନେ ହେଲା, ଜାହ୍ନବୀ ହୁଏତ ଆଉ ବି କିଛି କହିଛନ୍ତି ନିରୂପମାକୁ । ହଁ, ସେ ହୁଏତ କହିଛନ୍ତି ତାଙ୍କର ପୂର୍ବ ଇତିହାସ । କିପରି ମୋତେ ପ୍ରଥମେ ଭେଟିଲେ । କିପରି ମୋତେ ପ୍ରଥମେ ଅବିବାହିତ ମନେକରି ମନେ ମନେ ସୁଖ ପାଇଲେ । ମୁଁ କିପରି ତାଙ୍କ ଘରକୁ ଯାଇ ତାଙ୍କର ସୋହାଗପୂର୍ଣ୍ଣ ଆତିଥ୍ୟ ଗ୍ରହଣ କରିଛି । ତା’ପରେ କିପରି ଚିଠିଗୁଡ଼ିକ ଯଚି ପାଇଁ ଲେଖିଦେଇ ନିଜ ଅଜଣାରେ ତାଙ୍କୁ ଭଲପାଇ ବସିଛି ଓ ସେ ମଧ୍ୟ ମୋତେ........

 

ଜାହ୍ନବୀ ଯଦି ଏସବୁ କଥା କହିଥାଆନ୍ତି, ତେବେ ନିରୂପମା ନିଶ୍ଚୟ ମୋତେ ସନ୍ଦେହ କରି ମନେ ମନେ ତାହାହିଁ ଓତପ୍ରୋତ ଭାବରେ ଚିନ୍ତା କରୁଛି । ଆଉ ଯେତେ ଚିନ୍ତା କରୁଛି ସେତେ ତାର ସନ୍ଦେହ ଦୃଢ଼ତର ହେଉଛି ମନ ଭିତରେ ।

 

ଏହା ନହୋଇ କଣ ହୋଇପାରେ ? ମୁଁ ନିରୂପମାକୁ ପ୍ରତାରଣା କରୁଛି ବୋଲି ନିରୂପମା ଭାବି ନେଇଛି । ତେଣୁ ତା’ ମନରେ ସରାଗ ଲିଭି ଯାଇଛି । ମୋତେ ଭଲପାଏ ଅତି ବେଶୀ । ତେଣୁ ହୁଏତ ମୋ ମନରେ ଦୁଃଖ ଦେବାପାଇଁ ଏ କଥା ଉତ୍ଥାପନ ନକରି ମନେ ମନେ ଅକୁହା ବେଦନାରେ ଘାରି ହେଉଛି । ପଳପଳ କରି ବଳି ଦେଉଛି ନିଜକୁ । ତିଳ ତିଳ କରି କ୍ଷୟ କରୁଛି ସ୍ୱାସ୍ଥ୍ୟ ନଖାଇ, ନପିଇ, ସବୁବେଳେ ଏହିସବୁ ଦୁଶ୍ଚିନ୍ତା ପୂରାଇ ହୁଏତ ମନ୍ଦଭାଗ୍ୟକୁ ନିନ୍ଦା କରି କରି ସେ ନିଜକୁ ଧ୍ୱଂସ କରୁଛି । ମୋ ପାଖରେ ତାର ଅସ୍ତିତ୍ୱକୁ ଅନାବଶ୍ୟକ ମନେ କରୁଛି । ଏଥିପାଇଁ କଣ କରିପାରେ ମୁଁ ? କି ଉପାୟରେ ମନକୁ ତାର ନିଜଆଡ଼କୁ ଫେରାଇବି । ଭାବି ଭାବି ଥଳକୂଳ ପାଇଲିନାହିଁ ।

 

ଚଉତିରିଶି

 

ଶନିବାର । ଅଫିସରୁ ଫେରିଲି ଦିନ ଦୁଇଟାବେଳେ । ଚାରୁ ଓ ମଞ୍ଜୁ ଦୁହେଁ ବାରିଆଡ଼େ ସଜନାଗଛ ମୂଳେ ଖେଳୁଥିଲେ । ଚାରୁକୁ ଡାକି ପଚାରିଲି- ତୋ ବୋଉ ଆଜି ଦୁଧ ପିଇଥିଲାରେ ଚାରୁ ?

 

ନାଁ, ସବୁଯାକ ଆମେ ପିଇଲୁ । ବୋଉ ଆମକୁ ଦେଇଦେଲା ପିଇବାକୁ- ଚାରୁ କହିଲା ।

 

ଆଜି କିଛି ଖାଇନି ତୋ ବୋଉ ?

 

ନା, ତା ଧିଅ ତ ଖରାପ । ଚୁଲି ପାଖରେ ବସି କାନ୍ଦୁଥିଲା ପରା ? ଦେହ ଖରାପ ହେଲେ ନିରୂପମା କେବେ କାନ୍ଦିବାର ଜାଣିନଥିଲି । କେବଳ ତାହାରି ପାଇଁ ଅଧସେର ଦୁଧ ବନ୍ଦୋବସ୍ତ କରିଥିଲେ ମଧ୍ୟ ସେ ଇଛାକରି ତାହା ନପିଇ ପିଲାମାନଙ୍କୁ ଦେଇଦେଉଛି । ଏ ସନ୍ଦେହ ମୁଁ ଆଗରୁ ହିଁ କରିଥିଲି । ଘରକୁ ଯାଇ ଦେଖିଲି ନିରୂପମା ଖଟ ଉପରେ କାନ୍ଥଆଡ଼କୁ ଅଣେଇ ହୋଇ ଶୋଇଛି । ତାକୁ ବୋଧହୁଏ ନିଦ ହୋଇଯାଇଛି । ମଥାରେ ହାତ ମାଇଲି- ତାତି....

 

ପାଖରେ ବସିପଡ଼ିଲି । ଡାକିକରି ଉଠାଇବାକୁ ଇଛା ହେଲା ନାହିଁ । ତାରିଆଡ଼କୁ ଅନାଉ ଅନାଉ ଘରର ଚାରିଆଡ଼କୁ ଥରେ ଆଖି ପକାଇ ଗଲି । କୌଣସି ଗୋଟିଏ ଜିନିଷ ତାର ଅଭିଷ୍ଟ ସ୍ଥାନରେ ସଂଯତ ପରିପାଟିରେ ନାହିଁ । ସବୁ ଯେପରି ବିକ୍ଷିପ୍ତ । ନିରୂପମାର ଦେହ ଖରାପ, ଏସବୁର ଯତ୍ନ ବା ନେବ କିଏ ? ଅଲଗୁଣି ଉପରେ ବ୍ୟବହୃତ ଶାଢ଼ୀବ୍ଲାଉଜ ଇତ୍ୟାଦି ଇତଃସ୍ତତ ବିନ୍ୟସ୍ତ ହୋଇ ଓହଳିଛନ୍ତି । ସୁଟକେସ ଉପରେ ଧୋବାଘରୁ ଆସିଥିବା ଧୋତି ଶାଢ଼ୀଗୁଡ଼ିକ ସେହିପରି ଭାଙ୍ଗ ନପିଟି ଥୁଆ ହୋଇଛି । ସାଧାରଣତଃ ଶନି ଓ ରବିବାର ଦିନ ନିରୂପମା ନିଜକୁ ଧୋବ ଫରଫର ଶାଢ଼ୀରେ ଧୋବ କରି ଶୋଭନ କରିଥାଏ । କାରଣ ଶନି ରବି ମିଶି ମୋର ଦେଢ଼ଦିନ ଛୁଟୀ । ସେହି ଆନନ୍ଦର ପରିସ୍ଫୁଟନ ତାର ବେଶ ଶୋଭନ ଭିତରେ ଆତ୍ମପ୍ରକାଶ କରିଥାଏ । ମାତ୍ର ଆଜି ଶନିବାର ହେଲେ ମଧ୍ୟ ସବୁ ଯେପରି ନିସ୍ପୃହ ନିରାଡ଼ମ୍ୱର ମୟ ।

 

ଏହିପରି କେତୋଟି ଶନି ରବି ଏହା ମଧ୍ୟରେ ଗଲେଣି ଚାଲି । ମାତ୍ର ମୁଁ ଯଥେଷ୍ଟ ଅନୁଭବ କଲିଣି, ଏହି ଛୁଟୀ ଦିନଗୁଡ଼ିକରୁ ଏହି ପରିବାରଟି ପାଇଁ ଆଉ କୌଣସି ହାସ୍ୟୋଲ୍ଲସର ଉତ୍ସ ନିସୃତ ହେଉନାହିଁ । ଏ ଦିନଗୁଡ଼ିକରେ ଖାଦ୍ୟପେୟ ଆମୋଦପ୍ରମୋଦ, ବୁଲାଚଲା ଇତ୍ୟାଦିରେ ଯେଉଁ କେତୋଟି ବିଶେଷତ୍ୱ ପ୍ରକାଶ ପାଇଥାଏ ଆଜିକାଲି ସେପରି କିଛିନାହିଁ । ସପ୍ତାହର ଅନ୍ୟାନ୍ୟ କର୍ମମୁଖର ଦିନ ଗୁଡ଼ିକ ପରି ଏମାନେ ମଧ୍ୟ ନିରସ ଓ ନିରାନନ୍ଦମୟ ହୋଇ ପଡ଼ିଛନ୍ତି । ଯେଉଁ ବିରାଟ ଅଭିମାନର ପାହାଡ଼ ନିରୂର ମନଭିତରେ ମୁଣ୍ଡଟେକି ଉଠୁଛି ଏସବୁ ତାହାରି ଛାୟା........

 

ମନଟା କିପରି ଶୁଷ୍କ ହୋଇ ଉଠିଲା । ଅଫିସରୁ ଫେରି ଘରେ ଯେଉଁ ଆନନ୍ଦ କୋଳାହଳ ଶୁଣିବାକୁ ଆଶା କରୁଥିଲି ତାହା ପରିବର୍ତ୍ତେ ଅଛି କଣ ନା ଗୋଟାଏ ରୋଗ ଯନ୍ତ୍ରଣାରେ ଅବସାଦମୟ ମୌନତାର କରୁଣ ବିଳାପ ।

 

ଭାବିଲି, ଯାଇଁ ଜଣେ ଲେଡି ଡାକ୍ତରଙ୍କୁ ଡାକି ଆଣିବି ! ଓ କେତେଦିନ ହେଲା ନିରୂପମାକୁ ଏହିପରି ଗୋଳେଇ ଘାଣ୍ଟି ଜ୍ୱରଟା ହେଉଛି । ଡାକ୍ତରଙ୍କୁ ଘରକୁ ଡାକି ଭଲଭାବରେ ଟିକେ ପରାମର୍ଶ କରିବି । ଉଠିଲା ବେଳକୁ କଡ଼ ଲେଉଟାଇଲା ନିରୂପମା । ମୋତେ ଦେଖିପାରି ଉଠିବସିଲା ଓ କିଛି ନ କହି ଧୀରେ ଧୀରେ ଖଟ ତଳକୁ ଗୋଡ଼ ବଢ଼ାଇଲା ।

 

କହିଲି- କାହିଁକି ଉଠୁଛ ନିରୂ । ଦେହ ଭଲ ଲାଗୁନାହିଁ ତ ଶୁଅ–ତୁମପାଇଁ ଭାତ ଦିଟା ବାଢ଼ିଦିଏଁ । କେତେବେଳୁ ଆସିଲଣି ଡାକୁନା- ଟୋକାଟାକୁ କହିଥିଲି, ବାପା ଆସିଲେ ଉଠାଇ ଦେବାକୁ ଯେ....ବାଧା ଦେଇ କହିଲି- ‘‘ମୁଁ କଣ ହାତରେ ଭାତ ଦିଟା ବାଢ଼ି ଖାଇ ପାରିବିନାହିଁ । ତୁମେ କାହିଁକି ଏତେ ବ୍ୟସ୍ତ ହେଉଛ ନିରୂ ?

 

-ମୁଁ କଣ ବାଢ଼ି ଦେଇ ପାରିବି ନାହିଁ କି ହାତରେ ବାଢ଼ିବ ?

 

ନିରୂପମା ଭାତ ବାଢ଼ିବାକୁ ଉଠିଗଲା ।

 

ମୋତେ ତ ଭୋକ ହୋଇନାହିଁ, ତୁମେ ଯେ କାହିଁକି ଏପରି ଅଝଟ ହେଉଛ କିଛି ବୁଝିପାରୁନାହିଁ । ଦେହରେ ତାତି ଭର୍ତ୍ତି ହୋଇଛି ମୋ କଥା ମାନ, ତୁମେ ଚୁପ୍‍ ହୋଇ ଶୋଇ ରୁହ । ମୁଁ ନିରୂପମାକୁ ଧରି ଖଟ ଉପରେ ଶୋଇ ଦେଲି । ଦେହରେ ଖଣ୍ଡେ ଚାଦର ମଧ୍ୟ ସେ ଏପର୍ଯ୍ୟନ୍ତ ଘୋଡ଼ି ହୋଇ ନଥିଲେ । ଖଣ୍ଡେ ଚାଦର ଘୋଡ଼େଇ ଦେଉଁ ଦେଉଁ କହିଲି- ଦେହ ଯେତେବେଳେ ଖରାପ ଥିଲା, ଏତେ କଷ୍ଟ କରି ରୋଷେଇ କଲ କାହିଁକି ?

 

-କଣ ହୋଇଛି କି ମୋର ? ଲୋକେ କେତେ କଷ୍ଟ ପାଉଛନ୍ତି, ଟିକେ ସାମାନ୍ୟ ଜ୍ୱର ହୋଇଛି ବୋଲି କଣ ତୁମକୁ ଓପାସ ରଖାଇ ଥାଆନ୍ତି ? ପିଲାମାନେ.. ମୋର..କଣ ଖାଇ ଥାଆନ୍ତେ ?

 

-କାହାରି ହାତରେ ଖବର ଟିକେ ପଠାଇଥିଲେ ତ ମୁଁ ଛୁଟି ନେଇ ଚାଲି ଆସିଥାଆନ୍ତି । ତୁମ ପାଇଁ ଅବୁଝା ଲୋକଙ୍କୁ ଆଉ କଣ କରାଯିବ !’’ କହି ମୁଁ ଉଠିଗଲି ।

 

ଦେହ ଯେତେ ଖରାପ ଥିଲେ ମଧ୍ୟ ମୁଁ ଘରକୁ ଫେରିଲେ ନିରୂପମାର ଅନ୍ତର ଯେପରି ପୁଲକରେ ନାଚି ଉଠେ- ଅନ୍ୟଦିନମାନଙ୍କରେ । ସଦାସର୍ବଦା ସେ ପିଲାଙ୍କୁ ଧରି ମୋତେ ହାସ୍ୟମୟ ଅଭିନନ୍ଦନ ଜଣାଇଥାଏ, କିନ୍ତୁ ଏବେ ଏତେ ଗୁଡ଼ାଏ ସଂଳାପ ମଧ୍ୟରେ ବି ଟିକେ ହାସ୍ୟର ଛଟା ଉକୁଟି ଉଠିଲାନି ମୁହଁରେ ତାର । ସବୁ ଯେପରି କେଉଁ ଅଦୃଶ୍ୟ ଯବନୀକାନ୍ତରାଳରେ ବିଲୁପ୍ତ ହୋଇଯାଇଛି । ପ୍ରତିବାକ୍ୟ ମଧ୍ୟରେ ଭରି ଯାଇଛି ଅଭିମାନର ଅନୁକ୍ତ ବେଦନା । ଦୀର୍ଘଶ୍ୱାସଟିଏ ମୋର ଅସ୍ଥିପିଞ୍ଜରା ଦୋହଲାଇ ପଦାକୁ ବାହାରି ଆସିଲା ।

 

ମନେ ମନେ ଡାକ୍ତରଙ୍କୁ ଡାକିବା ପାଇଁ ସ୍ଥିର କରି ମୁଁ ବାହାରକୁ ବାହାରିଗଲି ।

 

ପଇଁତିରିଶ

 

ସେଦିନ ଜାହ୍ନବୀଙ୍କ ଘରେ ବସିଛି ଅଫିସରୁ ଯାଇଁ । ଏହା ଯଚିର ଶୁଦ୍ଧି କ୍ରିୟାର ଦଶପନ୍ଦର ଦିନ ପରେ । ଏହା ଭିତରେ ଯିବାର ଅବକାଶ ନଥିଲା ।

 

ନିରୂପମା ଅସୁସ୍ଥ । ମଝିରେ ମଝିରେ ଟିକେ ସୁସ୍ଥ ହୋଇ ପୁନର୍ବାର ଅସୁସ୍ଥ ହୋଇପଡ଼ୁଛି । ତାର ଏହି ଅପ୍ରତ୍ୟାଶିତ ସ୍ୱାସ୍ଥ୍ୟହାନିରେ ମୁଁ ମଧ୍ୟ ଆଶଙ୍କାକୁଳ ହୋଇ ଉଠୁଛି । ଘରେ ତ ମୋର ଶାନ୍ତି ନାହିଁ । ନିରୂପମା ସହିତ କହିବାକୁ ହିଁ ସଦ୍‍ଭାବ ନାହିଁ ତିଳେ ହେଲେ ଯଦିଚ କଥାବାର୍ତ୍ତା ବନ୍ଦ ହୋଇନାହିଁ । ମାତ୍ର ସେଥିରେ ତିଳେ ହେଲେ ସ୍ଫୁର୍ତ୍ତିକି ଆନନ୍ଦ ନାହିଁ । ତାପରେ ଅନ୍ତସତ୍ତ୍ୱା ନିରୂପମା ଦେହଭାର ବହନ କରି, ଗୃହଧନ୍ଦା କରିବାରେ ତାର ଯେଉଁ ଅନାଶକ୍ତ ଭାବ, ତହିଁରେ ପୁଣି ମୋ ଉପରେ ରୁକ୍ଷ ଅଭିମାନ ଯୋଗୁଁମୋ ଆଦର ସୋହାଗର ଯେଉଁ ପ୍ରତ୍ୟାମାନ, ଏହିସବୁ ଦୁଶ୍ଚିନ୍ତା ମୋତେ ଜାହ୍ନବୀଙ୍କ ଘରକୁ ସଂକେତ ଦେଖାଇ ଟାଣି ନେଇଛି । ଠିକ୍ କହିପାରୁନାହିଁ ତେବେ ସେଦିନ ମୁଁ ଟିକେ କିପରି ବିବ୍ରତ ହୋଇ ପଡ଼ିଥିଲି ମୋର ଏହି ଅଧୁନାତନ ସଂସାରିକ ଜଞ୍ଜାଳ ଭିତରେ । ହୁଏତ ଏକେ ଟିକେ ଜାହ୍ନବୀଙ୍କ ପାଖରେ ବସି ତାଙ୍କ ଭବିଷ୍ୟତ ଜୀବନ ବିଷୟରେ ଦୁଇ ଚାରିଟା କଥା ଆଲୋଚନା କରିବା, କିମ୍ବା କିଛି ବ୍ୟବସ୍ଥା କରିବା ଏତଦ୍ୱାରା ସହାନୁଭୂତି ଦେଖାଇବା ସହିତ ଜାହ୍ନବୀଙ୍କର ଯଥେଷ୍ଟ ଉପକାର ମଧ୍ୟ କରାହେବ । ମନଟା କିନ୍ତୁ ନିରସ ହୋଇଥାଏ । ଜର୍ଜରିତ ବ୍ୟଥା ଯେପରି ଆଖି ପତା ତଳେ ଅଶ୍ରୁ ସହିତ ଢଳଢଳ ହେଉଥାଏ ।

 

-‘‘ଏତେ ଦିନ ପରେ ଏ ଅଭାଗିନୀ କଥା ମନେ ପକାଇଲେ ?

 

-ଜାହ୍ନବୀ, ମୁଁ କେତେ ଅସହାୟ ତା କଣ ଜାଣି ପାରିନ ? କୋହ ଯେପରି ଉଚ୍ଛୁଳି ଉଠିଲା ମୋ ପେଟ ଭିତରେ । ଥରେ ଯଦି ତୁମେ ବୁଝିପାରନ୍ତ କେଡ଼େ ଅସହାୟ ବୋଲି ତା ହେଲେ ଏ କଥା କୁହନ୍ତ ନାହିଁ । ତୁମର ଏତେଦୂର ସର୍ବନାଶ କଲି.ପୂର୍ବେ ଯେଉଁ କେତେଥର ତୁମ ସହିତ ଦେଖାଚାହାଁ ହୋଇଥିଲା । ତୁମେ କଣ ମୋ ମନର ପରିଚୟ ପାଇନଥିଲ ? ଆଜି ତୁମ ଆଖିରେ ମୁଁ ଏତେ ହୀନ, ଏତେ ଦୀନ, ଘୃଣ୍ୟ-ଏହାଠାରୁ ବଳି କି ଅବମାନନା ବାକି ଅଛି ? ଏପରି ଲୋକଟାଠାରୁ ଆଉ ବାକି-ପ୍ରତ୍ୟାଶା କରିବ ତୁମେ ...

 

କଥା କହିବା ଭିତରେ ଦୁଇଟି ଅଧିର ଅଶ୍ରୁଧାର ଝରି ଆସିଥିଲେ ମୋ ଆଖିରେ ସମ୍ଭବତ ମୋ ପ୍ରିୟାର ନୟନ କୋଣରେ ସେମାନେ ତାଙ୍କ ସହଗାମିନୀମାନଙ୍କ ଦର୍ଶନାଭିଳାସରେ ଉଚ୍ଛନ୍ନ ହୋଇ କିନ୍ତୁ ନୀରବ କ୍ରନ୍ଦନରତା ଜାହ୍ନବୀ ସେମାନଙ୍କୁ ପଣତକାନିରେ ପୋଛିଦେଉଁଦେଉଁ କାନ୍ଦୁଛ ? ଛି, ଜମା ଶୋଭା ପାଉନାହିଁ ତୁମକୁ.... ମନଟା ତୁମର କହିଲେ ଏତେ ନରମ ବୋଲି ଏବେ ବି ମୋତେ ଜଣାନଥିଲା । ସାରା ହୃଦୟ ଭିତର ଦେଇ ଅନୁଭବ କଲି ଜାହ୍ନବୀ ଅତି ପାଖକୁ ଲାଗି ଆସିଛନ୍ତି ମୋର । ଯଚିର ବିଧବା ସ୍ତ୍ରୀ ବୋଲି ଯଦି ତାଙ୍କର ନାମକରଣ ହୋଇନଥାନ୍ତା ତାହା ହେଲେ ସେ ହୁଏତ ମୋ ବେକରେ ବାହୁଲତା ଛନ୍ଦି ମୋ ଛାତିରେ ମୁହଁଟି ମାଡ଼ିଦେଇ ଭୀରୁ ପକ୍ଷୀସମ ଆଶ୍ରୟ ନେଇଥାଆନ୍ତେ । ଏତେବେଳକୁ ଆମେ କେହି କାହାକୁ ବୁଝିବାକୁ ଆଉ ବାକି ରଖିନଥିଲୁ ।

 

କିନ୍ତୁ...

 

ହଠାତ୍ କାହିଁ ଲକ୍ଷ ଯୋଜନରୁ ଆସନ୍ନ ପ୍ରସବା ଗର୍ଭିଣୀର ଆର୍ତ୍ତନାଦ ଭାସି ଆସିଲା କାନକୁ ମୋର । ମୋର ପ୍ରାଣ ପ୍ରତିମା ନିରୂପମାର ମୁଖଛବି ଉଦଭାସିତ ହୋଇଉଠିଲା ନୟନ ତଳେ- କହୁଛି ଆଜି କେଉଁଠାରେ ତୁମେ ? ଆଗୋ, ତୁମେ ଏବେ କେଉଁଠି ? ଶେଷରେ ଏହିପରି ଭାବରେ ମୋତେ ପ୍ରତାରଣା କଲ..

 

ମୁଁ କେଉଁଠି ? କେଉଁ ଭାବନାରେ ଏବେ ଅନୁପ୍ରାଣିତ ? କେଉଁ ପ୍ରିୟାର ଅଭିମାନ ମୋତେ ଆଜି ନିର୍ବାକ ନିସ୍ପନ୍ଦ ଅଶ୍ରୁପୂର୍ଣ୍ଣ କରି ତୋଳିଛି ?

 

ଦୂର ଆକାଶର ନିଶୀଥ ମେଘମଣ୍ଡଳରୁ ରହି ରହି ହସୁଥିଲା ଯଚି । ନିଷ୍ଠୁର ସେ ହସ । ଅତି ନିଷ୍ଠୁର । ଦରହସା ହୋଇ ସେ ଖୁଁ ଖୁଁ ହୋଇ କାଶିବାକୁ ଲାଗିଲା । କାଶି କାଶି ମିଳେଇ ଗଲା ମେଘ ଭିତରେ । ପୁଣି ଥରେ ମୁହଁ ଦେଖାଇ ପାଟିଏ ରକ୍ତ ଭୁର୍‌ର୍‌ କରି କୁଳୁକୁଞ୍ଚା କରି ଯେପରି ବ୍ୟଙ୍ଗ କଲା ମୋତେ ଅନାଇ । ଟିକେ ହଲାଇ ଦେଇ ଜାହ୍ନବୀ କହିଲେ- ତୁମେ ଯେତେ ଯାହା ଭାବ ସେ କଥା ତ ତୁଣ୍ଡରେ ଧରୁନା ? ଚମକିଲା ପରି କହିଲି-‘‘ତୁମ ବାପା କଣ ଆଉ ଇହଧାମରେ ନାହାନ୍ତି?’’

 

-‘‘ନାହାନ୍ତି । ସେ ଯଦି ଆଉ ଦୁଇବର୍ଷ ବଞ୍ଚି ଥାଆନ୍ତେ ତେବେ ମୋରଦଶା ଏପରି ହୋଇଥାନ୍ତା ବୋଲି ଭାବୁନାହିଁ । ମୋତେ ଦୁଃଖରେ ଭସାଇବାକୁ ସେ ଚାଲିଗଲେ ।

 

-‘‘ଆଚ୍ଛା, ତୁମେ କଣ ତୁମ ଯାଆଙ୍କ ପାଖରେ ଚଳିବାକୁ ମନ କରୁନା..?

 

-ଦିନେ ହେଲେ ଯାହାଙ୍କୁ ଦେଖିନାହିଁ ଆଖିରେ, ଆଉ, ଯେ କି ବିଭାଘର, କି ମୃତ୍ୟୁଖବରରେ ଏ ଘରେ ପାଦ ପକାଇଲେ ନାହିଁ, କିପରି ତାଙ୍କ ପାଖରେ ଚଳିବି ବୋଲି ତୁମେ ଭାବିଛ ?

 

-ତା ହେଲେ..

 

-ତୁମେ ଯାହା କହିବ । ଏତେ ମଣିଷର ଏତେ ବଡ଼ ପୃଥିବୀ ଭିତରେ କାହାକୁ ଆଉ ମୁଁ ଚିହ୍ନିଛି ତୁମ ଛଡ଼ା ? ମୋ ଆଖିରେ ଦିଶୁଛି ଦୁଇଟି କାମ, ହୁଏତ ମୋତେ ବିଷ ଫିଷ ଦେଇ ମାରିଦିଅ, ନଚେତ୍- ନଚେତ୍ ?

 

ପଚାରିଲି ?

 

ଜାହ୍ନବୀ ମୋ ବେକ ଉପରେ ଝୁଲେଇ ଦେଲେ ତାଙ୍କ ମୁଣ୍ଡଟି । କହିଲେ ମୋତେ ତୁମ ସାଙ୍ଗରେ ନିଅ.. ମୁଁ ଆଉ କେଉଁ ଠିକ୍ ହେଲେ ଯିବି ନାହିଁ ।

 

ଚମକି ପଡ଼ିଲି ସ୍ୱପ୍ନରୁ ଉଠିଲା ପରି । କିନ୍ତୁ ନିମିଷେକ ମଧ୍ୟରେ ପ୍ରକୃତିସ୍ଥ ହୋଇ ହସିଲି ଟିକେ ।

 

-ହସିଲ ଯେ..

 

-ସେ ପଥ ତୁମେ ହିଁ ରୁଦ୍ଧ କରି ଦେଇଛ ଜାହ୍ନବୀ ।

 

-ମୁଁ ? କିପରି ?

 

-କୌତୁହଳ ପ୍ରରବଶ ହୋଇ ଦିନେ ହୁଏତ ମୁଁ ଏକ ପ୍ରକାଣ୍ଡ ଭୁଲ କରି ବସିଥିଲି କିନ୍ତୁ ଦୁଃଖ ଓ ଆବେଗରେ ତୁମେ ଏବେ ଅନ୍ୟ ଏକ..

 

-କଣ, କୁହ କୁହ ତୁମକୁ ମୋରାଣ..

 

-ଛାଡ଼ିବ ! ସେସବୁ କହି ଲାଭନାହିଁ କିଛି, ହଁ.. ମୋତେ ଆଜି ଯିବାକୁ ଦିଅ ଜାହ୍ନବୀ ମୁଣ୍ଡଟା କାହିଁକି ଭାରି ଭାରି ଲାଗୁଛି । ଘୂରାଇ ଦେଉଛି ମଧ୍ୟ ।

 

ନିଜକୁ ସଂଯତ କରି ଜାହ୍ନବୀ ଦୂରେଇ ହୋଇ ଅଣାୟତ୍ତ ହେଲା ପରି ଠିଆ ହେଲେ । ଛଳ ଛଳ ଆଖିରେ କାନ୍ଥକୁ ଆଉଜି ମୋରି ଆଡ଼କୁ ଅନାଇ ରହିଲେ । ଆଉ ରଣଶୂନ୍ୟ ଉଜ୍ୱଳ ତନୁଲତା ଉପରେ ଧୋବ ଶାଢ଼ୀ ଖଣ୍ଡିକ ତାଙ୍କୁ ଅପରିସୀମ ମହିମାରେ ଯେପରି ଅଧିକ ଉଜ୍ୱଳ କରିଥିଲା । ଯିବା ପାଇଁ ଉଠି ଠିଆହେଲି..

 

-ଯାଉଛି..

 

-ମୋତେ ଆଜି ବିଦାୟ ଦିଅ, ମୁଁ ଯାଏଁ । ତୁମ କଥା ଆହୁରି ଭାବିବାକୁ ସମୟ ନେଉଛି ।

 

-କେବେ ଆସିବ ମୋ ପାଖକୁ ଆଉ-

 

-ଯେତେବେଳେ କହିବ । ଆସିବି ନାହିଁ ବୋଲି ଭାବୁଛ, ଏଡେ ଅବିଶ୍ୱାସ ଆଉ କରନାହିଁ-

 

-ଆଉ ଟିକେ ବସିଲେ କଣ କ୍ଷତି ହେବ ?

 

-ପୁଣି ଥରେ ବସିଲି । ଜାହ୍ନବୀ ଆଉ ଘରକୁ ଗଲେ । ବାହାରେ ସାଇକେଲ ଘଣ୍ଟି ଶୁଣି ମୁଁ ଝରକା ବାଟେ ଅନାଇଲି । ପ୍ରମଥ ନାଥ ମହାନ୍ତି ଡାକୁଛନ୍ତି ।

 

-କିହୋ, ତୁମେ ଆସିଛ କି ? ସେ ପଚାରିଲେ ।

 

-ହଁ, ଏ କେତେଦିନ ହେଲା ଆସି ପାରିନଥିଲି । ବେଳ ବି ନଥିଲା । ଆଜି ଚାଲିଆସିଲି । ଭାବିଲି ଟିକେ ଦେଖା କରିଯିବି । ମୁଁ କହିଲି ।

 

ଯଚି ବାବୁଙ୍କ ସ୍ତ୍ରୀଙ୍କ ପାଇଁ କଣ ତାହା ହେଲେ କରୁଛ ? ସେ ପଚାରିଲେ ।

 

-କିଛି ତ ସ୍ଥିର କରା ହୋଇନାହିଁ । ସେ ତ ଏ ବୁଢ଼ାଙ୍କ ଘରେ ଅଛନ୍ତି । ଦେଖାଯାଉ, କିଛି ଗୋଟାଏ ବ୍ୟବସ୍ଥା କରିବାକୁ ହେବ ।

 

-‘‘ବୁଢ଼ା ଘରେ ଅଛନ୍ତି ?’’

 

- ନା, ଡିଉଟି ଉପରେ-

 

-ଆଚ୍ଛା ଯାଏଁ,

 

-କୁଆଡ଼େ ଆସିଥିଲ ? ଶେଷରେ ପଚାରିଲି ?

 

-ଟିକେ ବୁଢ଼ାଙ୍କ ପାଖରେ କାମ ଥିଲା । କହି ପ୍ରମଥ ନାଥ ଚାଲିଗଲେ । ଏ ହେଉଛନ୍ତି ଯଚିର ଜଣେ ତଥା କଥିତ ବନ୍ଧୁ । ୟାଙ୍କୁ ଦେଖି ମନଟା କାହିଁକି ପାପ ଛୁଇଁଲା । ବୁଢ଼ାଙ୍କ ପାଖରେ ୟାଙ୍କର କି କାମ ଥାଇପାରେ ? ଉଦ୍ଦେଶ୍ୟ ଅନ୍ୟ କିଛି ନୁହେଁ ତ ୟାଙ୍କର ? ଚିନ୍ତାକୁଳହୋଇ ପଡ଼ିଲି ଟିକେ ।

 

ଜାହ୍ନବୀଙ୍କୁ ପଚାରିଲି- ଏ ମହାଶୟଙ୍କୁ ଜାଣ, ତୁମ ସ୍ୱାମୀଙ୍କ ବନ୍ଧୁ । କହିଲେ- ବନ୍ଧୁ ନୁହେଁ, ତ ଚେଲା.. ଦିନେ ବୁଢ଼ାଙ୍କୁ ଖୋଜିବାରେ ଆସିଥିଲେ ବୁଢ଼ା ନଥିଲା ବେଳେ । ମୁଁ ଜାଣେ ବୁଢ଼ାଙ୍କ ସହିତ ୟାଙ୍କର କିଛି କାମ ନାହିଁ । ଆସି ଶୋଷ କରିବାର ବାହାନା କରି ମୋତେ ପାଣି ଗିଲାସେ ମାଗିଲେ । ମୁଁ ତାଙ୍କୁ ଆସନ୍ତୁ ବୋଲି କହି ଗେଟ୍ ପାଖରେ କହିଲି ଏଇବାଟେ ଯାଇଁ ଡାହାଣକୁ ବୁଲି ଯାଆନ୍ତୁ ଆଗରେ ପାଣି କଳଟାଏ ମିଳିବ.. ଲାଙ୍ଗୁଳ କଲା ତିଅକୁତିପରି ତଳକୁ ମୁହଁ ପୋତି ଚାଲିଗଲେ । ଖଣ୍ଡେ ଖଣ୍ଡେକୀର୍ତ୍ତିମାନ..

 

ଏତେ ଦୁଃଖରେ ମଧ୍ୟ ହସିବାକୁ ପଡ଼ିଲା ।

 

ଦେଖିଲି ଥାଳିଆରେ ଦୁଇଟି ବାଲୁସାହି ଓ ଗିଲାସେ ପାଣି ଥୁଆ ହୋଇଛି । ହାସ୍ୟ ପ୍ରଫୁଲ୍ଲ ମୁହଁରେ ଚାହିଁଛନ୍ତି ଜାହ୍ନବୀ । ନୟନ ପୁଟରେ ଏବେ ବି ବିଗତ ଅଶ୍ରୁରଆର୍ଦ୍ରତା ଲାଗି ରହିଛି-

 

-‘‘ଆରେ, ୟାକୁ କାହିଁକି ଆଣିଲ ।

 

-ଅଫିସରୁ ତ ଏଇଆଡ଼େ ଆସିଥିବ, । ମିଠାଟା ଖାଲି ପାଣି ଟୋପିକ ପିଇ ଦେଲେ କାଟି ଯିବକି ?

 

-କେଉଁଠୁଁ ଆସିଲା ।

 

-ବୁଢ଼ା କଣ ଭାବି ସକାଳେ, ବଜାରରୁ ଆଣି ମୋ ହାତରେ ଦେଲେ ମୁଁ ଯେପରି ତାଙ୍କର ପିଲାଝିଅ, ମିଠେଇ ଖୋଇ ଭୁଲାଇବେ ମୋର ଅଝଟ ମନକୁ । ସତରେ ଭାରି ସ୍ନେହ କରୁଛନ୍ତି । ଏଠାରୁ ମୁଁ ଚାଲିଗଲେ ଦାରୁଣ ଦୁଃଖ ହେବ ତାଙ୍କ ମନରେ । ମୋର ଏଗୁଡ଼ାକ ଖାଏ କିଏ ?

 

-ଛାତି ପକେଟରୁ ମନିବ୍ୟାଗ୍‍ କାଢ଼ି ଜାହ୍ନବୀଙ୍କୁ ବଢ଼ାଇ ଦେଲି । ସେଥିରୁ କିଛି ଟଙ୍କା ରଖ, ସମୟ ପଡ଼ିଲେ ଖର୍ଚ୍ଚ କରିବ । ମୋର କିନ୍ତୁ ଖାଇବାକୁ ତିଳେ ହେଲେ ଇଚ୍ଛା ନାହିଁ ଜାନୁ.. ବିଶେଷତଃ ଏ ମିଠା ନଖାଇଲେ ନଖାଅ, ତୁମକୁ ଖୋଇବାର କି ଅଧିକାର ବା ଅଛି ମୋର ? ମିଠାଛଡ଼ା ଆଉ ବି କିଛି ନାହିଁ ଖାଇବାକୁ ଦେବାକୁ..

 

ବାଧ୍ୟ ହୋଇ ଖାଇଲି । ଅନିଛାସତ୍ତ୍ୱେ ନଖାଇ ଜାହ୍ନବୀଙ୍କୁ ସୁଖୀ କରାଇ ପାରିବିନାହିଁ ।

 

କାଢିଲ ଟଙ୍କା..

 

-ଟଙ୍କା ଫଙ୍କା କଣ ହେବ ? ବୁଢ଼ା ତ ସବୁ ଖର୍ଚ୍ଚ କରୁଛନ୍ତି ତା ବୋଲି ତାଙ୍କ ଉପରେ ନିର୍ଭର କରିପାରିବି ନି ଚିରଦିନ । କିନ୍ତୁ ଏବେ ନେବା ଦରକାର ପଡ଼ିନାହିଁ ।

 

ସବୁ ସେ ଖର୍ଚ୍ଚ କରି ଯାଇଛନ୍ତି ବୋଲି ତ ତୁମକୁ କହୁଛି ।

 

-ମାନେ ?

 

-‘‘ତୁମ ପାଇଁ ଖର୍ଚ୍ଚ କରିବା ପାଇଁ ମୁଁ ତାଙ୍କୁ ସାହାଯ୍ୟ କରୁଛି ବୋଲି ଧରିନିଅ ।’’ ଜାହ୍ନବୀଙ୍କୁ ହସାଇଲି । ତୁମେ ନିଜ ହାତରେ ଖର୍ଚ୍ଚ ନକଲେ ତାଙ୍କୁ ଦେଇ ଦେବନାହିଁ ? କହିବ ପ୍ରଭାସ ବାବୁ ଆସିଥିଲେ, ଦୁଇ ଚାରିଟା ଟଙ୍କା ନାହିଁ କରୁ କରୁ ଦେଇ ଯାଇଛନ୍ତି । ମୋର ବାକି ଖର୍ଚ୍ଚ ଅଛି ? ତୁମେ ନିଅ ରଖ, ବଜାର କଲାବେଳେ ଖର୍ଚ୍ଚ କରିବ ।

 

-କଣ ଦରକାର ? ତୁମେ ତ ଏବେ ହାତରୁ ଗୁଡ଼ାଏ ଖର୍ଚ୍ଚ କରିଛ ଶୁଦ୍ଧ କାମରେ । ବରଂ ଆଉ । ମୁଁ ନିଜେ ହିଁ ଦରକାର ପଡ଼ିଲେ ମାଗିନେବି ।

 

-ହଉ ତେବେ, ତୁମ ପାଖରେ ପରାଜୟ ମାନିଲେ ମଧ୍ୟ ମୁଁ ଖୁସୀ, ମୋ ଆଗେ ଆଗେ ଜାହ୍ନବୀ ପଥ ଓଗାଳିଲା ପରି ଦ୍ୱାର ବନ୍ଧର ଭିତର ପଟରେ ଠିଆ ହେଲେ ଆସି ମୌନ ହୋଇ ।

 

-ଯାଉଛି ଜାହ୍ନବୀ, ରାତି ଆଠଟା ବାଜିଗଲାଣି ।

 

-ଯାଉଛି..

 

-ଆଉ କଣ କିଛି କହୁଛ ?

 

-ନାଃ, ଖାଲି ଭାବୁଛ..

 

-ଦେଖ, କାନ୍ଦୁଛ କାହିଁକି ? ମୁଁ ତ ପୁଣି କାଲି କିମ୍ବା ଅପର ଦିନ ଆସିବି । କଣ ଭାବୁଛ କୁହତ..

 

-କେଉଁ ଦିନ ତୁମେ ଆଉ ମୋ ପାଖରୁ ଯିବନାହିଁ...

 

-କିନ୍ତୁ ମୁଁ ତ ଭାବୁଛି କେବେହେଲେ ଯିମିତି ତୁମଠାରୁ ଅନ୍ତର ହୋଇ ପାରିନାହିଁ ବୋଲି । ତୁମେ ବଡ଼ ଦୁର୍ବଳ ହୋଇପଡ଼ିଛ । ମୁଁ ଜାଣୁଛି ସର୍ବ ପ୍ରଥମ ଦିନର ଜାହ୍ନବୀ ତୁମେ ଆଉ ନାହଁ । ଜାହ୍ନବୀ ମୋର ହାତଟି ଧରି ପକାଇଲେ । ଛଡ଼ାଇ ନେଇ ତାଙ୍କୁ ପୀଡ଼ିତ କରିବାକୁ ଇଚ୍ଛା ନକରି ବରଂ ତାଙ୍କ ବିଚଳିତ ନୟନରୁ ଅଶ୍ରୁବାରିପୋଛି ଦେବା ପାଇଁ ହାତକୁ ତାଙ୍କ ଆଖିଆଡ଼କୁ ନେଲି । କିନ୍ତୁ ମୋତେ ଲାଗିଲା ଜାହ୍ନବୀ ଯେପରି ତାଙ୍କର କମ୍ପ୍ର ଅଧର ଚାପି ହାତରେ ମୋର ଏକ ମୃଦୁ ଚୁମ୍ବନ ଦେଇ ଦେଇଛନ୍ତି ।

 

ନିଜକୁ ସମ୍ଭାଳି ରଖି ପାରିଲି ନାହିଁ । ଆଉ ଜାହ୍ନବୀଙ୍କ ପାଖରୁ ପଳାଇ ଆସିଲି ରାତ୍ରୀକାଳୀନ ବିସ୍ତୀର୍ଣ୍ଣ ରାଜପଥ ଉପରକୁ ।

 

ଛତିଶି

 

ଏ ତିନି ଚାରିମାସ ଭିତରେ ବିରାଟ ପରିବର୍ତ୍ତନ ଆସିଛି ମୋର ପାରିବାରିକ ତଥା ନୈତିକ ଜୀବନ ଉପରେ । ନିରୂପମା ଅତିଶୟ ରୁଗ୍‌ଗଣା ହୋଇପଡ଼ିଛି । ଏପରି ରୁଗ୍‌ଗଣା ହୋଇପଡ଼ିଛି ଯେ, ତାର ଗର୍ଭସ୍ଥିତ ଶିଶୁଟିର ଅପମୃତ୍ୟୁ ନହେବ ତାହା ସ୍ଥିର ନିଶ୍ଚିତ ରୂପେ କହିପାରୁନି । କରଜ କରି ପାଞ୍ଚଶତ ଟଙ୍କା ଉଠାଇ ଦେଲିଣି ତା ପିଛା । ମାତ୍ର ସ୍ୱାସ୍ଥ୍ୟର ତିଳେ ହେଲେ ପରିବର୍ତ୍ତନ ହେଉନି ତାର । ଔଷଧ, ଇଞ୍ଜେକସନ, ଡାକ୍ତର ଫିସ୍, ଫଳମୂଳ, ଦୁଧ, ଅଣ୍ଡା, ପାଉଁରୁଟି କେଉଁଟିର ଅଭାବ ରଖିଛି ବୋଲି ମନେ ହେଉନି ।

 

କିନ୍ତୁ ଏହାସତ୍ତ୍ୱେ ଦିନକୁ ଦିନ ନିର୍ବୋଧ ପାଲଟିଛି ମୁଁ । ଦିନକୁ ଦିନ ନିଶ୍ଚେଷ୍ଟ ହୋଇଯାଉଛି ମୋ ବିବେକ । ନିରୂପମା ଗଭୀର ପ୍ରେମର ଉଚ୍ଛନ୍ନ ବୁକୁ ଭିତରେ ଯେଉଁ ସନ୍ଦେହ ରୂପୀ ଦୁଷ୍ଟ କୀଟ ପଶିଛି, ଆଉ ତାକୁ ତନ୍ନତନ୍ନ କରି କାଟୁଛି, କେଉଁ ଡାକ୍ତର ତାର ଉପଶ୍ରମ କରିବ ଆଉ ମୋ ପରି କେଉଁ ସ୍ୱାମୀ ବା ତାର ଉଚ୍ଛେଦ ସାଧନ କରିବ ?

 

କେବଳ ସେତିକି ନୁହେଁ । ମୁଁ ପୁଣି କୁଆଡ଼େ ଆଜିକାଲି ଯଚିର ବିଧବା ସ୍ତ୍ରୀ ସହିତ ଗୁପ୍ତ ପ୍ରଣୟ କରେ । ଏ ଯେଉଁ ଅପବାଦର କୋଳାହଳ ଜାମସେଦପୁର ଓଡ଼ିଆ ମହଲରେ ଶୁଣାଯାଉଛି ନିରୂପମା କାନରେ ତାହା ନବାଜିବା ପାଇଁ କି ପ୍ରତିରୋଧ କରାଇ ପାରେ ମୁଁ ?

 

ମୁଁ ଆଜି ହୀନ, ମୁଁ ଆଜି ନିନ୍ଦନୀୟ । ମୁଁ ଆଜି ରାସ୍ତା ରାସ୍ତାରେ ଗଳି ଗଳି ଭିତରେ ଅପମାନିତ । ଯେଉଁ ଦିନ ପ୍ରଥମେ ଏ ନିନ୍ଦାବାଦ ମୋ କାନରେ ବାଜେ ସେଦିନ ସେହି ପ୍ରଥମନାଥ ମହାନ୍ତି, ଯେକି ମୋତେ ଜାହ୍ନବୀଙ୍କ ଘର ପାଖରେ ଦିନେ ସନ୍ଧ୍ୟାରେ ଭେଟିଥିଲେ ତାଙ୍କ କଥା ମୋର ମନେପଡ଼େ । ମାତ୍ର ଏସବୁ କଥା କର୍ଣ୍ଣପାତ କରି ବିଚଳିତ ହୋଇ, ନିଜକୁ ଏଡ଼େ ଅଧୈର୍ଯ୍ୟ, ଆତ୍ମ ପ୍ରତ୍ୟୟଶୂନ୍ୟ କରି ପକାଇବା ପାଇଁ ଏତେଦୂର ଦୁର୍ବଳତା ନଥିଲା ମୋର । ଯାହା ହେଉ, କୃତାର୍ଥ ହେଲି ଏଇଆ ଭାବି, ଯଚି ପରି ସାଥିର ତିରୋଧାନରେ । ‘ପ୍ରଭାସ ବାବୁ’ ପରି ଲୋକର ଏହି ମହିମାମୟ ଆବିର୍ଭାବ ହୋଇ ଶେଷକୁ ।

 

କାହାଆଗେ କହିବି ମୋ ଦୁଃଖର ଆସର କାହାଣୀ ? କିଏ ଆସିବ ସହାନୁଭୂତି ଦେଖାଇବାକୁ ? ସେ ଦିନ ସଞ୍ଜରେ ଜାହ୍ନବୀଙ୍କ ପାଖକୁ ଯାଇଥିଲି ତାଙ୍କୁ ମୋ ଶେଷ ବ୍ୟବସ୍ଥା ପତ୍ର ଶୁଣାଇ ଦେବାକୁ । କହିଲି- ଜାହ୍ନବୀ ମୋ ଅପବାଦର କାହାଣୀ ଶୁଣିପାରିଛ ?

 

-ଖୁବ୍ ପାରିଛି । ତିଳେ ହେଲେ ବିଚଳିତ ହୋଇ ପାରିନି । କାରଣ ମୁଁ ଜାଣିଥିଲି ଅପ୍ରତ୍ୟାଶିତ ଭାବରେ ତୁମ ଉପରେ ଏ ବୋଝ ପଡ଼ିବ ଦିନେ ନା ଦିନେ । କାରଣ ତୁମେ ଯେତେବେଳେ ଏଠାକୁ ମୋ ଖବର ନେବାକୁ ଆସୁଛ, କେବଳ ଏହି ଯିବା ଆସିବା ଯୋଗୁ ଏବଂ ମୋର ଅଧିକ କାଳ ଏପରି ଅବସ୍ଥାରେ ଏଠାରେ ରହିବା ଦ୍ୱାରା..

 

-ତୁମେ କଣ ବାସ୍ତବରେ ମୋତେ ଭଲ ପାଅନା ? ପଚାରିଲି ମୁଁ । ଗୋଟାଏ ସୁଦୀର୍ଘ ନିଶ୍ୱାସ ତାଙ୍କର ଅନୁଚ୍ଚ ବକ୍ଷରେ କମ୍ପି ଉଠି ବାହାରି ଆସିଲା ପଦାକୁ ।

 

କହିଲେ- କଣ କଲେ ବିଶ୍ୱାସ ଆସିବ କୁହ । ମୁଁ ତା କରିବି । କଣ କହେ ମୁଁ ତୁମକୁ ସୁଖୀ କରିପାରିବି ? ନିଜେ ତ ମୁଁ ସ୍ଥିର କରି ପାରୁନି । ନିଜର ସର୍ବନାଶ ଦେଖିବାକୁ ମୁଁ ରହିବି ଏପରି ଭାବରେ ? ମୋତେ ଅନ୍ୟ କେଉଁଠାରେ ଛାଡ଼ିଦିଅ ତୁମେ.. ?

 

ମୁଁ ଜାଣେ ଯେଉଁ ସ୍ୱାର୍ଥତ୍ୟାଗ ସକାଶେ ତୁମପରି ମୋ ପ୍ରାଣ ପ୍ରତିମାକୁ ଆଜି ମୁଁ ଅନୁରୋଧ କରିବାକୁ ଧାଇଁ ଆସିଛି ତାହା କଦାପି ତୁମେ ଦଳି ଦେବନାହିଁ ପାଦରେ ।

 

-ଏତେ ଶକ୍ତି କଣ ଅଛି ମୋ ମନରେ ?

 

-ଅଛି ଜାହ୍ନବୀ, ମୋର ଦୃଢ଼ ବିଶ୍ୱାସ ସେ ଶକ୍ତି ତୁମଠାରେ ଅଛି ?

 

-ତା’ ହେଲେ କୁହ ଶୀଘ୍ର କହିଦିଅ ।

 

-ଏବେ ବି କହିବାର ସମୟ ଆସିନାହିଁ ଜାନୁ..........

 

-ସମୟ ଆସିନାହିଁ ? ନା ଭୟ କରୁଛ ତୁମେ ? ମୋର ଏ କେତେଦିନ ହେଲା କଣ ମନେ ହେଉଛି ଜାଣ ?

 

-କଣ ?

 

-ମୋ ପରି ଅନାଥିନୀମାନଙ୍କ ପାଇଁ ସେବାଶ୍ରମ, ବା ବିଧବାଶ୍ରମ କଣ କେଉଁଠି ନାହିଁ ?

 

-ଠିକ୍ ଏହିପରି ଗୋଟିଏ ଯାଗାରେ ନେଇ ତୁମକୁ ଛାଡ଼ିଦେଇ ଆସିବି ବୋଲି ମୁଁ ମଧ୍ୟ ମନେ ମନେ ଚିନ୍ତା କରୁଥିଲି ଏ କେତେ ଦିନ ହେଲା । କିନ୍ତୁ ଯାଇ ପାରିବ ତ ? ବହୁତ ଦୂର, ହିମାଦ୍ରୀ ଦେଶର ଋଷିକେଶ । ଋଷିକେଶରେ ନେଇ ତାଙ୍କୁ ଛାଡ଼ି ଆସିବି ବୋଲି ସ୍ଥିର କରିଥିଲି ମୁଁ ।

 

-ଯାଇ ପାରିବିନାହିଁ କାହିଁକି ?

 

-ତାହେଲେ ତୁମେ ଆଜି ମୋତେ ଅଶେଷ ଗୌରବରେ ମଣ୍ଡିତ କରିଛ । ଅଶେଷ ମହିମାରେ ମହିମାନ୍ନିତ କରି ଦେଇଛ ଜାହ୍ନବୀ ।

 

-ସତେ ନା ? କହି ଜାହ୍ନବୀ ଧୀରେ ଧୀରେ ଅନ୍ୟଘର ଭିତରକୁ ଚାଲିଗଲେ । ପ୍ରାୟ ପାଞ୍ଚ ମିନିଟ ପରେ ଫେରିଆସି କ୍ଲାନ୍ତ ଶିଶୁଟି ପରି ମୋ ବକ୍ଷ ଉପରେ ଝୁଲିପଡ଼ି ମୁହଁ ଲୁଚାଇଦେଲେ । ମୁଁ ତାଙ୍କର ଶିଥିଳ କବରୀର ମୁକ୍ତ ଅଳକଗୁଡ଼ିକ ଧୀରେ ଧୀରେ ଆଲୋଡ଼ନ କରିବାକୁ ଲାଗିଲି । ମୋର ଛାତି ପକେଟରେ ଖଣ୍ଡେ ଖଣ୍ଡେଛୋଟ କାଗଜ ଦେଲେ ଜାହ୍ନବୀ, କାଢ଼ିନେଇ ପଢ଼ିଲି- ଯିବା ପୂର୍ବରୁ ଯଦି ମୁହୂର୍ତ୍ତକ ପାଇଁ ମୋରବକ୍ଷ ବିଦୀର୍ଣ୍ଣ କରି ଦେଖିପାରନ୍ତ, ତାହାହେଲେ ଦେଖନ୍ତ ଏ ହୃଦୟ ଭିତରେ ଯାହାର ସୌମ୍ୟମୂର୍ତ୍ତି ବିଭୂଷିତ, ସୋହାଗର ବିପୁଳ ନିର୍ଯ୍ୟାସରେ ଯାହାର ଳାବଣ୍ୟତନୁ ସଦ୍ୟସ୍ନାତ, ସେ ମୂର୍ତ୍ତୀଟି କାହାର । ସାରା ବିଶ୍ୱର ନିନ୍ଦାବାଦରେ ତିଳେହେଲେ ତାହା କାଳିମମୟ ହେବାର ନୁହେଁ ।’’

 

ପଢ଼ିସାରି କହିଲେ- ଜାନୁ ତୁମର ସେହି ସୌମ୍ୟ ମୂର୍ତ୍ତିଟିକୁ ଏବେ ସୁଦ୍ଧା କାଳିମାମୟ କରନାହିଁ, ସୁନାଟି ପରା.. ଆମ୍ଭମାନଙ୍କର ଶୁଭଯାତ୍ରାର ସବୁ ଆୟୋଜନ କରି ତେବେ ପାଇଁ ଆସିବି-। ଆଜି ମୋତେ ବିଦାୟ ଦେବନାହିଁ ?

 

ଜାହ୍ନବୀ ମୁହଁ ତୋଳି ମୋ ଆଡ଼କୁ ଅନାଇଲେ । ଅବ୍ୟକ୍ତ ସେ ନୟନର ଭାଷା, ଦଇବର ଅଶ୍ରୁଧାରରେ ଗଣ୍ଡ ଦୁଇଟି ତିନ୍ତି ଯାଇଛି । କମ୍ପି ଉଠିଛି ଅଧରପୁଟ, କେଉଁ ଭକ୍ତିରେ ଗଦଗଦହୋଇକିଜାଣି, ସେଦିନ ହିଁ ପ୍ରଥମେ ଜାହ୍ନବୀ ପଦତଳେ ମୋର ମଥା ନୁଆଇଁ ପ୍ରଣାମ କଲେ ଓ ଅର୍ପଣ କଲେ ଅଶ୍ରୁମାଳ ।

 

ଶଇଁତିରିସ

 

ଋଷିକେଶରେ (ହୃଷିକେଶ) ସାଧୁ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ପବିତ୍ର ଆଶ୍ରମ ଓ ଉପନିବେଶକୁ ଯିବା ପାଇଁ ରାସ୍ତାଘାଟ ଖର୍ଚ୍ଚ ୟାକୁ ତାକୁ ପଚାରି ତଥ୍ୟ ସଂଗ୍ରହ କରିବାରେ ଏପରି ମନପ୍ରାଣ ଢାଳି ଦେଇଥିଲି ଯେ, ଆଜିକି ପ୍ରାୟ ସାତଦିନ ହେବ ନିରୂପମା ଗୋଟିଏ ପୂର୍ଣ୍ଣ ସନ୍ତାନ ପ୍ରସବ କରି ହରାଇଥିବା ଦୁଃଖ ଅପେକ୍ଷା ପୂର୍ବକ୍ତ ତଥ୍ୟ ସଂଗ୍ରହ ଯେପରି ମୋତେ ଅନିର୍ବଚନୀୟ ଆନନ୍ଦ ପ୍ରଦାନ କରୁଥିଲା । ନବାଗତ ଶିଶୁଟି ଅକାଳମୃତ୍ୟୁ ମୁଁ ପୂର୍ବରୁ ହିଁ ଆଶଙ୍କା କରୁଥିଲି ।

 

ନିରୂପମା ଶଯ୍ୟାଶାୟିନୀ । ଏବେ ମଧ୍ୟ ମେଡ଼ିକାଲରେ ରହିଅଛି । ଛୁଟିନେଇ ଘରେ ରହିଥିଲି । ନିଜ ହାତରେ ରୋଷେଇ କରିବା, ଚାରୁକୁଖୋଇ ପେଇ ସ୍କୁଲକୁ ପଠାଇବା, ଅଢ଼େଇ ବର୍ଷର ଝିଅ ମଞ୍ଜୁକୁ ସମ୍ଭାଳି ପୁଣି ସନ୍ଧ୍ୟା ସମୟରେ ନିରୂକୁ ଦେଖିବା ପାଇଁ ଡାକ୍ତରଖାନା ଯିବା ଏସବୁ ଭିତରେ ମୁଁ ଆଉ ଜାହ୍ନବୀଙ୍କ ପାଖକୁ ଯାଇନଥିଲି ।

 

ମୋର ଚିଠି ପାଇ ବାପା ଓ ବୋଉ ଉଭୟେ ବ୍ୟାକୁଳ ହୋଇ ଆସି ପହଞ୍ଚିଲେ । ଡାକ୍ତର କହେ ରୋଗୀ ଦେହରେ ଆଦୌ ରକ୍ତନାହିଁ । ଏବେ ତ ତାର ଉନ୍ନତ ଧରଣର ଲଘୁପାକ ଓ ବଳକାରଣ ଖାଦ୍ୟ ଦ୍ୱିତୀୟରେ ଜଳବାୟୁ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । ମୁଁ ଏଥିପାଇଁ ବୋଉ ସହିତ ପରାମର୍ଶ କରି ନିରୁକୁ ଗାଆଁକୁ ପଠାଇବାକୁ ସ୍ଥିର କଲି । ସେମାନେ ସମସ୍ତେ ଯିବେ, ଏପରିକି ଚାରୁ ମଧ୍ୟ ଗଲେ ଭଲ ହେବ । ସେ ପଛେ ଏଠାରୁ ନାଁ କଟାଇ ତାର ମାମୁଁ ଘରେ ରହି ବର୍ଷଟାଏ ପଢ଼ିବ । ମୁଁ କେବଳ ରହିବି ଜାମସେଦପୁରରେ । କାରଣ ଛୁଟି ନେବା ପାଇଁ ଜମା ଛୁଟି ମୋର ଆଉ ପାଉଣା ନାହିଁ । ଚାରୁକୁ ମୋ ପାଖରେ ରଖି ଚଳାଇବା ଯେପରି କଷ୍ଟକର, ଏକପ୍ରକାର ଅସମ୍ଭବ କହିଲେ ଚଳେ ।

 

ଗ୍ରାମରେ ହୁଏତ ମାସେ ଖଣ୍ଡେ ରହିବା ଉତ୍ତାରୁ ସେମାନେ ନିରୂକୁ ନେଇ ପୁରୀ ଚାଲିଯିବେ । ଏ ପ୍ରସ୍ତାବରେ ରାଜି ନ ହେବାର କାରଣ ନଥିଲା । ଲକ୍ଷ୍ୟ କଲି ନିରୂପମା ମଧ୍ୟ ଏ ପ୍ରସ୍ତାବରେ ଆଶ୍ୱସ୍ତ ହୋଇଛି । ମୁଁ ମଧ୍ୟ ପରିତୃପ୍ତି ଲାଭ କଲି ।

 

ଯିବା ପୂର୍ବ ରାତ୍ରିରେ ପଚାରିଲି ନିରୂପମାକୁ –‘ନିରୂ, କହିଲ ଦେଖି, ଅଯଥା ସନ୍ଦେହ କରି, ମୋ ପ୍ରତି ମିଥ୍ୟା ଅଭିମାନ କରି ନିଜର କି କ୍ଷତି ନକରିଛ ?

 

ଶୁଷ୍କ ହସ ହସିଲା ସେ । ଚଳନଶକ୍ତି ରହିତ ତାର କୃଶ ଦେହଲତା ଯେପରି ସେହି ହସ ଟିକକରେଶିହରୀ ଉଠିଲା କ୍ଷଣକ ପାଇଁ । ହସି ହସି କହିଲା-କ୍ଷତି ଗୋଟାଏ କଣ ? ମୋ ଦେହ କଣ ଭଲ ହୋଇଯିବ ନାହିଁ ? ଯେଉଁ ଅତିଥିଟିକୁ ଭଗବାନ ଇଚ୍ଛା କରି ଦେଇଥିଲେ, କଣ ଭାବି ପୁଣି ନେଇଗଲେ । ଆମ ହାତରେ କଣ ଅଛି । କିନ୍ତୁ ତୁମ ମନରେ କଷ୍ଟ ଦେଇନାହିଁ ତ, କୁହ..

 

ସେହି ରୁଗ୍‍ଣ ହସଟି ଯାହା ଓଠ ଉପରେ ଲାଗି ହସିଥିଲା ନିରୂପମାର । ତାହା ତାର ନିଷ୍ପ୍ରଭ ଅଧର ପ୍ରାନ୍ତରେ ମୋଟେ ଶୋଭା ପାଉନଥିଲା, ଆଖି ମୋର ଛଳଛଳ ହେଲା, ମନେହେଲା ତାକୁ ତୋଳିନେଇ ବକ୍ଷ ଉପରେ ଜାକି ଧରିବି । ମାତ୍ର ତାହା କରିପାରିଲି ନାହିଁ । ବରଂ ନିଜେ ହିଁ ତା ଛାତି ଉପରକୁ ନୁଆଇଁ ଆଣିଲି ମଥାଟିକୁ ମୋର । ଶୀର୍ଣ୍ଣ ବାମହାତଟି ମୋର କାନ୍ଧ ଉପରେ ଭରା ଦେଇ କହିଲା- କହିଲ, କେଉଁ ଦିନ ମୋର ମରଣ ନହେବ ତୁମ ଆଗରେ ?

 

-ଛି, ଏପରି କାହିଁକି ଭାବୁଛ ନିରୂ ? ତୁମେ କଣ ମନେ କରିଛ ମୁଁ ତୁମକୁ ପ୍ରେମ କରୁନାହିଁ ? ଆଉ ତୁମଠାରେ ସବୁ ପ୍ରୟୋଜନ ମୋର ନିଃଶେଷ ହୋଇଛି ? ସେ କିଛି କହିଲା ନାହିଁ ? କେବଳ ନୀରବ ଚାହାଣୀରେ ଅନାଇଁ ରହିଲା । ତାର ଓଠ ପାଖରେ ମୁହଁରଖି, ତାର କରୁଣ ଚାହାଣୀ ଉପରେ ଆଖି ରଖି, ଶୀର୍ଣ୍ଣ ଚାନ୍ଦଟି ପରି ତାର ରକ୍ତହୀନ ପାଣ୍ଡୁର ଗଣ୍ଡ ଉପରେ ଆଖି ବୁଲାଇ ବୁଲାଇ ସତେ ଯେପରି ମୁଁ ସେହି ମୋର କଙ୍କଣ, କେୟର, ନୂପୁର ଓ ଚନ୍ଦ୍ରିକା ପିନ୍ଧା ବିବାହ ବେଦିର ନବପାରଣୀତା ବାଳିକା ବଧୂ ନିରୂପମାକୁ ଖୋଜି ହେଉଥିଲି ।

 

ଅଠତିରିଣି

 

ନିରୂପମା ଗ୍ରାମକୁ ଯିବାର ପ୍ରାୟ ଦେଢ଼ମାସ ପରେ ମୁଁ ଋଷିକେଶ ଯିବା ପାଇଁ ସବୁ ଆୟୋଜନ କରି ଜାହ୍ନବୀଙ୍କୁ ପ୍ରସ୍ତୁତ କରାଇଲି । ନିରୂପମା କିନ୍ତୁ ପୁରୀ ଯାଇନାହିଁ । ଚିଠି ପାଏ ସେ ଏବେ ମଧ୍ୟ ତାର ପୂର୍ବ ସ୍ୱାସ୍ଥ୍ୟ ଫେରି ପାଇନାହିଁ । ଭଲ ରୂପେ ଉଠି ବସି ପାରିନାହିଁ । ସେହିପରି ଶଯ୍ୟାଶାୟିନୀ, ତେଣୁ ପୁରୀ ଯିବା କଥା ଦୂରେ ଥାଉ, ଅବସ୍ଥା ଯେ ଭଲ ଆଡ଼କୁ ଆସୁନାହିଁ ଏହାହିଁ ମୋର ଚିନ୍ତାର ବିଷୟ ।

 

ନିରୂପମାର ଅବସ୍ଥା ହୁଏତ ଧୀରେ ଧୀରେ ଭଲ ଆଡ଼କୁ ଗତି କରିବ । ଖରାପ ହେବ କାହିଁକି ? ସେ ନିଶ୍ଚେ ଭଲ ହୋଇଯିବ । ସେ କଣ ଏବେ ମଧ୍ୟ ମନ ଭିତରୁ ସେହି ସନ୍ଦେହର ଛାୟା ଅପସାରଣ କରିନାହିଁ ? ପେଟ ଭିତରେ ମୋର ସମୟେ ସମୟେ ମନ୍ଥି ହୁଏ ଏକଥା ଭାବିଲେ ।

 

ନିରୂପମା ହୁଏତ ଭାବୁଥିବ ତାର ଅନୁପସ୍ଥିତରେ ଜାହ୍ନବୀଙ୍କ ସହିତ ମୋର ପ୍ରଣୟ ଆଉରି ଗଭୀର ହୋଇଯିବ । ଇତର ଲୋକଙ୍କ ମୁହଁରେ ରଟିତ ମୋର ନିନ୍ଦାଶୁଣି, ସେ ମଧ୍ୟ ମୋତେ ଅବିଶ୍ୱାସ କରୁଛି । ସେ ନିଶ୍ଚେ ରୋଗ ଶଯ୍ୟାରେ ଶୋଇଶୋଇ ଭାବୁଥିବ ମୋ କଥା ଓ ଜାହ୍ନବୀଙ୍କ କଥା । ମୁଁ ବର୍ତ୍ତମାନ ଏକାବେଳେକେ ସ୍ୱାଧୀନହୋଇ ଉଠିଛି । ତେଣୁ ଜାହ୍ନବୀଙ୍କ ପାଖକୁ ନିତି ପ୍ରତି ଯିବା ପାଇଁ ବାଧା ଦେବାକୁ କେହିନାହିଁ । ତାଙ୍କର ପାଖରେ, ତାଙ୍କରି ବିଛଣାରେ ରାତ୍ରିଯାପନ କରି ଦୁନିଆକୁ ଭୁଲି ରହିଥିବି । ଏକଥା ହୁଏତ ନିରୂପମା ସଦସର୍ବଦା ଭାବି ହେଉଛି । ନହେଲେ ତାର ଅବସ୍ଥାର ତାର ସ୍ୱାସ୍ଥ୍ୟର ପରିବର୍ତ୍ତନ ନ ହୁଅନ୍ତା କାହିଁକି ?

 

ଜାହ୍ନବୀଙ୍କୁ ଋଷିକେଶରେ ଛାଡ଼ି ମୋତେ ହୁଏତ ଥରେ ଗ୍ରାମକୁ ଯାଇ ତାକୁ ଦେଖି ଆସିବାକୁ ପଡ଼ିବ । ନହେଲେ ନଚଳେ । ନିଜ ଆଖିରେ ତାର ଅବସ୍ଥାର ଗତିବିଧି ନ ଦେଖିଲେ ମନ ମୋର ବୁଝିବ ନାହିଁ । ନିରୂପମା ଆଉ ଅଧିକରୁ ଅଧିକ ଖରାପ ଆଡ଼କୁ ଯାଉନାହିଁ ତ ? ଏଣେ ଛୁଟି ଯେ ମୋର ନାହିଁ । କେବଳ ଚାରି ପାଞ୍ଚଦିନ ପାଇଁ କୌଣସି ମତେ ସିକ୍ ରିପୋର୍ଟ ଦେଇ ମୋତେ ଋଷିକେଶରୁ ଫେରି ଆସି କାର୍ଯ୍ୟରେ ଉପସ୍ଥିତ ଦେବାକୁ ପଡ଼ିବ । ତାପରେ ଅନ୍ତତଃ ଦୁଇ ତିନିଦିନ ସକାଶେ ଆଉଥରେ ଦରଖାସ୍ତ ଦେଇ ଆଣିବାକୁ ପଡ଼ିବ ଗ୍ରାମକୁ । ଅବସ୍ଥା ଯେପରି ସାଂଘାତିକ ନ ହୁଏ ସେତେବେଳକୁ ନିରୂପମାକୁ ଟାଟା ନେଇ ଆସିବି । କିନ୍ତୁ ତାହା ପର କଥା । ବର୍ତ୍ତମାନ ଜାହ୍ନବୀଙ୍କୁ ନେଇଋଷିକେଶରେ ଛାଡ଼ି ଦେଇ ଆସିବା ଦାୟିତ୍ୱ ମୁଣ୍ଡ ଉପରେ ବହନ କରି ମୁଁ ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଛି ।

 

ଅଣଚାଳିଶି

 

ଋଷିକେଶ ଯିବା ପାଇଁ ମୁଁ ଯେଉଁ ତଥ୍ୟ ସଂଗ୍ରହ କଲି ସେଥିରୁ ଜଣାପଡ଼ିଲା ଜାହ୍ନବୀ ଓ ମୁଁ ଯିବା ଓ ମୋର ଏକାକୀ ଫେରିଆସିବା ପାଇଁ ନିତାନ୍ତ ପକ୍ଷେ ଲବେ ଟଙ୍କାଯାଏ ଲାଗିଯିବ । ନିରୂପମାର ପ୍ରସୂତିଚର୍ଯ୍ୟା ପୂର୍ବରୁ ଓ ପରେ ତା ପାଇଁ ଖର୍ଚ୍ଚ କରି କରି ମୁଁ ଏକପ୍ରକାର କପର୍ଦ୍ଦକ ଶୂନ୍ୟ ହୋଇପଡ଼ିଥିଲି । ତେଣୁ ନବେଟି ଟଙ୍କା କରଜ କରିବାକୁ ବାର ଲୋକଙ୍କ ନିକଟରେ ଦାନ୍ତ ନିକୁଟିବାକୁ ପଡ଼ିଲା । ମୋର ପ୍ରାୟ ସବୁ ଜଣାଶୁଣା ସ୍ୱଜାତିଙ୍କ ନିକଟରେ ମୁଁ ଏଡ଼େ ନିନ୍ଦନୀୟ ହୋଇପଡ଼ିଥିଲି ଯେ, ମୋତେ ଟଙ୍କା ପଇସା ଧାର ଦେବାକୁ ଦୂରରେ ଥାଉ ମୁଁ ଚାଲିଗଲା ବେଳେ ସେମାନେ କଣେଇ କଣେଇ ଅନାଉ ଥିଲେ ଓ ଦେଖେଇ ଶିଖେଇ ଛୁଗୁଲେଇ କରି କଥା କହୁଥିଲେ । ତେଣୁ ବିଜାତିଙ୍କ ପାଖକୁ ଧାର ନେବାକୁ ପଡ଼ିଲା । ସେ ଯାହା ହେଉ ଟଙ୍କାଟା ହାତକୁ ଆସିବା ପରେ ମୁଁ ସଂକ୍ଷେପରେ ମୋର ଯାତ୍ରାର ଯେଉଁ ବିବରଣୀଟିଏ ପ୍ରସ୍ତୁତ କଲି, ତଳେ ଲେଖୁଛି:-

 

ଟାଟାରୁ ରାତି ସାଢ଼େ ଦଶଟାରେ ବମ୍ବେ ମେଲ ଧରି ହାୱଡ଼ା ଯିବି- ହାୱଡ଼ାରେ ପରଦିନ ରାତି ଆଠଟାରେ ହାୱଡ଼ା-ଡେରାଡୁନ ଏକ୍ସପ୍ରେସ ଯୋଗେ ବନାରସ ବାଟ ଦେଇ ହରିଦ୍ୱାର ଯିବି । ପଥ ମଧ୍ୟରେ ଓହ୍ଲାଇ ଗାଡ଼ି ବଦଳି କରିବାକୁ ପଡ଼ିବନାହିଁ । ତେଣୁ ଏହା ସବୁଠାରୁ ସୁବିଧାଜନକ ଗାଡ଼ି । ହରିଦ୍ୱାରରେ ସକାଳେ ଓହ୍ଲାଇ ହୋଇ ମଟର ଧରିବି ଋଷିକେଶ ଯିବା ପାଇଁ । ମଟର ରାସ୍ତା ୧୫,୧୬ ମାଇଲ୍ । ଋଷିକେଶରେ ପହଞ୍ଚି ମୋତେ ଦେଖା କରିବାକୁ ହେବ ଡିଭାଇନ୍ ଲାଇଫ ସୋସାଇଟିର ସମ୍ପାଦକଙ୍କ ସହିତ । ଏହି ଅନୁଷ୍ଠାନ ପ୍ରତିଷ୍ଠାନ ସ୍ୱାମୀ ଶିବାନନ୍ଦ ସରସ୍ୱତୀ । କେଉଁ ସମୟରେ ସ୍ୱାମୀଜୀଙ୍କ ଦର୍ଶନ ମିଳିବ ତାହା ଓ ତାଙ୍କ ସହିତ ଭେଟ କରାଇବାର ସ୍ଥାନ ଓ ସମୟ ଏହା ସମ୍ପାଦକ ଋଷି ହୃଦୟାନନ୍ଦ ସ୍ଥିର କରିଦେବେ । ତା ପରେ ସ୍ୱାମୀଜୀଙ୍କ ସହିତ ପରାମର୍ଶ କରି ଜାହ୍ନବୀଙ୍କୁ ରଖାଇବା ଓ ପରିବେଶରେ ଜାହ୍ନବୀଙ୍କଠାରୁ ଚିରଦିନ ପାଇଁ ବିଦାୟ ନେଇ ମୋର ପ୍ରତ୍ୟାବର୍ତ୍ତନ।

 

ଏହି ବିବରଣୀକୁ ଆଖି ଆଗରେ ରଖି ବାହାରି ପଡ଼ିଲି । ଏବେ ଜାହ୍ନବୀ ଓ ଏକମୂଳେ ପଥର ଯାତ୍ରୀ । ଅନାବିଳ ପ୍ରେମର ପୂତ ପୟଃସ୍ୱନୀ ନାଚି ନାଚି କହିଯାଉଛି ଯେଉଁ ଦେଶରେ ବିଦ୍ୟାଧାମରୁ ପ୍ରେମାନନ୍ଦମୟ ପ୍ରଶାନ୍ତ ଆଲୋକ ଝରିଝରି ପଡ଼ୁଛି ଯେଉଁ ରାଜ୍ୟର ବୃକ୍ଷଲତା ଫୁଲ ଫଳରେ, ପ୍ରେମ ଓ ତ୍ୟାଗ ଆନନ୍ଦ ଓ ତୃପ୍ତି ଶାନ୍ତି ଓ ମୁକ୍ତିର ସଙ୍ଗୀତମୟ ମେଘମାଳରୁ ଆଳାପ ଛନ୍ଦ, ତାନ ଓ ମୂର୍ଛନା ବାୟୁତାନରେ ନୁପୂରିତ ହୋଇ ମର୍ମରି ଉଠିଛି ଯେଉଁ ଦେଶର ଝଲସିତ ଦିବା ଓ ମଧୁଯାମିନୀ ଗୁଡ଼ିକରେ, ଆମେ ଚାଲିଛୁ ସେହି ଦେଶକୁ ଦୀର୍ଘ ଆଲୋକମୟ ପଥରେ..

 

ମୁଁ ଓ ଜାହ୍ନବୀ, ଦୁହେଁ ମୌନ । କଥା ନକହି ଛନ୍ଦି ହୋଇଛି ଆପଣା ଆପଣା ଚିନ୍ତା ଜାଲ ମଧ୍ୟରେ । ସେ ହୁଏତ ମହତ ତ୍ୟାଗର ବାଣୀ ଶ୍ରବଣରେ କେଉଁ ଅପୂର୍ବ ଭାବାବେଶରେ ଆତ୍ମହରା ହୋଇପଡ଼ିଛନ୍ତି । ଆଉ ମୁଁ ଜଗତ କର୍ମର ଅନୁଶୋଚନା କର୍ତ୍ତବ୍ୟର ତୀବ୍ର ତାଡ଼ନା, ସଂସାର ମାୟାର ଆହ୍ୱାନ, ପୁଣି ଜାହ୍ନବୀଙ୍କ ଲାଗି ଆସନ୍ନ ବିଚ୍ଛେଦର ଦୁଃଖ, ପରିଶେଷରେ ସୌମ୍ୟ ପ୍ରକୃତିର ସୌନ୍ଦର୍ଯ୍ୟ-ଭୋଗଲିପ୍‌ପସାର ଦୃଢ଼ ଆହ୍ୱାନକୁ ପ୍ରତିରୋଧ କରିବାର ନିର୍ମମ ପ୍ରୟାସ ଏକାଧାରରେ ଶତକୋଟି ଚିନ୍ତାଧାରରେ କ୍ଷତବିକ୍ଷତ ପ୍ରାୟ । କଥା କହିବାର ସ୍ପୃହା ଆପଣାମନକୁ ହିଁ କେଉଁଆଡ଼େ ଲୀନ ହୋଇଯାଇଛି । ସବୁ ଚିନ୍ତା ଭୁଲିବା ପାଇଁ ଜାଗ୍ରତ ଅବସ୍ଥାରେ ସଙ୍ଗରେ ନେଇଥିବା ପୁରୁଣା ଇଂରାଜୀ ଲେଖକ ଥୋମାସ ହାର୍ଡିଙ୍କ ଫାଇ ପ୍ରମମାଡ୍’ କ୍ରାଉଡ଼ ଉପନ୍ୟାସଟି ପାଠ କରିବାକୁ ଚେଷ୍ଟା କରିଛି । କିନ୍ତୁ ବ୍ୟର୍ଥ ହୋଇଛି । ବହି ମଧ୍ୟରେ ଗ୍ୟାକ୍ରଲ ଓକ ଓ ସାର୍ଜେଣ୍ଟ ଟ୍ରୟ ଦୁଇଟି ଉଜ୍ୱଳ ଓ ନିଖୁଣ ଚରିତ୍ରର ସୂକ୍ଷ୍ମଛାୟା ଯେପରି ମାନସ ପଟରେ କ୍ଷଣେ କ୍ଷଣେ ଉଙ୍କି ମାରିଉଠୁଛି ।

 

ଦିନ ପାଇଁ ପୁନର୍ବାର ରାତ୍ରି ଆସିଛି ଆମକୁ ବାଷ୍ପୀୟ ଶକଟ ମଧ୍ୟରେ ବସାଇଦେଇ । ସେଦିନ ରାତ୍ରିର ଶେଷ ଯାମରେ ତନ୍ଦ୍ରା ବିହ୍ୱଳହୋଇ କେତେବେଳେ ତୁନେଇ ପଡ଼ିଛି ଜାଣେନାହିଁ । ପ୍ରଭାତର ଶୀତଳ ପବନ ସ୍ପର୍ଶରେ ନିଦ୍ରାଭଙ୍ଗ ହେଲା । ଅନୁଭବ କଲି ଜାହ୍ନବୀ କୋଳରେ ମୁଁ ମଥାରଖି ନିଶ୍ଚିନ୍ତରେ ଶୋଇ ଯାଇଥିଲି । କିନ୍ତୁ କିପରି ? ତାଙ୍କ କଡ଼ରେ ମୁଁ ବସି ବସି ତନ୍ଦ୍ରାବିଭୂତ ହୋଇଥିବା ଅବସ୍ଥାରେ ସେ ହୁଏତ ମୋର ମଥାଟି ତାଙ୍କର କ୍ରୋଡ଼ ଉପରେ ସ୍ଥାପନ କରି ଦେଇ ଅଛନ୍ତି । ଆଖି ଖୋଲି ମୁଁ ତାଙ୍କ ମୁହଁକୁ ଅନାଇଲି । ତାଙ୍କର ସଜଳ କରୁଣ ଦୃଷ୍ଟି ମୋତେ ଯେପରି ତାଙ୍କ ଅନ୍ତରରେ ବିନୀତ ମୋ ଆଗରେ ପ୍ରକାଶ କଲା । ଏ ସୌଭାଗ୍ୟ ମୋର ଆଉ ଆସିବ ନାହିଁ ଜୀବନରେ । ଆମ୍ଭେମାନେ ହରିଦ୍ୱାର ପହଞ୍ଚିଲୁ ।

 

ହରିଦ୍ୱାର ଷ୍ଟେସନରୁ ଯାଇଁ ସହର ମଧ୍ୟରେ ପହଞ୍ଚିଲାବେଳକୁ ଏକବାରେ ସକାଳ ହୋଇଗଲା । ଏଠାରୁ ମଟର ଧରି କ୍ରମେକ୍ରମେ ହିମାଳୟ ଆରୋହଣ କରିବାକୁ ହେବ । ଗଙ୍ଗା ଏଠାରେ ସପ୍ତଧାରରେ ପ୍ରବାହିତ ।

 

କହିଲି-ଜାହ୍ନବୀ, ଆମେ ଆସି ହରିଦ୍ୱାରରେ ପହଞ୍ଚିଲେଣି । ଗଙ୍ଗାସ୍ନାନ କରିବ ?

 

-ନାଃ, କେବଳ ଛୋଟଉତ୍ତରଟିଏ ଦେଲେ ସେ ।

 

ଜାହ୍ନବୀ ଯେତେବେଳେ ଆଜିଠାରୁ ପ୍ରତିଦିନ ଗଙ୍ଗାସ୍ନାନ କରିବେ ତେବେ ଏହି କ୍ଷଣି ଏଠାରେ ତୀର୍ଥ କରି ପୁଣ୍ୟ ବରଂ ମୋର ହିଁ ଲୋଡ଼ା ବେଶୀ । କିନ୍ତୁ ମୁଁ ଭାବିଲି ଏ ପୂତ ଭୂମିରେ ମୋ’ପରି ପାପି ଯେତେବେଳେ ପାଦ ରଖି ପାରିଛି ଏହାହିଁ ଯଥେଷ୍ଟ ପୁଣ୍ୟ ମୋ ପକ୍ଷରେ ।

 

ବହୁଦିନ ପରେ ଜାହ୍ନବୀ ଟିକେ ହସିଲେ ଆଜି ଓଠରେ । ଆଖି ଦୁଇଟି କିନ୍ତୁ ଅଶ୍ରୁ ସମାକୂଳ । କହିଲେ- ତୁମେ ବରଂ ଗଙ୍ଗାସ୍ନାନ କର । ହରିଦ୍ୱାରରେ ଗଙ୍ଗା ସ୍ନାନର ପୁଣ୍ୟ ଅର୍ଜନ ପାଇଁ ଜୀବନରେ ଆଉ ସୁଯୋଗ ପାଇବ ନାହିଁ ହୁଏତ..

 

ଜାହ୍ନବୀଙ୍କର ସେଦିନ ପ୍ରଭାତର ସେହି ହସ ଟିକକ ଓ ସେହି ମୁଖଛବି ଜୀବନରେ ଭୁଲିପାରିବି ନାହିଁ । କରୁଣାର ସ୍ନିଗ୍ଧ କଣିକା ସତେ ଅବା ଝରି ପଡ଼ୁଥିଲା ସେହି ସ୍ମିତ ଅଧର ଓ ଅଶ୍ରୁ ସମାଚ୍ଛନ୍ନ ଚାହାଣୀ ମଧ୍ୟରୁ । ତ୍ୟାଗ ମହିମାରେ ମଣ୍ଡିତ ହୋଇ, ପବିତ୍ରତାର ଶୁଭ୍ର ଦୁକୂଳ ପରିଧାନ କରି ଗିରିକନ୍ୟା ତପଶ୍ଚାରିଣୀ ତ୍ରିନୟନାଙ୍କ ସଦୃଶ ଜାହ୍ନବୀ ଦେଖାଗଲେ ସେଦିନ ମୋ ଆଖିକି ଗଙ୍ଗାସ୍ନାନ ପାଇଁ ଭୋଳାନନ୍ଦଗିରି ଧର୍ମଶାଳାରେ ଆଶ୍ରୟ ନେଇ ଦିନଟିଏ ରହିବା ପାଇଁ ପଡ଼ିଲା- ଜାହ୍ନବୀଙ୍କ କହିବା ଅନୁସାରେ ।

 

ଚାଳିଶି

 

ଆଶ୍ଚର୍ଯ୍ୟର କଥା, ପରଦିନ ଋଷିକେଶରେ ସ୍ୱାମୀ ଶିବାନନ୍ଦଙ୍କର ଏହି ପବିତ୍ର ଉପନିବେଶରେ ପହଞ୍ଚିଲା ବେଳକୁ ଆମ୍ଭମାନଙ୍କର ରହିବା ଘର ଓ ଖାଇବା ପାଇଁ କିଛି ଦୁଗ୍ଧ ଓ ଫଳ ଆଗରୁ ଆୟୋଜନ କରାଯାଇଥିଲା ।

 

ଆମ୍ଭାମାନଙ୍କୁ ସ୍ୱାମୀଜୀଙ୍କର ଯେଉଁ ଶିଷ୍ୟ ପାଛୋଟି ନେଲେ ତାଙ୍କୁ ପଚାରିବାରୁ ସେ କହିଲେ- କେତେଜଣ ଅତିଥି କେଉଁ ଦିଗରୁ ଆସୁଛନ୍ତି । ତାହା ସ୍ୱାମୀଜୀ ଜାଣିପାରନ୍ତି ଓ ସେମାନଙ୍କର ସବୁପ୍ରକାର ସୁବିଧା କରିଦେବା ପାଇଁ ସ୍ୱାମୀଜୀ ଦିନକ ପୂର୍ବରୁ ନିର୍ଦ୍ଦେଶ ଦେଇଥାଆନ୍ତି-

 

ବିସ୍ମୟର ଅତ୍ୟୁଚ୍ଚ ସୋପାନ ଆରୋହଣରେ ମୁଣ୍ଡ ମୋର ସତେ ଯେପରି ଘୂରିଗଲା । ସବୁ ଶେଷକୁ ହେଲା । ସ୍ୱାମୀଜୀଙ୍କ ଦର୍ଶନ ମିଳିଲା । ମୋର ଋଷିକେଶ ଯିବାର ଉଦ୍ଦେଶ୍ୟ ଓ ଅଭିଳାଷ ବ୍ୟକ୍ତକରି ସେହି ସୌମ୍ୟକାନ୍ତି, ଦିବ୍ୟଦ୍ୟୁତି ପବିତ୍ର ପୁଣ୍ୟାତ୍ମାଙ୍କର ଚରଣ ସ୍ପର୍ଶ କଲି । ହସ ହସ ବଦନରେ ସେ ମୋତେ ଆଶୀର୍ବାଦ କଲେ ।

 

ସ୍ୱାମୀଜୀଙ୍କ ସହିତ ଆଳାପ ଶେଷ ହେବା ପରେ ପରେ ହିଁ ଜାହ୍ନବୀ ମୋଠାରୁ ଅନ୍ତର ହୋଇଗଲେ । ତାଙ୍କ ନିକଟରୁ ପ୍ରେମର ଅଭିନୟ ଦେଖାଇ, ନାଟକୀୟ ଭଙ୍ଗୀରେ ବିଦାୟ ନେଇ ପାରିଲିନାହିଁ । ମୁଁ ଜାହ୍ନବୀଙ୍କଠାରୁ ବିଦାୟ ନେଇ ପାରିଲି ନାହିଁ ଶତଚେଷ୍ଟା କରି- ଗ୍ରହିହୀନ ଏକ ଦୃଢ଼ ବନ୍ଧନରେ ସେ ଏବେବି ବାନ୍ଧି ରଖିଛନ୍ତି ମୋର ମନଟିକୁ । ଆଉ ଜାହ୍ନବୀଙ୍କ ଆତ୍ମା ଏବେ ମଧ୍ୟ ମୋ ଭିତରେ ପ୍ରାଣିତ ହୋଇରହିଛି ।

 

ତାପରେ ଋଷିକେଶ, ସେହି ପବିତ୍ର ଋଷିକେଶ । ହିମାଳୟର ଜାନୁଦେଶରେ ଭୀମକାନ୍ତି ନିବିଡ଼ ଅରଣ୍ୟାନି ମଧ୍ୟରେ ଶ୍ୟାମାୟାମାନ ଋଷିକେଶ ଏବେ ମଧ୍ୟ ସ୍ମୃତି ପଥରେ ମୋର ଉଚ୍ଛ୍ୱସିତ ବେଦନା ଭିତରେ ଆତ୍ମପ୍ରକାଶ କରି କାନ୍ଦି ଉଠୁଛି, ଯେ ହତଭାଗ୍ୟ, ଯାର ଜୀବନ ବେଦୀ ଉପରେ ଏକ ରୋଗ ବିଡ଼ମ୍ବିତ-କନକକାନ୍ତି ନିରୂପମାର କରୁଣ ଅଶ୍ରୁର ଆହ୍ୱାନ ବାଜିଉଠୁଛି, ପୁଣି ଜାହ୍ନବୀଙ୍କ ପରି ପ୍ରତିମା ବିସର୍ଜନରେ ହୃଦକାରମୟ କରୁଣାଧ୍ୱନି ଯେପରି ଉଠିଛି ତାହାପାଇଁ ଏହି ଶ୍ୟାମାଗିରି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କିପରି ସମ୍ଭବ ହୁଏ ?

 

କିପରି ମୌନ ଭାବରେ କିପରି ଶ୍ରାନ୍ତକ୍ଲାନ୍ତ ଓ କିପରି ଅପଚ୍ଛୃତ ଓ ସର୍ବସ୍ୱାନ୍ତ ହେଲା ପରି ଦୀନହୀନ ଅବସ୍ଥାରେ ମୁଁ ଆସି ଟାଟାନଗର ଷ୍ଟେସନରେ ପହଞ୍ଚିଲି ତାହା ଚିତ୍ରଣ କରିବାର ଭାଷା ନାହିଁ ମୋ ପାଖରେ ।

 

ଦିନ ତିନିଟା ହେବ । ଟ୍ରେନରୁ ଓହ୍ଲାଇବା ବେଳକୁ ସୁ’ସୁ ପବନ ପିଟିଛି । ପ୍ରଳୟ ତାଣ୍ଡବର ପୂର୍ବ ସୂଚନା ପରି ଆକାଶରେ ଘମାଘୋଟ ମେଘର ଅନ୍ଧକାର । ମୁଁ ପ୍ଲାଟଫର୍ମ ପାରି ହୋଇ ଶୀଘ୍ର ଟାକ୍‍ସି ଧରିଲି । ବସାକୁ ଆସି କବାଟ ଫିଟାଇଲି ଓ ଭିତରକୁ ପ୍ରବେଶ କଲି । ବସାରେ କେହି ନାହାନ୍ତି । ନିରୂପମା ଯାଇଁ ଗ୍ରାମରେ, ଆଉ ନିରୂପମାରୋଗ ଶଯ୍ୟାରେ, ପିଲାମାନେ ମଧ୍ୟ ତାଙ୍କରି ସହିତ ଦେଶରେ । ମୁଁ ଏବେ କଣ ବସାରେ ଏକ ? ହଁ ମୁଁ ଏକା ।

 

ଜାହ୍ନବୀ ନାହାନ୍ତି । ଜାହ୍ନବୀ ମୋ ପାଇଁ ସ୍ୱାର୍ଥତ୍ୟାଗ କରି ଚାଲିଯାଇଛନ୍ତି, ଋଷିକେଶ- ସେହି ବହୁ ଦୂରରେ ହିମାଳୟ ଉପତ୍ୟକାରେ । ପେଟ ଭିତରୁ ମୋର କୋହ ଉଠି ଆସିଲା । ମୂର୍ଚ୍ଛିତ ହୋଇପଡ଼ିବି ସତେ ଅବା । ସ୍ୱାମୀଜୀଙ୍କର ଅମ୍ଲାନ ଭାବନା ମନରେ ଉଦ୍ଭାସିତ ହୋଇ ଉଠିଲା । ହସି ହସି ସେ ମୋତେ ଆଶୀର୍ବାଦ କରୁଅଛନ୍ତି ।

 

ବାହାରେ ବର୍ଷା ମାଡ଼ିଆସୁଛି । ମେଘର ଗୁରୁ ଗୁରୁ ଡାକ ଶୁଣାଯାଉଛି । ଆଖିରେ ଜମି ଆସୁଛି ମୋର ଅଜାଣିତ ଅଶ୍ରୁ.. ଅନ୍ୟମନସ୍କତା ଯୋଗୁ କେଉଁ ଆଡ଼େ ଅନାଇ ରହିଛି ଜାଣେନାହିଁ । କ୍ଷଣେ କ୍ଷଣେ ସେହି ଘୂର୍ଣ୍ଣିତ କୃଷ୍ଣ ମେଘମାଳା ଭିତରୁ ଯଚି ତାର ପେନ୍ଟହ୍ୟାଟ ପିନ୍ଧି ମୋତେ ଆଖି ମାରୁଛି ଯେପରି କଳେ କଳେ ସିଗାରେଟ୍ ଟାଣି ଉଦ୍‍ଗାର କରୁଛି ରକ୍ତର କୁଳୁକୁଞ୍ଚା..

 

ହଠାତ୍ ଶୁଭିଲା-ବାବୁ !

 

ଦୌଡ଼ିଗଲି ପଦାକୁ- ପୋଷ୍ଟମ୍ୟାନ୍ ।

 

-ଶୀଘ୍ର ଆସନ୍ତୁ, ନହେଲେ ମୁଁ ତିନ୍ତିଯିବି, ସାଇନ୍ କରନ୍ତୁ, ଆପଣଙ୍କ ଟେଲିଗ୍ରାମ ।

 

-ହଁ ଟେଲିଗ୍ରାମ,

 

-ଟେବୁଲ ପାଖରେ ଠିଆ ହୋଇ ଲଫାପା ଖୋଲି ପକାଇଲି । ହାଠାତ୍ କଡ଼ କଡ଼ ହୋଇ ଚଡ଼ଚଡ଼ିଟାଏ ମାରିଦେଲା । ଟେଲିଗ୍ରାମ ମଧ୍ୟ ପଢ଼ି ନେବାରେ ବିଳମ୍ବ ହେଲାନାହିଁ । ବଜ୍ର ସତେ ଅବା ଯେ ମୋରି ମୁଣ୍ଡଟାକୁ ପିଟିଦେଲା ତାର ସବଳ ଶକ୍ତି ପ୍ରୟୋଗ କରି ।

 

-Extremely sorry my telegram fourth ceturned undelivered presume you out station stop mothe wished you much before she breathed last this morning at five-

Charu

 

ମୁଣ୍ଡ ମୋର ବୁଲାଇ ଦେଲା, ହଠାତ୍ ବୁଝିପାରିଲି ନାହିଁ ଏହି ଟେଲିଗ୍ରାମଟାର ଭାଷା । ତାହା ଯେପରି ମୋ କାନ ମୂଳରେ ଗର୍ଜି ଉଠି କହିଲା- ନିରୂପମା ଆଉନାହିଁ । ଅଭିମାନିନୀ ନିରୂପମା ଆଉ ଏ ସଂସାରରେ ନାହିଁ । ନିରୂପମା ଯାଇଁ ନିରୂପମ ରାଜ୍ୟର ବ୍ୟୋମ ଦେଶରେ ।

 

ସମାପ୍ତ